କିଶୋରୀଙ୍କୁ ଚିହ୍ନଟ କରି ଟୀକାକରଣ କରିବା ବଡ ଚାଲେଞ୍ଜ, ଡ୍ରପ୍ ଆଉଟ କିଶୋରୀଙ୍କୁ ବି ଦିଆଯିବ ସର୍ଭିକାଲ କ୍ୟାନସର ଟୀକା: ସ୍ୱାସ୍ଥ୍ୟମନ୍ତ୍ରୀ
ଗର୍ଭାଶୟ କ୍ୟାନସରକୁ ପ୍ରତିହତ କରିବ ଟୀକା । ମାର୍କେଟରେ ଏହାର ଦାମ୍ 4 ହଜାରୁ ଅଧିକ । ମାଗଣାରେ ଦେଉଛନ୍ତି ସରକାର ।


Published : March 2, 2026 at 9:18 PM IST
|Updated : March 2, 2026 at 9:45 PM IST
ଭୁବନେଶ୍ୱର: ଫେବ୍ରୁଆରୀ 28ରୁ ସମଗ୍ର ଦେଶରେ ଗର୍ଭାଶୟ କର୍କଟ ଟୀକାକରଣ ଆରମ୍ଭ ହୋଇଛି । ଏହା ସାଧାରଣ ଭାବରେ 3 ମାସ ବ୍ୟାପୀ ଚାଲିବ । ଆମ ରାଜ୍ୟରେ ପାଖାପାଖି 3 ଲକ୍ଷ 36 ହଜାରରୁ ଅଧିକ କିଶୋରୀମାନଙ୍କୁ ଗୋଟିଏ ଡୋଜ ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ସହିତ ସମନ୍ଵୟ ରଖି ଟୀକାକରଣ କରାଯିବ । ବିଶେଷ କରି ଯେଉଁ ଛାତ୍ରୀମାନେ ସ୍କୁଲକୁ ଆସୁଛନ୍ତି ସେମାନଙ୍କୁ ଟୀକା ଦିଆଯିବ ସହିତ ସ୍କୁଲ୍ ଡ୍ରପ୍ ଆଉଟ୍ କିଶୋରୀଙ୍କୁ ଦିଆଯିବ । ସରକାରଙ୍କ ପାଖରେ ତଥ୍ୟ ଡ୍ରପ ଆଉଟ ତଥ୍ୟ ରହିଛି । ଆମକୁ ପର୍ଯ୍ୟାପ୍ତ ପରିମାଣର ଟୀକା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
କ୍ୟାନସରକୁ ପ୍ରତିହତ କରିବ ଟୀକା
ମାର୍କେଟରେ ଏହାର ଦାମ୍ ୪ ହଜାରୁ ଅଧିକ
ମାଗଣାରେ ଦେଉଛନ୍ତି ସରକାର
ଡ୍ରପ ଆଉଟ ପିଲାଙ୍କୁ କିଶୋରୀଙ୍କୁ ମଧ୍ୟ ଦିଆଯିବ ଟୀକା
କଣ ରହିଛି ବଡ ଚାଲେଞ୍ଜ:-
ବିଶେଷକରି କିଶୋରିମାନଙ୍କୁ ଚିହ୍ନଟ କରିବା ଏକ ବଡ ଚାଲେଞ୍ଜ । ତେବେ ଏନେଇ ସରକାର ଗଣଶିକ୍ଷା ବିଭାଗକୁ ଏକ ତଥ୍ୟ ଆସିଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଯେଉଁ କିଶୋରୀଙ୍କ ତଥ୍ୟ ମିଳିଛି ସେହି ଅନୁସାରେ ଟୀକା ଦିଆଯିବ। ବିଶେଷକରି ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା କରାଯାଇଥିବା ଗ୍ରାମାଞ୍ଚଳରେ କିଶୋରୀ କ୍ଲବ ମାଧ୍ୟମରେ କିଶୋରିମାନଙ୍କୁ ଚିହ୍ନଟ କରାଯିବ । ଏହା ସହିତ ଡ୍ରପ ଆଉଟ ପିଲାଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଟୀକାକରଣ ଦିଆଯିବ ।
କେଉଁ ବୟସର କିଶୋରୀଙ୍କୁ ଦିଆଯିବ ଟୀକା-
ଓଡ଼ିଶାରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ କିଶୋରୀମାନଙ୍କୁ ଏହି ଅଭିଯାନରେ ସାମିଲ୍ କରାଯାଇଛି । ଯେଉଁ କିଶୋରୀ ମାନଙ୍କର ବୟସ ୧୪ ବର୍ଷ ହୋଇଥିବ ଏବଂ ୧୫ ବର୍ଷ ହୋଇନଥିବ ସେମାନେ ଏହି ଟୀକା ନେଇପାରିବେ। ଯଦି କିଶୋରୀଙ୍କୁ ପୂର୍ବରୁ କୌଣସି ଟୀକା ନେବା ପରେ ଆଲର୍ଜି ହୋଇଥାଏ, ଗର୍ଭଧାରଣ କରିଥିଲେ ବା ଗୁରୁତର ଅସୁସ୍ଥ (ଯେପରିକି ରକ୍ତହୀନତା, ନିମୋନିଆ, ଜ୍ଵର, ଇତ୍ୟାଦି) ହୋଇଥିଲେ ଏହି ଟୀକା ନେବେ ନାହିଁ । ଓଡ଼ିଶାରେ ପ୍ରାୟ ୩.୩୬ ଲକ୍ଷ କିଶୋରୀ ବାଳିକା ଏହି ଟୀକା ପାଇବେ।
