ସାଧୁଙ୍କ ସମାଧି ଉପରେ ଶିବ ମନ୍ଦିର, ବ୍ରାହ୍ମଣ ନୁୁହେଁ ପୂଜା କରନ୍ତି ମହିଳା
ଇଂରେଜ ଶାସନ ସମୟର କଥା । ଉତ୍ତରପ୍ରଦେଶରୁ ଆସି ଏଠାରେ ଆଶ୍ରମ କରିଥିବା ରାମେଶ୍ୱର ବାବାଙ୍କ ମୃତ୍ୟୁ ପରେ ତାଙ୍କ ସମାଧି ଉପରେ ନିର୍ମାଣ ହୋଇଥିଲା ଏହି ଶିବ ମନ୍ଦିର ।

Published : January 9, 2026 at 5:40 PM IST
ସ୍ପେଶାଲ ଷ୍ଟୋରୀ: ଜୀବନ ଜ୍ୟୋତି ନାୟକ
Balasore Simulia Shiva Temple ବାଲେଶ୍ବର: ଭାରତରେ ଏମିତି କିଛି ସ୍ଥାନ ଏବେବି ଦୃଷ୍ଟି ଆଢୁଆଳରେ ରହିଛି ଯେଉଁଠି ଇତିହାସ ବେଶ ରୋମାଞ୍ଚପୂର୍ଣ୍ଣ । ଓଡ଼ିଶାରେ ମଧ୍ୟ ଅନେକ ଐତିହାସିକ ସ୍ଥାନ ରହିଛି ଯେଉଁ ସ୍ଥାନ ବିଷୟରେ ବହୁତ କମ ଲୋକ ଅବଗତ ଅଛନ୍ତି । ଓଡ଼ିଶାର ସଂସ୍କୃତି ଯେତେ ପୁରୁଣା କିଛି ସ୍ଥାନର ଇତିହାସ ମଧ୍ୟ ସେତିକି ପୁରୁଣା । ଏମିତି ଏକ ସ୍ଥାନ ହେଉଛି ବାଲେଶ୍ୱର ଜିଲ୍ଲାରେ ଥିବା ବାବା ରାମେଶ୍ୱରଙ୍କ ମନ୍ଦିର । ବ୍ରିଟିଶ ଅମଳର ଏହି ମନ୍ଦିରର ଇତିହାସ ବେଶ ରୋମାଞ୍ଚକର । ସମାଧି ଉପରେ ନିର୍ମାଣ ହୋଇଛି ଶିବ ମନ୍ଦିର । ବ୍ରାହ୍ମଣ ନୁହେଁ ନିଦ୍ଦିଷ୍ଟ ପରିବାର ମହିଳା ସଦସ୍ୟ କରନ୍ତି ମନ୍ଦିର ପୂଜା । ମନ୍ଦିର ପରିସରରେ ଥିବା ଗଛ କାଟିବା ମଧ୍ୟ ମନା ! ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।...
ସାଧୁଙ୍କ ସମାଧି ଉପରେ ମନ୍ଦିର, ରହିଛି ରୋଚକ ଇତିହାସ:
ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତ ଗୌଡ଼ପଡ଼ା ଗାଁରେ ରହିଛି ବାବା ରାମେଶ୍ୱରଙ୍କ ମନ୍ଦିର । ଏ ମନ୍ଦିରର ଇତିହାସ ବହୁ ପୁରୁଣା । ମନ୍ଦିରଟି ଜଣେ ସାଧୁଙ୍କ ସମାଧି ଉପରେ ତିଆରି ହୋଇଛି । ମନ୍ଦିର ଦ୍ୱାର ଖୋଲାଯିବା ପରେ ଘରର ବୋହୂ କରିଥାନ୍ତି ପୂଜା । ଏମିତି କି ନିର୍ଦ୍ଦିଷ୍ଟ ପରିବାର ବିନା ଅନ୍ୟ କେହି ଯଦି ପୂଜା କରିବାକୁ ମନ ବଳାଉଛନ୍ତି ତେବେ ସ୍ୱପ୍ନାଦେଶରେ ବାବା ମନା କରୁଥିବା ନେଇ କୁହନ୍ତି ପୂଜା କରୁଥିବା ମହିଳା ।

ମନ୍ଦିର ଚାରିପଟୁ ଗଛ କାଟିବା ମନା:
ମନ୍ଦିର ଚାରିକଡ଼େ ବରଗଛ ଚେର ମାଡିଯିବା ସହ ଅନାବନା ଗଛ ଉଠି ବଣ ହୋଇଯାଇଛି । ହେଲେ ଏହା କଟା ଯାଉନାହିଁ । ମନ୍ଦିର ଚାରିପଟେ ଥିବା ଗଛ ନ କାଟିବାକୁ ସ୍ବପ୍ନାଦେଶ ହୋଇଥିବା କୁହନ୍ତି ମନ୍ଦିର ଦାୟିତ୍ବରେ ଥିବା ପରିବାର ।

