ETV Bharat / state

Jharsuguda Accident: ବୋଲେରୋକୁ ଧକ୍କା ଦେଲା ଟ୍ରକ, ୫ ପୋଲିସ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଝାରସୁଗୁଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ ଏବଂ ପିସିଆର୍ ଭ୍ୟାନ ମୁହାଁମୁହିଁ ଧକ୍କା । ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

Truck and PCR Van Collision
ଝାରସୁଗୁଡ଼ାରେ ଟ୍ରକ୍ ଏବଂ ପୋଲିସ ଗାଡ଼ି ମୁହାଁମୁହିଁ ଧକ୍କା (ETV Bharat Odisha)
author img

By ETV Bharat Odisha Team

Published : February 22, 2026 at 9:23 AM IST

|

Updated : February 22, 2026 at 1:10 PM IST

2 Min Read
Choose ETV Bharat

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲେ ଟ୍ରକ୍ ଏବଂ ପୋଲିସ ଗାଡ଼ି, ପାଞ୍ଚ ପୋଲିସ କର୍ମଚାରୀ ମୃତ । ଆଜି (ରବିବାର) ଭୋର ସମୟରେ ଝାରସୁଗୁଡା ସଦର ଥାନା ସମ୍ମୁଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରଲର ଆସି ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଝାରସୁଗୁଡ଼ାରେ ଟ୍ରକ୍ ଏବଂ ପୋଲିସ ଗାଡ଼ି ମୁହାଁମୁହିଁ ଧକ୍କା (ETV Bharat Odisha)

ବୋଲେରୋକୁ ଧକ୍କା ଦେଲା ଟ୍ରକ:

ଆଜି (ରବିବାର) ସକାଳୁ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ପୋଲିସ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୋଲିସ ଗାଡିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଖବର ସାରା ଅଞ୍ଚଳରେ ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ପହଞ୍ଚି ଗାଡି ଭିତରୁ ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ତେବେ ମୃତ ପୋଲିସ କର୍ମଚାରୀମାନେ ହେଲେ,

  1. ହୋମଗାର୍ଡ ଭକ୍ତ ମିର୍ଦ୍ଧା
  2. କନଷ୍ଟେବଳ କାଶୀରାମ ଭୋଇ
  3. ଦେବଦତ୍ତ ସା
  4. ହାବିଲଦାର ଲିଙ୍ଗରାଜ ଧୂରୁଆ
  5. ନିରଞ୍ଜନ କୁଜୁର

ସେପଟେ ଉକ୍ତ ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଲେଖିଛନ୍ତି,"ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟମାନଙ୍କର ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ଓମ୍ ଶାନ୍ତି ।"

ମାମଲା ରୁଜୁ, ତଦନ୍ତ ଜାରି:

ଝାରସୁଗୁଡା ଅତିରିକ୍ତ ଏସପି ମଧୁସିକ୍ତା ମିଶ୍ର କହିଛନ୍ତି, ‘ଆଜି ଭୋର ସମୟରେ ଟ୍ରକ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟିଛି । ବୋଲେରୋରେ ଥିବା ୫ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବୁର୍ଲା ପରେ ବରଗଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲୁଛି । ଡ୍ରାଇଭର ଆହତ ହୋଇଛନ୍ତି । ସେ ଚିକିତ୍ସାଧିନ ଅଛନ୍ତି ।’

ସେହିପରି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, "ଆଜି ଏକ ଦୁର୍ଭାଗ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ଏକା ସାଙ୍ଗରେ ପଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁ ହୋଇଛି । ଏଥିପାଇଁ ଆମେ ସମସ୍ତେ ମର୍ମାହତ ଅଛୁ । ଜାତୀୟ ରାଜପଥ 49ର ପ୍ରଶସ୍ତିକରଣ ପାଇଁ କେନ୍ଦ୍ର ସରକାର ଅର୍ଥ ଅନୁମୋଦନ କରିସାରିଛନ୍ତି । ଖୁବଶୀଘ୍ର ତାହାର କାର୍ଯ୍ୟ ଆରମ୍ଭ ହେବ । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । "

ଏହା ମଧ୍ୟ ପଢନ୍ତୁ... ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା; 'ମେରି ସହେଲି ଆପ୍' ଦ୍ବାରା ମିଳିଲା ସମସ୍ତ ସହାୟତା

ଏହା ମଧ୍ୟ ପଢନ୍ତୁ... ପୁଣି ବାଣ ବିସ୍ଫୋରଣରେ ଥରିଲା ବୌଦ୍ଧ; 5 ମାସ ତଳ ଘଟଣାର ପୁନରାବୃତ୍ତି, ଭୟରେ ଅଞ୍ଚଳବାସୀ

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : February 22, 2026 at 1:10 PM IST