ETV Bharat / state

ସୁନାପୁର ବାହୁଦା ମୁହାଣରେ ନିର୍ମାଣ ହେବ ରାଜ୍ୟର ସବୁଠୁ ବଡ଼ ବନ୍ଦର; ଖର୍ଚ୍ଚ ହେବ ୨୧,୫୦୦ କୋଟି

ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅଧୀନ ସୁନାପୁର ଠାରେ ଥିବା ବାହୁଦା ମୁହାଣରେ ରାଜ୍ୟର ସବୁଠାରୁ ବଡ଼ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)
author img

By ETV Bharat Odisha Team

Published : March 1, 2026 at 11:38 AM IST

3 Min Read
Choose ETV Bharat

ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନିର୍ମାଣ ହେବ ରାଜ୍ୟର ସବୁଠାରୁ ବଡ଼ ବନ୍ଦର । ଚିକିଟି ବ୍ଲକର ସୁନାପୁର (ସୋନପୁର) ଠାରେ ବାହୁଦା ମୁହାଣ ନିକଟସ୍ଥ ପ୍ରସ୍ତାବିତ ବନ୍ଦର ନିର୍ମାଣ ହେବ । ପ୍ରାୟ ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ବନ୍ଦର ନିର୍ମାଣ ହେବ । ବନ୍ଦର ବାର୍ଷିକ ୧୫୦ ଏମପିପି କାର୍ଗୋ ପରିବହନ କରିବାର କ୍ଷମତା ରଖିବା ସହିତ ନିର୍ମାଣ ପାଇଁ ପ୍ରାୟ ୫ ହଜାର ଏକର ଲୁଣା ଜମି, ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର ହୋଇଛି । ଏନେଇ ତ୍ରିପାକ୍ଷିକ ଚୁକ୍ତି ଶେଷ ହୋଇଥିବା ବେଳେ ଖୁବଶୀଘ୍ର ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀଙ୍କ ସମେତ ପ୍ରମୁଖ ଶାସନ ସଚିବଙ୍କ ସମେତ ସ୍ଥାନୀୟ ବିଧାୟକ ଓ ପ୍ରଶାସନର ଅଧିକାରୀମାନେ ଏହାର ଭିତ୍ତିଭୂମି ପରଖିଛନ୍ତି ।


ସୋନପୁର ବନ୍ଦର ନିର୍ମାଣ:

ରାଜ୍ୟରେ ରହିଥିବା ଧାମରା, ପାରାଦ୍ବୀପ, ଗୋପାଳପୁର ବନ୍ଦର ପରେ ଗଞ୍ଜାମ ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତରେ ସବୁଠାରୁ ବଡ଼ ବନ୍ଦର ଭାବରେ ପ୍ରସ୍ତାବିତ ସୋନପୁର ବନ୍ଦର ନିର୍ମାଣ ହେବ । ୨୦୨୫ ସେପ୍ଟେମ୍ବର ୧୯ ତାରିଖରେ ପାରାଦ୍ବୀପ ପୋର୍ଟ ଲିମିଟେଡ୍‌ ସହିତ ସାଗରମାଳା ଫାଇନାନ୍ସ ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏହାକୁ ନିର୍ମାଣ କରିବା ପାଇଁ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପ୍ରସ୍ତାବିତ ଏହି ବନ୍ଦର ପାଇଁ ପାଞ୍ଚ ହଜାର ଏକରର ଲୁଣା ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ବଳକା ୧୭୪୧ ଏକର ଜମି ଆନ୍ଧ୍ର ଅଞ୍ଚଳରେ ରହିଥିବା ବେଳେ ତାହାକୁ ଅଣାଯାଇ ବନ୍ଦର ନିର୍ମାଣରେ ବ୍ୟବହାର କରାଯିବ ।

ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)

ପ୍ରାଥମିକ ସର୍ଭେ:

ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ବନ୍ଦର ଏବଂ ରାଜ୍ୟର ସର୍ବବୃହତ୍ତ ବନ୍ଦର ନିର୍ମାଣ ହେବାକୁ ସ୍ଥିର ହୋଇଥିବା ଯୋଗୁଁ ଜିଲ୍ଲାବାସୀ ଖୁସି ପ୍ରକାଶ କରିଛନ୍ତି । ହୁଦା ମୁହାଣ ଏବଂ ପ୍ରସ୍ତାବିତ ବନ୍ଦର ଅଞ୍ଚଳରେ ପହଞ୍ଚି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମତେ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା, ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଭିତ୍ତିଭୂମି ପରଖିଛନ୍ତି । ସମସ୍ତ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହିତ ବନ୍ଦର ପାଇଁ ଆବଶ୍ୟକ ରହିଥିବା ଭିଜିବିଲିଟି ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ କରିଛନ୍ତି ।

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)


ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖାଯାଇ ବନ୍ଦର ନିର୍ମାଣ ହେବା । ଯେପରି ସ୍ଥାନୀୟ ଅଞ୍ଚଳର ଅଧିକରୁ ଅଧିକ ନିଯୁକ୍ତି ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯିବ । ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଖୁବଶ୍ରୀଘ୍ର କରାଯିବ । ରାଜ୍ୟ ତରଫରୁ ବାହୁଦା ମୁହାଣ ପୋର୍ଟ କାର୍ଯ୍ୟକ୍ଷମ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ।"

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)


କମ୍ ପ୍ରୟାସରେ ବିକାଶ କାର୍ଯ୍ୟ:

ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ବାହୁଦା ମୁହାଣକୁ ବୁଲି ଦେଖିବା ସହିତ ସେଠାରେ କେତୋଟି ସ୍ଥାନ ରହିଛି, ଏହି ଅଞ୍ଚଳକୁ କିପରି ଖୁବକମ୍ ସମୟରେ ବିକଶିତ କରାଯାଇପାରିବ ଓ ଏଥିରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ କିପରି ଲାଭ ପାଇପାରିବେ ତାହାକୁ ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି, "ଶ୍ରୀଘ୍ର ଜନସାଧାରଣ ଏହାର ଲାଭ ପାଇପାରିବ । ଏଠାରେ ପ୍ରାକୃତିକ ଭାବରେ ମୁହାଣ ରହିଥିବା ଯୋଗୁଁ କମ୍ ପ୍ରୟାସରେ ଏହାର ବିକାଶ କାର୍ଯ୍ୟ ହୋଇପାରିବ ।"

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)


ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ବିଧାୟକ:

ସେପଟେ ସ୍ଥାନୀୟ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ କହିବା କଥା, ଏହା ଗଞ୍ଜାମ ଜିଲ୍ଲା ପାଇଁ ଏକ ବଡ ଉପହାର । ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ପ୍ରାଧିକାର ଦିଆଯିବା ଏବଂ ବାହୁଦା ବନ୍ଦର ହେଲେ ଏଠାକାର ଜୀବନ ଧାରଣର ଅନେକ ଉନ୍ନତି ଘଟିବ । ସେ କହିଛନ୍ତି, "ବାହୁଦା ମୁହାଣ ବନ୍ଦର ହେବା ପରେ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲାର ବିକାଶ ହେବା ସହ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣରେ ମଧ୍ୟ ପରିବର୍ତ୍ତନ ଆସିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ।"

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ କହିବା ଅନୁସାରେ, ପ୍ରାକୃତିକ ସ୍ଥିତି ଦେଖିଲେ ଏହା ବନ୍ଦର ପାଇଁ ଅଧିକ ସହାୟକ ହେବ । ପ୍ରସ୍ତାବିତ ସ୍ଥାନ ଠାରୁ ଜାତୀୟ ରାଜପଥ ସଂଯୋଗ ମାତ୍ର ୫୦ ମିଟର ଦୂର । ଏହା ନିର୍ମାଣ ହେଲେ ଜିଲ୍ଲାର ବିକାଶ ନକ୍ସାରେ ଅନେକ ସହାୟକ ହେବା । ନୂତନ ଅଧ୍ୟାୟ ଆଣିବା ସହିତ ଦକ୍ଷଣ ଓଡିଶାରେ ସମୁଦ୍ରପଥରେ ଏହା ଗେଟ ୱେ ହେବ । ଏହାର ଟେକ୍ନିକାଲ ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପାରଦ୍ବୀପ ପୋର୍ଟ ଅଥୋରିଟି ନିକଟରେ ରହିଛି । ଏନେଇ ମୁଖ୍ୟ ଶାସନ ଶଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇସାରିଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ସମସ୍ତଙ୍କୁ ଏକ ସମୟସୀମା ଦିଆଯାଇଛି ।

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)

ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି, "ବନ୍ଦର ନିର୍ମାଣ ପାଇଁ କୌଣସି ଜମି ଅଧିଗ୍ରହଣ ସମସ୍ୟା ନଥିବାରୁ ଏହି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଗଞ୍ଜାମର ବାହୁଦା ନଦୀ ମୁହାଣରେ ବନ୍ଦର କରାଗଲେ କାର୍ଗୋ ପରିବହନ ପାଇଁ କୌଣସି ଅସୁବିଧା ହେବ ନାହିଁ । ଜଳପଥ ଯୋଗେ ଯେ କୌଣସି ସମୟରେ ମଧ୍ୟ ଜାହାଜ ଆସିବା ସହ ମାଲ ପରିବହନ ହୋଇପାରିବ । ବନ୍ଦର ନିକଟରେ ଜାତୀୟ ରାଜପଥ ସହ ରେଳପଥ ମଧ୍ୟ ରହିଛି । ଏହି ବନ୍ଦର ହେବା ପରେ ରାଜ୍ୟର ବିକାଶ ନକ୍ସା ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣ ବନ୍ଦର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।"

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)


ସେପଟେ ପ୍ରସ୍ତାବିତ ନୂତନ ବନ୍ଦର ପ୍ରତିଷ୍ଠା ହେବା ଖବର ନେଇ ସ୍ଥାନୀୟ ଅଞ୍ଚଳବାସୀ ତଥା ମତ୍ସଜୀବୀ ଖୁସି ଜାହିର କରିବା ସହିତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବା ସହ ବ୍ୟବସାୟର ଉନ୍ନତି ହେବା ଆଶା ରଖିଥିବା କହିଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

Bahuda Satellite Port
ବାହୁଦା ମୁହାଣ ପ୍ରସ୍ତାବିତ ବନ୍ଦର (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ପାରାଦ୍ୱୀପରେ ହେବ ଗ୍ରୀନ ହାଇଡ୍ରୋଜେନ ଜେଟି; ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଅର୍ଥନୀତିର ମୁଖଶାଳା ହେବ ପାରାଦ୍ଵୀପ ବନ୍ଦର: ସିଏସ ଅନୁ ଗର୍ଗ

ଟେକ୍ନିକାଲ ରିପୋର୍ଟ ଆସିବା ପରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ କରାଯାଇ ବନ୍ଦର କାର୍ଯ୍ୟ ଆରମ୍ଭ ହେବ କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ସଚିବ । ଏପରିକି ଜିଲ୍ଲାର ଅର୍ଥନୀତି ବ୍ୟବସ୍ଥା ସୁଦୃଢ ହେବା ସହ ଅଞ୍ଚଳର ବିକାଶ ହେବ । ସ୍ଥାନୀୟ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ସ୍ଥିତିରେ ସୁଧାର ଆସିବ ବୋଲି ସଚିବ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର