ହଳଦିଆପଦର ଓଭରବ୍ରିଜରେ କ'ଣ ରହିଛି ତ୍ରୁଟି, ଅନୁଧ୍ୟାନ କଲେ ରାଜ୍ୟ ପୂର୍ତ୍ତ ବିଭାଗର ବୈଷୟିକ ଟିମ୍
ଏହି ଓଭରବ୍ରିଜରେ କଣ ରହିଛି ତ୍ରୁଟି ତାହାକୁ ସଂପୂର୍ଣ୍ଣ ରୂପେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ ଏହି ଟିମ୍ ।

Published : February 26, 2026 at 10:23 PM IST
ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ
ବ୍ରହ୍ମପୁର: ବ୍ରହ୍ମପୁର ସହର ସହିତ ଯୋଗାଯୋଗ କ୍ଷେତ୍ରରେ ଜାତୀୟ ରାଜପଥ ସହିତ ଗୋଷାଣିନୂଆଗାଁ ଏବଂ ଆଖପାଖ ଅଞ୍ଚଳକୁ ସଂଯୋଗ କରୁଥିବା ହଳଦିଆପଦର ଓଭରବ୍ରିଜରେ ଗତ କିଛି ବର୍ଷ ମଧ୍ୟରେ ଘଟିଯାଇଥିବା ବାରମ୍ୱାର ଦୁର୍ଘଟଣା କେଉଁ କାରଣ ପାଇଁ ଘଟୁଛି, ତାହାକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ ପୂର୍ତ୍ତ ବିଭାଗର ବୈଷୟିକ ଟିମ୍ । ହଳଦିଆପଦର ଓଭରବ୍ରିଜ ନିର୍ମାଣ ସମୟରେ କୁଆଡେ ଡିପିଆର୍ କୁ ପରିବର୍ତ୍ତନ କରାଯାଇଥିବା ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ନିର୍ମାଣ ହୋଇସାରିଥିବା ଏହି ଓଭରବ୍ରିଜରେ କଣ ରହିଛି ତ୍ରୁଟି ତାହାକୁ ସଂପୂର୍ଣ୍ଣ ରୂପେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ ଏହି ଟିମ୍ ।
ଗତ ଜାନୁଆରୀ ୩୧ ତାରିଖରେ ବ୍ରହ୍ମପୁର ସହରର ହଳଦିଆପଦର ଓଭରବ୍ରିଜ୍ ଉପରେ ଟ୍ରକ ମାଡିଯିବା ଯୋଗୁଁ ଏକାସାଙ୍ଗରେ ମୋଟର ସାଇକେଲରେ ଯାଉଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ଭଳି ଦୁଃଖଦ ଘଟଣା ସାରା ରାଜ୍ୟରେ ସଡକ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ନେଇ ଏପରି ଓଭରବ୍ରିଜ୍ ନିର୍ମାଣ ସମୟରେ ଡିପିଆର୍ ବଦଳାଇ ଯାଇଥିବା ଏବଂ ଓଭରବ୍ରିଜ୍ ର ତ୍ରୁଟି ରହିଥିବା ନେଇ ପ୍ରଶ୍ନ ଉଠିଥିଲା ।

ବାରମ୍ୱାର ହଳଦିଆପଦର ଓଭରବ୍ରିଜ ଉପରେ ଅନେକ ଦୁର୍ଘଟଣା ଘଟୁଥିବା ନେଇ ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯିବାକୁ କୁହାଯିବା ପରେ ଶେଷରେ ସରକାରଙ୍କ ନିର୍ଦ୍ଦେଶରେ ଗୁରୁବାର ହଳଦିଆପଦଦର ଓଭରବ୍ରିଜ୍ ରେ କ'ଣ ରହିଛି ତ୍ରୁଟି, ତାହାକୁ ଅନୁଧ୍ୟାନ କରିବାକୁ ରାଜ୍ୟ ପୂର୍ତ୍ତ ବିଭାଗର ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ବୈଷୟିକ ଟିମ୍ ପହଞ୍ଚି ଓଭରବ୍ରିଜ୍ ର ହଳଦିଆପଦର ଜାତୀୟ ରାଜପଥ ସଂଯୋଗ ସ୍ଥାନରୁ ଆରମ୍ଭ କରି ବ୍ରିଜର ଶେଷ ହେବାକୁ ରହିଥିବା ଗୋଷାଣିନୂଆଗାଁ ପଟ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ଏହି ଟିମ୍ ପ୍ରତେକ ସ୍ଥାନକୁ ବୁଲ୍ଲି ଦେଖିଛନ୍ତି । ଏପରିକି ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥିଲା ତାହାକୁ ମଧ୍ୟ ଟିମ୍ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା ।

ମୁଖ୍ୟତଃ ସରକାରଙ୍କ ପକ୍ଷରୁ ରହିଥିବା ନିୟମ ଅନୁଯାୟୀ ବ୍ରିଜ୍ ନିର୍ମାଣ ହୋଇଛି କି ନାହିଁ , ବ୍ରିଜର କେଉଁ ସ୍ଥାନରେ କେତେ ଓସାର ରହିଛି , ବ୍ରିଜ୍ ନିର୍ମାଣ ପାଇଁ ରହିଥିବା ଜ୍ୟାମିତିକ ନିୟମକୁ ଆଧାର କରି ନିର୍ମାଣ କରାଯିବାରେ କେଉଁ ସବୁ ଅସୁବିଧା ରହିଛି ତାହାକୁ ଏହି ଟିମ୍ ଅନୁଧ୍ୟାନ କରିଥିଲା । ରାଜ୍ୟରେ ଏଭଳି ଓଭରବ୍ରିଜ୍ ନିର୍ମାଣର କିଛି ବର୍ଷ ପରେ ତାହାର ସ୍ଥିତି ଅନୁଧ୍ୟାନ କରିବାକୁ ଏପରି ବୈଷୟିକ ଟିମ୍ ଆସିବା ପ୍ରଥମ ଘଟଣା ବୋଲି କୁହାଯାଉଛି ।
ପୂର୍ବରୁ ଏହି ଓଭରବ୍ରିଜ୍ ନିର୍ମାଣରେ ତ୍ରୁଟି କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଆସୁଥିଲା । ଏହାପରେ ଏହି ବୈଷୟିକ ଦଳ ପରିଦର୍ଶନ ପାଇଁ ଆସିବା ସହିତ ସ୍ୱତନ୍ତ୍ର ଟିମ୍ ରେ ରାସ୍ତା ଓ କୋଠାବାଡ଼ି, ବ୍ରିଜ,ଡିଜାଇନ୍ ଓ ମାନ ନିୟନ୍ତ୍ରଣ ଭଳି ଚାରୋଟି ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ କିଛି ଅଧୀକ୍ଷଣ ଯନ୍ତ୍ରୀ ଟିମରେ ସାମିଲ ରହିଥିଲେ ।

ବ୍ରହ୍ମପୁର ଗ୍ରସ୍ତରେ ଆସିଥିବା ଏହି ଟିମ୍ ରେ ଆସିଥିବା ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ- ବ୍ରିଜ, ଅରବିନ୍ଦ ତ୍ରିପାଠୀ କହିଥିଲେ ଯେ,"ଆମେ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇସାରିଥିବା ଏହି ଓଭରବ୍ରିଜକୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରାଯାଉଛି । ସେଥିରେ ଯାହା ପ୍ରତିକାର ହେବାକୁ ରହିଥିବ ଆମେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବୁ । ବର୍ତ୍ତମାନ ଏହି ହଳଦିଆପଦର ଓଭବ୍ରିଜ୍ ଏକ ବ୍ୟସ୍ତ ବହୁଳ ଆର୍.