ଭୁଶୁଡିଲା ନବନିର୍ମିତ 6 ଲେନ ବିଶିଷ୍ଟ ରାସ୍ତାର ସାଇଡ଼ ୱାଲ, ରିପୋର୍ଟ ତଲବ କଲେ କଟକ ଜିଲ୍ଲାପାଳ
କଟକ ଜିଲ୍ଲାପାଳ ଆର୍ ଆଣ୍ଡ ବି ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ନାରାୟଣ ସାହୁ


Published : July 3, 2026 at 9:19 AM IST
|Updated : July 3, 2026 at 9:45 AM IST
କଟକ: ଭୁଶୁଡ଼ିଲା ନବ ନିର୍ମିତ ଛଅ ଲେନ୍ ବିଶିଷ୍ଟ ରାସ୍ତାର ସାଇଡ୍ ୱାଲ୍ । ମଧୁସୂଦନ ସେତୁ ଠାରୁ ଚହଟା ପର୍ଯ୍ୟନ୍ତ ନିର୍ମିତ ନୂତନ ଛଅ ଲେନ୍ ବିଶିଷ୍ଟ ରାସ୍ତାର ସାଇଡ୍ ୱାଲ୍ର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଏବଂ ଯଥେଷ୍ଟ ତଦାରଖର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥାଇପାରେ ।
ତେଵେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ କରାଯିବା ସହ ଏ ଘଟଣା ପାଇଁ ଦୋଷୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ସମ୍ପ୍ରତି ନିର୍ମାଣ/ମରାମତି ହୋଇଥିବା ଚହଟା ଠାରୁ ମଧୁସୂଦନ ସେତୁକୁ ସଂଯୋଗ କରୁଥିବା ୬ ଲେନ୍ ବିଶିଷ୍ଟ ରାସ୍ତା ଲଗାଣ ବର୍ଷା ଯୋଗୁଁ ଭୁଆସୁଣୀ ଗଡ଼ା ନିକଟରେ ଧସିଯିବା ଘଟଣାକୁ ଗୁରୁତର ସହ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଆର୍ ଆଣ୍ଡ ବି ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତତ୍କାଳ ସ୍ଥଳ ପରିଦର୍ଶନ କରି ବିସ୍ତୃତ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ତାଙ୍କ ପତ୍ରରେ ରାସ୍ତା ନିର୍ମାଣ/ମରାମତି କାର୍ଯ୍ୟ କେବେ ଓ କେଉଁ ପ୍ରକାରର ହୋଇଥିଲା, କେଉଁ ସଂସ୍ଥା ବା ଠିକାଦାର ଏହାକୁ କାର୍ଯ୍ୟକାରୀ କରିଥିଲେ, କାର୍ଯ୍ୟ ସମାପ୍ତି ପରେ ଅଳ୍ପ ସମୟ ମଧ୍ୟରେ ରାସ୍ତା ଧସିବାର ବୈଷୟିକ କାରଣ, ନିମ୍ନମାନର ସାମଗ୍ରୀ, ଡ୍ରେନେଜ୍ ସମସ୍ୟା, ପ୍ରବଳ ବର୍ଷା କିମ୍ବା ଅନ୍ୟ କୌଣସି ତ୍ରୁଟି ଯୋଗୁଁ ଏଭଳି ଘଟିଛି , ଅନୁମୋଦିତ ମାନକ ଅନୁଯାୟୀ କାର୍ଯ୍ୟ ସମ୍ପାଦନ ହୋଇଥିଲା କି ନାହିଁ ଏବଂ ଏଥିପାଇଁ ଦାୟିତ୍ୱ ନିର୍ଦ୍ଧାରଣ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କହିଛନ୍ତି ।
ଏହା ସହିତ ପ୍ରଭାବିତ ସ୍ଥାନରେ ବ୍ୟାରିକେଡିଂ, ଯାତାୟାତ ସୁରକ୍ଷା, ଅସ୍ଥାୟୀ ମରାମତି ଓ ସ୍ଥାୟୀ ପୁନଃରୁଦ୍ଧାର ପାଇଁ ପ୍ରସ୍ତାବିତ ପଦକ୍ଷେପ ଏବଂ ସମୟସୀମା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି।ଜନସାଧାରଣ ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ସହ ଜଡିତ ଏହି ଘଟଣାକୁ ଦୃଷ୍ଟିରେ ରଖି ତଥ୍ୟଭିତ୍ତିକ ରିପୋର୍ଟ ସହ ଆକ୍ସନ୍ ଟେକେନ୍ ରିପୋର୍ଟ (ATR) ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।
ଏନେଇ କଟକ ଜିଲ୍ଲାପାଳ କହିଛନ୍ତି ‘‘ଖବର ଆମ ନଜରକୁ ଆସିଛି । R&B ଅଧୀନରେ ଏ ରାସ୍ତା ଯାଉଛି । ସେ ରାସ୍ତାଟି ଚାରିରୁ ପାଞ୍ଚ ମାସ ପୂର୍ବରୁ ସରିବାର ଥିଲା । ବର୍ଷା ପୂର୍ବରୁ ସରିବାର ଥିଲା ଯେହେତୁ ସରିଲା ନାହିଁ ତେଣୁ ବର୍ଷା ଯୋଗୁଁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଆମେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବୁ । ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯିବ । ଯଦି ଠିକାଦାର କିମ୍ବା କାମରେ କୌଣସି ତ୍ରୁଟି ବାହାରେ ତେବେ ତୁରନ୍ତ ଆକ୍ସନ ନିଆଯିବ’’ ।
ଏହା ମଧ୍ୟ ପଢନ୍ତୁ କଟକ ସହରରେ ମାଳ ମାଳ ମୁକୁଳା ଡ୍ରେନ; ଅଘଟଣ ଘଟିଲେ କିଏ ଦାୟୀ ?
ଏହା ମଧ୍ୟ ପଢନ୍ତୁ କଟକ ବଡ଼ ମେଡିକାଲ ଆସୁଥିଲେ ସାବଧାନ ! ବର୍ଷକ ମଧ୍ୟରେ ହଜିଲେଣି 66 ରୋଗୀ !
ଇଟିଭି ଭାରତ, କଟକ

