ଜାମିନର ସର୍ତ୍ତକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, ସ୍ୱାଗତ କଲେ ବରିଷ୍ଠ ଆଇନଜୀବୀ
ଜାମିନ ପାଇଁ ଓଡିଶା ହାଇକୋର୍ଟଙ୍କ ସମେତ ବିଭିନ୍ନ ଅଦାଲତଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ରାୟକୁ ସ୍ୱାଗତ କରିଛନ୍ତି ବରିଷ୍ଠ ଆଇନଜୀବୀ । ରିପୋର୍ଟ: ନାରାୟଣ ସାହୁ

Published : May 6, 2026 at 3:27 PM IST
|Updated : May 6, 2026 at 3:40 PM IST
କଟକ: ଜାମିନ ସର୍ତ୍ତରେ ପୋଲିସ ଷ୍ଟେସନ ସଫା କରିବାକୁ କହିବା ଓଡିଶା ହାଇକୋର୍ଟଙ୍କ ସମେତ ବିଭିନ୍ନ ଅଦାଲତଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ଜାମିନର ସର୍ତ୍ତ ରଖି ହାଇକୋର୍ଟ କିମ୍ବା ବିଭିନ୍ନ ଅଦାଲତ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାହା ଜଣେ ନାଗରିକର ମୌଳିକ ଅଧିକାର ଉଲଂଘନ ହେବା ସହ ମାନବାଧିକାର ନଷ୍ଟ ହେଉଛି । ଏହି କ୍ରମରେ ସୁପ୍ରିମକୋର୍ଟ ଦେଇଥିବା ରାୟ, ଆଇନଗତ ଏବଂ ଯୁଗାନ୍ତକାରୀ । ଜାମିନ ସର୍ତ୍ତ ପାଇଁ ଥାନା ସେଫଇ ଭଳି ନିର୍ଦ୍ଦେଶ ଦେବା ଘୃଣା ସୃଷ୍ଟିକାରୀ ଏବଂ ଜାତିଗତ ଆକ୍ଷେପ ।
ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, "କୋର୍ଟ ସର୍ତ୍ତ ରଖି ପାରିବେ, କିନ୍ତୁ ସେ ସର୍ତ୍ତ ଯୁକ୍ତିଯୁକ୍ତ ହେବା ଆବଶ୍ୟକ । ଜାମିନର ସର୍ତ୍ତରେ ପୋଲିସ ଷ୍ଟେସନ ସଫା କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି କରିହେବନାହିଁ । ସୁପ୍ରିମକୋର୍ଟ ରାୟରେ 2ଟି କଥା କହିଛନ୍ତି । ଏଭଳି ଯେଉଁ ସର୍ତ୍ତାବଳୀ ରହୁଛି ତାହା ବ୍ୟକ୍ତିର ମୌଳିକ ଓ ମାନବିକ ଅଧିକାର ଉଲ୍ଲଂଘନ ହେଉଛି । ତେଣୁ ଏସବୁକୁ ଆଧାର କରି ଏଭଳି ସର୍ତ୍ତ ରଖି ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।"
ଏନେଇ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଏହି ମାମଲାର ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଜାମିନ ସର୍ତ୍ତକୁ ବେଆଇନ ଏବଂ ଅସମ୍ବିଧାନିକ ବୋଲି କହିଛନ୍ତି । ଏପରିକି ଭବିଷ୍ୟତରେ କୌଣସି ଅଦାଲାତ ଏଭଳି ଆଦେଶ ନଦେବାକୁ ରାୟରେ ସର୍ବୋଚ୍ଚ ଅଦାଲାତ ସ୍ପଷ୍ଟ କରିଛନ୍ତି । ପରବର୍ତ୍ତୀ ସମୟରେ କୋର୍ଟ ଯେପରି ଏହି ପ୍ରକାର ନିର୍ଦ୍ଦେଶରୁ ନିବୃତ ରହିବେ ସେନେଇ ମଧ୍ୟ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ।
କୋର୍ଟ, ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଜାମିନ ପ୍ରଦାନ କ୍ଷେତ୍ରରେ ଆଇନର ଏଭଳି ଆଦେଶ କେବେ ବି ଗ୍ରହଣ ଯୋଗ୍ୟ ନୁହେଁ । କେତେକ ମାମଲାରେ ଓଡିଶା ହାଇକୋର୍ଟ ଏବଂ ରାୟଗଡାର ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିବାରେ ସର୍ତ୍ତ ଭାବେ ସେମାନଙ୍କୁ ଥାନାରେ ସେଫେଇ କରିବାକୁ ଆଦେଶ ଦେଇଥିଲେ । ଏଭଳି ଆଦେଶ ଘୃଣା ଏବଂ ବିଭେଦ ସୃଷ୍ଟିକାରୀ । ଯେଉଁ ଅଭିଯୁକ୍ତମାନଙ୍କ ବିରୋଧରେ ଏହିପରି ରାୟ ଦିଆଯାଇଛି ସେମାନେ ପ୍ରାୟ ଅଧିକାଂଶ ଦଳିତ ବର୍ଗର । କୌଣସି ଉଚ୍ଚ ବର୍ଗର ଲୋକମାନଙ୍କ ପାଇଁ ଏଭଳି ସର୍ତ୍ତ ରଖାଯାଇନାହିଁ । ଏଭଳି ନିର୍ଦ୍ଦେଶନାମା ବିଭେଦ ସୃଷ୍ଟି କରୁଥିବା ରାୟରେ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ତେଵେ ଏହି କ୍ରମରେ ହାଇକୋର୍ଟ ଏବଂ ରାୟଗଡା ନିମ୍ନ ଅଦାଲତଙ୍କ ସର୍ତ୍ତକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ଦେଶର ସମସ୍ତ ଅଦାଲତଙ୍କୁ ଏପରି ଅର୍ଡରରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଓଡ଼ିଶାର କୋର୍ଟମାନଙ୍କ ଜାମିନ ସର୍ତ୍ତାବଳୀକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା; କହିଲେ ଏହା 'ହତାଶ, ନିରାଶ' |
ଇଟିଭି ଭାରତ, କଟକ

