ETV Bharat / state

‘AI ସବୁ ଶିଖାଏ ନାହିଁ, ଭ୍ରମଣ ଜରୁରୀ’: ସାଇକେଲରେ ବିଶ୍ବ ବୁଲୁଛନ୍ତି ଦକ୍ଷିଣ କୋରିଆ ପ୍ରଫେସର ସଙ୍ଗ ୟଙ୍ଗ୍‌, ସମ୍ବଲପୁରରେ ବାଣ୍ଟିଲେ ଅନୁଭୂତି, ଓଡ଼ିଶାକୁ ପ୍ରଶଂସା

ବିଶ୍ବ ଇତିହାସ ସଂସ୍କୃତି ଓ ଚାଲିଚଳଣିକୁ ଆଖିରେ ଦେଖି ଅନୁଭୂତି ସାଉଁଟିବାକୁ 2026 ଜାନୁଆରୀ 4ରୁ ସାଇକେଲରେ ବିଶ୍ବ ଭ୍ରମଣରେ ବାହାରିଛନ୍ତି ଦକ୍ଷିଣ କୋରିଆର ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ସଙ୍ଗ ୟଙ୍ଗ୍‌।ରିପୋର୍ଟ-ବାଦଶାହ ଜୁସ୍ମନ ରଣା

SOUTH KOREA PROFESSOR SONG YOUNG
ସାଇକେଲରେ ବିଶ୍ବ ବୁଲୁଛନ୍ତି ସାଉଥ କୋରିଆ ପ୍ରଫେସର ସଙ୍ଗ ୟୁଙ୍ଗ (ETV Bharat Odisha)
author img

By ETV Bharat Odisha Team

Published : October 9, 2026 at 4:01 PM IST

3 Min Read
Choose ETV Bharat

South Korea Professor Song Young

ସମ୍ବଲପୁର: ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା(AI)ର ଯୁଗ...ଗୋଟିଏ କ୍ଲିକରେ ମିଳୁଛି ସବୁ ତଥ୍ୟ । ଆଜିକାଲିର ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଇତିହାସ, ସଂସ୍କୃତି ଓ ଚାଲିଚଳଣିକୁ ନିଜ ଆଖିରେ ଦେଖିବା ପାଇଁ ପରିଭ୍ରମଣ କରିବାକୁ ସେତେଟା ଆଗ୍ରହ ଦେଖାଉନାହାନ୍ତି । କିନ୍ତୁ ପ୍ରତ୍ୟକ୍ଷ ଅନୁଭବ ବିନା ଜ୍ଞାନ ଅଧୁରା । ଯାହା ଆଖି ଦେଖେ, ହୃଦୟ ଅନୁଭବ କରେ...ସେ ଅନୁଭବ ଏଆଇ କରିପାରେନା । ଏହି କଥାକୁ ମର୍ମେ ମର୍ମେ ବୁଝିଛନ୍ତି ଦକ୍ଷିଣ କୋରିଆର କ୍ୟୁଙ୍ଗ ହି ବିଶ୍ୱବିଦ୍ୟାଳୟ (Kyung Hee University) 61 ବର୍ଷୀୟ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ସଙ୍ଗ ୟଙ୍ଗ୍‌ ବକ୍ (Song Young Bok)। ସାଇକେଲରେ ବାହାରିଛନ୍ତି ବିଶ୍ବ ଭ୍ରମଣ କରି ପ୍ରତ୍ୟକ୍ଷ ଅନୁଭୂତିକୁ ସାଉଁଟିବାକୁ । ଭାରତ ଆସି କଣ ଦେଖିଲେ ? ସମ୍ବଲପୁରରେ କଣ ନୂଆ ଅନୁଭବ ପାଇଲେ ? ଏହାକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।


‘ଏଆଇ ସବୁ ଶିଖାଏ ନାହିଁ, ଭ୍ରମଣ ଜରୁରୀ’:

ବିଶ୍ବର ବିଭିନ୍ନ ଦେଶର ଇତିହାସ, ସଂସ୍କୃତି ଓ ଚଳଣିକୁ ସ୍ବଚକ୍ଷୁରେ ଦେଖି ପ୍ରତ୍ୟକ୍ଷ ଅନୁଭବ ନେବାକୁ ସଙ୍ଗ ୟଙ୍ଗ୍‌ ବକ୍ ଗତ 9 ମାସ ତଳେ ଅର୍ଥାତ୍‌ ଜାନୁଆରୀ 4 ତାରିଖରୁ ସାଇକେଲରେ ବିଭିନ୍ନ ଦେଶ ଭ୍ରମଣରେ ବାହାରିଛନ୍ତି । ସେ ଚୀନ, ଦକ୍ଷିଣ ଏସିଆ, ମଧ୍ୟ ଏସିଆ, ୟୁରୋପ, ପର୍ତ୍ତୁଗଲ୍‌ ଓ ମୋରୋକୋ ଦେଇ ବର୍ତ୍ତମାନ ଭାରତରେ ପହଞ୍ଚିଛନ୍ତି l ଏଠାରୁ ସେ ଚୀନ ଦେଇ ପୁଣି ନିଜ ଦେଶ ଦକ୍ଷିଣ କୋରିଆକୁ ଫେରିଯିବେ ବୋଲି କହିଛନ୍ତି l

ସାଇକେଲରେ ବିଶ୍ବ ଭ୍ରମଣ ଅବସରରେ ଓଡ଼ିଶା ସମ୍ବଲପୁରରେ ସାଉଥ କୋରିଆ ପ୍ରଫେସର ସଙ୍ଗ ୟଙ୍ଗ୍ (ETV Bharat Odisha)

କାହିଁକି ଭାରତ ଆସିଛନ୍ତି ?

ସଙ୍ଗ ୟଙ୍ଗ ବକ୍ କହିଛନ୍ତି ଯେ, 'ସେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ଆଦି ରାଜ୍ୟ ବୁଲି ସାରିଲେଣି l ବର୍ତ୍ତମାନ ଓଡ଼ିଶା ପରିଭ୍ରମଣ କରୁଛନ୍ତି । ' ପ୍ରଫେସର ବକ୍ ଜଣେ ଅବସରପ୍ରାପ୍ତ ଇତିହାସ ପ୍ରଫେସର l ଲାଟିନ ଆମେରିକାନ ଇତିହାସ ଉପରେ ଅଧ୍ୟୟନ କରିଛନ୍ତି l ଭାରତୀୟ ସଂସ୍କୃତି, ଚଳଣି, ଖାଦ୍ୟପେୟ ଉପରେ ଜାଣିବାକୁ ଏଠାକୁ ଆସିଛନ୍ତି l ଆଜିକାଲି AIରେ ସବୁ ଉପଲବ୍ଧ ଅଛି । ତେବେ AI ଆପଣଙ୍କ ସବୁ କିଛିର ସୂଚନା ଦେଇଦେବ, ତେବେ ତାହାକୁ ଆପଣ ସ୍ୱଚକ୍ଷୁରେ ଦେଖି ଅନୁଭବ କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ l ତେଣୁ ସେ ଭାରତକୁ ସାଇକେଲରେ ଭ୍ରମଣ କରୁଥିବା ଇଟିଭି ଭାରତକୁ କହିଛନ୍ତି ।

SAMBALPUR KOREAN PROFESSOR
ଦକ୍ଷିଣ କୋରିଆ ପ୍ରଫେସର ସଙ୍ଗ ୟଙ୍ଗ ସମ୍ବଲପୁର ରାସ୍ତାରେ ବୁଲିବା ଦୃଶ୍ୟ (ETV Bharat Odisha)

ଦେଢମାସ ହେବ ଭାରତରେ ବୁଲୁଛନ୍ତି ସଙ୍ଗ ୟଙ୍ଗ୍‌ ବକ୍:
ପ୍ରଫେସର ବକ୍‌ ମୋରୋକୋରୁ ଭାରତରେ ପହଞ୍ଚିବା ପରେ ମୁମ୍ବାଇରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଗତ ପ୍ରାୟ ଦେଢ଼ ମାସ ହେବ ସେ ସାଇକେଲରେ 5ଟି ରାଜ୍ୟ ଅତିକ୍ରମ କରିବା ପରେ ଏବେ ସମ୍ବଲପୁରରେ ପହଞ୍ଚିଛନ୍ତି ।

ପ୍ରଫେସର ସଙ୍ଗ ୟଙ୍ଗ ବକ୍ କହିଛନ୍ତି, ‘ଭାରତ ଏକ ବୃହତ ଲୋକସଂଖ୍ୟା ବହୁଳ, ବହୁଧର୍ମ ଓ ବିବିଧ ସଂସ୍କୃତିର ଦେଶ । ଏଠାରେ ଲୋକଙ୍କ ଜୀବନଶୈଳୀ ମଧ୍ୟରେ ଅନ୍ୟଦେଶମାନଙ୍କ ପରି ଗୋଟିଏ ପ୍ରକାର ଚଳଣି ଦେଖାଯାଏ ନାହିଁ । ବିଭିନ୍ନ ଭାଷା, ସଂସ୍କୃତି, ଖାଦ୍ୟପେୟ, ପୋଷାକ ତାଙ୍କୁ ବେଶ ରୋମାଞ୍ଚିତ କରିଛି । ସେ ଭାରତୀୟ ବ୍ୟଞ୍ଜନ ଉପଭୋଗ କରୁଛନ୍ତି । ଭାରତର ପ୍ରାଚୀନ ଇତିହାସ ଓ ବିବିଧ ଲୋକସଂସ୍କୃତି ସମ୍ପର୍କରେ ସେ ପୂର୍ବରୁ ଶୁଣିଥିଲେ। ଏବେ ସାଇକେଲ ଯାତ୍ରା କରି ଏହାର ପ୍ରତ୍ୟକ୍ଷ ଅନୁଭବ ନେବାକୁ ଭାରତ ଆସିଛନ୍ତି ।’

