ETV Bharat / state

ରାକ୍ଷୀ ପୂର୍ଣ୍ଣିମାରେ ମିଠା ମହଙ୍ଗା: ଚିନି, ଛେନା ଓ ଗ୍ୟାସ ଦର ବୃଦ୍ଧିରେ ଦୋକାନୀଙ୍କ ଚିନ୍ତା, ଗ୍ରାହକଙ୍କ ପକେଟକୁ ମାଡ

ବିଭିନ୍ନ ପ୍ରକାର ମିଠାର ଦର ପ୍ରାୟ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିବା ଦୋକାନୀମାନେ କହିଛନ୍ତି । ରିପୋର୍ଟ- ଗୋବିନ୍ଦ ଚନ୍ଦ୍ର ପଣ୍ଡା

rakhya bandhan sweet
ରାକ୍ଷୀ ପୂର୍ଣ୍ଣିମାରେ ମିଠା ମହଙ୍ଗା (ETV Bharat Odisha)
author img

By ETV Bharat Odisha Team

Published : August 26, 2026 at 10:12 PM IST

2 Min Read
Choose ETV Bharat

ଖୋରଧା: ଭାଇ-ଭଉଣୀଙ୍କ ସ୍ନେହ ଓ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ଭାଇଙ୍କୁ ମିଠା ଖୁଆଇବାର ପରମ୍ପରା ରହିଛି । ତେଣୁ ରାକ୍ଷୀ ପୂର୍ଣ୍ଣିମା ଆସିଲେ ମିଠା ଦୋକାନରେ ବଢ଼ିଯାଏ ଚାହିଦା । ଚଳିତ ବର୍ଷ କିନ୍ତୁ ମିଠା ବ୍ୟବସାୟୀଙ୍କ ପାଇଁ ଦୁଇ ଗୁଣା ହୋଇଛି ଚିନ୍ତା । ଚିନି, ଛେନା ସମେତ ଅନ୍ୟାନ୍ୟ କଞ୍ଚାମାଲର ଦର ବୃଦ୍ଧି ସାଙ୍ଗକୁ ରନ୍ଧନ ଗ୍ୟାସ ଦର ବଢ଼ିବା ବ୍ୟବସାୟର ଖର୍ଚ୍ଚ ବଢ଼ାଇଛି ।

ରାକ୍ଷୀ ପୂର୍ଣ୍ଣିମାରେ ମିଠା ମହଙ୍ଗା (ETV Bharat Odisha)

ଅନ୍ୟପଟେ ନକଲି ଛେନା ଓ ପନିର ବିରୋଧରେ ଚଢ଼ାଉ ଓ କଟକଣା ଯୋଗୁଁ ମଧ୍ୟ ମିଠା ଦୋକାନୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ରାକ୍ଷୀ ପୂର୍ଣ୍ଣିମାକୁ ନଜରରେ ରଖି ମିଠା ଦୋକାନଗୁଡ଼ିକରେ ଲଡ଼ୁ, ରସଗୋଲା, ଗୋଲାପ ଜାମୁନ, ଛେନାପୋଡ଼, ସନ୍ଦେଶ, ବର୍ଫି, ଚମ୍‌ଚମ୍‌, ଲବଙ୍ଗଲତା, ସେଓ ସନ୍ଦେଶ ଭଳି ବିଭିନ୍ନ ପ୍ରକାରର ମିଠା ସଜାଇ ରଖାଯାଇଛି । ବର୍ଷକୁ ଥରେ ଆସୁଥିବା ଏହି ପର୍ବରେ ଭଲ ବ୍ୟବସାୟ ହେବ ଏବଂ ଦୁଇ ପଇସା ଲାଭ ମିଳିବ ବୋଲି ଦୋକାନୀମାନେ ଆଶା ରଖିଛନ୍ତି ।

ତେବେ କଞ୍ଚାମାଲ ଦର ବଢ଼ିଥିବାରୁ ମିଠାର ଦର ମଧ୍ୟ ବଢ଼ିଛି । ବିଭିନ୍ନ ପ୍ରକାର ମିଠାର ଦର ପ୍ରାୟ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିବା ଦୋକାନୀମାନେ କହିଛନ୍ତି । ଦର ବଢ଼ିବାରୁ ଗ୍ରାହକମାନେ ପୂର୍ବାପେକ୍ଷା କମ୍ ପରିମାଣର ମିଠା କିଣୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଛେନାରେ ପ୍ରସ୍ତୁତ ମିଠାର ଦର ଅଧିକ ଥିବାରୁ କିଛି ଗ୍ରାହକ ସୁଜି, ମଇଦା, ନଡ଼ିଆ ଓ ଅଟାରେ ପ୍ରସ୍ତୁତ ମିଠା ଆଡ଼କୁ ମୁହଁ କରୁଛନ୍ତି ।

