ETV Bharat / state

ପ୍ରତିକୂଳ ପରିସ୍ଥିତିରୁ ମିଳିଥିଲା ପ୍ରେରଣା; ଅଭାବ ସହ ଲଢି ପାଇଲେ ସଫଳତା, ଭୁବନେଶ୍ବର AIIMSରେ ଡାକ୍ତରୀ ପଢ଼ିବେ ସୁନା ପୁଅ ସୋମନାଥ

ପୁରୀ ବ୍ରହ୍ମଗିରିର ସୋମନାଥ ପ୍ରଧାନଙ୍କର NEETରେ ସଫଳତା କୌଣସି ରାତାରାତି ମିଳିଥିବା ଆଶ୍ଚର୍ଯ୍ୟ ନୁହେଁ ।ଏହା ପଛରେ ରହିଛି କଠିନ ପରିଶ୍ରମ ଓ ପ୍ରତିକୂଳ ପରିସ୍ଥିତି ସହ ନିରନ୍ତର ଲଢ଼େଇ। ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର

farmers son somanath pradhan of puri cracks neet
ପ୍ରତିକୂଳ ପରିସ୍ଥିତିରୁ ମିଳିଥିଲା ପ୍ରେରଣା; ଅଭାବ ସହ ଲଢି ପାଇଲେ ସଫଳତା, ଏମ୍ସରେ ଡାକ୍ତରୀ ପଢିବେ ସୁନା ପୁଅ ସୋମନାଥ (Etv Bharat)
author img

By ETV Bharat Odisha Team

Published : September 2, 2026 at 7:24 PM IST

5 Min Read
Choose ETV Bharat

ପୁରୀ: କାଦୁଅ ପଚ୍ ପଚ୍ ଚାଷ ଜମିରୁ ଭୁବନେଶ୍ୱର ଏମ୍ସ(AIIMS) ସମ୍ମାନଜନକ କୋଠରୀ..। ଏ ଯାତ୍ରା କିଛି କିଲୋମିଟରର ନୁହେଁ, ଏକ ବିଜୟର କାହାଣୀ । ଏ ବିଜୟ ଝାଳ, ଅଶ୍ରୁ ଏବଂ ଅଭାବ ବିରୋଧରେ ଦୀର୍ଘବର୍ଷ ଧରି ଚାଲିଥିବା ଲଢେଇର । ଦିନେ ଘରର ସୁନା ପୁଅ ଥିଲେ । ଆଜି ପଞ୍ଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟରେ ଗୌରବ ପାଲଟିଛନ୍ତି ସୋମାନାଥ ପ୍ରଧାନ । ଏମିତି ସଂଘର୍ଷପୂର୍ଣ୍ଣ ରାସ୍ତାକୁ ପିଲାବେଳରୁ ବାଛି ନେଇଥିଲେ ସୋମନାଥ । ଆଜି ତାଙ୍କର କାହାଣୀ ଅନେକ ଅଭାବୀ ଛାତ୍ରଙ୍କ ପାଇଁ ପାଲଟିଛି ପ୍ରେରଣା । କୌଣସି ଫିଲ୍ମର କାହାଣୀ ପରି ଲାଗୁଥାଇ ପାରେ, ହେଲେ ସୋମନାଥଙ୍କ ପାଇଁ ଏ ଯାତ୍ରା..ଏ ସଫଳତା ..ଅଙ୍ଗେନିଭା ଅନୁଭୂତି । ସୋମନାଥଙ୍କର ଏହି ସଫଳତା ଓ ସଫଳତା ପଛର କଠିନ ସଂଘର୍ଷକୁ ନେଇ ETV Bharatର ସ୍ୱତନ୍ତ୍ର ରିପୋର୍ଟ ...

