ETV Bharat / state

ରାୟଗଡ଼ାରେ ଲଜ୍ଜା: ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ

ଗୁରାଡ଼ୀ ପୋଲିସ ମାମଲା ରୁଜୁ କରି 3 ଜଣ ଅଭିଯୁକ୍ତଙ୍କୁ ଗିରଫ ସହ ତଦନ୍ତ ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ଗୁଡ଼ାରୀ ଥାନା ଆଇଆଇସି ସମର୍ପିତା ସ୍ୱାଇଁ ।

RAYAGADA GANGRAPE
ରାୟଗଡ଼ାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ (ETV BHARAT ODISHA)
author img

By ETV Bharat Odisha Team

Published : January 7, 2026 at 1:32 PM IST

|

Updated : January 7, 2026 at 2:56 PM IST

1 Min Read
Choose ETV Bharat

RAYAGADA GANGRAPE ରାୟଗଡ଼ା: ଅମାନୁଷିକ, ଅମାନବୀୟ ଏବଂ ଅଭାବନୀୟ, ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଜଣେ ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ରାୟଗଡ଼ା ଜିଲ୍ଲାରେ ଘଟିଥିବା ଏପରି ଅମାନବୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ଼ା ଗୁଡ଼ାରୀ ଥାନା ନାଇରା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ସୋମବାର(ଜାନୁଆରୀ 5) ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କ ସହ ୩ ଜଣ ଗଣଦୁଷ୍କର୍ମ ଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଛି ।

ପରିବାର ପକ୍ଷରୁ ଗୁଡ଼ାରୀ ଥାନାରେ ଏତଲା ଦିଆଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଡ଼ାରୀ ଆଇଆଇସି ସମର୍ପିତା ସ୍ୱାଇଁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଗୁଡ଼ାରୀ ପୋଲିସ କେସ୍ ନମ୍ବର 02/2026 ତାରିଖ 06.01.2026 U/S 64(2)(k)/64(2)(m)/70(2)BNSର ଧାରା ଆଧାରରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେମାନେ ହେଲେ କିଣ୍ଟାଲିଗୁଡ଼ା ଗ୍ରାମର ମଣ୍ଟୁ ସବର, ସୁକାନ୍ତ ସବର ଏବଂ ଅଜିତ ସବର ।

3 ଜଣ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି । ଯୁବତୀଙ୍କ ସହ ଘଟିଥିବା ଜଘନ୍ୟ କାଣ୍ଡରେ ଜଡ଼ିତ ସମସ୍ତଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ପରିବାର ଏବଂ ସ୍ଥାନୀୟ ବାସିନ୍ଦା । ସେହିପରି ଏଭଳି ଲଜ୍ଜାଜନକ ଘଟଣାର ଯେପରି ପୁନରାବୃତ୍ତି ନଘଟିବ ସେଥିପ୍ରତି ପୋଲିସ ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଗତ ସୋମବାର ଦିନ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ପରିବାରର ଅଭିଯୋଗ ଅନୁସାରେ, ପୀଡ଼ିତା ଯୁବତୀ ଜଣକ କପା ତୋଳିବାକୁ ବିଲକୁ ଯାଇଥିଲେ । ସେହି ସମୟରେ ୩ ଜଣ ଯୁବକ, ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ, ଏକଥା ଘରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ । ତେବେ ପୀଡ଼ିତା ଯୁବତୀ ଜଣକ ଘରକୁ ଫେରିବା ପରେ ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ, ଥାନାରେ ଏତଲା ଦିଆଯାଇଥିଲା। ପରିବାର ଅଭିଯୋଗ ଆଧାରରେ ଗୁରାଡ଼ୀ ପୋଲିସ ମାମଲା ରୁଜୁ ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ପ୍ରକ୍ରିୟା ଆ ଗକୁ ବଢ଼ାଇଛି।

Last Updated : January 7, 2026 at 2:56 PM IST