ତଥାପି ରାକ୍ଷୀ ପୂର୍ଣ୍ଣିମାରେ ଛେନା ମିଠାର ଚାହିଦା କମିନାହିଁ । ଦର ବୃଦ୍ଧି ସତ୍ତ୍ୱେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ମୁହଁ ମିଠା କରାଇବା ପାଇଁ ଗାଁଠୁ ସହର ସବୁଠି ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି । ଦର ଯେତେ ବଢ଼ୁନା କାହିଁକି, ଭାଇ-ଭଉଣୀଙ୍କ ସମ୍ପର୍କର ମିଠାସକୁ ଆହୁରି ମିଠା କରିବା ପାଇଁ ମିଠା କିଣିବାରେ ପଛଘୁଞ୍ଚା ଦେଉନାହାନ୍ତି ଗ୍ରାହକ । ଆଉ ଗ୍ରାହକଙ୍କୁ ବୁଝାଇ ମିଠା ବିକ୍ରି କରି ଏହି ପର୍ବରେ ଭଲ ବ୍ୟବସାୟ କରିବାକୁ ଦୋକାନୀମାନେ ମଧ୍ୟ ତତ୍ପର ଅଛନ୍ତି ।

ମିଠା ବ୍ୟବସାୟୀ ଅଜୟ କୁମାର ସାହୁ ଏହିଛନ୍ତି, "ସବୁ ଦର ବଢ଼ିଲାଣି । ଚିନିଠୁ ଧରି ଗ୍ୟାସ ପର୍ଯ୍ୟନ୍ତ ସବୁ ଦର ବଢିଲା । ଆମେ ଭଲ ଛେନା ଆଣି କାମ କରୁଛୁ ସେଥିପାଇଁ ପୂର୍ବ ବର୍ଷ ତୁଳନାରେ ମିଠା ଦର 20 ଟଙ୍କା ବୃଦ୍ଧି କରିଛୁ । ଯାହାଦ୍ୱାରା ବ୍ୟବସାୟ ଉପରେ ପ୍ରଭାବ ପଡୁଛି ।"

ସେହିଭଳି ବ୍ୟବସାୟୀ ରବୀନ୍ଦ୍ର ନାଥ ସେନାପତି କହିଛନ୍ତି, "ଏବର୍ଷ ବହୁତ କ୍ଷତି ହେଉଛି, ସବୁ ଜିନିଷର ଦର ବୃଦ୍ଧି ପାଇଁ ବ୍ୟବସାୟ ପ୍ରଭାବିତ ହେଉଛି । ଦରବୃଦ୍ଧି ପାଇଁ ଗ୍ରାହକ ମାନେ ଏକ କିଲୋ ଯାଗାରେ ଅଧକିଲୋ ମିଠା ନେଉଛନ୍ତି ।"

ସେହିଭଳି ଗ୍ରାହକ କୌଶଲ୍ୟା ପ୍ରଧାନ କହିଛନ୍ତି, "ଭାଇ ପାଇଁ ମିଠା ଓ ରାଖୀ ନେଇ ଯାଉଛି, ଚିନି ଦର ବୃଦ୍ଧି ହୋଇଛି ତେଣୁ ମିଠା ଦର ବଢିଛି ଆମେ କଣ କରିପାରିବା । ସେହିପରି ଗ୍ରାହକ ଭିକାରି ଚରଣ ପଣ୍ଡା କହିଛନ୍ତି ଯାହା ହେଲେବି ପର୍ବରେ ମିଠା ନେବାକୁ ବାଧ୍ୟ । କିନ୍ତୁ ମିଠା ଦର ପୂର୍ବ ଅପେକ୍ଷା ଟିକେ ଅଧିକ ହୋଇଛି । ଆମେ ତ ସବୁ ଜାଣୁଛୁ ଚିନି, ଗ୍ୟାସ, ତେଲ ସବୁ ବଢିଛି ।"

ଏହା ବି ପଢନ୍ତୁ- ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଜାରରୁ ଛେନା ପନିର ଗାୟବ, ଚିନି ଦର ପାଇଁ ବଢିବ ମିଠା ଦର

ଇଟିଭି ଭାରତ, ଖୋରଧା