ETV Bharat / state

ପଶୁବଳୀରେ ରକ୍ତରଞ୍ଜିତ ହେଲା ସୁଲିଆ ପୀଠ, ମାନସିକ ପୂରଣ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ

ପାରମ୍ପାରିକ ରୀତିନୀତିରେ ଆରମ୍ଭ ହେଲା ଆଦିବାସୀ ଜନଜାତିଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଏହା ସହିତ ପଶୁବଳିରେ ରକ୍ତରଞ୍ଜିତ ହୋଇପଡ଼ିଛି ସମଗ୍ର ପୀଠ । ପୋଲିସ ପ୍ରଶାସନ ସଜାଗ ।

Sulia Peetha Balangir turned red by animal sacrifices devotees swarm to fulfill their wishes
ପଶୁବଳୀରେ ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ, ମାନସିକ ପୂରଣ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ (ETV Bharat Odisha)
author img

By ETV Bharat Odisha Team

Published : December 23, 2025 at 4:34 PM IST

4 Min Read
Choose ETV Bharat

ବଲାଙ୍ଗୀର: ଆରମ୍ଭ ହେଲା ଆଦିବାସୀ ଜନଜାତିଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଆଦିବାସୀଙ୍କ ବିଭିନ୍ନ ବାଦ୍ୟଯନ୍ତ୍ର ପ୍ରତିଧ୍ବନିରେ ଉତ୍ସବମୁଖର ହୋଇଉଠିଛି ସୁଲିଆ ପୀଠ । ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂର୍ବପୁରୁଷ ସୁଲିଆ ବୁଢାକୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି । ଏହା ସହିତ ପଶୁବଳିରେ ରକ୍ତ ରଞ୍ଜିତ ହୋଇପଡ଼ିଛି ସମଗ୍ର ପୀଠ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି ।

ପଶୁବଳୀରେ ରକ୍ତରଞ୍ଜିତ ହେଲା ସୁଲିଆ ପୀଠ (ETV Bharat Odisha)

ମାନସିକ ପୂରଣ କରନ୍ତି ‘ସୁଲିଆ ବୁଢା’:

ଆସ୍ଥା ଓ ବିଶ୍ୱାସର ଏହି ସୁଲିଆ ଯାତ୍ରାର ଇତିହାସ ବହୁ ପୁରାତନ ଅଟେ । ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ପାଳନ ବିଷୟରେ ପୂର୍ବ ପୁରୁଷ ସୁଲିଆ ବୁଢାଙ୍କୁ ପୂଜା କରିଥାନ୍ତି । ଆଦିବାସୀ ମାନ୍ୟତା ଅନୁଯାୟୀ ସୁଲିଆ ବୁଢା ପାଖରେ ସେମାନଙ୍କର ସବୁ ମାନସିକ ପୂରଣ ହୋଇଥାଏ । ଏହି ଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ନେଇ ଜିଲ୍ଲା ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଛନ୍ତି । ବିଶ୍ବାସ ରହିଛି ମାନମୋହିନୀ ସୁଲିଆ ଠାରେ ମନସ୍କାମନା କରିଲେ ତାହା ପୂରଣ ହୋଇଥାଏ । ଏହି ବିଶ୍ୱାସ ନେଇ ଲକ୍ଷାଧିକ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଦିବାସୀଙ୍କ ପାରମ୍ପାରିକ ନୃତ୍ୟ ବାଦ୍ୟରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡୁଛି ।

Worshipping according to tradition
ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା (ETV Bharat Odisha)
ସୁଲିଆ ଯାତ୍ରା ପରମ୍ପରା:

ଏହି ଯାତ୍ରା ଅବସରରେ ଆଜି(ମଙ୍ଗଳବାର) ପ୍ରାତଃ ସମୟରୁ ଲୋକେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦେଇଛନ୍ତି । ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁମାନେ ସୁଲିଆ ବୁଢାଙ୍କ ନିକଟରେ ଧୂପ, ନଡ଼ିଆ ଓ ପଶୁପକ୍ଷୀ ବଳି ଅର୍ପଣ କରିଥାନ୍ତି । ପ୍ରଚଳିତ ପ୍ରଥା ପରମ୍ପରା ଅନୁସାରେ ଆଜି ଆଦିବାସୀ ପୂଜକ ସିଆଳ ପତ୍ର ପରିଧାନ କରି ପ୍ରଥମେ ସୁଲିଆ ବୁଢ଼ାଙ୍କ ଠାରେ ବାଉଁଶରେ ଚାଉଳ ଘିଅ ଭରି ପୂଜାର୍ଚ୍ଚନା କରିଥିଲେ । ପରେ ଉଦୀୟମାନ ସୂର୍ଯ୍ୟଙ୍କ ପୂଜା କରି ସୁଲିଆ ବୁଢ଼ାଙ୍କୁ ଆହ୍ୱାନ କରିଥିଲେ । ସୁଲିଆ ବୁଢ଼ାଙ୍କ ଠାରେ ନିଜର ଅର୍ଦ୍ଦଳି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଏଠି ସମାଗମ ଚଳିତବର୍ଷ ଦେଖିବାକୁ ମିଳିଛି ।

Animals waiting for sacrifice
ପଶୁବଳି ପାଇଁ ଆସିଥିବା ଛେଳି ଓ ବୋଦା (ETV Bharat Odisha)

6ଟି ସ୍ଥାନରେ ଧୁମ୍‌ଧାମ୍‌ରେ ପାଳନ:

ବଲାଙ୍ଗୀର ଜିଲ୍ଲାର ପ୍ରମୁଖ 6ଟି ସ୍ଥାନରେ ଏହି ସୁଲିଆ ଯାତ୍ରା ପାଳନ ହେଉଛି । ମିର୍ଦ୍ଧା ପାଳି, ଘାତୁଳ, ଚାଣ୍ଟିପାଳି, କୁମାରିଆ, ଖଇରଗୁଡ଼ା ଓ ଖରଳିକାନି ଠାରେ ସୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ତନ୍ମଧ୍ୟରୁ ଖଇରଗୁଡା ଠାରେ ସ୍ଥିତ ମୁଖ୍ୟ ସୁଲିଆ ପୀଠରେ ପ୍ରବଳ ଜନସମାଗମ ହୋଇଛି । ଏଠାରେ ଭୋର ସମୟରୁ ସୁଲିଆ ଯାତ୍ରା ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ୟଧିକ ପଶୁ ପକ୍ଷୀଙ୍କ ବଳି ପଡିସାରିଛି । ଆଦିବାସୀ ପରମ୍ପରା ଅନୁସାରେ ଏହି ଯାତ୍ରା ପାଳନ ହେଉଛି । ଏବଂ ପୋଲିସ ପ୍ରଶାସନ ଏଠାରେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଇଛନ୍ତି ।

ସେପଟେ ବାହାରୁ ଆସିଥିବା ଶ୍ରଦ୍ଧାଳୁ ମଳି ବରିହା ଓ ରାଜକିଶୋର କୁଅଁର କହିଛନ୍ତି,"ଆମେ ସୁଲିଆ ଯାତ୍ରା ଅନୁଷ୍ଠିତ ହେଉଥିବା ଶୁଣି ଆସିଥିଲୁ। ଆମେ ଏଠାରେ ପୂର୍ବରୁ ମାନସିକ କରିଥିଲୁ । ଯାହା ପୂରଣ ହେବା ପରେ ଆମେ ଏଠି ଆଜି ପୂଜା କରିବାକୁ ଆସିଛୁ ।" ସବୁ ବର୍ଷ ମଧ୍ୟ ଏମିତି ଆସୁଥିବୁ ବୋଲି ସେମାନେ କହିଛନ୍ତି ।


ଏହି ଯାତ୍ରାରେ ସାଧାରଣ ଲୋକଙ୍କ ସହ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଯେଉଁଥିରେ ବିଜେଡି ନେତା ସୁରେନ୍ଦ୍ର ସିଂ ଭୋଇ ଏଠି ସାମିଲ ହୋଇଛନ୍ତି । ସେ କହିଛନ୍ତି,"ଏହି ଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ । ଆଦିବାସୀ କେଉଁ କାଳରୁ ଏହାକୁ ପାଳନ କରି ଆସୁଛନ୍ତି । ଏଠି ସୁଲିଆ ବୁଢା ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି । ମୁଁ ବି ସବୁ ବର୍ଷ ଏଠାକୁ ଆସି ଥାଏ ଓ ଏଥର ମଧ୍ୟ ଆସିଛି ।"

Worshipping according to tradition
ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା (ETV Bharat Odisha)

'800 ବର୍ଷ ପୂରାତନ ପରମ୍ପରା':

