ETV Bharat / state

୫୦% ପର୍ଯ୍ୟନ୍ତ ବଢ଼ିଲା ଦର... ରକ୍ଷାବନ୍ଧନରେ ମିଠାର ଅଭାବ ଦେଲା ତିକ୍ତ ଅନୁଭୂତି

ରକ୍ଷାବନ୍ଧନରେ ମିଠା ଅଭାବ । ମିଠା ନପାଇ ହତାଶ ଗ୍ରାହକ। କଞ୍ଚାମାଲ ଅଭାବରୁ ଏଠାରେ ଅନେକ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ରିପୋର୍ଟ-ମିନତି ସିଂହ

Sweets shortage brings bitter taste on Raksha Bandhan
୫୦% ପର୍ଯ୍ୟନ୍ତ ବଢ଼ିଲା ଦର... ରକ୍ଷାବନ୍ଧନରେ ମିଠାର ଅଭାବ ଦେଲା ତିକ୍ତ ଅନୁଭୂତି (Etv Bharat)
author img

By ETV Bharat Odisha Team

Published : August 27, 2026 at 3:06 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଏଥର ଦୁଇଦିନ ରକ୍ଷାବନ୍ଧନ ପଡ଼ୁଥିବାବେଳେ ତା ପୂର୍ବରୁ ଭୁବନେଶ୍ୱର ବଜାରରେ ଏକ ଅସାଧାରଣ ସମସ୍ୟା ଦେଖା ଦେଇଛି। ପାରମ୍ପରିକ ମିଠାର ପ୍ରଚୁର ଚାହିଦା ଥିବା ସତ୍ତ୍ୱେ ଯୋଗାଣରେ ପ୍ରବଳ ଅଭାବ ଦେଖାଦେଇଛି। ବହୁ ଗ୍ରାହକ ନିଜ ପସନ୍ଦର ମିଠା ନପାଇ ନିରାଶ ହୋଇ ଫେରୁଛନ୍ତି କିମ୍ବା ଯାହା ମିଳୁଛି ସେଥିରେ ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏହା ସହିତ ସେମାନଙ୍କୁ ସାଧାରଣ ଦର ଅପେକ୍ଷା ପ୍ରାୟ ୫୦% ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ଗୋଟିଏ ପଟେ ଭେଜାଲ ଛେନା, ପନୀର ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ଉପରେ କଡ଼ା ଚଢ଼ାଉ ଚାଲିଥିବାବେଳେ ଚିନି ଦର ବୃଦ୍ଧି ଯୋଗୁ ଏହି ପାରମ୍ପରିକ ସମୟରେ ଏକ ବଡ ସଙ୍କଟ ସୃଷ୍ଟି ହୋଇଛି।

ରକ୍ଷାବନ୍ଧନରେ ମିଠାର ଅଭାବ ଦେଲା ତିକ୍ତ ଅନୁଭୂତି (Etv Bharat)

ଓଡ଼ିଶାରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ରକ୍ଷାବନ୍ଧନ ପାଳନ କରାଯାଉଥିବା ବେଳେ ଏହି ସମୟରେ ମିଠାର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ। ଭାଇ-ଭଉଣୀ, ସମ୍ପର୍କୀୟ ଓ ଅତିଥିମାନଙ୍କ ପାଇଁ ପରିବାରଗୁଡ଼ିକ ପାରମ୍ପରିକ ପ୍ରଥା ଭାବେ ମିଠା କିଣିଥାନ୍ତି। ହେଲେ ଏଥର ବଜାରରେ ମିଠାର ଚଢା ଦମ ଗ୍ରାହକଙ୍କ ପକେଟକୁ ଖୁବ ବାଧୁଛି ।