କେବଳ ଜାଗରରେ ପୂଜା କରନ୍ତି ବ୍ରାହ୍ମଣ:
ବର୍ଷ ସାରା ମନ୍ଦିରକୁ ପରିବାରର ବୋହୂ ପୂଜା କରୁଥିବା ବେଳେ ବର୍ଷକରେ କେବଳ ମହାଶିବରାତ୍ରୀ ବା ଜାଗର ଦିନ ବ୍ରାହ୍ମଣ ପୂଜା କରନ୍ତି । ମନ୍ଦିରରେ ପୂଜା କୌଣସି ମନ୍ତ୍ର ନୁହେଁ କେବଳ ଜଳ ଓ ଫୁଲ ଅର୍ପଣ କରାଯାଏ ।

ମନ୍ଦିର ପଛର ଇତିହାସ:
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉତ୍ତରପ୍ରଦେଶରୁ ଆସିଥିବା ରାମେଶ୍ୱର ଓରଫ ପଞ୍ଚୁ ନାମକ ଜଣେ ବାବା ଦୀର୍ଘ ଦିନ ହେଲା ରହିବା ସହ କିଛି ଶିଷ୍ୟଙ୍କୁ ମଧ୍ୟ ରଖିଥିଲେ । ପ୍ରାୟ 100 ବର୍ଷ ତଳେ ରହିବା ପାଇଁ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହ ଏକ ପୋଖରୀ ଖୋଳିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବାବା ତାଙ୍କ ଆଶ୍ରୟସ୍ଥଳୀରେ ଏକ ବୈଠକ କରି ଲୋକମାନଙ୍କ ସୁଖ ଦୁଃଖ ବୁଝିବା ସହିତ ଶିଷ୍ୟମାନଙ୍କ ସହ ଭଜନ କୀର୍ତ୍ତନ କରୁଥିଲେ । ଏଥିସହ ଚୁଡ଼ା କଦଳୀ ଭୋଗ କରି ସ୍ଥାନୀୟ ଲୋକଙ୍କୁ ବାଣ୍ଟୁଥିଲେ । ତେବେ ବାବାଙ୍କ ଦେହାନ୍ତ ପରେ ବାବାଙ୍କୁ ସେହି ଆଶ୍ରୟସ୍ଥଳରେ ସମାଧି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଶିଷ୍ୟମାନେ ବାବାଙ୍କ ସମାଧି ଉପରେ ଶିବ ଲିଙ୍ଗ ସ୍ଥାପନ କରିଥିଲେ । ଏହି ଶିବ ଲିଙ୍ଗ ଧଳା ରଙ୍ଗର ରହିଛି ।

ରହିଛି ରହସ୍ୟମୟ ଗୁମ୍ଫା...
ବାବାଙ୍କ ଆଶ୍ରୟସ୍ଥଳୀରେ ଏକ ଗୁମ୍ଫା ରହିଛି ଏବଂ ଗୁମ୍ଫାରେ ଏକ ସୁଢଙ୍ଗ ରହିଛି ଯାହାର ରାସ୍ତା ପୋଖରୀ ପର୍ଯ୍ୟନ୍ତ ଲମ୍ବିଛି ।" ସୁଢଙ୍ଗ ଭିତରକୁ କିମ୍ବା ପୋଖରୀକୁ ଯିବା ପାଇଁ କାହାରିକୁ ଅନୁମତି ନଥିଲା । କେବଳ ବାବା ପ୍ରତ୍ୟେକ ଦିନ ଭୋର 3ଟାରୁ ଉଠି ସେହି ସୁଢଙ୍ଗ ବାଟେ ପୋଖରୀକୁ ଗାଧୋଇବା ପାଇଁ ଯାଆନ୍ତି, ତାଙ୍କୁ କେହି ଦେଖିପାରନ୍ତି ନାହିଁ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପୋଖରୀର ଜଳ କେବେ ଶୁଖି ନାହିଁ " ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା ।

