ETV Bharat / state

ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି: SOP ପ୍ରସ୍ତୁତ, ଅଳଙ୍କାର ଫଟୋଗ୍ରାଫ ସହିତ ହେବ ଡିଜିଟାଲ୍ କାଟାଲଗ

ରତ୍ନଭଣ୍ଡାର ଗଣତି ମଣତି ନେଇ ଶୁବଶୀଘ୍ର ଆସିପାରେ ତାରିଖ । ଏସଓପି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବିସ୍ତୃତ ଆଲୋଚନା ।

Ratna bhandar issue
ରତ୍ନଭଣ୍ଡାର ଗଣତି ମଣତି ନେଇ ଉଚ୍ଚସ୍ତରୀୟ ବୈଠକ (ETV Bharat Odisha)
author img

By ETV Bharat Odisha Team

Published : February 16, 2026 at 8:57 PM IST

|

Updated : February 16, 2026 at 9:49 PM IST

2 Min Read
Choose ETV Bharat

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବଶୀଘ୍ର ଗଣତି-ମଣତି ଆରମ୍ଭ ହେବ । ୧୯୭୮ ମସିହାରେ ଗଣତି ମଣତି ତାଲିକା ସହିତ କରାଯିବ ମେଳକ । ସମ୍ପୂର୍ଣ୍ଣ ଅଳଙ୍କାରର ଫଟୋଗ୍ରାଫ ସହିତ ହେବ ଡିଜିଟାଲ୍ କାଟାଲଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି । ଗଣତି ମଣତିର SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି ।

ଖୁବଶୀଘ୍ର ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ । ଗଣତି ମଣତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିସ୍ତୃତ ଆଲୋଚନା କରିଛନ୍ତି । ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଛନ୍ତି । ଗଣତି ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ଯ ଇତି ମଧ୍ଯରେ ସରିଛି । ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ବର୍ତ୍ତମାନ ଗଣତି ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Ratna bhandar issue
ରତ୍ନଭଣ୍ଡାର ଗଣତି ମଣତି ନେଇ ଉଚ୍ଚସ୍ତରୀୟ ବୈଠକ (ETV Bharat)



ଗଣତି ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହା ଆରମ୍ଭ କରାଯିବ । କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ । ଶେଷ ଗଣତି ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା । ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ କାଟାଲଗ ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାଯାଇଛି ।



ତେବେ ରତ୍ନଭଣ୍ଡାର ଗଣତି ମଣତି ନେଇ ଆସିପାରେ ତାରିଖ । ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଅନୁମତି ଦେବା ପରେ ସରକାରଙ୍କ ନିକଟକୁ ପଠା ସରିଛି ଅନୁମୋଦନ ପାଇଁ । ବର୍ତ୍ତମାନ ତା ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା କରାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Ratna bhandar issue
ରତ୍ନଭଣ୍ଡାର ଗଣତି ମଣତି ନେଇ ଉଚ୍ଚସ୍ତରୀୟ ବୈଠକ (ETV Bharat)



ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଚାବି ହଜିବା ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାୟ ଦେଇ ଉଚ୍ଚ ନ୍ୟାୟାଳୟ କହି ଥିଲେ ଦିନ ନଗଡ଼ାଇ ସରକାର ତତ୍ପରତା ଦେଖାନ୍ତୁ। ଆସନ୍ତା ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ l



୨୦୧୮ ମସିହାରେ ଚାବି ହଜିଥିବା ବେଳେ ତଦନ୍ତ ନେଇ ଏକ କମିଶନ ମଧ୍ୟ ଗଠନ କରାଯାଇଥିଲା । ପରବର୍ତ୍ତୀ ସମୟରେ ରତ୍ନଭଣ୍ଡାରରେ ପାଣି ଜମିବା ପ୍ରସଙ୍ଗ ଉଠିଥିଲା । ତେବେ ଏହି ପ୍ରସଙ୍ଗରେ ହାଇକୋର୍ଟ ଅନେକ ବାର ନିର୍ଦ୍ଦେଶ ଦେଇଥିଲେ । ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଥିଲା l

_Ratna bhandar issue
ରତ୍ନଭଣ୍ଡାର ଗଣତି ମଣତି ନେଇ ଉଚ୍ଚସ୍ତରୀୟ ବୈଠକ (ETV Bharat)

ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, ‘3 ମାସ ମଧ୍ୟରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ କର’


ଇଟିଭି ଭାରତ, ଭୁବନେଶ୍ୱର

Last Updated : February 16, 2026 at 9:49 PM IST