ମହିଳା କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ଜୀବନ ହାରିଥିବା କହିଲେ ଜେଲ୍ କର୍ତ୍ତୃପକ୍ଷ
ନିମାପଡ଼ା ଉପକାରାଗାରରେ ଜଣେ ମହିଳା କଏଦୀ ଜୀବନ ହାରିଛନ୍ତି । ୱାର୍ଡ ଭିତରୁ ତାଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର କଲେ ଜେଲ୍ କର୍ତ୍ତୃପକ୍ଷ ।

Published : February 24, 2026 at 7:31 AM IST
ନିମାପଡ଼ା: ବିଚାରାଧୀନ ମହିଳା କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ନିମାପଡ଼ା ଉପକାରାଗାରରେ ଗତକାଲି (ସୋମବାର) ଜଣେ ମହିଳା କଏଦୀ ଜୀବନ ହାରିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ଡେଲାଙ୍ଗ ଅଞ୍ଚଳର ମଧୁସ୍ମିତା ବରାଳ । ଜେଲ ୱାର୍ଡ ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ ଜେଲ୍ କର୍ତ୍ତୃପକ୍ଷ ।ଏହାପରେ ତାଙ୍କୁ ଚାରି ଛକ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।
ନିମାପଡ଼ା ଉପକାରାଗାରରେ ଜଣେ ମହିଳା କଏଦୀ ଜୀବନ ହାରିଛନ୍ତି । ସେ ନିଜ ନାବାଳିକା ଝିଅକୁ ହତ୍ୟା କରିଥିବା ଅଭିଯୋଗରେ 2025 ଡିସେମ୍ବର ମାସରେ ଗିରଫ ହୋଇ କଏଦୀ ଭାବେ ଦିନ କାଟୁଥିଲେ । ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ସାରି ଅନ୍ୟ ମହିଳା କଏଦୀମାନଙ୍କ ସହ ୱାର୍ଡ ବାରଣ୍ଡାରେ ବସିଥିଲେ ମଧୁସ୍ମିତା । ଏହାପରେ ୱାର୍ଡକୁ ଯାଇ ଆଉ ଫେରିନଥିଲେ ସେ । କିଛି ସମୟ ପରେ ଅନ୍ୟ ଜଣେ ମହିଳା କଏଦୀ ତାଙ୍କୁ ୱାର୍ଡ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏହାପରେ ଖବର ପାଇଁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ସଙ୍ଗେ ସଙ୍ଗେ ଚାରି ଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜେଲ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ସନ୍ଦେହଜନକ ମୃତ୍ୟୁ ବୋଲି କହିଥିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ପରେ ଜେଲ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା । ତେବେ ଉକ୍ତ ମହିଳା ଜଣକ କାହିଁକି ଏପରି ଜୀବନ ହାରିଲେ ତାହାର ସ୍ପଷ୍ଟ କାରଣ ଜଣା ପଡିନାହିଁ ।
ଏନେଇ ନିମାପଡା ଉପକାରାଗାର ଅଧୀକ୍ଷକ ସୁଶାନ୍ତ କୁମାର ରାଉତ୍ କହିଛନ୍ତି," ଆମ ଉପକାରାଗାରରେ ମଧୁସ୍ମିତା ବରାଳ ନାମକ ଜଣେ ମହିଳା କଏଦୀ ଜୀବନ ହାରିଛନ୍ତି । ଜେଲ ୱାର୍ଡ ଭିତରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ବର୍ତ୍ତମାନ ନିମାପଡ଼ା ପୋଲିସ ଥାନାରେ ଏକ ଅଭିଯୋଗ କରାଯାଇଛି । ପୋଲିସ ତାଙ୍କର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।"
ଏହା ମଧ୍ୟ ପଢନ୍ତୁ...ବାହଘର ଦିନ ଅନ୍ତିମ ବିଦାୟ; ଶାଶୂଘର ବଦଳରେ ଶ୍ମଶାନକୁ ଗଲେ ଦୁଇଭଉଣୀ ଏହା ମଧ୍ୟ ପଢନ୍ତୁ...ରାଞ୍ଚି ନିକଟରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, 7 ଯାତ୍ରୀ ମୃତ |
ଇଟିଭି ଭାରତ, ନିମପଡ଼ା

