ଭୁବନେଶ୍ୱରରେ ପୁଣି ସିମ ବକ୍ସ ଜବତ: ଚୀନ ଓ ବାଂଲାଦେଶ ଲିଙ୍କ୍, ୨ କେରଳ ଯୁବକ ଗିରଫ
ଦେଢ ବର୍ଷ ପରେ ପୁଣି ରାଜଧାନୀକୁ ଫେରିଲା ସିମ୍ ବକ୍ସ ରାକେଟ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ 12ଟି ସିମ୍ବକ୍ସ ଜବତ । ଦୁଇ ଯୁବକ ଗିରଫ ।

Published : March 2, 2026 at 8:01 PM IST
ରିପୋର୍ଟ: ସତ୍ଯଜିତ୍ ରାଉତ
Sim Box Racket Busted ଭୁବନେଶ୍ବର: ରାଜଧାନୀରେ ପୁଣି ସିମ୍ ବକ୍ସ ନେଟୱର୍କ ଠାବ ହୋଇଛି । ଏଥର ଏହି ସିମ୍ ବକ୍ସରେ ଚୀନ ଓ ବାଂଲାଦେଶ ଲିଙ୍କ୍ ରହିଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆଜି (ସୋମବାର) କମିଶନରେଟ୍ ପୋଲିସ ଆଜି ଏକ ଭଡାଘରେ ଚଢ଼ାଉ କରି ୧୨ଟି ସିମ୍ ବକ୍ସ ଜବତ କରିଛି । ଘଟଣାରେ ୨ ଜଣ କେରଳ ଯୁବକଙ୍କୁ ପୋଲିସ ଗିରଫ କରିଛି ।

କେରଳ ଯୁବକ ଗିରଫ:
ସିମ୍ ବକ୍ସ ବ୍ୟତୀତ ଶତାଧିକ ସିମ୍ କାର୍ଡ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଜବତ କରାଯାଇଛି । ଖବର ମିଳିବା ପରେ ସ୍ପେଶାଲ ସ୍କ୍ୱାର୍ଡ, ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ଓ ଚନ୍ଦ୍ରଶେଖରପୁର ଥାନା ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲା । ଏନେଇ ଭୁବନେଶ୍ୱର ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଦ୍ୱୟଙ୍କ ନାମ ଓମାର ଓ ସିଆଉଲ ହକ୍ ହୋଇଥିବା ବେଳେ ଉଭୟଙ୍କ ପ୍ରକୃତ କେରଳ ଠିକଣା ଜାଣିବାକୁ ପୋଲିସ ଯାଞ୍ଚ କରୁଛି । ଉଭୟ ବି-ଟେକ୍ ପାଠ ଅଧାରୁ ଛାଡିଛନ୍ତି । ତେବେ ଅଭିଯୁକ୍ତଦ୍ୱୟ ଏହି ସିମ୍ ବକ୍ସ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲେ ନା ସାଇବର ଠକେଇ କରୁଥିଲେ ସେନେଇ ଜାଣିବାକୁ ପୋଲିସ ଅଧିକ ତଦନ୍ତ ଚଳାଇଛି ।
ରାଜସ୍ବ କ୍ଷତି ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା- ଏଡିସିପି
ଏନେଇ ଅତିରିକ୍ତ ଡିସିପି ସୁବ୍ରତ କୁମାର କହିଛନ୍ତି, ‘ଅଭିଯୁକ୍ତଦ୍ୱୟ ଆସାମରୁ ସିମ୍ ଆଣି ଅନ୍ତର୍ଜାତୀୟ କଲକୁ ଲୋକାଲ କଲରେ ବଦଳାଉଥିଲେ । ଏହାଦ୍ବାରା ରାଜସ୍ବ କ୍ଷତି ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା । ଏହି ଦିଗରେ ଆମର ତଦନ୍ତ ଜାରି ରହିଛି । ଅକ୍ଟୋବରରୁ ଆରମ୍ଭ କରିଥିବା କହୁଛନ୍ତି । ଅଭିଯୁକ୍ତଦ୍ୱୟ ଅଧିକ ଦିନ ରୁହନ୍ତି ନାହିଁ । ଅଳ୍ପ କିଛି ଦିନ ଆସି ସିମ୍ ବକ୍ସ ସେଟଅପ କରି ପଳାଇ ଯାଇଥିଲେ । ବିଶେଷ କରି ମାସକୁ ୨ରୁ ୩ ଥର ଆସୁଥିଲେ । ଏହା ପଛରେ ମାଷ୍ଟରମାଇଣ୍ଡ କିଏ ଜଣାପଡିନାହିଁ । ଜବତ ହୋଇଥିବା ସିମବକ୍ସ ଚୀନ ନିର୍ମିତ ହୋଇଥିବା ବେଳେ ବ୍ୟବହାର କରୁଥିବା ଆପ୍ ବାଂଲାଦେଶର ବୋଲି ଏଯାଏ ଜଣାପଡିଛି ।’