ସୁଲିଆ ପୀଠର ପୂଜକ ବା ଦେହେରି ସୋମନାଥ ଦେହେରି କହିଛନ୍ତି,"ଏହି ଯାତ୍ରା ଆମର 800 ବର୍ଷରୁ ଅଧିକ ସମୟ ଧରି ପାଳିତ ହୋଇ ଆସୁଛି । ସୁଲିଆ ବୁଢା ଆମର ପୂର୍ବ ପୁରୁଷ ଅଟନ୍ତି । ଏବଂ ସେ ଆମର ସୁରକ୍ଷା ଦେବା ସହିତ ଆମକୁ ଖୁସିରେ ରଖିଥାଆନ୍ତି । ତେବେ ସୁଲିଆଯାତ୍ରା ଦିନ ଆମେ ନିର୍ଜଳା ଉପବାସ ରଖି ପ୍ରଥମେ ଗୁପ୍ତ ପୂଜା ଭୋରରେ କରିଥାଉ । ପରେ ଉଦୀୟମାନ ସୂର୍ଯ୍ୟଙ୍କୁ ଚାଉଳ ଭୋଗ ଦେଇ ଆମ ଦେବା ଦେବୀଙ୍କୁ ଆହ୍ୱାନ କରିଥାଉ । ସୁଲିଆ ବୁଢା ବରୁଆମାନଙ୍କ ଶରୀରରେ ପ୍ରବେଶ କରି ସମସ୍ତଙ୍କୁ ଦର୍ଶନ ଦେଇ ସମସ୍ତଙ୍କ ଦୁଃଖ ହରି ଥାଆନ୍ତି ।"

'ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି':

ଶ୍ରଦ୍ଧାଳୁ ଯଶବନ୍ତି ମେହେର କହିଛନ୍ତି,"ଆମେ ଛୋଟ ବେଳରୁ ସୁଲିଆ ଯାତ୍ରା ଓ ଠାକୁରଙ୍କୁ ଜାଣି ଆସିଛୁ । ଏଠି ଯାହା ବି ମନସ୍କାମନା କଲେ ପୁରଣ ହୋଇ ଥାଏ । ଏବଂ ଆମେ ସବୁ ବର୍ଷ ଏଠାକୁ ଆସି ଧୂପ ନଡ଼ିଆରେ ପୂଜା କରିଥାଉ । ଏହି ସୁଲିଆ ମା' ଆମ ସମସ୍ତଙ୍କୁ ଖୁସିରେ ରଖି ଆସିଛନ୍ତି । ତେଣୁ ଆମର ତାଙ୍କ ପ୍ରତି ଅତୁଟ ବିଶ୍ୱାସ ଅଛି ।"

Sulia Peetha Balangir turned red by animal sacrifices
ପଶୁବଳୀରେ ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ (ETV Bharat Odisha)

'ମନମୋହିନୀ ସୁଲିଆ ବୁଢା':

ସ୍ଥାନୀୟ ନେତା ଲକ୍ଷ୍ମଣ ମେହେର କହିଛନ୍ତି, "ସୁଲିଆ ବୁଢା ହେଉଛନ୍ତି ମନମୋହିନୀ । ସେ ସମସ୍ତଙ୍କର ହାରି ଗୁହାରି ଶୁଣି ତାହା ପୂରଣ କରିଥାନ୍ତି । ଯାହା ପାଇଁ ଆଦିବାସୀ ଆବହମାନ କାଳରୁ ଏହାକୁ ପାଳନ କରି ଆସୁଛନ୍ତି । ମୁଁ ମଧ୍ୟ ସବୁ ବର୍ଷ ଏଠାକୁ ଆସେ । ଏହି ଯାତ୍ରା କେବଳ ଆଦିବାସୀଙ୍କ ଠାରେ ସୀମିତ ନାହିଁ । ଏହା ଭାଇଚାରାର ଏକ ମହାନ ଯାତ୍ରା ଅଟେ । ତେବେ ଆଦିବାସୀ ରୀତିନୀତିରେ ଏଠି ପୂଜା ହୋଇଥାଏ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଏଠାରେ ସାମିଲ ହୋଇଥାନ୍ତି ।"

'ଧୂମଧାମରେ ପାଳନ କରୁଛୁ':

ଏହାର ଆୟୋଜକ କମିଟି ସଦସ୍ୟ ମୟ ପ୍ରଧାନୀ କହିଛନ୍ତି,"ଏହି ଯାତ୍ରା ଆମର ଅବହାମାନ କାଳରୁ ପାଳିତ ହୋଇ ଆସୁଛି । ଆଦିବାସୀ ରୀତି ଅନୁସାରେ ଆମେ ପୂଜା ଅର୍ଚ୍ଚନା କରି ଥାଉ । ଆମେ ପ୍ରକୃତି ପୂଜକ ଅଟୁ । ଏବଂ ଆମ ସୁଲିଆ ବୁଢା ଆମର ରକ୍ଷକ ଅଟନ୍ତି । ଲୋକେ ଆସ୍ଥାକୁ ନେଇ ଏଠି ଆଦି ପରମ୍ପରା ଅନୁସାରେ ବଳି ଦେଇ ଥାଆନ୍ତି । ପୂର୍ବରୁ ଏହାକୁ କିଛି ଗୋଷ୍ଠୀ ବିରୋଧ କରୁଥିଲେ ହେଲେ ମାନ୍ୟବର ସୁପ୍ରିମକୋର୍ଟ ଆମ ଅଧିକାର ଆମ ପରମ୍ପରାକୁ ସୁରକ୍ଷା ଦେଇଥିଲେ । ଯାହା ପରେ ଆମେ ଏହାକୁ ଧୂମଧାମରେ ପାଳନ କରୁଛୁ ।"

