ETV Bharat / state

Women's Day Special: 24 ବର୍ଷର ସଂଘର୍ଷ ପରେ ବି ହାରି ନାହାନ୍ତି ମହିଳା ହକର ଶୁଭାରାଣୀ, ଟାହିଟାପରା ବଢାଇଛି ମନୋବଳ

ଖାଲି ଭୁବନେଶ୍ୱରରେ ନୁହେଁ, ସାରାରାଜ୍ୟର ଏକମାତ୍ର ମହିଳା ହକର ଶୁଭାରାଣୀ । ତାଙ୍କର ଏ ସଂଘର୍ଷ ପ୍ରମାଣ କରିଦେଇଛି, ମହିଳାଙ୍କ ପାଇଁ କୌଣସି କାମ ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଅପହଞ୍ଚ ନୁହେଁ ।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)
author img

By ETV Bharat Odisha Team

Published : March 4, 2026 at 6:44 PM IST

5 Min Read
Choose ETV Bharat

ମହିଳା ଦିବସ ସ୍ପେଶାଲ ଷ୍ଟୋରୀ-ବିକାଶ କୁମାର ଦାସ

Only lady newspaper hawker Subharani ଭୁବନେଶ୍ୱର: ରାତି ପାହିଲେ ଆରମ୍ଭ ହୁଏ ପେଟପାଟଣା ପାଇଁ ସଂଘର୍ଷ। ମାଷ୍ଟର କ୍ୟାଣ୍ଟିନରୁ ଗଡେ ସ୍କୁଟିର ଚକ , ବ୍ରେକ ନିଏ ସହିଦ ନଗରରେ । ଏହା ଭିତରେ ଅନେକ ଗଳି…ଅନେକ ଲେନ…ଅନେକ ଘର ଆଉ ଅଫିସ । ବୁଲି ବୁଲି ବାଣ୍ଟୁଥାନ୍ତି ତାଜା ଖବର । ଋତୁର ପ୍ରକୋପ ତାଙ୍କ ଯାତ୍ରାକୁ ଅଟକାଇ ପାରିନି । ପାରିବାରିକ ଚାପ କିମ୍ବା ସାମାଜିକ କଟକଣାର ଭେଦଭାବ ତାଙ୍କ ଗାଡିର ଗତିକୁ କମାଇ ପାରିନି । ଏମିତି ଜୀବନ ଜଞ୍ଜାଳ ଭିତରେ ସେ ଅନେକ ପଡିଛନ୍ତି, ଝୁଣ୍ଟିଛନ୍ତି । କିନ୍ତୁ ଉଠିଛନ୍ତି ..ପୁଣି ଧାଇଁଛନ୍ତି..ଆଉ ଶେଷରେ ସଫଳତା ବି ପାଇଛନ୍ତି । ଏ ହେଉଛି ଭୁବନେଶ୍ୱର ମହିଳା ହକର ଶୁଭାରାଣୀ ଦାସଙ୍କ ଜୀବନ ଯୁଦ୍ଧର କାହାଣୀ ।

ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)