ପଚରାଉଚରା ଜାରି, କାଲି ହେବେ କୋର୍ଟଚାଲାଣ:
ଏନେଇ ସାଇବର ଥାନା ଅଧିକାରିଣୀ ଏସିପି ସୁଚିସ୍ମିତା ଦାସ କହିଛନ୍ତି, ‘ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି ଅଧିକ ତଦନ୍ତ କରାଯାଉଛି । ସେମାନଙ୍କ ଠାରୁ କଣ କଣ ଜବତ କରାଯାଇଛି ସେନେଇ ଯାଞ୍ଚ ଚାଲୁ ରହିଛି । ଅଭିଯୁକ୍ତଦ୍ୱୟ ପ୍ରକୃତ ଉଦ୍ଦେଶ୍ୟ ନେଇ ଅଧିକ ଜେରା କରାଯାଉଛି । ଆସନ୍ତାକାଲି (ମଙ୍ଗଳବାର) ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରାଯିବ ।’
ଦେଢ଼ବର୍ଷ ତଳେ କଟକ ଓ ଭୁବନେଶ୍ୱର ଜବତ ହୋଇଥିଲା ସିମ୍ ବକ୍ସ:
ଗତ ୨୦୨୪ ଅଗଷ୍ଟ ୧୬ରେ ମଧ୍ୟ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହୋଇଥିଲା । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମଙ୍ଗରାଜ ପଏଣ୍ଟ ନିକଟ ମହାଦେବ ନଗରସ୍ଥିତ ଏକ ୪ ମହଲା ବିଶିଷ୍ଟ କୋଠାରେ ପୋଲିସ ଚଢ଼ାଉ କରି ୭ଟି ସିମ୍ ବକ୍ସ ସମେତ ବିଭିନ୍ନ ଟେଲିକମ୍ କମ୍ପାନୀର ୫୦୦ରୁ ଊର୍ଦ୍ଧ୍ୱ ସିମ୍ କାର୍ଡ ଜବତ କରିଥିଲା । ଏହି ମାମଲାରେ ରାଜୁ ମଣ୍ଡଳ ନାମକ ଏଜେଣ୍ଟକୁ ସେଠାରୁ ପୋଲିସ ଗିରଫ କରିଥିଲା । ରାଜୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବାରୁ ସେ କଟକରେ ମଧ୍ୟ ଭଡ଼ାଘର ନେଇ ସିମ୍ ବକ୍ସ ନେଟୱର୍କ ଚଳାଉଥିବା କହିଥିଲା ।
ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ପୋଲିସର ଛାନଭିନ୍ ଜାରି - Cuttack SIM BOX RACKET |
ପୋଲିସ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗରସ୍ଥିତ ବୃନ୍ଦାବନ ଭବନସ୍ଥିତ ଭଡ଼ାଘରେ ଯାଞ୍ଚ କରିଥିଲା। ଉକ୍ତ ଘରୁ ୫ଟି ସିମ୍ ବକ୍ସ ସମେତ ବିଭିନ୍ନ ଟେଲିକମ୍ କମ୍ପାନୀର ୫୪୬ ସିମ୍ କାର୍ଡ, ୪୦ଟି ସିମ୍ କ୍ୟାରିୟର୍ସ, ଗୋଟିଏ ରାଉଟର, ୨ଟି ବ୍ରଡବ୍ୟାଣ୍ଡ ଜବତ କରାଯାଇଥିଲା । ଏହି ଘଟଣାରେ ବାଂଲାଦେଶର ଜଣେ ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଥିଲେ ମଧ୍ୟ ପୋଲିସ ତାକୁ ଧରିପାରିନଥିଲା ।
ଇଟିଭି ଭାରତ, ଭୁବନେଶ୍ବର