ଓ.ବି ହୋଇଯାଇଛି । ପୂର୍ବରୁ ଏହା ଯେତେବେଳେ ୨୦୦୭-୦୮ରେ ନିର୍ମାଣ ହୋଇଥିଲା, ସେହି ସମୟର ସ୍ଥିତିକୁ ଦେଖି ତାହା ନିର୍ମାଣ କରାଯାଇଥିଲା । ହେଲେ ଇତିମଧ୍ୟରେ ବହୁତ ମାତ୍ରାରେ ଟ୍ରାଫିକ୍ ବୃଦ୍ଧି ପାଇଥିବା ଯୋଗୁଁ ଏହା ଉପରେ ଏକ ଟ୍ରାଫିକ୍ ସର୍ଭେ କରାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଏକ ଟ୍ରାଫିକ୍ ଅଡିଟ୍ ମଧ୍ୟ କରାଇବୁ ଓ ତା ହେବା ପରେ ହିଁ ସରକାରଙ୍କୁ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ," ବୋଲି ସେ କହିଛନ୍ତି ।

ଆମେ ପ୍ରତେକ ସ୍ତରରେ ଏହି ବ୍ରିଜ୍ କୁ ମାପ କରାଯିବା ସହିତ ପୁରୁଣା ରହିଥିବା ଜି.ଆଇ.ଡି ସହିତ ଏହାକୁ ତୁଳନା କରିବା ପରେ ହିଁ ଆମେ ଏହାର ପ୍ରକୃତ ତଥ୍ୟ ବାହାରିବ ବୋଲି ପୂର୍ତ୍ତବିଭାଗର ମୁଖ୍ୟଯନ୍ତ୍ରୀ କହିଛନ୍ତି । ଏହାରି ମଧ୍ୟରେ କୌଣସି ତ୍ରୁଟି ବାହାରିଲେ ତାହାର ସମାଧାନ ମଧ୍ୟ କରିହେବ ବୋଲି ସେ କହିଛନ୍ତି । ଯଦି ଓଭରବ୍ରିଜ୍ ଜାତୀୟ ରାଜପଥରେ ସଂଯୋଗ କରିବ ତାହା ହେଲେ ବିଏବି ଦେବାର ବନ୍ଦୋବସ୍ତ କରାଯାଇପାରିବ ଏବଂ ସେଥିପାଇଁ କୌଣସି ଅସୁବିଧା ନଥିବା କୁହାଯାଇଛି । ହେଲେ ଏଠାରେ ବ୍ରିଜ୍ ଟି ବକ୍ର ଭାବରେ ସେହି ସମୟରେ ନେଇଥିବା କହିଛନ୍ତି । ମୁଖ୍ୟତଃ ଆର୍.ଓ.ବି ରେ ସେଭଳି କୌଣସି ତ୍ରୁଟି ନଥିବା ବେଳେ ଯେଉଁ ଜଙ୍କସନ୍ ପଟେ ହିଁ ସମସ୍ୟା ରହିଥିବା କୁହାଯାଇଛି । ତେଣୁ ସେହିପଟେ ଯାଇ ସଂପୂର୍ଣ୍ଣ ଭାବେ ଅନୁଧ୍ୟାନ କରାଯିବା ପରେ ତାହାର ସମାଧାନ ପାଇଁ ଯାହା ଆବଶ୍ୟକ ହେବ ତାହାକୁ ସରକାରଙ୍କ ପାଖକୁ ଲେଖାଯିବ ବୋଲି ସେ କହିଛନ୍ତି ।

ସେପଟେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ-ପ୍ଲାନିଂ ହିରକଲାଲ ଅଗ୍ରୱାଲଙ୍କ କହିବା କଥା,"ଆମର ଚାରିଟି ମୁଖ୍ୟଯନ୍ତ୍ରୀଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ କମିଟି ଏଠାକୁ ଆସିଥିବା ବେଳେ ଏହି କମିଟି ମୁଖ୍ୟତଃ ବ୍ରିଜ୍ ର ଜ୍ୟାମିତିକ ପ୍ଲାନ୍ ଇଣ୍ଡିଆନ୍ ରୋଡ୍ କଂଗ୍ରେସର ପ୍ଲାନ୍ ଅନୁଯାୟୀ ହୋଇଛି କି ନାହିଁ ତାହାକୁ ଦେଖିବାକୁ ଆସିଥିବା କହିଛନ୍ତି । ଏନେଇ ରହିଥିବା ଯନ୍ତ୍ର ମାଧ୍ୟମରେ ତାହାକୁ ଅନୁଧ୍ୟାନ କରାଯିବା ପରେ ଜଣାପଡ଼ିବ । ଯେଉଁ ଡିଜାଇନ୍ ରେ ରହିବା କଥା ତାହା ରହିଛି କି ନାହିଁ ତାହାକୁ ଅନୁଧ୍ୟାନ କରାଯାଇଥିବା କୁହାଯାଇଛି । ଏପରିକି ସମସ୍ତ ବକ୍ର ସ୍ଥାନରେ ଦୁର୍ଘଟଣା ଘଟିବ ତାହାର ମଧ୍ୟ କିଛି ନିର୍ଦ୍ଧିଷ୍ଟ ମାନ ରହିନଥାଏ ବୋଲି କହିଛନ୍ତି । ଏଣୁ ଏହାକୁ ସଂପୂର୍ଣ୍ଣ ଅନୁଧ୍ୟାନ କରିବା ପରେ ଏ ନେଇ ଏଥିପାଇଁ ରହିଥିବା ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ମତାମତ ନିଆଯିବା ସହିତ ଆବଶ୍ୟକ ପଡିଲେ ବାହାରୁ ମଧ୍ୟ ଟିମ୍ ଆସିପାରନ୍ତି," ବୋଲି ସେ କହିଛନ୍ତି ।
ସେପଟେ ହଳଦିଆପଦର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମନ୍ମଥ କୁମାର ପାଣିଗ୍ରାହୀଙ୍କ କହିବା କଥା,"ଓବରବ୍ରିଜ ନିର୍ମାଣ ସମୟରେ ତ୍ରୁଟି ରହିଥିବା ନେଇ ଆମେ ପ୍ରତିବାଦ କରି ଆସୁଛୁ, ହେଲେ ତାହାର କୌଣସି ସୁପଳ ମିଳିନଥିଲା । ହେଲେ ଓଭରବ୍ରିଜ୍ ଉପରେ ଇତିମଧ୍ୟରେ ପ୍ରାୟ ୨୬ ଜଣଙ୍କ ଜୀବନହାନୀ ଘଟିଥିବା ବେଳେ ଏହି ଓଭରବ୍ରିଜ୍ ଏକ ମୃତ୍ୟୁର ମରଣଯନ୍ତା ପାଲଟିଛି । ବର୍ତ୍ତମାନ ଏହାର ଅନୁଧ୍ୟାନ ପାଇଁ ବୈଷୟିକ ଟିମ୍ ଆସିଥିବା ବେଳେ ଏହାର ସମମାଧାନ ହେଲେ ଅନେକ ଏହି ମରଣାଯନ୍ତାରୁ ରକ୍ଷା ପାଇପାରନ୍ତେ," ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ହଳଦିଆପଦର ଓଭରବ୍ରିଜ୍ ଦୁର୍ଘଟଣା: ସରକାରଙ୍କୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ରିପୋର୍ଟ ତଲବ
ଏହା ମଧ୍ୟ ପଢ଼ନ୍ତୁ- 3 ମୋଟର ସାଇକେଲ ଉପରେ ମାଡ଼ିଗଲା ଟ୍ରକ; 5 ମୃତ, ମୁଖ୍ୟମନ୍ତ୍ରୀଙ୍କ 4 ଲକ୍ଷ ସହାୟତା ଘୋଷଣା
ଇଟିଭି ଭାରତ, ବ୍ରହ୍ମପୁର
ବାଇଟ୍- ଅରବିନ୍ଦ ତ୍ରିପାଠୀ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ-ବ୍ରିଜ
ବାଇଟ୍- ହିରକଲାଲ ଅଗ୍ରୱାଲ, ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ-ପ୍ଲାନିଂ
ବାଇଟ୍- ମନ୍ମଥ କୁମାର ପାଣିଗ୍ରାହୀ, ସ୍ଥାନୀୟ ବାସିନ୍ଦା