SAMBALPUR KOREAN PROFESSOR
ସମ୍ବଲପୁରରେ ଦକ୍ଷିଣ କୋରିଆ ପ୍ରଫେସର ସଙ୍ଗ ୟଙ୍ଗ (ETV Bharat Odisha)

ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଆସିଛନ୍ତି ସମ୍ବଲପୁର:

ଭାରତ ଭ୍ରମଣ ସମୟରେ ଏଠାକାର ପର୍ବପର୍ବାଣୀ ତାଙ୍କୁ ରୋମାଞ୍ଚିତ କରୁଛି । ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ସମ୍ପର୍କରେ ସେ ଶୁଣିଥିଲେ । ତାଙ୍କ ନାମରେ ଥିବା ସଂଗ୍ରହାଳୟ ପରିଦର୍ଶନ କରି ଅଧିକ କିଛି ଜାଣିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତୀୟମାନେ ବେଶ ଭଲ ଆତିଥ୍ୟ ପ୍ରଦାନ କରନ୍ତି, ସେ ଗୋଟିଏ ପରିବାରରେ ତାହାକୁ ଅନୁଭବ କରିଛନ୍ତି । ଏହା ତାଙ୍କୁ ଆନନ୍ଦିତ କରିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

SAMBALPUR KOREAN PROFESSOR
ଦକ୍ଷିଣ କୋରିଆ ପ୍ରଫେସର୍ ସଙ୍ଗ ୟଙ୍ଗ (ETV Bharat Odisha)


ଓଡ଼ିଶା ଖାଦ୍ୟ ଓ ଲୋକଙ୍କୁ ପ୍ରଶଂସା କଲେ ସଙ୍ଗ ୟଙ୍ଗ୍‌:

ଓଡ଼ିଶାର ଖାଦ୍ୟ ଓ ଲୋକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଫେସର ବକ୍‌ । ସେ କହିଛନ୍ତି ଯେ, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ l ଏଠାରେ ବହୁତ ଶାନ୍ତି ଅଛି l ମୁମ୍ବାଇ ପରି ଏଠାରେ ବହୁତ ଟ୍ରାଫିକ ସମସ୍ୟା ନାହିଁ l ଏଠିକାର ଲୋକ ମଧ୍ୟ ବହୁତ ଶାନ୍ତି ପ୍ରିୟ ଅଟନ୍ତି l ଏଠିକାର ଖାଦ୍ୟ ମଧ୍ୟ ବହୁତ ଭଲ l ତେବେ ମୁଁ ଗୋଟିଏ ଜିନିଷ ଅନୁଭବ କରିଛି ଯେ, ଏଠିକାର ବ୍ୟଞ୍ଜନ ବହୁତ ମସାଲାଦାର ଅଟେ l କେବଳ ଖାଦ୍ୟ କଥା ନୁହେଁ ଏଠାରେ ନିଜକୁ ସୁରକ୍ଷିତ ମନେ କରୁଛି ବୋଲି କହିଛନ୍ତି ବକ୍ ।

SAMBALPUR KOREAN PROFESSOR
ଇଟିଭି ଭାରତକୁ କହୁଛନ୍ତି ଭାରତ ଭ୍ରମଣ ଅନୁଭୂତି (ETV Bharat Odisha)


ଆଗକୁ କେଉଁଠିକି ଯିବେ ?
ଭାରତରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାଷା ସଂସ୍କୃତି, ଚଳଣି ଅଛି, ତେବେ ସମସ୍ତେ ଏକାଠି ରହୁଛନ୍ତି l ମୁମ୍ବାଇ ଓ କୋଲକାତା ବିଷୟରେ ଏହା ଜାଣିଛି l ତେଣୁ ମୁମ୍ବାଇ ଓ କୋଲକାତାରେ ଭାଷା ସଂସ୍କୃତିରେ କଣ ଭିନ୍ନତା ରହିଛି ତାହା ଜାଣିବାକୁ ଆଗକୁ କୋଲକାତାକୁ ଯିବି ବୋଲି କହିଛନ୍ତି ପ୍ରଫେସର ବକ୍ l

ପ୍ରଫେସରଙ୍କୁ ପ୍ରଶଂସା:

