ETV Bharat / state

ମାଓନେତା ଡି.କେଶବଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ଅଦାଲତ, ଏଇଠି ହେବ 37 ମାମଲାର ବିଚାର

ମାଓନେତା ଆଜାଦ ଓରଫ ଡୁନା କେଶବ ରାଓଙ୍କ ପାଇଁ ପାରଳାଖେମୁଣ୍ଡିରେ ଖୋଲିଲା ସ୍ବତନ୍ତ୍ର ଅଦାଲତ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ ଖୋଲା ଯାଇଛି । ଆଜାଦଙ୍କ ନାଁରେ 37 ମାମଲା ।

Dunna Kesava rao
ପାରଳା ଖେମୁଣ୍ଡି ସ୍ବତନ୍ତ୍ର ଅଦାଲତ (ETV Bharat Odisha)
author img

By ETV Bharat Odisha Team

Published : January 2, 2026 at 8:20 PM IST

2 Min Read
Choose ETV Bharat

Special Court For Dunna Kesava rao ଗଜପତି: ମାଓନେତା ଡୁନା କେଶବ ରାଓ ଓରଫ ଆଜାଦଙ୍କ ପାଇଁ ଆଜି(ଶୁକ୍ରବାର) ପାରଳାଖେମୁଣ୍ଡିରେ ଖୋଲିଲା ସ୍ବତନ୍ତ୍ର ଅଦାଲତ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି କୋର୍ଟ ଖୋଲାଯାଇଛି । ଏଠାରେ ଓଡ଼ିଶାର ବିଭିନ୍ନ ଥାନାରେ ଆଜାଦଙ୍କ ନାଁରେ ଥିବା ୩୭ଟି ମାମଲାର ବିଚାର କରାଯିବ । ଏନେଇ ସରକାରୀ ଓକିଲ ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ପାରଳା ଖେମୁଣ୍ଡି ସ୍ବତନ୍ତ୍ର ଅଦାଲତ (ETV Bharat Odisha)

ଝାରପଡା ଜେଲରେ ମାଓ ନେତା ଆଜାଦ:

ମାଓନେତା ଆଜାଦ ଗତ ୨୦୧୧ ମସିହାରେ ମାଓ ସଂଗଠନ ଛାଡ଼ି ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହା ପରେ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିଥିଲା । ସେହିଦିନ ଠାରୁ ସେ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହି ଆସୁଛନ୍ତି । ତାଙ୍କ ନାଁରେ ଗଜପତି, ରାୟଗଡା, କନ୍ଧମାଳ ଏବଂ ନୟାଗଡ଼ ଆଦି ଜିଲ୍ଲାର ବିଭିନ୍ନ ଥାନାରେ ୩୭ଟି ମାମଲା ରହିଛି । ଏଥିସହ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଅନେକ ମାମଲା ରହିଛି । ତେବେ ଗତ ୧୪ ବର୍ଷ ହେଲା ମାମଲାର ବିଚାର ହୋଇପାରୁନାହିଁ । ତେଣୁ ମାମଲାର ଶୀଘ୍ର ଶୁଣାଣି ପାଇଁ ଆଜାଦ ଗତ 2024ରେ ସୁପ୍ରିମକୋର୍ଟର‌ ଦ୍ବାରସ୍ଥ ହୋଇଥିଲେ ।

Dunna Kesava rao
ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତ ଗଜପତି (ETV Bharat Odisha)

ସ୍ବତନ୍ତ୍ର ଅଦାଲତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ:

ତେବେ ମାମଲାର ଶୀଘ୍ର ଶୁଣାଣି ପାଇଁ ଗତ 2024 ମସିହାରେ ଡି.କେଶବ ରାଓଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କେସ 511/2024ରେ ମାମଲା ଦାଏର କରାଯାଇଥିଲା । ଗତ 21.07.2025ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲା ବାଗଚୀଙ୍କ ଖଣ୍ଡପୀଠ ମାମଲା ଶୁଣାଣି କରିଥିଲେ । ଏହାସହ ପାରଳାଖେମୁଣ୍ଡିରେ ସ୍ବତନ୍ତ୍ର କୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଗୃହ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ବର୍ଷକ ମଧ୍ୟରେ ମାମଲା ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ:

‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାରଳାଖେମୁଣ୍ଡିରେ ସ୍ବତନ୍ତ୍ର ଅଦାଲତ କରାଯାଇଛି । ଏଥିପାଇଁ ଜଣେ ସ୍ବତନ୍ତ୍ର ବିଚାରପତି ମଧ୍ୟ ନିଯୁକ୍ତ ହୋଇଛନ୍ତି । ପୋକ୍ସୋ ଆଇନ ବ୍ୟତୀତ ତାଙ୍କ ବିରୁଦ୍ଧରେ ଥିବା ଅନ୍ୟ ସବୁ ପ୍ରକାର ମାମଲାର ଶୁଣାଣି ଏହି କୋର୍ଟରେ ହେବ ଏବଂ ବର୍ଷକ ମଧ୍ୟରେ ସମସ୍ତ ମାମଲାର ଶୁଣାଣି ଶେଷ କରିବା ପାଇଁଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।’ ଏହା କହିଛନ୍ତି ସରକାରୀ ଓକିଲ ରାଜେଶ କୁମାର ମିଶ୍ର

ଆନ୍ଧ୍ରରେ ବି ରହିଛି ମାମଲା:

ଆଜାଦଙ୍କ ନାଁରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ମଧ୍ୟ ମାମଲା ରହିଛି । ତେଣୁ ପାରଳାଖେମୁଣ୍ଡି ଆନ୍ଧ୍ର ସୀମାରେ ରହିଥିବା ଯୋଗୁଁ ଏଠାରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିବା ସରକାରୀ ଓକିଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କନ୍ଧମାଳରେ ବଡ଼ ଏନକାଉଣ୍ଟର: 6 ନକ୍ସଲଙ୍କ ସମେତ ଟପ୍‌ ମାଓନେତା ଗଣେଶ ଉଇକେ ନିପାତ, ମୁଣ୍ଡ ଉପରେ ଥିଲା ଏକ କୋଟି ପୁରସ୍କାର

ଟପ୍‌ ମାଓ ନେତା ସବ୍ୟସାଚୀ ପଣ୍ଡା ଆଉ ଏକ ମାମଲାରେ ନିର୍ଦୋଷ ସାବ୍ୟସ୍ତ

MTech ଷ୍ଟୁଡେଣ୍ଟରୁ ମାଓ କମାଣ୍ଡର : କିଏ କେଶବ ରାଓ ? ଯିଏ ସୁରକ୍ଷାବଳର ନିଦ ଉଡ଼ାଇ ଦେଇଥିଲା

କେଉଁ ପରିସ୍ଥିତିରେ ହୁଏ ସ୍ବତନ୍ତ୍ର ଅଦାଲତ ?

କୌଣସି ସ୍ବତନ୍ତ୍ର ମାମଲାକୁ ନେଇ ଖୋଲା ଯାଇଥାଏ ସ୍ବତନ୍ତ୍ର ଅଦାଲତ ।

ଇଟିଭି ଭାରତ, ଗଜପତି