ଖାଲି ଭୁବନେଶ୍ୱରରେ ନୁହେଁ, ସାରା ରାଜ୍ୟର ଏକମାତ୍ର ମହିଳା ହକର ହେଉଛନ୍ତି ଶୁଭାରାଣୀ । ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ଏକ ଘରୋଇ ବ୍ୟାଙ୍କ ପାର୍କିଂ ସ୍ଥଳରେ ଅନେକ ପୁରୁଷଙ୍କ ଭିତରେ ଶୁଭାରାଣୀ ଏକମାତ୍ର ମହିଳା । ସକାଳୁ ସକାଳୁ ମୁଣ୍ତପୋତି ସଜାଡି ଚାଲିଥାନ୍ତି ବିଭିନ୍ନ ଖବରକାଗଜ ବଣ୍ଡଲସବୁ । କାହା ଦୃଷ୍ଟିକୁ ନିଘା ନାହିଁ..କାହା ଭାବନାକୁ ଖାତିର ନାହିଁ । ମନରେ ଗୋଟିଏ ଚିନ୍ତା.. କେତେ ଶୀଘ୍ର ଗ୍ରାହକଙ୍କ ପାଖରେ ପହଞ୍ଚିବେ । ସକାଳର ଚା' କପ ସହ ଅପେକ୍ଷା କରିଥିବା ଖବରପ୍ରେମୀଙ୍କ ହାତରେ ଖବରକାଗଜଟିଏ ଧରାଇଦେବେ । 24 ବର୍ଷ ଧରି ଚାଲିଛି ଶୁଭାରାଣୀଙ୍କର ଏ ସଂଘର୍ଷ । ତାଙ୍କର ଏ ସଂଘର୍ଷ ପ୍ରମାଣ କରିଦେଇଛି, ମହିଳାଙ୍କ ପାଇଁ କୌଣସି କାମ ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଅପହଞ୍ଚ ନୁହେଁ । ବିଶ୍ୱ ମହିଳା ଦିବସରେ ଶୁଭାରାଣୀଙ୍କ ଜୀବନ ସଂଘର୍ଷକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ଉପସ୍ଥାପନା ।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)
ଫିଲ୍ମ ଦୁନିଆ ପରେ ଦ୍ୱୀତିୟ ଗ୍ଲାମର ଦୁନିଆ କହିଲେ ମିଡିଆକୁ ହିଁ ବୁଝାଏ । ଏ ଗ୍ଲାମର ଦୁନିଆରେ ଅନେକ ସଫଳ ମହିଳାଙ୍କୁ ଆପଣ ଦେଖିଥିବେ । କାହାକୁ ଟିଭି ସ୍କ୍ରିନରେ, ବୁମ ଧରି କାହାକୁ ରାଜରାସ୍ତାରେ, ପେନଖାତା ଧରି କାହାକୁ ପ୍ରେସମିଟରେ । ହେଲେ ମିଡିଆକୁ ମଣିଷ ପାଖରେ ପହଞ୍ଚାଉଥିବା ଏକା ଏକା ମହିଳା ହେଉଛନ୍ତି ଶୁଭାରାଣୀ । ସକାଳ ହେଲେ ସାଇକେଲ କିମ୍ବା ଗାଡି ଧରି ବାହାରିଯାଆନ୍ତି ପେପର ବାଣ୍ଟିବା ପାଇଁ। ସହିଦ ନଗରରୁ ସତ୍ୟନଗର, ଓୟୁଏଟିସ ରାଜଭବନ କଲୋନୀ, ସଚିବାଳୟ, ଲୋକସମ୍ପର୍କ କାର୍ଯ୍ୟାଳୟ ଓ ଆହୁରି ଅନେକ ଜାଗା । ଘର ଘର ବୁଲି ବାଣ୍ଟନ୍ତି ଖବର କାଗଜ।
Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)


ଜାତୀୟ ଖେଳାଳିରୁ ଖବର କାଗଜ ହକର:-
ଶୁଭାରାଣୀ ଦାଶ (୫୦) । ଶାଶୁଘର ନୟାଗଡ ଜିଲ୍ଲାର ଖଣ୍ଡପଡା ଅଂଚଳରେ। ହେଲେ ପରିବାର ସହ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ସହିଦ ନଗର ଅଂଚଳରେ ରହି ଆସୁଛନ୍ତି। ପରିବାର କହିଲେ ସ୍ୱାମୀ ପ୍ରକାଶ ଚନ୍ଦ୍ର ମିଶ୍ର (୫୪) ଓ ଦୁଇ ଝିଅ ଜ୍ୟୋତିିର୍ମୟୀ ଓ ସ୍ତୁତି ଆରାଧନା । ଶୁଭାରାଣୀଙ୍କ ଜୀବନଯାତ୍ରା ଏମିତି ସଂଘର୍ଷପୂର୍ଣ୍ଣ ନ ଥିଲା । ଦିନ ଥିଲା ଲୋକଙ୍କ କରତାଳିରେ ପେଟ ପୂରିଯାଉଥିଲା। ପଡିଆକୁ ଓହ୍ଲାଇବା କ୍ଷଣି ମନରେ ରହିଥିଲା ଅଜସ୍ର ଆଶା ଓ ଆକାଂକ୍ଷା। ହେଲେ ପରିସ୍ଥିତିର ଚାପରେ ହଠାତ ବଦଳିଗଲା ଶୁଭାରାଣୀଙ୍କ ଜୀବନର ମୋଡ଼। ଖେଳାଳୀରୁ ସେ ପାଲଟିଯାଇଥିଲେ ଖବର କାଗଜ ହକର।