ଦକ୍ଷିଣ କୋରିଆର ଅବସରପ୍ରାପ୍ତ ଇତିହାସ ପ୍ରଫେସର ସଙ୍ଗ ୟଙ୍ଗ୍‌ ବକ୍ (Song Young-bok) ସାଇକେଲରେ ବିଶ୍ୱ ପରିକ୍ରମା କରି ଅନୁଭୂତି ଆଧାରରେ ସଂସ୍କୃତି ସଂଗ୍ରହ କରୁଛନ୍ତି । ଏହାକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସୂଚନା ଓ ଜନସମ୍ପର୍କ ଅଧିକାରୀ ହେରିଟେଜ୍ କ୍ଲବ୍‌ର ମୁଖ୍ୟ ଡ. ଅତୁଲ କୁମାର ପ୍ରଧାନ ତାଙ୍କର ଉଚ୍ଛସିତ ପ୍ରଶଂସା କରିଛନ୍ତି ।

ବାସ୍ତବତା ଓ ଏଆଇ କଣ୍ଟେଣ୍ଟ ମଧ୍ୟରେ ଅନେକ ଦୂରତା ...

ପ୍ରଫେସରଙ୍କ ଏହି ବିଶ୍ବ ଭ୍ରମଣ ସମ୍ପର୍କରେ ଡ.ଅତୁଲ କୁମାର ପ୍ରଧାନ କୁହନ୍ତି, ‘ଏଆଇ ଆମକୁ ସେହି ତଥ୍ୟ ଯୋଗାଇଦିଏ ଯାହା ପୂର୍ବରୁ ଇଣ୍ଟର ନେଟ୍‌ରେ ଉପଲବ୍ଧ ଅଛି କିମ୍ବା ଆମେ ପଢ଼ିଛୁ । କିନ୍ତୁ ପ୍ରତ୍ୟକ୍ଷ ଭାବେ କ୍ଷେତ୍ରକୁ ଯାଇ କାମ କରିବାର ସତ୍ୟତା ଆଉ କିଛି ଥାଏ । ଏଆଇ ଦ୍ୱାରା ଫିଲ୍ଟର ହୋଇ ଆସୁଥିବା ତଥ୍ୟ ଏବଂ ବାସ୍ତବ ସତ୍ୟତା ମଧ୍ୟରେ ଅନେକ ଫରକ ରହିଥାଏ । ସେଥିପାଇଁ ପ୍ରକୃତ ଇତିହାସ ଓ ସଂସ୍କୃତିକୁ ଗ୍ରହଣ କରିବାକୁ ହେଲେ ନିଜେ ସେହି ସ୍ଥାନକୁ ଯାଇ ଅନୁଭୂତି ସାଉଁଟିବାକୁ ପଡ଼ିବ।’

SAMBALPUR KOREAN PROFESSOR
ସାଇକେଲରେ ନିଜ ସାମଗ୍ରୀ ଧରି ବିଶ୍ବ ବୁଲୁଛନ୍ତି ଦକ୍ଷିଣ କୋରିଆ ପ୍ରଫେସର ସଙ୍ଗ ୟଙ୍ଗ୍‌ (ETV Bharat Odisha)

ସାଇକେଲରେ ବିଶ୍ବ ଭ୍ରମଣ କରି ପ୍ରତ୍ୟକ୍ଷ ଦୃଶ୍ୟ ଓ ସଂସ୍କୃତିକୁ ଦସ୍ତାବିଜକରଣ (Documentation) କରିବା ନେଇ ପ୍ରଫେସର ସଙ୍ଗ ୟଙ୍ଗ୍‌ ବକ୍ ଙ୍କ ପ୍ରଚେଷ୍ଟା, ଅତୀତ ଓ ଇତିହାସକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ଉତ୍ତମ ପଦକ୍ଷେପ !

ଏହା ମଧ୍ୟ ପଢନ୍ତୁ:

ପଣସ ମଞ୍ଜିରୁ ପୁଷ୍ଟିସାରଯୁକ୍ତ ଖାଦ୍ୟ; ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗବେଷଣାରେ ନୂଆ ତଥ୍ୟ, ଅଧିକ ରିସର୍ଚ୍ଚ ଜାରି

ଘରଚଟିଆଙ୍କ କିଚିରିମିଚିରିରେ ପୁଣି ଗୁଞ୍ଜରିଲା ବୁଢ଼ାରଜା, ନୀଡ଼ ଯୋଗାଇ ନୂଆ ଆଶା ଦେଖାଉଛନ୍ତି ସମ୍ବଲପୁରର ସୁବ୍ରତ

ଦୁନିଆ ଜାଣିବ ଆଦିବାସୀଙ୍କ ତେଲ ଚିକିତ୍ସାର ଔଷଧୀୟ ଗୁଣ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷଣା, ଆଦିବାସୀ ଅଞ୍ଚଳରୁ ନମୁନା ସଂଗ୍ରହ


ଇଟିଭି ଭାରତ, ସମ୍ବଲପୁର