ETV Bharat / state

ଜ୍ବରରେ କମ୍ପୁଛନ୍ତି ସାଆନ୍ତେ; ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ', କ'ଣ ରହିଛି ମହତ୍ତ୍ୱ

ଆଜି ଅଣସର ପଞ୍ଚମୀର ପବିତ୍ର ଅବସରରେ, ମହାପ୍ରଭୁ ଜଗନ୍ନାଥ ଓ ଭାଇ-ଭଉଣୀଙ୍କୁ 'ଫୁଲୁରୀ' ତେଲ ଚିକିତ୍ସା କରାଯିବ, ଯାହା 'ଫୁଲୁରୀ ତେଲ ସେବା' ଭାବରେ ଜଣାଶୁଣା । ରିପୋର୍ଟ: ଶକ୍ତପ୍ରସାଦ ମିଶ୍ର

Phuluri oil treatment
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)
author img

By ETV Bharat Odisha Team

Published : July 4, 2026 at 9:48 AM IST

3 Min Read
Choose ETV Bharat

Phuluri Oil Treatment ପୁରୀ: ଆଜି ଅଣସର ପଞ୍ଚମୀର ପବିତ୍ର ଅବସରରେ, ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା 'ଫୁଲୁରୀ' ତେଲ ଚିକିତ୍ସା ପାଇବେ, ଯାହା 'ଫୁଲୁରୀ ତେଲ ସେବା' ଭାବରେ ଜଣାଶୁଣା । ଏହା ଅଣସର ଘରେ ଚାଲିଥିବା ମହାପ୍ରଭୁଙ୍କ ଗୁପ୍ତ ରୀତିର ଏକ ଅଂଶ । ପୁରୀର ଶ୍ରୀମନ୍ଦିରରେ ତିନି ଠାକୁରଙ୍କ 'ଅଣସର' ରହଣି ସମୟରେ 'ଫୁଲୁରୀ ତେଲ' ଚିକିତ୍ସାର ରୀତିନୀତି ରହିଛି ।

ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)

'ସ୍ନାନ ଯାତ୍ରା' ସମୟରେ ଅତ୍ୟଧିକ ସ୍ନାନ ଯୋଗୁଁ ଅସୁସ୍ଥ ହୋଇଥିବା ତିନି ଠାକୁରଙ୍କୁ ଜ୍ୱରରୁ ସୁସ୍ଥ କରିବା ପାଇଁ ଏହି ବିଶେଷ ଚିକିତ୍ସା କରାଯାଏ । ସ୍ନାନ ପୂର୍ଣ୍ଣିମା ଦିନ ୧୦୮ କଳସ ଔଷଧୀୟ ଏବଂ ସୁଗନ୍ଧିତ ଜଳରେ ସ୍ନାନ କରିବା ପରେ ପବିତ୍ର ତ୍ରିମୂର୍ତ୍ତି ଅସୁସ୍ଥ ହୋଇପଡ଼ନ୍ତି । ମହାବାହୁଙ୍କୁ ହୋଇଥିବା ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ 'ଫୁଲୁରୀ ତେଲ' ଓ 'ଦଶମୂଳ ମୋଦକ' । ଆଜି ଏହି ଫୁଲୁରୀ ତେଲ ଶ୍ରୀବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ ।

snana Yatra
ମହାପ୍ରଭୁଙ୍କ ସ୍ନାନଯାତ୍ରା (ETV Bharat)

ଆଷାଢ଼ କୃଷ୍ଣ ପଞ୍ଚମୀ ବା 'ଅଣସର ପଞ୍ଚମୀ' ଦିନରୁ ଆଷାଢ଼ କୃଷ୍ଣ ସପ୍ତମୀ ମଧ୍ୟରେ ଏହି ନୀତି ହୋଇଥାଏ । ଆଜି ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ l ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ପ୍ରଥମେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ବିଜେ କରା ଯାଇଥାଏ । ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯାଏ l

Special Phuluri Oil Treatment for Trinity in Anasara Know Significance
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)


ସୁସ୍ଥ ହେଉଛନ୍ତି ଶ୍ରୀଜୀଉ:

ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି । ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ ଉପଚାର କରାଯିବ । ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ଫୁଲୁରୀ ତେଲ ମାଲିସ୍‌ ହେବେ । ବଡ଼ଓଡ଼ିଆ ମଠ ପ୍ରତିବର୍ଷ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ l କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆଯାଇଥାଏ l ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ଫୁଲୁରୀ ତେଲକୁ ଲାଗି କରାଯାଇଥାଏ l

Special Phuluri Oil Treatment for Trinity in Anasara Know Significance
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)

ଫୁଲରୀ ତେଲ କଣ ଓ କେମିତି ପ୍ରସ୍ତୁତ ହୁଏ:

ଫୁଲୁରୀ ତେଲ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ । ବର୍ଷେ ପୂର୍ବରୁ ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ l ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ l ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ ।

phuluri Oil
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)

ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ । ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ । ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହିଥିବା ଔଷଧୀୟ ଗୁଣ ଶରୀରକୁ ଉଷ୍ଣତା ପ୍ରଦାନ କରିବାର ଶକ୍ତି ଦେବ । ତେଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ । ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି l ଏହି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ ।

