ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସଅଳ ହେବ ମହାପ୍ରଭୁଙ୍କ ନୀତିକାନ୍ତି
ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି । ରାତ୍ର ୧ଟାରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ ।

Published : February 25, 2026 at 1:20 PM IST
Srimandir Dola Purnima Rituals ପୁରୀ: ଆସନ୍ତା ଦୋଳ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । କିପରି ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏଥିପାଇଁ ଗତକାଲି(ସୋମବାର) ଅନୁଷ୍ଠିତ ହୋଇଯାଇଛି ଛତିଶା ନିଯୋଗ ବୈଠକ । ମାର୍ଚ୍ଚ ୨ରେ ମେଣ୍ଢା ପୋଡ଼ି ନୀତି ଥିବାରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ରାତ୍ର ୧ଟାରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ ।
ଚୁଡାନ୍ତ ନୀତିକାନ୍ତିକୁ ଅନୁମୋଦନ:
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସହ ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତି ଥିଲେ । ଆସନ୍ତା ମାର୍ଚ୍ଚ ୩ ତାରିଖରେ ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ । ତେବେ ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏଥିପାଇଁ ଚୁଡାନ୍ତ ହୋଇଥିବା ନୀତିକାନ୍ତିକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି ।

ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପର୍କରେ...
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ୨ ତାରିଖ ରାତି ୧ଟାରେ ଦ୍ବାର ଫିଟା ନୀତି କରାଯାଇ ମହାପ୍ରଭୁଙ୍କ ବିଭନ୍ନ ନୀତିକାନ୍ତି କରାଯିବ। ତେବେ ନୀତିକାନ୍ତି ସଅଳ ହେଲେ ସକାଳୁ ମହାପ୍ରଭୁଙ୍କୁ ଦୋଳବେଦୀରେ ବିଜେ କରାଯିବା ପାଇଁ ସମସ୍ତଙ୍କର ପ୍ରୟାସ ରହିବ । ସଅଳ ନୀତିକାନ୍ତି ହୋଇ ନପାରିଲେ ଗ୍ରହଣ ସର୍ବମୋକ୍ଷ ପରେ ଠାକୁରଙ୍କୁ ଦୋଳବେଦୀକୁ ବିଜେ କରାଯିବ । ଆସନ୍ତା ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଭିତର କାଠ ଦର୍ଶନ ବନ୍ଦ ରହିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମାର୍ଚ୍ଚ ୨ରେ ମେଣ୍ଢା ପୋଡ଼ି ନୀତି ଥିବାରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ରାତ୍ର ୧ଟାରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ ।

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ‘ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଛି । ଏଣୁ ମହାପ୍ରଭୁଙ୍କ ନିତିକାନ୍ତି କିଭଳି ସୁରୁଖୁରୁରେ ଅନୁଷ୍ଠିତ ହୋଇପାରିବ ସେନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଭକ୍ତ ମାନେ ମହାପ୍ରଭୁଙ୍କୁ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି ।

ସୂର୍ଯ୍ୟୋଦୟ ପୂର୍ବରୁ ସରିବ ନୀତିକାନ୍ତି !
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ କହିଛନ୍ତି, ‘ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଅନେକ ସ୍ବତନ୍ତ୍ର ନୀତି ରହିଛି । ସେହିଦିନ ଚନ୍ଦ୍ର ଗ୍ରହଣ ମଧ୍ୟ ପଡୁଛି । ଏଣୁ ୨ ତାରିଖ ବିଳମ୍ବିତ ରାତିରେ ସିଂହଦ୍ଵାର ଫିଟା ନୀତି କରାଯାଇ ନୀତିକୁ ସହଳ ଓ ଶୃଙ୍ଖଳିତ କରାଯିବ । ସକାଳୁ ଗ୍ରହଣ ଲାଗିବା ପୂର୍ବରୁ ମହାପ୍ରଭୁଙ୍କୁ ଦୋଳବେଦୀରେ ବିଜେ ପାଇଁ ଆମେ ଚେଷ୍ଟା କରିବୁ ।’
ଇଟିଭି ଭାରତ, ପୁରୀ