ମନ୍ଦିର ଦାୟିତ୍ବରେ ଗଣପତି ପରିବାର...
ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବିଶ୍ୱାଳ କୁହନ୍ତି, ‘ବ୍ରିଟିଶ ଅମଳର ଏହି ମନ୍ଦିରକୁ ରାମେଶ୍ବର ବାବାଙ୍କ ଶିଷ୍ୟ ଗୋଡିପଡା ଗାଁ ନାଁରେ କରିିଥିଲେ । ଯେଉଁ ଜାଗାରେ ମନ୍ଦିର ଓ ପୋଖରୀ ରହିଛି, ତାର ମାର୍ଫତଦାର ଗଣପତି ନାୟକ । ଯାହାଙ୍କ ପରିବାର ଏବେ ଏଇଠି ପୂଜା କରୁଛନ୍ତି । ସେବେଠାରୁ ଆଜିଯାଏଁ ଏଠି ବ୍ରାହ୍ମଣ ପୂଜା କରି ନାହାନ୍ତି । ଛୋଟ ବେଳେ ଏହି ମନ୍ଦିରକୁ ଯାଇଛୁ । ଏଠାରେ ଗୋଟିଏ ଘର ଆଉ ଗୋଟିଏ ବଙ୍ଗଳା ରହିଛି । ସେହି ଘରେ ରହିଥିବା କଳାକୃତି(Art) ଆଜି ଯାଏଁ ବି ଅକ୍ଷତ ଅବସ୍ଥାରେ ରହିଛି ।’

ଶାଶୁଙ୍କ ପରେ ବୋହୂ କରୁଛନ୍ତି ପୂଜା...
ଏବେ ମନ୍ଦିରରେ ପୂଜା କରୁଛନ୍ତି ପୁଷ୍ପଲତା ନାୟକ । ସେ କୁହନ୍ତି, ‘ମୋ ଶାଶୁ ପୂଜା କରୁଥିଲେ, ତାଙ୍କ ଅନ୍ତେ ମୁଁ ପୂଜା କରୁଛି । ବାବା ସ୍ବପ୍ନାଦେଶରେ କହିଥିଲେ ଯେ, ତମ ବଂଶର ଲୋକ ପୂଜା କରିବେ, ଗାଁ ଲୋକ କିମ୍ବା ବ୍ରାହ୍ମଣ ପୂଜା କରିବେନି । ଏପରିକି ଗଛ କାଟିବାକୁ ମନା କରିଥିଲେ । ଏହି କଥା ସ୍ବାମୀ ଓ ଦିଅର ନଜାଣି ଥରେ ଗଛ କାଟିବାକୁ ଚେଷ୍ଠା କରି କଷ୍ଟ ପାଇଥିଲେ ।’
‘ମନ୍ଦିରର ସୁରକ୍ଷା ଦିଆଯାଉ’..
ସ୍ଥାନୀୟ ବାସିନ୍ଦା କୈଳାସ ଚନ୍ଦ୍ର ବେହେରାଙ୍କ କହିବା କଥା, ‘ ପୁରାତନ ଐତିହ୍ୟ ବୁଡିବାକୁ ବସିଥିବା ବେଳେ ଏହାର ଖୋଳତାଡ କରି ରହସ୍ୟ ଉନ୍ମୋଚନ କରିବାକୁ ସରକାରଙ୍କୁ ଦାବି କରିଛୁ ।’

ଗଣପତିଙ୍କ ବଂଶଜ ଚାହିଁଲେ ମନ୍ଦିରର ଉନ୍ନତି ହେବ...
ଅନ୍ୟପଟେ ଜାମୁଝାଡ଼ି ପଞ୍ଚାୟତ ସମିତିସଭ୍ୟ ସୁଶାନ୍ତ କୁମାର ନାୟକ ଏହି ସ୍ଥାନର ବିକାଶ ସମ୍ପର୍କରେ କୁହନ୍ତି, ‘ ଏହା ବହୁ ପୁରାତନ ମଠ ଓ ମନ୍ଦିର । ଏହାର ଉନ୍ନତି ଦିଗରେ ଚେଷ୍ଠା କରିଥିଲେ ମଧ୍ୟ ଏହି ସ୍ଥାନଟି ବ୍ୟକ୍ତିଗତ ଜାଗା ହୋଇଥିବାରୁ ଏଠାରେ ସରକାରୀ ଯୋଜନା କିଛି କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । ତଥାପି ଯଦି ଗଣପତି ନାୟକଙ୍କ ବଂଶଜ ଉନ୍ନତି ପାଇଁ ଚାହିଁବେ, ବିକାଶ କରାଯାଇପାରିବ ।"
ଶହେ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଏହି ବାବା ରାମେଶ୍ବର ମନ୍ଦିର । ମନ୍ଦିରର ଇତିହାସ ଏବେବି ରହସ୍ୟ ଘେରରେ ଥିବାବେଳେ , ଏହାର ପୁନରୁଦ୍ଧାର ଓ ବିକାଶ କରାଗଲେ, ପର୍ଯ୍ୟଟକଙ୍କ ଆଗମନ ହୋଇପାରନ୍ତା ।
ଇଟିଭି ଭାରତ, ବାଲେଶ୍ବର

