ଆଇନ୍କୁ ଆଖିଠାର ! ଚାଲାଣ କଟିବା ସତ୍ବେ ବିନା ଫିଟ୍ନେସ୍ରେ ଗଡ଼ୁଛି ଗାଡ଼ି, କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା STA
ରାଜ୍ୟ ପରିବହନ ପ୍ରାଧିକରଣ (STA) ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ବିନା ଫିଟନେସ୍ ପ୍ରମାଣପତ୍ରରେ ଗାଡିକୁ ଜବତ କରିବାକୁ ନିର୍ଦ୍ଦେଶ । ରିପୋର୍ଟ: ସତ୍ୟଜିତ ରାଉତ

Published : July 9, 2026 at 4:31 PM IST
ଭୁବନେଶ୍ୱର: ରାଜ୍ୟରେ ଅନେକ ଗାଡି ଫିଟନେସ୍ ପ୍ରମାଣପତ୍ର ନଥାଇ ଚଳାଚଳ କରୁଛି । ଚାଲାଣ କଟୁଥିଲେ ମଧ୍ୟ ଗାଡି ମାଲିକମାନେ ବାରମ୍ବାର ନିୟମ ଉଲ୍ଲଂଘନ କରୁଛନ୍ତି । ସେପଟେ ଫିଟନେସ୍ ନଥିବା ଗାଡି ଯୋଗୁ ଅନେକ ଦୁର୍ଘଟଣା ଘଟୁଛି । ଏଭଳି ସ୍ଥିତିରେ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି ।
ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ ଏବାବଦରେ ସମସ୍ତ RTO, ARTO ଏବଂ ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କୁ ଅବଗତ କରାଯାଇଛି । ନିୟମ ଉଲ୍ଲଂଘନ କରିଥିବା ସବୁ ଗାଡି ମାଲିକଙ୍କୁ ନୋଟିସ୍ ପଠାଇବାକୁ କୁହାଯାଇଛି । ତେବେ ବିନା ଫିଟନେସ୍ ପ୍ରମାଣପତ୍ର ନ ଥାଇ ବାରମ୍ବାର ଟୋଲ୍ ପ୍ଲାଜାରେ ଚାଲାଣ କଟିଥିବା ଗାଡିକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାରମ୍ବାର ନିୟମ ଉଲ୍ଲଂଘନ:
ଆଜି (ଗୁରୁବାର) STA ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩ ମାସରେ ୪୩ ହଜାର ୬୯୬ ଚାଲାଣ ରେକର୍ଡ ହୋଇଛି । ଏପ୍ରିଲ ୧ ତାରିଖରୁ ଜୁନ୍ ୩୦ ମଧ୍ୟରେ ବିଭିନ୍ନ ଟୋଲ ପ୍ଲାଜାରେ ଏସବୁ ଚାଲାଣ ରେକର୍ଡ ହୋଇଛି । ଇ-ଡିଟେକ୍ସନ ପୋର୍ଟାଲରେ ଟୋଲ୍ ପ୍ଲାଜା ମଧ୍ୟରେ ଚାଲାଣ କଟିଥିବା STA ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।
ତେବେ ମୋଟ୍ ଗାଡି ମଧ୍ୟରୁ ୩୮ ହଜାର ୯୩୦ଟି ଗାଡି ବାରମ୍ବାର ନିୟମ ଉଲ୍ଲଂଘନ କରିଛି । ପ୍ରଥମ ଥର ପାଇଁ ୧୧ ହଜାର ୪୦୧ଟି ଗାଡିକୁ ଚାଲାଣ ଜାରି କରାଯାଇଛି । ୬୬୩୫ଟି ଗାଡିକୁ ଏକାଧିକ ଥର ଚାଲାଣ କରାଯାଇଛି । ୩୭ଟି ଗାଡି ୫୦ରୁ ଅଧିକ, ୩୬୯ଟି ଗାଡି ୨୦ରୁ ଅଧିକ ଏବଂ ୯୬୦ଟି ଗାଡି ୧୦ରୁ ଅଧିକ ଏବଂ ୨ ହଜାର ୧୯୧ଟି ଗାଡିର ୫ରୁ ଅଧିକ ଥର ଚାଲାଣ କରାଯାଇଛି ।
ମଙ୍ଗୁଳି ଟୋଲ୍ ପ୍ଲାଜାରେ ଫସିଛି ସର୍ବାଧିକ ୫୨୮୧ ଗାଡି
ମଙ୍ଗୁଳି ଟୋଲ୍ ପ୍ଲାଜାରେ ସର୍ବାଧିକ ୫୨୮୧ ଗାଡି ନିୟମ ଉଲ୍ଲଂଘନ କରିଛି । ସେହିପରି ପିପିଲି ଟୋଲ ପ୍ଲାଜାରେ ୪୮୧୬, ସେରଗଡ ଟୋଲ ପ୍ଲାଜାରେ ୩୭୬୯, ଗୁଡପଡା ଟୋଲ ପ୍ଲାଜାରେ ୨୮୦୭, ସମ୍ବଲପୁର-ବଡ଼ଗଡ ଟୋଲ ପ୍ଲାଜାରେ ୨୩୩୮, ଭଗଡା ନାରାୟଣପୁର ଟୋଲ ପ୍ଲାଜାରେ ୨୧୪୧, କାନ୍ଦ୍ରା ଟୋଲ ପ୍ଲାଜାରେ ୧୬୨୯, ଗୁରାପଲ୍ଲୀ ଟୋଲ ପ୍ଲାଜାରେ ୧୫୭୯, କାରାପାଡୁ ଟୋଲ ପ୍ଲାଜାରେ ୧୫୨୩ ଏବଂ ଦାର୍ଜିଙ୍ଗ ଟୋଲ ପ୍ଲାଜାରେ ୧୫୦୨ଟି ଗାଡ଼ିର ଚାଲାଣ କଟିଛି ।
ଏହା ମଧ୍ୟ ପଢନ୍ତୁ: ଗାଡି ମାଲିକ ସାବଧାନ ! ଫିଟନେସ, ବୀମା ନଥିଲେ ରଦ୍ଦ ହେବ ଗାଡିର ପଞ୍ଜିକରଣ E20 ପେଟ୍ରୋଲ୍ ପକାଇଲେ ବି କଟିବନି ଗାଡ଼ି ଇନସ୍ୟୁରନ୍ସ, ସ୍ପଷ୍ଟ କଲା ICICI Lombard |
ଇଟିଭି ଭାରତ, ଭୁବନେଶ୍ୱର