ପ୍ରତିକୂଳ ପରିସ୍ଥିତିରେ ଆଶାର କିରଣ :

ସୋମନାଥଙ୍କ ସଫଳତା କୌଣସି ରାତାରାତି ମିଳିଥିବା ଆଶ୍ଚର୍ଯ୍ୟ ନୁହେଁ । ଏହା ପଛରେ ରହିଛି କଠିନ ପରିଶ୍ରମ ଓ ପ୍ରତିକୂଳ ପରିସ୍ଥିତି ସହ ନିରନ୍ତର ଲଢ଼େଇ। ଘରର ଦାରିଦ୍ର୍ୟ ଓ ସମ୍ବଳର ଅଭାବ କେବେ ବି ତାଙ୍କ ସ୍ୱପ୍ନ ଆଗରେ ପ୍ରତିବନ୍ଧକ ସାଜିପାରି ନାହିଁ। ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ସାଙ୍ଗସାଥୀ, ଧୂଳି ଖେଳ ଛାଡି ଏ କଠିନ ସଂଘର୍ଷପୂର୍ଣ୍ଣ ରାସ୍ତାକୁ ସେ ଆପଣେଇ ନେଇଥିଲେ । ସେ ଜାଣିଥିଲେ, ତାଙ୍କର ପରିଶ୍ରମ ହିଁ ଏ ଘରର, ତାଙ୍କ ଭବିଷ୍ୟତର ଭାଗ୍ୟ ବଦଳାଇ ପାରିବ ।

ପ୍ରତିକୂଳ ପରିସ୍ଥିତିରୁ ମିଳିଥିଲା ପ୍ରେରଣା; ଅଭାବ ସହ ଲଢି ପାଇଲେ ସଫଳତା, ଏମ୍ସରେ ଡାକ୍ତରୀ ପଢିବେ ସୁନା ପୁଅ ସୋମନାଥ (ETV Bharat Odisha)

ସମୟ ହାତରେ ସମର୍ପି ଦେଇଥିଲେ ପିଲାଳିଆମି, ଅଝଟପଣିଆ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟୀ ଗାଁର ସୋମନାଥ ପ୍ରଧାନ । ବୟସ ୧୮ ବର୍ଷ । ସୋମନାଥ ଚଳିତ ନିଟ୍ (NEET) ୨୦୨୬ ପରୀକ୍ଷାରେ ୨୯୬ ରାଙ୍କ ରଖି ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୁକ୍ତ ଦୁଇ ପରେ ଗୋଟିଏ ବର୍ଷ କୋଚିଂ ନେଇ ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି ।

farmers son somanath pradhan of puri cracks neet
ସୋମନାଥଙ୍କ ପାଇଁ ଗର୍ବିତ କୁଶୁବେଣ୍ଟି ଗାଁ (Etv Bharat)

ଏକ ଅନାମଧେୟ ଗାଁରେ ଅଭାବି ପରିବାରରେ ବଢି ଆଜି ଏ ସଫଳତା ହାସଲ କରିବା କିଛି ଛୋଟ କଥା ନୁହେଁ । ଝାଳନାଳ ହୋଇ ଖଟି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜ ଦଃଖକୁ ମନରେ ଚାପି ଦିନ ରାତି ଖଟୁଥିବା ବାପାଙ୍କ ପରିଶ୍ରମ, ସୋମନାଥଙ୍କୁ ଦୃଢ଼ କରିଥିଲା । କିଛି କରି ଦେଖାବାର ସାହାସ ଯୋଗାଇଥିଲା । ସେଥିପାଇଁ ଷଷ୍ଠ ଶ୍ରେଣୀରୁ ସେ ତାଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ନିଜ ପିଲାଳିଆମି, ଅଝଟପଣିଆକୁ ସମୟ ହାତରେ ସମର୍ପି ଦେଇଥିଲେ । ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଏବଂ ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ସଂକଳ୍ପକୁ ପୁଞ୍ଜି କରି ବାହାରିଥିଲେ ପାଠ ପଢିବାକୁ ।

farmers son somanath pradhan of puri cracks neet
ବାପାଙ୍କ ସହ ସୋମନାଥ (Etv Bharat)