ରାଜଧାନୀର ଜଣେ ଗ୍ରାହକ ମଧୁସ୍ମିତା ସ୍ୱାଇଁ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, "ଏହା ଅବିଶ୍ୱସନୀୟ। ପ୍ରତିବର୍ଷ ରକ୍ଷାବନ୍ଧନରେ ମୁଁ ଯେତିକି ମିଠା କିଣେ, ଏଥର ତା’ର ଅଧା ପରିମାଣରେ କାମ ଚଳାଇବାକୁ ପଡ଼ୁଛି। ବିଶେଷ କରି ଛେନାରେ ତିଆରି ମିଠା ବଜାରରୁ ଗାୟବ ହୋଇଯାଇଛି। ଯେଉଁ ଦୋକାନରେ ମିଠା ଅଛି, ସେମାନେ ଦର ପାଖାପାଖି ଦୁଇଗୁଣ ବଢ଼ାଇ ଦେଇଛନ୍ତି। ପାଞ୍ଚଟି ଦୋକାନ ବୁଲିବା ପରେ ବି ମୋ ଭାଇର ପ୍ରିୟ କଲାକାନ୍ଦ ମିଳିଲାନି।"

ରକ୍ଷାବନ୍ଧନ ଓ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆରମ୍ଭ କରାଯାଇଥିବା କଡ଼ା ଖାଦ୍ୟ ସୁରକ୍ଷା ଅଭିଯାନ ଯୋଗୁଁ ଏହି ଅଭାବ ଦେଖାଦେଇଛି। ଭେଜାଲ ଓ ବାସି ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ପାଇ ପୌର କର୍ତ୍ତୃପକ୍ଷ ମିଠା ଦୋକାନ, ପନୀର ଉତ୍ପାଦନ କେନ୍ଦ୍ର ଓ ହୋଟେଲ ଗୁଡ଼ିକରେ କ୍ରମାଗତ ଚଢ଼ାଉ କରୁଛନ୍ତି।

ରାଜଧାନୀର ଜଣେ ପ୍ରସିଦ୍ଧ ମିଠା ବ୍ୟବସାୟୀ ନିତେଶ ନରୁଲା କହିଛନ୍ତି, "ସବୁ ମିଠା ବ୍ୟବସାୟୀ ଭେଜାଲ ସାମଗ୍ରୀ ବ୍ୟବହାର କରୁନାହାନ୍ତି। କିନ୍ତୁ ଚଢ଼ାଉ ଯୋଗୁଁ ଗ୍ରାହକଙ୍କ ମନରେ ଭୟ ସୃଷ୍ଟି ହୋଇଛି, ଯାହାର ଫଳ ସ୍ୱରୂପ ଅସଲି ସାମଗ୍ରୀ ବ୍ୟବହାର କରୁଥିବା ବ୍ୟବସାୟୀମାନେ ବି ପ୍ରଭାବିତ ହେଉଛନ୍ତି।"

ମିଠା ବ୍ୟବସାୟୀଙ୍କ ପାଇଁ ସମସ୍ୟା ଚଢ଼ାଉ ନୁହେଁ । ସମସ୍ୟା ହେଉଛି, ହଠାତ୍ କଞ୍ଚାମାଲ ଆବଶ୍ୟକତା ଅନୁଯାୟୀ ନ ମିଳିବା । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁ ମିଠା ଦର ବୃଦ୍ଧି ପାଉଛି ଯାହା ଫଳରେ ବିକ୍ରିରେ ସମସ୍ୟା ଦେଖା ଦେଉଛି ।

ବୁଧବାର ସୁଦ୍ଧା ରସଗୋଲା, ଛେନାପୋଡ଼, ଛେନାଗଜା, ରସମଲାଇ ଓ ରସାବଳି ପରି ପାରମ୍ପରିକ ଓଡ଼ିଆ ମିଠାର ଦର ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହିସବୁ ମିଠା ସମ୍ପୂର୍ଣ୍ଣ ଭାବେ ତାଜା ଛେନା ଉପରେ ନିର୍ଭର କରେ। ଭୁବନେଶ୍ୱରକୁ ମୁଖ୍ୟତଃ ନିଆଳି, ଆଡ଼ସପୁର, ଗୋପ ଓ କାକଟପୁର ଭଳି ଦୁଗ୍ଧ ଉତ୍ପାଦନକାରୀ ଅଞ୍ଛଳରୁ ଛେନା ଆସିଥାଏ। ଯାଞ୍ଚ କଡ଼ାକଡ଼ି ହେବା ପରେ କେତେକ ଯୋଗାଣକାରୀ ସତର୍କ ହୋଇଯାଇଛନ୍ତି । ଆଉ କେତେକ ଗୁଣବତ୍ତା ସନ୍ଦେହରେ ଯୋଗାଣ ବନ୍ଦ କରି ଦେଇଛନ୍ତି କିମ୍ବା ଫେରାଇ ଦେଉଛନ୍ତି ।

ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ସମ୍ପାଦକ ବିମ୍ବାଧର ବେହେରା କହିଛନ୍ତି, "ଛେନା ଓ ପନୀର ଉତ୍ପାଦକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସରକାର ନିର୍ଭେଜାଲ ଓ ଗୁଣବତ୍ତା ପ୍ରତି ଧ୍ୟାନ ଦେବା ଭଲ କଥା, କିନ୍ତୁ ଚଢ଼ାଉ ଯୋଗୁଁ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। କଞ୍ଚାମାଲ ନମିଳିଲେ ଆମେ ମିଠା କେମିତି ତିଆରି କରିବୁ? ଏଥର ରକ୍ଷାବନ୍ଧନ ଆମ ପାଇଁ ନିରାଶାଜନକ ରହିଲା ଏବଂ ଆଗାମୀ ପାର୍ବଣ ଋତୁ ଆହୁରି ଖରାପ ହେବାକୁ ଯାଉଛି।"

ମିଠା ତିଆରି ପାଇଁ ଚିନି, ଖୀର, ଛେନା ଓ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୁଖ୍ୟ ଉପାଦାନ। ବ୍ୟବସାୟୀଙ୍କ କହିବାନୁସାରେ ଏହି ସବୁଜିନିଷର ଦର ବୃଦ୍ଧି ପାଇଛି। ଚିନି, ଖୀର ଏବଂ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବଢ଼ିଥିବାରୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି।

ଏହି ସଙ୍କଟ ରାଜ୍ୟର ରସଗୋଲା ହବ୍ ଭାବେ ଜଣାଶୁଣା ପାହାଳରେ ଅଧିକ ଦେଖିବାକୁ ମିଳିଛି । କଞ୍ଚାମାଲ ଅଭାବରୁ ବୁଧବାର ଏଠାରେ ଅନେକ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ପାହାଳ ବଜାରର ପ୍ରାୟ ୧୦୦ଟି ମିଠା ଦୋକାନକୁ ଦୈନିକ ପ୍ରାୟ ୪୦ କ୍ୱିଣ୍ଟାଲ (୪,୦୦୦ କିଗ୍ରା) ଛେନା ଆସୁଥିଲା। ବର୍ତ୍ତମାନ ଏହା କମିଯାଇ ମାତ୍ର ୧୦ କ୍ୱିଣ୍ଟାଲରେ ପହଞ୍ଚିଛି । ରାକ୍ଷୀ ସମୟରେ ଚାହିଦା ଶିଖରରେ ଥିବା ସମୟରେ ମିଠା ପ୍ରସ୍ତୁତକାରୀମାନେ କଞ୍ଚାମାଲ ପାଇଁ ନାକେଦମ୍ ହେଉଛନ୍ତି।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ ମିଠା ମହଙ୍ଗା: ଚିନି, ଛେନା ଓ ଗ୍ୟାସ ଦର ବୃଦ୍ଧିରେ ଦୋକାନୀଙ୍କ ଚିନ୍ତା, ଗ୍ରାହକଙ୍କ ପକେଟକୁ ମାଡ

ଏହା ମଧ୍ୟ ପଢନ୍ତୁ ଏହା ବି ପଢନ୍ତୁ- ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଜାରରୁ ଛେନା ପନିର ଗାୟବ, ଚିନି ଦର ପାଇଁ ବଢିବ ମିଠା ଦର