ଦିନେ ଖେଳ ଦେଇଥିଲା ପରିଚୟ:-
ଶୁଭାରଣୀ ଥିଲେ ଜଣେ ଜାତୀୟ ସ୍ତରର ଫୁଟବଲ, ଖୋ ଖୋ ଖେଳାଳି। ଫୁଟବଲ, ଖୋ ଖୋ ଜାତୀୟ ଦଳରେ ଅନେକ ମ୍ୟାଚ ଖେଳିଛନ୍ତି। ଜାତୀୟ ସ୍ତରରେ ଅନେକ ପଦକ ମଧ୍ୟ ଜିତିଛନ୍ତି। ୧୯୯୨ରେ ଜାତୀୟ ସ୍ତରୀୟ ଚାମ୍ପିଅନସିପରେ ପ୍ରବେଶ କରିଥିବା ଓଡ଼ିଶା ମହିଳା ଫୁଟବଲ୍ ଦଳର ସେ ଅଧିନାୟକ ଥିଲେ। ସେ ୧୯୮୬ ରୁ ୧୯୯୮ ପର୍ଯ୍ୟନ୍ତ ଖୋ ଖୋରେ ରାଜ୍ୟ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ବିଭିନ୍ନ ସ୍ତରରେ ରାଜ୍ୟକୁ ପ୍ରତିନିଧିତ୍ୱ କରି ସେ ୨୮ ଥର ଚାମ୍ପିଅନ ହୋଇଥିଲେ। ୧୯୯୨ ମସିହାରେ ସେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ଦ୍ୱାରା ଗୌହାଟୀରେ ଆୟୋଜିତ ଫେଡେରେସନ୍ କପରେ ଓଡ଼ିଶା ମହିଳା ଫୁଟବଲ୍ ଦଳର ନେତୃତ୍ୱ ନେଇଥିଲେ। କିନ୍ତୁ ଗରିବୀ ତାଙ୍କୁ ଆଗକୁ ନେଇ ପାରିନଥିଲା। ଏବେ ତାଙ୍କର ପରିଚୟ କେବଳ ଜଣେ ଖବରକାଗଜ ବିକ୍ରେତା।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)


ସଂଘର୍ଷର ଅନ୍ୟନାମ ଶୁଭାରାଣୀ:-

2000 ମସିହାର କଥା । ବିବାହର କିଛି ଦିନ ପରେ ଖଣ୍ଡପଡାରୁ ଆସି ଭୁବନେଶ୍ୱରରେ ରହିଲେ । ସ୍ୱାମୀ ପ୍ରକାଶ ଚନ୍ଦ୍ର ଥିଲେ ଜଣେ ହକର । କିଛି ବର୍ଷ ପରେ ହଠାତି ସ୍ବାମୀ ସ୍ୱାମୀ ପ୍ରକାଶ ଚନ୍ଦ୍ର ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ତା ପରଠାରୁ ସେ ଶାରୀରିକ ଭାବରେ ଦୁର୍ବଳ ହୋଇ ପଡ଼ିଥିଲେ । କେମିତି ପରିବାର ଚଳିବ ଭାବି ପାରୁ ନ ଥିଲେ । ପୂର୍ବରୁ ସେ ଅନ୍ୟ କାମ କରୁଥିଲେ । ଠୁଙ୍ଗା ତିଆରି କରିବା, ବଡି ପାମ୍ପଡ ବିକ୍ରି କରିବା ସହିତ ପନିପରିବା ଓ ଚା ପାନ ଦୋକାନ ମଧ୍ୟ କରିଥିଲେ ଶୁଭାରଣୀ। ହେଲେ ରୋଜଗାର ଭଲ ହେଉ ନ ଥିଲା । ଶେଷରେ ସ୍ବାମୀଙ୍କ ହକର କାମକୁ ବାଛିନେଲେ । 2004ରୁ ସେ ଘର ଘର ବୁଲି ପେପର ପକାଇବା ଆରମ୍ଭ କରିଥିଲେ। ସହିଦ ନଗର ସମେତ ପ୍ରାୟ ୨୦ କିଲୋମିଟର ଦୂର ଇଲାକାରେ ଏବେ ସେ ଖବରକାଗଜ ବାଣ୍ଟୁଛନ୍ତି ।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)

