ଦୋଳପୂର୍ଣ୍ଣମୀରେ ଅଘଟଣ; ଦୋଳବେଦୀ ନିକଟରେ ଠେଲାପେଲା, ତଳେ ପଡିଗଲେ ଭକ୍ତ
ଦୋଳପୂର୍ଣ୍ଣମୀରେ ପୁରୀରେ ଅଘଟଣ । ଦୋଳବେଦୀ ନିକଟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ କିଛି ଭକ୍ତ ତଳେ ପଡି଼ି ଯାଇଥିଲେ।


Published : March 3, 2026 at 11:41 AM IST
|Updated : March 3, 2026 at 2:18 PM IST
ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର
STAMPEDE LIKE SITUATION , ପୁରୀ: ଦୋଳପୂର୍ଣ୍ଣମୀରେ ପୁରୀରେ ଅଘଟଣ । ଦୋଳବେଦୀ ନିକଟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ତଳେ ପଡିଗଲେ ଭକ୍ତ । ତେବେ ସଙ୍ଗେ ସଙ୍ଗେ ପୋଲିସ ଓ ସେବାୟତମାନେ ତଳେ ପଡ଼ିଯାଇଥିବା ଭକ୍ତମାନଙ୍କୁ ତଳୁ ଉଠାଇଥିଲେ । ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି । ଫଳରେ ଏକ ଅଘଟଣ ଟଳି ଯାଇଥିବା କୁହାଯାଇଛି । ତେବେ ଏଥିରେ 5 ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।

ଦୋଳବେଦୀ ନିକଟରେ ଦଳାଚକଟା ସ୍ଥିତି:
ଆଜି ଶ୍ରୀମମନ୍ଦିର ଉତ୍ତର ଦ୍ବାର ଦୋଳବେଦୀ ନିକଟରେ କଡା ସୁରକ୍ଷା ସତ୍ତ୍ୱେ, ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭଳି ଅଘଟଣ କିଭଳି ଘଟିଲା ସେ ନେଇ ପ୍ରଶ୍ନ ଉଠିଛି । ଦୋଳବେଦୀ ନିକଟରେ ଉପସ୍ଥିତ ଥିବା ଜଣେ ଶ୍ରଦ୍ଧାଳୁ ସନାତନ ଭୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀର ବାହ୍ୟ ପାର୍ଶ୍ୱକୁ ବିଧି ଅନୁଯାୟୀ ପ୍ରଦକ୍ଷଣ କରୁଥିଲେ । ତେବେ ଏହା ପରେ ଠାକୁରଙ୍କ ବିମାନ ଦୋଳବେଦୀରେ ପ୍ରବେଶ କରିଥିଲା । ପରେ ଦୋଳବେଦୀରେ ପ୍ରବେଶ ପାଇଁ ଦୋଳବେଦୀ ବାହାରେ ଥିବା ଭକ୍ତମାନେ ଚେଷ୍ଟା କରିଥିଲେ । ଭିଡ ଅଧିକ ଥିବାରୁ ପୋଲିସ ଭିଡ଼ ନିୟନ୍ତ୍ରଣ କରିପାରି ନଥିଲା । ହଠାତ୍ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ଠେଲାପେଲା ପରିସ୍ଥିତ ସୃଷ୍ଟି ହୋଇଥିଲା । ଠେଲାପେଲା ଯୋଗୁଁ ୪ ରୁ ୫ ଜଣ ଭକ୍ତ ତଳେ ପଡ଼ି ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ଓ ସେବାୟତମାନେ ଭିଡକୁ ନିୟନ୍ତ୍ରଣ କରି ତଳେ ପଡ଼ିଯାଇଥିବା ଭକ୍ତଙ୍କୁ ତଳୁ ଉଠାଇ ଆଣିଥିଲେ । ସୌଭାଗ୍ୟବଶତଃ କୌଣସି ଭକ୍ତ ଆହତ ହୋଇନାହାନ୍ତି ।"

ଦୋଳବେଦୀ ନିକଟରେ ଭିଡ ନିୟନ୍ତ୍ରଣ ପାଇଁ କାହିଁକି ଅଧିକ ପୋଲିସ ମୁତୟନ ହୋଇନଥିଲା ସେ ନେଇ ଭକ୍ତ ଏବଂ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଉପସ୍ଥିତ ପୋଲିସ୍ ଅଧିକାରୀ କହିଛନ୍ତି, "ଦୋଳବେଦୀରେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ମୁତୟନ କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୋଲିସ ଅଧିକାରୀ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ।"


ଏହା ବି ପଢନ୍ତୁ- ମାର୍ଚ୍ଚ 25ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି
ଇଟିଭି ଭାରତ, ପୁରୀ