Special Phuluri Oil Treatment for Trinity in Anasara Know Significance
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)
ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି l ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ ।
Special Phuluri Oil Treatment for Trinity in Anasara Know Significance
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)

ଜଗନ୍ନାଥ୍ ସଂସ୍କୃତି ଗବେଷକ ନରେଶ ଦାଶ କହିଛନ୍ତି, "ବିଧି ପରମ୍ପରା ଅନୁଯାୟୀ, ଅଣସର ପଞ୍ଚମୀ ଦିନ ଅଣସରରେ ଥିବା ଶ୍ରୀଜିଉଙ୍କ ଫୁଲୁରି ତେଲ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଗତବର୍ଷ ହେରାପଞ୍ଚମୀରେ ଓଡ଼ିଆ ମଠ ପକ୍ଷରୁ ଖାଣ୍ଟି ରାଶି ତେଲ ଯେଉଁ ଥିରେ କି ବିଭିନ୍ନ ସୁଗନ୍ଧିତ ପୁଷ୍ପ ଜୁଇ, ମଲ୍ଲୀ, କେତକୀ ଇତ୍ୟାଦି ଫୁଲ ପଡ଼ିଥାଏ । ଏହି ଫୁଲ ପଡ଼ିଥିବା ତେଲ ମାଟି ତଳେ ଏକବର୍ଷ ପର୍ଯ୍ୟନ୍ତ ରଖାଯାଏ । ଏଥିରେ ଏକ ଔଷଧୀୟ ଗୁଣ ସୃଷ୍ଟି ହୁଏ । ପ୍ରତିବର୍ଷ ଅଣସର ପଞ୍ଚମୀରେ ସେହି ତେଲକୁ ମାଟି ତଳୁ ବାହାର କରାଯାଏ । ଏହାକୁ ଛଣା ଯାଏ । ଏହି ତେଲକୁ ଓଡିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଦିଆଯାଏ । ଏହି ତେଲକୁ ଦଇତାପତି ସେବକମାନେ ନେଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରନ୍ତି । ପତି ମହାପାତ୍ର ଓ ଦଇତାପତି ସେବକମାନେ ମିଳିତ ଭାବେ ଏହି ସେବା କରିଥାନ୍ତି । ଏହି ଫୁଲୁରୀ ତେଲ ଲାଗି ପରେ ମହାପ୍ରଭୁଙ୍କୁ ଜ୍ବରରୁ ସାମାନ୍ଯ ଉପଶମ ମିଳେ ।"

Special Phuluri Oil Treatment for Trinity in Anasara Know Significance
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)

ଦଇତାପତି ସେବକ ଭବାନୀ ଦାସ ମହାପାତ୍ର କହିଛନ୍ତି, "ସ୍ନାନ ପୂର୍ଣ୍ଣିମାରେ ଆତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି । ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଗୃହରେ ଅବସ୍ଥାନ କରନ୍ତି । ମହାପ୍ରଭୁଙ୍କ ଶରୀର ଜ୍ୱର ଯୋଗୁ ଉତ୍ତପ୍ତ ଥାଏ । ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଥାନ୍ତି । ଫୁଲୁରୀ ତେଲ ଲାଗି ପରେ ଓସୁଅ ଲାଗି ହୁଏ । ପରେ ଖଳି ଲାଗି ସହିତ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଶରୀରରେ ଚନ୍ଦନ ଲାଗି ହୁଏ । ଜ୍ୱର ଯୋଗୁ ମହାପ୍ରଭୁଙ୍କ ଶରୀର ଯେଉଁ ଗରମ ରହିଥାଏ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କ ଶରୀର ଶୀତଳ ହୋଇଥାଏ । ପରେ ମହାପ୍ରଭୁଙ୍କ ଚକାବିଜେ କରାଯାଇ ବିଭିନ୍ନ ଚେରମୁଳିରେ ପ୍ରସ୍ତୁତ ଦଶମୂଳ ମୋଦକ ଲାଗି ହୋଇଥାଏ । ଏହାକୁ ସେବନ କରି ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି । ଏହା ମହାପ୍ରଭୁଙ୍କ ମାନବୀୟ ଲୀଳା ।"

Special Phuluri Oil Treatment for Trinity in Anasara Know Significance
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ସ୍ବତନ୍ତ୍ର 'ଫୁଲୁରୀ ତେଲ' (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ଜ୍ୱରରେ ପୀଡି଼ତ ସାଆନ୍ତେ; ଅଣସର ପିଣ୍ଡିରେ ଦାରୁଦିଅଁଙ୍କ ଗୁପ୍ତ ଉପଚାର, ପୂଜା ପାଉଛନ୍ତି ପଟିଦିଅଁ

ଅଷ୍ଟ୍ରେଲିଆରେ ଦେବସ୍ନାନ ପୂର୍ଣ୍ଣିମା; ବିଦେଶ ମାଟିରେ ପ୍ରଥମ ଥର ମହାପ୍ରଭୁଙ୍କ ମହାସ୍ନାନ

ଇଟିଭି ଭାରତ, ପୁରୀ