କେଉଁଠାରେ ଦିଆଯିବ ଟିକା-
ଟୀକାକରଣ କାର୍ଯ୍ୟକ୍ରମକୁ ଅଭିଯାନ ଭିତ୍ତିରେ କରାହେବ । ଆଗାମୀ ୩ ମାସ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ଟୀକା ଦେବାପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ମାସରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଟୀକା ଦିଆଯିବ । ଏହା ସହିତ ଦ୍ୱିତୀୟ ମାସ ଓ ତୃତୀୟ ମାସରେ ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଦିଆଯିବାର ଯୋଜନା ରହିଛି । ଅଭିଯାନ ସମୟରେ ପ୍ରତ୍ୟେକ ଦିନ (ଛୁଟି ଦିନକୁ ଛାଡି) ସକାଳ ୯ଟାରୁ ଅପରାହ ୨ଟା ପର୍ଯ୍ୟନ୍ତ ନିର୍ଦିଷ୍ଟ ଚିକିତ୍ସାଳୟରେ ଟୀକାକରଣ କରାଯିବ । ପରେ ଏହି ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ୍ କରାଯିବ । ପର୍ଯ୍ୟାୟକ୍ରମେ ସମସ୍ତ ଉପଯୁକ୍ତ ହିତାଧିକାରୀମାନଙ୍କୁ ଏହି ଟୀକା ଦିଆଯିବାର ଯୋଜନା ରହିଛି । ଏଥିପାଇଁ ବ୍ୟଗ୍ର ନହୋଇ ସମସ୍ତ ହିତାକାରୀ ଧର୍ଯ୍ୟର ସହିତ ଟୀକାଦାନ ପାଇଁ ଅପେକ୍ଷା କରନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି। ଟୀକାଗୁଡ଼ିକର ପରିବହନ ଓ ଯୋଗାଣକୁ ସୁରକ୍ଷିତ କରିବା ନିମନ୍ତେ ଉପଯୁକ୍ତ ଶୀତଳ ଶୃଙ୍ଖଳ (କୋଲ୍ଡ ଚେନ୍)ର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଟୀକା ପାଇଁ କ'ଣ ରହିଛି ନିୟମାବଳୀ-
ଏହି ଟୀକା ନେବା ପାଇଁ ସରକାର କିଛି ଆବଶ୍ୟକୀୟ ନିୟମାବଳୀ ଜାରି କରିଛନ୍ତି ।ହିତାଧିକାରୀ ନିଜ ବାପା-ମା' କିମ୍ବା ଅଭିଭାବକଙ୍କ ସହିତ ଆସିବା ଆବଶ୍ୟକ । ଟୀକା ନେବା ସମୟରେ ବୟସର ସଠିକତା ନିଶ୍ଚିତ କରିବା ପାଇଁ କିଶୋରୀ ଜଣକ ନିଜ ସାଥରେ ଏକ ବୈଧ ପରିଚୟ ପତ୍ର (ଯଥା: ଆଧାର କାର୍ଡ, ସ୍କୁଲ ଆଇଡି କିମ୍ବା ଜନ୍ମ ପ୍ରମାଣ ପତ୍ର) ଆଣିବା ଆବଶ୍ୟକ ।ଯଦି କୌଣସି କାରଣରୁ କିଶୋରୀ ଜଣକ ବୟସର ପ୍ରମାଣ ଦେଇପାରୁ ନାହାନ୍ତି, ତେବେ ସେମାନଙ୍କ ଅଭିଭାବକଙ୍କୁ କେନ୍ଦ୍ରରେ ଥିବା 'ବୟସ ଘୋଷଣା ପତ୍ର'ରେ ସ୍ବାକ୍ଷର କରିବାକୁ ହେବ ।ଟୀକା ନେବା ପାଇଁ ହିତାଧିକାରୀ ପେଟ ପୁରା ଖାଦ୍ୟ ଖାଇ ଆସିବା ଆବଶ୍ୟକ ।ଟୀକା ନେବା ପରେ କିଶୋରୀଙ୍କୁ 30 ମିନିଟ୍ ଟୀକାଦାନ କେନ୍ଦ୍ରରେ ପର୍ଯ୍ୟବେକ୍ଷଣରେ ରଖିବା ଦରକାର । ଟୀକା ନେବା ପରେ ସାମାନ୍ୟ କଷ୍ଟ ବା ଜ୍ଵର ହେବା ସ୍ବାଭାବିକ । ଯାହା ୨-୩ ଦିନରେ ଭଲ ହୋଇଯିବ ।ପ୍ରାୟତଃ ଏହି ଟୀକାର କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ହୁଏ ନାହିଁ ।
ଏହା ବି ପଢନ୍ତୁ- ଫେବୃଆରୀ ୨୮ରେ କିଶୋରୀଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର ଟିକାକରଣର ଶୁଭାରମ୍ଭ
ଇଟିଭି ଭାରତ, ଭୁବନେଶ୍ୱର

