ବୁଲା କୁକୁର ଓ ପ୍ରାଣୀ ସୃଷ୍ଟି କରୁଛନ୍ତି ସମସ୍ୟା; ସଚେତନତା ସହ ପ୍ରାଥମିକ ଚିକିତ୍ସା ପାଇଁ ସିଏସଙ୍କ ନିର୍ଦ୍ଦେଶ
ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକ ।


Published : January 3, 2026 at 11:07 PM IST
ଭୁବନେଶ୍ବର: ଦେଶ ତଥା ଓଡ଼ିଶାରେ ବୁଲା କୁକୁର, ଗାଈ, ଗୋରୁ ଆଦି ପ୍ରାଣୀମାନଙ୍କ ପାଇଁ ସୃଷ୍ଟି ହେଉଛି ବିଭିନ୍ନ ସମସ୍ୟା । କୁକୁର କାମୁଡ଼ା ସହ ବୁଲା ଗାଈ ଗୋରୁଙ୍କ ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଖବର ଆସୁଛି । ସେହିପରି ଦୁର୍ଘଟଣାରେ ଜୀବନ ହାନିର ମଧ୍ୟ ନଜିର ରହିଛି । ଦେଶରେ ଏଥିପାଇଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ନିକଟରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ଏଦିଗରେ ବିଭିନ୍ନ ବିଭାଗ ଓ ପ୍ରଶାସନକୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ।
ବୁଲା କୁକୁର ଓ ଗାଈ ଗୋରୁଙ୍କ ଉତ୍ପାତ ଯୋଗୁଁ ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ବିଭିନ୍ନ ପ୍ରଦେଶରେ ଶିଶୁମାନଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି । ଏ ସମ୍ପର୍କରେ ଅବଗତ ହେବା ପରେ ସୁପ୍ରିମକୋର୍ଟ ଗତ ୨୦ ଜୁଲାଇ ୨୦୨୫ରେ ନିଜ ଆଡ଼ୁ ଏକ ମାମଲା ଆରମ୍ଭ କରିଥିଲେ । ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ କଣ ପଦକ୍ଷେପ ନିଆଯାଇଛି ଓ ନିଆଯାଉଛି, ସେ ସମ୍ପର୍କରେ ବୈଠକ ଡାକି ଥିଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ବିଭିନ୍ନ ବିଭାଗ ସହ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପଶୁମାନଙ୍କ ପ୍ରତି ଆମ ସମସ୍ତେ ଦୟାଭାବ ପ୍ରଦର୍ଶନ କରିବା ଆବଶ୍ୟକ । କିନ୍ତୁ ମଣିଷମାନଙ୍କର ଜୀବନର ସୁରକ୍ଷା ଆମର ପ୍ରାଥମିକତା ରହିବ । ସେଥିପାଇଁ ଉଭୟ ପ୍ରାଣୀ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।" ଏହାକୁ ସଠିକ ଭାବେ ଅନୁପାଳନ କରିବାକୁ ସମ୍ପୃକ୍ତ ସମସ୍ତ ବିଭାଗମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସମେତ ବିଭିନ୍ନ ସ୍ତରରେ ଏଥିନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ । କୁକୁର କାମୁଡିଲେ ତୁରନ୍ତ ପ୍ରାଥମିକ ଚିକିତ୍ସା ଉପଲବ୍ଧ କରାଯିବ । ଏଥିପ୍ରତି ସେ ଗୁରୁତ୍ୱ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଓ ଗଣଶିକ୍ଷା, କ୍ରୀଡା ଓ ଯୁବସେବା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗ, ବାଣିଜ୍ୟ ଓ ପରିବହନ, ଏସଟି-ଏସସି-ଓବିସି ଆଦି ବିଭାଗମାନଙ୍କର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ନିଜ ନିଜ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେମାନେ ଅବଗତ କରାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ- କଲେଜ କ୍ୟାମ୍ପସରେ ବୁଲା ଗାଈଗୋରୁ ଓ କୁକୁରଙ୍କ ଉପରେ ନଜର; ତଡିବେ ନା ଯତ୍ନ ନେବେ ! ଦ୍ବନ୍ଦରେ କର୍ତ୍ତୃପକ୍ଷ
ଏହା ମଧ୍ୟ ପଢ଼ନ୍ତୁ- ଆଜିଠୁ ଭୁବନେଶ୍ବରରେ ବୁଲା କୁକୁର ଗଣନା ଆରମ୍ଭ, 8 ଦିନ ପରେ ଆସିବ ତଥ୍ୟ
ଇଟିଭି ଭାରତ, ଭୁବନେଶ୍ବର