ଏମାନେ ଥିଲେ ସଂଘର୍ଷ ପଛର ପ୍ରେରଣା:-

ଶୁଭାରାଣୀ କହନ୍ତି, 'ଏହି କାମ କରିବା ପରେ ତାଙ୍କୁ ଅନେକ ଲୋକଙ୍କ ସହିତ ମିଶିବାକୁ ପଡୁଛି। ସକାଳ ହେଲେ ଶିକ୍ଷିତ ବୃଦ୍ଧ ଲୋକଙ୍କ ସହିତ କଥାବାର୍ତ୍ତା ହେବାକୁ ପଡୁଛି। ଅନେକ ଲୋକଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି। ସକାଳ ସମୟ ବହୁତ ସୁନ୍ଦର ଭାବରେ କଟୁଛି। ଝିଅ ମାନେ ବହୁତ ସପୋର୍ଟ କରନ୍ତି । ସ୍ୱାମୀ ପ୍ରକାଶ ଚନ୍ଦ୍ର ମଧ୍ୟ ସାହାଯ୍ୟ କରନ୍ତି । ବର୍ତ୍ତମାନ ଶୁଭାରାଣୀଙ୍କର ରୋଜଗାର ମାସକୁ 15-20 ହଜାର ଟଙ୍କା । ଝିଆମାନେ ଏବେ ବି ମୋ ସହ ପେପର ପକାଇବା ପାଇଁ ଆସିଥାନ୍ତି। ମୁଁ ଆଉ 10 ବର୍ଷ ପର୍ଯ୍ୟନ୍ତ ଏ କାମ କରି ପାରିବି। ଏହା ପରେ ଝିଅମାନେ ମଧ୍ୟ ଏହି ପେପର ବାଣ୍ଟିବା କାମ କରିବେ । ଯେଉଁଠୁ ଆମେ ବଡ଼ ହେଇଛୁ ସେ କାମ ଆମେ କରିବୁ' ବୋଲି କହିଛନ୍ତି ଶୁଭାରାଣୀ।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)

ଲୋକ କରୁଥିଲେ ଟାହିଟାପରା:-

ସେଦିନର ଅନୁଭୂତିକୁ ମନେ ପକାଇ ଶୁଭାରାଣୀ କହନ୍ତି, 'ଯେତେବେଳେ ପେପର ଆଣିବା ପାଇ ଡିପୋକୁ ଯାଉଥିଲି ସେତେବେଳେ ଅନେକ ଲୋକ ଅନେକ କଥା କହୁଥିଲେ। ବହୁତ କମେଣ୍ଟ କରୁଥିଲେ । ମହିଳା ହୋଇ ଘରେ ନରହି ବାହାରେ ବୁଲୁଛି.. ପରିବାର କଥା ନବୁଝି ଏଭଳି ପୁରୁଷଙ୍କ କାମ କରିବାକୁ ଆସିଛ..ଏମିତି ଅନେକ କଥା ଶୁଣିବାକୁ ମିଳୁଥିଲା । ଖରାପ ଲାଗୁଥିଲା ନିଶ୍ଚୟ କିନ୍ତୁ ଏ କଥା ମୋର ସାହସ ବଢ଼ାଇ ଦେଇଥିଲା । ସେମାନେ ଯାହା କହୁଥିଲେ ତାହା କାମରେ କରି ଦେଖାଇ ଦେଲି' ବୋଲି କହନ୍ତି ଶୁଭାରାଣୀ।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)

