ଯାଜପୁରରେ ଦହିବରା ଖାଇ 97 ଜଣ ଅସୁସ୍ଥ, ଜାରି ରହିଛି ଚିକିତ୍ସା
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ 97 ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ପରିସ୍ଥିତି ନିୟନ୍ତ୍ରଣଧୀନ ଥିବା କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ରିପୋର୍ଟ- ଜ୍ଞାନରଞ୍ଜନ ଓଝା

Published : May 3, 2026 at 8:03 PM IST
ଯାଜପୁର: ଦହିବରା ଖାଇ 90ରୁ ଅଧିକ ଅସୁସ୍ଥ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ପ୍ରାୟ 97 ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣଧୀନ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର କହିଛନ୍ତି ।
ଦଶରଥପୁର ବ୍ଲକ ପାଟପୁର, କଟିକଟା ଗାଁକୁ ଗତ ଦୁଇ ଦିନ ତଳେ ଜଣେ ବ୍ୟକ୍ତି ଦହିବରା ବିକ୍ରି କରିବା ପାଇଁ ଆସିଥିଲେ । ସେହି ଗାଁର କିଛି ଲୋକ ଏହାକୁ ଖାଇ ଅସୁସ୍ଥ ହେଇ ପଡ଼ିଥିଲେ । ଏହାପରେ ସେମାନଙ୍କ ପରିବାର ଲୋକେ ପ୍ରଥମେ ଦଶରଥପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ପ୍ରଥମ ଦିନ ଅର୍ଥାତ ଗତ ଶୁକ୍ରବାର ଦିନ 30 ଜଣ, ଗତକାଲି (ଶନିବାର) 60 ଜଣ, ଆଜି (ରବିବାର) 7 ଜଣ ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଦହିବରା ଖାଇ ଅସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ଏହି ତିନି ଦିନରେ ପାଖାପାଖି 97ରେ ପହଞ୍ଚିଥିବା ସୂଚନା ମିଳିଛି l ଖବର ପାଇ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଯାଜପୁର ବିଧାୟିକା ସୁଜାତା ସାହୁ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କିଭଳି ଉତ୍ତମ ଚିକିତ୍ସା ମିଳିବ, ସେନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି l ସେପଟେ ସ୍ଥାନୀୟ ପୋଲିସ ଦହିବରା ବିକାଳିକୁ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି ।
ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର କହିଛନ୍ତି,"ଘଟଣା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଦହିବରା ଖାଇ ଆକ୍ରାନ୍ତଙ୍କ ସଂଖ୍ୟା 97ରେ ପହଞ୍ଚିଛି । ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆମ ଡାକ୍ତରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ପାଣିର ନମୁନା ସଂଗ୍ରହ ହୋଇଛି l ପରୀକ୍ଷା ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ । ଏହି ଘଟଣାରେ ସମସ୍ତେ ସୁସ୍ଥ ଥିବା ବେଳେ କୌଣସି ରୋଗୀ ମୃତ୍ୟୁବରଣ କରିନାହାନ୍ତି ।"
ବିଧାୟିକା ସୁଜାତା ସାହୁ କହିଛନ୍ତି," ଉକ୍ତ ଦହିବରା ବ୍ୟବସାୟୀଙ୍କ ଘର ଦଶରଥପୁର ତୁଆଟିଆ ସାହିରେ l ତାଙ୍କଠାରୁ ପାଟପୁର, ଜୈତରା ଅଞ୍ଚଳର ପ୍ରାୟ ଲୋକ ଦହିବରା ଖାଇଛନ୍ତି । ହଠାତ୍ ସେମାନେ ଅସୁସ୍ଥ ହେଇ ପଡିବାରୁ ସେମାନଙ୍କୁ ଦଶରଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମୁଁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିଲି ସମସ୍ତେ ଭଲ ଅଛନ୍ତି । ବହୁତ ଛୋଟ ଛୋଟ ଛୁଆ ଅଛନ୍ତି ଚିକିତ୍ସା ଚାଲିଛି l କିନ୍ତୁ ପେଟ କାଟିବା ଆଉ ଜ୍ବର ଛାଡ଼ୁନାହିଁ l ମୁଁ ଡାକ୍ତରଙ୍କ ସହିତ କଥା ହେଇଛି, ସେ କହିଛନ୍ତି ଜ୍ବର ଟିକେ ରହିବ ଭୟ କରିବାର କିଛି ନାହିଁ l ଡାକ୍ତରମାନେ ବି ଠିକରେ ଚିକିତ୍ସା କରୁଛନ୍ତି । "
ଏହା ମଧ୍ୟ ପଢନ୍ତୁ... ବାଣୀ ବିହାର କ୍ୟାମ୍ପସରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ ଏହା ମଧ୍ୟ ପଢନ୍ତୁ... ଶିଶୁ ମୃତ୍ୟୁକୁ ନେଇ ଯାଜପୁରରେ ଉତ୍ତେଜନା, ମେଡିକାଲରେ ଭଙ୍ଗାରୁଜା କଲେ ପରିବାର ସଦସ୍ୟ |
ଇଟିଭି ଭାରତ, ଯାଜପୁର

