ତାମିଲନାଡୁ ଗ୍ୟାସ ଟ୍ରାଜେଡି: କେନ୍ଦୁଝରର 8 ଥାନାରେ ଶ୍ରମିକ ସର୍ଦ୍ଦାର ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ମାମଲା, ତଦନ୍ତ ଆରମ୍ଭ
ଶ୍ରମିକ ସର୍ଦ୍ଦାର ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ଏଫଆଇଆର ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ରିପୋର୍ଟ- ସଞ୍ଜୀବ ରାୟ


Published : July 1, 2026 at 10:20 PM IST
|Updated : July 1, 2026 at 10:28 PM IST
ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ବଡ଼ ଖୁଲାସା । ନାବାଳିକାଙ୍କୁ ଜାଲ ପରିଚୟରେ ବିପଜ୍ଜନକ କାରଖାନାକୁ ପଠାଇବା ଅଭିଯୋଗରେ କେନ୍ଦୁଝରର ୮ଟି ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଛି । ତେଲକୋଇ ବ୍ଲକ ରଙ୍ଗ ମାଟିଆ ଗାଁର ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ଏଫଆଇଆର ରୁଜୁ ହୋଇଛି ।
ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାର ସେଣ୍ଟ ପିଟର୍ସ ଆଣ୍ଡ ପଲ୍ସ ସି-ଫୁଡ୍ସ ଏକ୍ସପୋର୍ଟ କାରଖାନାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍ ଟ୍ରାଜେଡି ପରେ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ । ନାବାଳକ-ନାବାଳିକାଙ୍କୁ ଜାଲ ପରିଚୟପତ୍ର ବ୍ୟବହାର କରି ବିପଜ୍ଜନକ କାରଖାନାରେ କାମରେ ନିୟୋଜିତ କରାଯାଇଥିବା ଅଭିଯୋଗ ଉଠିଛି । ଏହାକୁ ନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ, ପଣ୍ଡାପଡ଼ା, ହରିଚନ୍ଦନପୁର, ଦୈତାରୀ, ଟାଉନ, କଞ୍ଜିପାଣି, ନୟାକୋଟ ଓ ସଦର ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଛି । ଏବେ ଘଟଣାର ଅପରାଧିକ ଦିଗରେ ତଦନ୍ତ ଜୋରଦାର ହୋଇଛି ।
ଜୁନ୍ ୨୧ରେ ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାର ସି-ଫୁଡ୍ସ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବାରୁ କେନ୍ଦୁଝର ଜିଲ୍ଲାର ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୁର୍ଘଟଣା ପରେ ସେହି କାରଖାନାରେ କାମ କରୁଥିବା ୫୮ ଜଣ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା ।
ଶ୍ରମ ବିଭାଗର ତଦନ୍ତ ବେଳେ ମୃତକଙ୍କ ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନା ଆଧାରରେ ତେଲକୋଇ ବ୍ଲକ ରଙ୍ଗ ମାଟିଆ ଗାଁର ଶ୍ରୀକାନ୍ତ ଜୁଆଙ୍ଗ ନାଁ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଭଲ ଚାକିରି ଓ ଅଧିକ ଦରମାର ପ୍ରଲୋଭନ ଦେଖାଇ ପ୍ରାୟ ୨୪ ଜଣଙ୍କୁ ତାମିଲନାଡୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣ ନାବାଳକ-ନାବାଳିକା ଥିବା ତଦନ୍ତରେ ସାମ୍ନାକୁ ଆସିଛି । ୧୨ ଜଣ ମୃତକଙ୍କ ମଧ୍ୟରୁ ୭ ଜଣ ତେଲକୋଇ ବ୍ଲକ୍ର ଥିବାବେଳେ, ସେମାନଙ୍କ ମଧ୍ୟରୁ ୫ ଜଣ ନାବାଳିକା ବୋଲି ଶ୍ରମ ବିଭାଗର ଚିଠିରେ ଉଲ୍ଲେଖ ରହିଛି ବୋଲି ସୂଚନା ଦେଇଛନ୍ତି କେଓଁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ।
ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି, ନାବାଳିକାମାନଙ୍କୁ ବୟସ୍କଙ୍କ ଆଧାର ପରିଚୟପତ୍ର ବ୍ୟବହାର କରି ବିପଜ୍ଜନକ କାରଖାନାରେ କାମରେ ନିୟୋଜିତ କରାଯାଇଥିଲା । ଶ୍ରମ ବିଭାଗର ଚିଠିରେ ଜଣେ ମୃତ ନାବାଳିକାଙ୍କୁ ଅନ୍ୟ ଜଣେ ମହିଳାଙ୍କ ପରିଚୟରେ ନିଯୁକ୍ତ କରାଯାଇଥିବା ଉଦାହରଣ ମଧ୍ୟ ଦିଆଯାଇଛି । ଏଥିରୁ ପରିଚୟ ଜାଲିଆତି, ବୟସ ଲୁଚାଇବା ଓ ସଂଗଠିତ ଭାବେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ସନ୍ଦେହ ସୃଷ୍ଟି ହୋଇଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।
ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ, ପଣ୍ଡାପଡ଼ା, ହରିଚନ୍ଦନପୁର, ଦୈତାରୀ, ଟାଉନ, କଞ୍ଜିପାଣି, ନୟାକୋଟ ଓ ସଦର ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଛି । ବେଆଇନ ପ୍ରବାସୀ ଶ୍ରମିକ ନିଯୁକ୍ତି, ନାବାଳକ-ନାବାଳିକାଙ୍କୁ ବିପଜ୍ଜନକ କାମରେ ନିୟୋଜନ, ଜାଲ ପରିଚୟପତ୍ର ବ୍ୟବହାର, ଠକେଇ, ଜାଲିଆତି ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଅନ୍ୟାନ୍ୟ ଅପରାଧ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏହା ବି ପଢନ୍ତୁ- ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
ଇଟିଭି ଭାରତ, ଭୁବନେଶ୍ୱର