ଆଦିବାସୀ କଲା ଗବେଷକ ଡାକ୍ତର ସୁଦର୍ଶନ ଦୀପ କହିଛନ୍ତି,"ମୁଁ ନିଜେ ପୂଜକ ଅଟେ । ମୁଁ ଏହି ସୁଲିଆ ଯାତ୍ରାକୁ ଆସିଛି । ଆମର ହଜି ଯାଇଥିବା ଶିଙ୍ଗ ବାଜା ନେଇ ମୁଁ ଏଠି ମୋର ଭକ୍ତି ବ୍ୟକ୍ତ କରିବାକୁ ଆସିଛି । ଏହି ଏହି ଯାତ୍ରା ଆଦି ପରମ୍ପରାର ଏକ ଜୀବିତ ଉଦାହରଣ ଅଟେ । ଏହା ସମସ୍ତଙ୍କ ମଧ୍ୟରେ ଭାଇଚାରା ଆଣି ଦେଇଥାଏ । ମୁଁ ବି ଏହାକୁ ଦେଖିବାକୁ ଆସିଛି ।"

3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ:

ସେପଟେ ସୁରକ୍ଷା ପାଇଁ ଏଠାରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପିଇବା ପାଣି ଠାରୁ ନେଇ ସମସ୍ତ ବ୍ୟବସ୍ଥାର ଆୟୋଜନ କରାଯାଇଛି । ସେହିପରି ବଲାଙ୍ଗୀର SDPO,ସରୋଜ ଉପାଧ୍ୟାୟ କହିଛନ୍ତି" ଏହି ଯାତ୍ରା ପାଇଁ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । 5 ଜଣ ଆଇସି ସହ ଜଣେ DSP ଓ ଜଣେ ଅତିରିକ୍ତ SP ଏହାର ତଦାରଖ କରୁଛନ୍ତି । ଏହି ପର୍ବ ପାଇଁ ଆଦିବାସୀଙ୍କ ଭିଡ ଜମିଛି । ଏବଂ ଗତବର୍ଷ ଅପେକ୍ଷା ବଳି ସଂଖ୍ୟା କମିଛି ।"

ସୁପ୍ରିମକୋର୍ଟଙ୍କ ଆଦିବାସୀଙ୍କ ସପକ୍ଷରେ ରାୟ:

କିଛି ସଂଗଠନ ଏହି ଯାତ୍ରାରେ ପଡୁଥିବା ବଳି ପାଇଁ ଆପତ୍ତି ଉଠାଇ ଏହାକୁ ବନ୍ଦ କରିବା ନିମନ୍ତେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସୁଲିଆ ନାଁରେ ବଳି ଉପରେ ରୋକ ଲଗାଇ ଥିଲେ । ହେଲେ ଆଦିବାସୀ ସଂଗଠନ ମାନେ ଏହାକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । 2015 ମସିହାରେ ସୁପ୍ରିମକୋର୍ଟ ଆଦିବାସୀଙ୍କ ପରମ୍ପରା ଓ ରୀତିନୀତି ଉପରେ କୌଣସି ହସ୍ତକ୍ଷେପ ହୋଇ ପାରିବ ନାହିଁ ବୋଲି ଆଦିବାସୀଙ୍କ ସପକ୍ଷରେ ରାୟ ଦେଇଥିଲେ । ସେହିଦିନ ଠାରୁ ଆଦିବାସୀ ଏଠାରେ ତାଙ୍କର ସୁଲିଆ ଯାତ୍ରା ପୂର୍ବ ରୀତିନୀତି ଅନୁସାରେ ପାଳନ କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ମଣ୍ଡିରେ ଧାନ କିଣାରେ ବିଳମ୍ବ: ଆନ୍ଦୋଳନ କରିବାକୁ ଚାଷୀଙ୍କ ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ବଞ୍ଜାରୀଘାଟିରେ ଓଲଟିଲା LPG ଗ୍ୟାସ ଟ୍ୟାଙ୍କର, ଲିକ୍ ଭୟ ?

ସହିପାରିଲେନି ନାତିର ମୃତ୍ୟୁ: ଆଖି ବୁଜିଲେ ଆଈ, ଗୋଟିଏ ଜୁଇରେ ଜଳିଲା 2 ଚିତା

ଇଟିଭି ଭାରତ, ବଲାଙ୍ଗୀର