ପୁଣି ଫୁଲୁଛି ସୁବର୍ଣ୍ଣରେଖା: ଆଜି ରାତିକୁ ଅପେକ୍ଷା, କାଲି ସନ୍ଧ୍ୟା ଯାଏ ବିପଦ ସଂକେତ ଉପରେ ରହିବ ଜଳସ୍ତର
ଏହାର ପ୍ରଭାବ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ଅଞ୍ଚଳ ଉପରେ ପଡ଼ିପାରେ । ରିପୋର୍ଟ-ସଞ୍ଜୀବ ରାୟ

Published : September 2, 2026 at 6:18 PM IST
Subarnarekha Flood Update ବାଲେଶ୍ବର: ପୁଣି ତରେ ବନ୍ୟା ବିପଦ ଆଣିଛି ସୁବର୍ଣ୍ଣରେଖା । ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ରାତିରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରିପାରେ । ମୟୂରଭଞ୍ଜ ଏବଂ ପଡ଼ୋଶୀ ଝାଡ଼ଖଣ୍ଡରେ ଅଧିକ ବର୍ଷା ଯୋଗୁଁ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢୁଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏପରିକି ଆସନ୍ତାକାଲି ସନ୍ଧ୍ୟା ଯାଏ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଂକେତ ଉପରେ ରହିବ ବୋଲି ବିଭାଗ ଅନୁମାନ କରିଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲିଛି ସୁବର୍ଣ୍ଣରେଖା । ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡରେ ମାତ୍ରାଧିକ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଜଳ ସମ୍ପଦ ବିଭାଗର ଆକଳନ ଯେ, ଆଜି ରାତିରେ ସୁବର୍ଣ୍ଣରେଖାର ଜଳସ୍ତର ପିକ୍କୁ ଯାଇପାରେ । ଏପରିକି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିବାର ଆଶଙ୍କା ରହିଛି । ଏହାର ପ୍ରଭାବ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ଅଞ୍ଚଳ ଉପରେ ପଡ଼ିପାରେ । ନଦୀର ପାଣି ତଳିଆ ଅଞ୍ଚଳକୁ ପଶିବାର ଆଶଙ୍କା ଥିବାରୁ ଚିନ୍ତା ବଢ଼ିଛି ।
ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, କାଲି ଅପରାହ୍ନ ପରେ ଧୀରେ ଧୀରେ ସୁବର୍ଣ୍ଣରେଖାର ଜଳସ୍ତର କମିବାର ଆକଳନ କରାଯାଇଛି । ଭୁବନେଶ୍ବର ସେଚ ସଦନରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି ଏହା କହିଛନ୍ତି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
ସେପଟେ ବୈତରଣୀରେ ମଧ୍ୟ ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ନିକଟରେ । ବାରମ୍ବାର ବନ୍ୟା ଆସୁଥିବାରୁ ଅନେକ ସ୍ଥାନରେ ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରୁନି । ଫଳରେ କିଛି ଅଞ୍ଚଳକୁ ପାଣି ପଶୁଥିବା ସୂଚନା ମିଳିଛି । ଜଳ ସମ୍ପଦ ବିଭାଗ କହୁଛି, ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ବଡ଼ ବର୍ଷାର ଆଶଙ୍କା ନଥିବାରୁ, ଏହି ସମୟ ମଧ୍ୟରେ ଘାଇ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ବଡ଼ ବନ୍ୟା ସ୍ଥିତି ନଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।
ଏହା ମଧ୍ୟ ପଢ଼ନ୍ତୁ: ଚିନ୍ତା ବଢ଼ାଇଲା ସୁବର୍ଣ୍ଣରେଖା; ମଧ୍ୟମ ଧରଣ ବନ୍ୟା ଆଶଙ୍କା, ବାଲେଶ୍ଵର ସମେତ ଆଲର୍ଟରେ ୪ ଜିଲ୍ଲା
ଏହା ମଧ୍ୟ ପଢ଼ନ୍ତୁ: ଭସାଉଛି ଜଳକା, ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଂକେତ ପାର୍
ଏହା ମଧ୍ୟ ପଢ଼ନ୍ତୁ: ବ୍ରାହ୍ମଣୀରେ ବନ୍ୟା; ଯାଜପୁରରେ ସ୍ଥିତି ସଙ୍ଗୀନ, ବନ୍ୟାଞ୍ଚଳ ବୁଲି ପୀଡିତଙ୍କୁ ଭେଟିଲେ ମନ୍ତ୍ରୀ ପ୍ରଦୀପ
ଇଟିଭି ଭାରତ, ଭୁବନେଶ୍ବର