ମହିଳାମାନେ କାହିଁକି ଏ କାମ କରି ପାରିବେନି :-

ଶୁଭାରାଣୀ କହନ୍ତି, 'ସକାଳ ସମୟରେ ଖବର କାଗଜ ପକାଇବା ଦ୍ୱାରା ମର୍ଣ୍ଣିଂ ୱାର୍କ ଭଲ ହେଇଯାଉଛି। ସେଥିରୁ କିଛି ପଇସା ରୋଜଗାର ମଧ୍ୟ କରିପାରୁଛି। କାହିଁକି ମହିଳାମାନେ ପେପର ବିତରଣ କାମ କରିବାକୁ ଆଗେଇ ଆସୁନାହାନ୍ତି ମୁଁ ଜାଣିପାରୁନି । ମୋତେ କିନ୍ତୁ ଏହି କାମ କରିବାକୁ ଭଲ ଲାଗୁଚି। ଦେଖିବାକୁ ଗଲେ, ଆମ ସମାଜରେ ଏହି କାମ ପୁରୁଷମାନେ କରିଥାନ୍ତି । କିନ୍ତୁ ନାରୀମାନେ ତ ସବୁ କାମ କରିପାରୁଛନ୍ତି। ପୁରୁଷଙ୍କ ସହ ସମାନ ବୋଲି ପ୍ରମାଣ କରି ଦେଇଛନ୍ତି । ତେବେ ପେପର ବାଣ୍ଟିବାରେ ଅସୁବିଧା କେଉଁଠି' ବୋଲି ପ୍ରଶ୍ନ କରିଛନ୍ତି ଶୁଭାରାଣୀ ।

ଜୀବନର କଷ୍ଟ ଏବଂ ସଂଘର୍ଷ ସତ୍ତ୍ୱେ ଶୁଭରାଣୀ ନିଜ ପିଲାଙ୍କ ପାଠପଢ଼ାକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । କହିବାକୁ ଗଲେ, ପିଲାଙ୍କୁ ପାଠ ପଢାଇ ମଣିଷ କରାଇବା ହିଁ ତାଙ୍କ ସଂଘର୍ଷର ଏକମାତ୍ର ଲକ୍ଷ୍ୟ । ଏଥି ସହିତ ପ୍ରାୟ ୨୦ ଜଣ ଅବହେଳିତ ପିଲାଙ୍କୁ ମଧ୍ୟ ସେ ପାଠପଢ଼ା ପାଇଁ ସହାୟତା ଯୋଗାଇ ଆସୁଛନ୍ତି । ପଶ୍ଚିମବଙ୍ଗ, ମଣିପୁର ଏବଂ ତାମିଲନାଡୁର ଫୁଟବଲ୍ ଟିମକୁ ଡିଫେଣ୍ଡର ଏବଂ ଫରୱାର୍ଡ ଖେଳାଳି ଭାବରେ ପରାସ୍ତ କରିଥିବା ଶୁଭା ତାଙ୍କ ଜୀବନ ଯୁଦ୍ଧରେ ଆଜି ସଫଳ ହୋଇଛନ୍ତି।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)