ସୋମନାଥଙ୍କ ବଡ ମାଆ ଇନ୍ଦୁମତୀ ପ୍ରଧାନ କୁହନ୍ତି, 'ସେ ପିଲାବେଳୁ ପାଠରେ ବୁଡି ରହିଥାଏ । କେବେ କୌଣସି କଥାରେ ଅଝଟ କରେନି । ବିଲକୁ ଯାଇ ବାପାଙ୍କୁ ସାହାଯ୍ୟ କରିବାକୁ କହିଲେ କେବେ ବି ମନା କରେନି । ଭଲ ପିନ୍ଧିବା, ଭଲ ଖାଇବା ପାଇଁ ଅଳି କରେନି । ବରଂ ସାଙ୍ଗମାନେ ବୁଲାବୁଲି କରୁଥିଲେ, କେଉଁଠି ଖାଉଥିଲେ ବାହନା କରି ସେ ସେଠାରୁ ପଳାଇ ଆସେ ।'

farmers son somanath pradhan of puri cracks neet
ପରିବାର ସଦସ୍ୟଙ୍କ ସହ ସୋମନାଥ (Etv Bharat)

ଅଭାବ ଥିଲା, କିନ୍ତୁ ବିଚଳିତ ନ ଥିଲେ ସୋମନାଥ

ସୋମନାଥଙ୍କ ବାପା ରବୀନ୍ଦ୍ର ପ୍ରଧାନ ଜଣେ ଗରିବ ଚାଷୀ । ମା' ନିବାସୀ ପ୍ରଧାନ ଜଣେ ଗୃହିଣୀ । ବାପା ପରିବା ବ୍ୟବସାୟ କରି ୩ ଝିଅ ଓ ଗୋଟିଏ ପୁଅକୁ ନେଇ ଅତି କଷ୍ଟରେ ଚଳନ୍ତି । ଘର କହିଲେ, ବଖୁରିଆ ଏକ ଆଜବେଷ୍ଟ ଘର । ହେଲେ ଅଭାବ ସୋମନାଥଙ୍କୁ ବିଚଳିତ କରି ପାରି ନ ଥିଲା । ପିଲା ଦିନରୁ ସୋମନାଥଙ୍କ ଏକ ମାତ୍ର ଲକ୍ଷ୍ୟ ଥିଲା ଭଲ ପାଠ ପଢ଼ି ଆଇଏଏସ ହେବେ । ଚଳିତ ବର୍ଷ ନିଟ୍-୨୦୨୬ରେ ପ୍ରଥମ ପ୍ରଚେଷ୍ଟାରେ ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କର ଆଇଏଏସ ହେବାକୁ ଇଚ୍ଛା ଥିବାରୁ ଆଗାମୀ ଦିନରେ ଏ ନେଇ ମଧ୍ୟ ପ୍ରସ୍ତୁତି କରିବେ ବୋଲି ସୋମନାଥ କହିଛନ୍ତି ।

farmers son somanath pradhan of puri cracks neet
ଏଇ ଭଙ୍ଗା ଘରେ ଭବିଷ୍ୟତ ଗଢିବା ପାଇଁ ସଂଘର୍ଷ କରୁଥିଲେ ସୋମନାଥ (Etv Bharat)

ପୁଅର ଏ ସଫଳତାକୁ ଦେଖି ପରିବାରରେ ଖୁସି କାହିଁରେ କଣ । ଜଣେ ଗରିବ ଚାଷୀଙ୍କ ପୁଅ ଅଭାବ ଅନଟନ ସତ୍ତ୍ୱେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିବା ଗ୍ରାମବାସୀ ଓ ତାଙ୍କ ଶିକ୍ଷକଙ୍କୁ ବହୁତ ଗର୍ବିତ କରିଛି । ସୋମନାଥ ଜଣେ ଭଲ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରନ୍ତୁ ବୋଲି ସୋମନାଥଙ୍କ ପ୍ରାଥମିକ ଶିକ୍ଷକ ସୂର୍ଯ୍ୟକାନ୍ତି ନାୟକଙ୍କ ସମେତ ପରିବାର ବର୍ଗ ତାଙ୍କୁ ଆଶୀର୍ବାଦ କରିଛନ୍ତି ।

ହାର୍ଡ ୱାର୍କ ସହ କରୁଥିଲେ ସ୍ମାର୍ଟ ୱାର୍କ:

ସୋମନାଥ ପ୍ରଧାନ କୁହନ୍ତି, 'ଆମ ଘରର ଆର୍ଥିକ ସ୍ଥିତି ବହୁତ୍ ଖରାପ । ମୁଁ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି, ସେହି ଦିନରୁ ହିଁ ମୋର ଲକ୍ଷ୍ୟ ସ୍ଥିର କରିଥିଲି ଆମ ଘରର ଆର୍ଥିକ ସ୍ଥିତିକୁ ଠିକ୍ କରିବି । ଏହାର ଏକ ମାତ୍ର ରାସ୍ତା ଥିଲା ଭଲ ପାଠ ପଢି ଏକ ଭଲ ଚାକିରି କରିବା । ଏଣୁ ମୁଁ ସବୁବେଳେ ଭଲ ପାଠ ପଢିବା ଉପରେ ଗୁରୁତ୍ବ ଦେଉଥିଲି। ଭଗବାନଙ୍କ ଆଶୀର୍ବାଦ, ଉଭୟ ଦଶମ ଓ ଯୁକ୍ତ ଦୁଇରେ ଭଲ ମାର୍କ ପାଇବାରେ ସକ୍ଷମ ହେଲି। ପରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲି। ଯୁକ୍ତ ଦୁଇ ପରେ ଏକ ବର୍ଷ ସମୟ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲି।'

farmers son somanath pradhan of puri cracks neet
ଏମ୍ସରେ ଡାକ୍ତରୀ ପଢିବେ ସୁନା ପୁଅ ସୋମନାଥ (Etv Bharat)

ନିଜ ନିଟ୍ ପ୍ରସ୍ତୁତିି ସଂପର୍କରେ ସୋମନାଥ କହନ୍ତି, 'ଭୁବନେଶ୍ୱରରେ ହିରଣ୍ମୟ ବିଶ୍ୱଜିତ୍ ସ୍ୱାଇଁଙ୍କ ତତ୍ୱାବଧାନରେ ମୁଁ କୋଚିଂ ନେଇଥିଲି। କୋଚିଂ ସେଣ୍ଟର ଶିକ୍ଷକମାନେ ମତେ ବହୁତ୍ ସାହାଯ୍ୟ କରିଛନ୍ତି । ପାଠପଢା ରେ କୌଣସି ସମସ୍ୟା ହେଲେ ସେମାନେ ସଙ୍ଗେ ସଙ୍ଗେ ସହଯୋଗ କରୁଥିଲେ ।' ସଫଳତା ପାଇବାକୁ ହେଲେ ଉଭୟ ହାର୍ଡ ୱାର୍କ ସହ ସ୍ମାର୍ଟ ୱାର୍କ କରିବାକୁ ହେବ । ଏଥି ସହିତ ସୋସିଆଲ ମିଡିଆରୁ ନିଜକୁ ଦୂରରେ ରଖିବାକୁ ପଡିବ ବୋଲି ନିଜ ଅଭିଜ୍ଞତାରୁ କହନ୍ତି ସୋମନାଥ ।

ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ବାପା ମାଆଙ୍କ ଆଶୀର୍ବାଦ, ଶିକ୍ଷକଙ୍କ ସହଯୋଗ ଓ ନିଜର ଦୃଢ଼ ସଂକଳ୍ପ ଏବଂ ଇଛାଶକ୍ତି ଯୋଗୁଁ ଆଜି ଡାକ୍ତରୀ ପଢ଼ିବା ପାଇଁ ସଫଳ ହୋଇଛି ବୋଲି କହନ୍ତି ସୋମନାଥ । ସେ ଆହୁରି କହିଛନ୍ତି, 'ମୋ ବାପା ଜଣେ ଚାଷୀ ହୋଇଥିବାରୁ ମୁଁ ଅନେକ ସମୟରେ ବିଲରେ ଚାଷ କାର୍ଯ୍ୟରେ ସହଯୋଗ କରେ। ସେହି ଭିତରେ ମଧ୍ୟ ସମୟ ବାହାର କରି ପାଠ ପଢେ । ବାପାଙ୍କ କଠିନ ପରିଶ୍ରମ ହିଁ ମତେ କଠିନ ପରିଶ୍ରମ ପାଇଁ ପ୍ରେରଣା ଦେଇଥିଲା।'

farmers son somanath pradhan of puri cracks neet
ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ସୋମନାଥ (Etv Bharat)

ପିଲାବେଳୁ ଶିକ୍ଷକଙ୍କର ପ୍ରିୟ ଥିଲେ:

ନିଜର ବ୍ୟବହାର, ପାଠପଢା ପାଇଁ ପିଲା ଦିନରୁ ଶିକ୍ଷକଙ୍କ ପ୍ରିୟ ଥିଲେ ସୋମନାଥ । ତାଙ୍କର ଏହି ସଫଳତାରେ ପ୍ରାଥମିକ ସ୍କୁଲ ଶିକ୍ଷକ ବି ଖୁସିରେ ଗଦଗଦ୍ । ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତୀ ନାୟକ କୁହନ୍ତି, 'ସୋମନାଥ ଜଣେ ମେଧାବୀ ଛାତ୍ର। ସେ କୁସୁବେଣ୍ଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢିବାବେଳେ ତୃତୀୟ ଶ୍ରେଣୀରେ ବିନା କୋଚିଂରେ ବୃତ୍ତି ପାଇଥିଲା। ସେହି ଦିନରୁ ମୁଁ ଜାଣିଥିଲି, ସେ ବହୁତ କିଛି କରି ପାରିବ । ଆଇଏଏସ ହେବା ଲାଗି ତାକୁ ମୁଁ ସବୁବେଳେ କହି ଆସୁଥିଲି। ସେ ନିଟ ପରୀକ୍ଷାରେ ସଫଳ ହୋଇ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଁ ବହୁତ ଖୁସି। ଆମ ସ୍କୁଲର ଛାତ୍ର ହୋଇଥିବାରୁ ଆମେ ସବୁ ଶିକ୍ଷକମାନେ ବହୁତ୍ ଗର୍ବିତ। ସେ ଜଣେ ଭଲ ଡାକ୍ତର ହୋଇ ଲୋକ ଓ ସମାଜର ସେବା କରୁ। ଆମ ଅଞ୍ଚଳର ନାମ ରଖୁ। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ସୋମନାଥ ଉପରେ ରହିଥାଉ ।'


ସୋମନାଥ ପିଲାଟି ଦିନରୁ ମେଧାବୀ ଥିଲେ । ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇଥିବାବେଳେ ସପ୍ତମ ଶ୍ରେଣୀରେ ଏନଆରଟିଏସ ମଧ୍ୟ ପାଇଛନ୍ତି। ସୋମନାଥ ୨୦୨୩ରେ ଦଶମ ପରୀକ୍ଷାରେ ବ୍ରହ୍ମଗିରି ବ୍ଲକରେ ଟପର୍ ହୋଇଥିଲେ । ୬୦୦ ନମ୍ୱର୍ ରୁ ୫୭୨ ନମ୍ୱର୍ (୯୫.୫୩) ପ୍ରତିଶତ ନମ୍ୱର୍ ରଖିଥିଲେ। ୨୦୨୫ରେ ପୁରୀ ଏସସିଏସ କଲେଜ ରେ +୨ ବିଜ୍ଞାନ ରେ ୬୦୦ ନମ୍ୱର୍ ରୁ ୫୬୭ ନମ୍ୱର୍ (୯୪.୦୫) ପ୍ରତିଶତ ନମ୍ୱର୍ ରଖିଥିଲେ। ପରେ ସେ ନିଟ୍ (NEET) ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥଲେ । ତାଙ୍କ ମେଧା ଶକ୍ତି ଦେଖି ଶିକ୍ଷାବିତ୍ ହିରଣମୟ ବିଶ୍ୱଜିତ ସ୍ୱାଇଁ ନିଜ କୋଚିଂ ସେଣ୍ଟରରେ ସମ୍ପୂର୍ଣ ମାଗଣାରେ ସୋମନାଥଙ୍କୁ କୋଚିଂ ଦେଇଥିଲେ।

'ସ୍ୱଳ୍ପ ରୋଜଗାର ସତ୍ତ୍ୱେ ପୁଅର ପଢାରେ କେବେ ଅବହେଳା କରିନି'

ପୁଅର ଏ ସଫଳତା ଖବର ପାଇ ବାପା ରବୀନ୍ଦ୍ର ପ୍ରଧାନ ଖୁସିରେ ଆତ୍ମହରା । ସେ କୁହନ୍ତି, 'ସୋମନାଥ ପାଇଁ ମୁଁ ବହୁତ ଖୁସି। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦ ଓ ତାର ନିଷ୍ଠା, କଠିନ ପରିଶ୍ରମ ବଳରେ ସେ ଆଜି ସଫଳତା ପାଇଛି । ମୁଁ ଚାଷ କରି ଓ ପରିବା ବ୍ୟବସାୟ କରି ଅଳ୍ପ କିଛି ରୋଜଗାର କରେ। ସ୍ୱଳ୍ପ ରୋଜଗାର ସତ୍ତ୍ୱେ ପୁଅର ପଢାରେ କେବେ ଅବହେଳା କରିନି। ଅନେକ ସମୟରେ ମହାଜନଙ୍କଠାରୁ ସୁଧରେ ଟଙ୍କା ଆଣି ପୁଅ ପାଠ ପଢ଼ିବାରେ ସହଯୋଗ କରିଛି। ମୋ ପରିବାର, ବନ୍ଧୁମାନେ ମଧ୍ୟ ଅନେକ ସମୟରେ ଆର୍ଥିକ ସାହାଯ୍ୟ କରିଛନ୍ତି। ଆମ ପରିବାରରେ ଆଜି ଯାଏ କେହି ଡାକ୍ତର ହୋଇନାହାନ୍ତି। ହେଲେ ପୁଅ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଆମେ ବହୁତ୍ ଖୁସି।'


ସୋମନାଥଙ୍କ ସଫଳତା କଥା କହିବାବେଳେ ବଡ ମା' ଇନ୍ଦୁମତୀଙ୍କ କଣ୍ଠ ଖୁସିରେ ଥରି ଉଠୁଥିଲା । ଇଟିଭି ଭାରତକୁ କହିଥିଲେ, 'ଆମ ପୁଅ ଡାକ୍ତର ହେବ। ସେଥି ପାଇଁ ଆମ ପରିବାର ଲୋକେ ବହୁତ୍ ଖୁସି ଅଛନ୍ତି। ଆମ ଗ୍ରାମବାସୀ ବହୁତ୍ ଖୁସି ଅଛନ୍ତି। ଆମ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ କେହି ଡାକ୍ତର ହୋଇନାହାନ୍ତି। ଏଣୁ ଆମ ପୁଅ ପାଇଁ ଆଜି ବହୁତ୍ ଆମେ ଗର୍ବିତ ।'

ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ

ଆଜି ସୋମନାଥଙ୍କ ଏହି ଯାତ୍ରା କେବଳ ତାଙ୍କର ନିଜର ସଫଳତା ହୋଇ ରହିନାହିଁ, ବରଂ ପ୍ରତିକୂଳ ପରିସ୍ଥିତି ସହ ଲଢ଼ୁଥିବା ହଜାର ହଜାର ଅଭାବୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜୀବନ୍ତ ପ୍ରେରଣା ପାଲଟିଛି। ସେ ପ୍ରମାଣିତ କରିଦେଇଛନ୍ତି ଯେ ଲକ୍ଷ୍ୟ ସ୍ଥିର ଥିଲେ ଏବଂ ନିଷ୍ଠା ଥିଲେ ଅଭାବ ସଫଳତାର ବାଟ ଓଗାଳି ପାରିବନି ।

ଇଟିଭି ଭାରତ, ପୁରୀ

ଏହା ମଧ୍ୟ ପଢନ୍ତୁ ପେଶା ଶ୍ରମିକ, ନିଶା ଚିତ୍ରକଳା ଓ ସଙ୍ଗୀତ, କୋରାପୁଟର ନିଆରା ପ୍ରତିଭା ଭୂଷଣଙ୍କ ପାଇଁ ଅର୍ଥ ସାଜିଛି ବାଧକ

ଏହା ମଧ୍ୟ ପଢନ୍ତୁ ଦାଦନ ଶ୍ରମିକଙ୍କ ପୁଅ ରୁଦ୍ର, ସିକ୍ଯୁରିଟି ଗାର୍ଡଙ୍କ ଝିଅ ସନ୍ଧ୍ୟା ହେବେ ଡାକ୍ତର: ନିଟ୍‌ ପରୀକ୍ଷାରେ ସଫଳତା ପରେ ସରକାରୀ ମେଡିକାଲ କଲେଜରେ ଆଡ଼ମିଶନ