ଏକୁଟିଆ 400 ପେପର ପକାନ୍ତି ଶୁଭାରାଣୀ:-

ଶୁଭାରଣୀଙ୍କ ସ୍ୱାମୀ ପ୍ରକାଶ ଚନ୍ଦ୍ର କହିନ୍ତି ଯେ, 'ମୁଁ ବି ଦିନେ ପେପର ବିତରଣ କରୁଥିଲି । ହେଲେ 2000 ମସିହାରେ ମୋର ଏକ ଦୁର୍ଘଟଣା ଘଟିଲା। କିଛି ଦିନ ଘରେ ରହିବାକୁ ପଡିଲା। ସେହି ସମୟରେ ପେପର ବ୍ୟବସାୟ ବନ୍ଦ ହୋଇଯିବା ଭୟରେ ମୋ ସ୍ତ୍ରୀ ପେପର ପକାଉଥିଲେ। କିଛି ବର୍ଷ ପରେ ବଡ଼ ଝିଅ ମିଶିଲା । ସେ ସାଇକେଲରେ ପାଖାପାଖି ଲୋକଙ୍କ ଘରେ ପେପର ପକାଇ ଦେଉଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଶୁଭାରଣୀ ବୁଲି ବୁଲି ପେପର ପକାଉଛନ୍ତି । ଅନେକ ଲୋକ ଅନେକ କଥା କୁହନ୍ତି। ସେ ସବୁ ଆମ କାମରେ ପ୍ରଭାବ ପକାଏନି । ସେ ଏକା ଏକା 400 ପେପର ପକାଇଥାନ୍ତି। ବିଶେଷକରି 2 ରୁ 3 ଘଣ୍ଟା ମଧ୍ୟରେ ପେପର ବିତରଣ କରିଥାନ୍ତି' ବୋଲି କହିଛନ୍ତି ପ୍ରକାଶ ଚନ୍ଦ୍ର ମିଶ୍ର।

ଯେଉଁ କାମରୁ ମଣିଷ ହୋଇଛୁ ତାକୁ ଭୁଲିବୁ ନାହିଁ:-

ଶୁଭାରାଣୀଙ୍କ ବଡ ଝିଅ ଜ୍ୟୋତିିର୍ମୟୀ କହନ୍ତି ଯେ, 'ମା' ମହିଳା ହେଲେ ମଧ୍ୟ ପୁରୁଷଙ୍କ କାମ କରିପାରୁଛନ୍ତି । ମା'ଙ୍କର ଏହି କାମ ମୋତେ ପ୍ରେରଣା ଦେଇଛି, ଆଗକୁ ମୁଁ ମଧ୍ୟ ସବୁ କିଛି କାମ କରିପାରିବି। ସବୁଦିନ ସକାଳେ ମା'ଙ୍କୁ ସାହାଯ୍ୟ କରୁ। ମୋ ସାନ ଭଉଣୀ ବି ସାହାଯ୍ୟ କରେ । ଉଭୟେ ଆମେ ଏବେ ପାଠ ପଢୁଛୁ । ମୁଁ କଲେଜରେ ପିଲାଙ୍କୁ ପାଠ ବି ପଢ଼ାଉଛି । କିନ୍ତୁ ଯିଏ ଯେତେ ବଡ ମଣିଷ ହେଲେବି, ଯେଉଁ କାମରୁ ଆମେ ସମସ୍ତେ ବଡ଼ ହେଇଛୁ ତାହାକୁ କେବେ ଭୁଲିବୁ ନାହିଁ' ବୋଲି କହିଛନ୍ତି।

Shubha Rani has been distributing newspapers in the capital for 24 years.
ରାଜଧାନୀରେ 24 ବର୍ଷ ଧରି ଖବରକାଗଜ ବାଣ୍ଟି ଆସୁଛନ୍ତି ଶୁଭାରାଣୀ (Etv Bharat)

ଇଟିିଭି ଭାରତ, ଭୁବନେଶ୍ୱର

ଏହାମଧ୍ୟ ପଢନ୍ତୁ Women's Day Special: ସଫଳ ସମ୍ବଲପୁରୀ ବୁଣାକାର ସୁଲୋଚନା, 30 ବର୍ଷର ଯାତ୍ରା, 1000 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

ଏହାମଧ୍ୟ ପଢନ୍ତୁ Women's Day Special: ନାରୀ ଶକ୍ତିର ଉଦାହରଣ ମୀରା କର, ସମାଜ ଗ୍ରହଣ କରୁ ନଥିଲା କାମରେ କରିକି ଦେଖାଇଥିଲେ