ରାଇରଙ୍ଗପୁରରେ ବାଇକ-ବସ୍ ମଧ୍ୟରେ ଧକ୍କା: 3 ଯୁବକ ମୃତ
ମୟୂରଭଞ୍ଜ ରାଇରଙ୍ଗପୁର ଟାଉନ୍ ଥାନା ଅଧୀନସ୍ଥ ରାଣୀବନ୍ଧ ନିକଟରେ ଜାତୀୟ ରାଜପଥ-୨୨୦ରେ ବସ୍ ସହିତ ମୋଟର ସାଇକେଲ୍ ସାମ୍ନାସାମ୍ନୀ ଧକ୍କା ହେବା ଫଳରେ ତିନି ଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Published : January 2, 2026 at 5:40 PM IST
Bike Bus Collision ରାଇରଙ୍ଗପୁର: ଯାତ୍ରୀବାହୀ ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ଦୁର୍ଘଟଣାରେ 3 ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମୟୂରଭଞ୍ଜର ହୋଇଥିବା ବେଳେ ଆଉ ଦୁଇ ବାହାର ରାଜ୍ୟର ଅଟନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଣୀବନ୍ଧ ସମ୍ମୁଖ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ମୃତକ 3 ଜଣ ହେଲେ..
- ବିକାଶ ବେହେରା (25), ବାପା ରତିକାନ୍ତ ବେହେରା, ଘର ତିରିଂ ଥାନା ରତନସାହି ଗ୍ରାମ
- ପ୍ରବୀର ଦେବବର୍ମା (26), ଘର ଝାଡଖଣ୍ଡ, ଷଢେଇଖଳା ଖରସୁଆଁ ଆଦିତ୍ୟପୁର
- ବିକାଶ ଦେବବର୍ମା (26), ଘର ତ୍ରିପୁରା
ବାଇକ-ବସ୍ ମୁହାଁମୁହିଁ ଧକ୍କା
ଆଜି (ଶୁକ୍ରବାର) ଏକ ଯାତ୍ରୀବାହୀ ବସ୍ ରାଇରଙ୍ଗପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିଲା । ଦିନ ପାଖାପାଖି ୧.୩୦ ସମୟରେ ଭାଲୁବସା ଗ୍ରାମ ନିକଟସ୍ଥ ରାଣୀବନ୍ଧ ସମ୍ମୁଖ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ବିପରିତ ଦିଗରୁ ଆସୁଥିବା ଏକ ବାଇକକୁ ବସ୍ଟି ସାମ୍ନାରୁ ଧକ୍କା ଦେଇଥିଲା । ବାଇକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା ବସ୍ । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବାଇକରେ ଯାଉଥିବା ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ, ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଦୁଇଟି ମୃତଦେହକୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ମେଡାକାଲ ନିଆଯାଇଛି । କିନ୍ତୁ ଗୋଟିଏ ମୃତଦେହ ବସ୍ ତଳେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ପରେ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲ ଅଣାଯାଇଛି ।

କ୍ଷତିପୂରଣ ଦାବି:
ସେପଟେ ଉତ୍ୟକ୍ତ ଲୋକେ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି । ଜାତୀୟ ରାଜପଥ ଅବରୋଧ ଖବର ପାଇବା ପରେ ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ବୁଝାଇଛନ୍ତି । ପରେ ରାଇରଙ୍ଗପୁର ତହସିଲଦାର, ରାଇରଙ୍ଗପୁର ବିଡିଓ ଓ ଜୁନିୟର ଏମଭିଆଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥଛନ୍ତି । ବସ୍ ମାଲିକ ଓ ପ୍ରଶାସନ ଉଭୟଙ୍କ ନିକଟରୁ କ୍ଷତିପୂରଣ ଦାବି କରିଥିଲେ ଗ୍ରାମବାସୀ । ପରେ ସରକାରୀ ଗାଇଡ ଲାଇନ ଅନୁଯାୟୀ, କ୍ଷତିପୂରଣ ରାଶି ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା କହିଛନ୍ତି, "ବାଇକ ଓ ବସ୍ ମୁହାଁମୁହିଁ ଧକ୍କାରେ 3 ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଓ ଏସଡିପିଓଙ୍କ ସହିତ ମୁଁ ବି ଘଟଣାସ୍ଥଳରେ ପହଞ୍ଚିଥିଲୁ । ସେତେବେଳକୁ ଡ୍ରାଇଭର, ହେଲ୍ପପର ଓ କଣ୍ଡକ୍ଟର ଫେରାର ହୋଇଯାଇଥିଲେ । ବସ୍ ଯାତ୍ରୀମାନେ ମଧ୍ୟ ବସରୁ ପଳେଇ ଯାଇଥିଲେ । ମୃତଦେହ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲ ପଠାଯାଇଛି । ରାସ୍ତା ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯାଇଛି । ସରକାରୀ ଗାଇଡଲାଇନ ଅନୁଯାୟୀ, ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବ । ପୋଲିସ ତଦନ୍ତ ଜାରି ରଖିଛି । ଏନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରାଯିବ ।"
ଏହା ମଧ୍ୟ ପଢ଼ନ୍ତୁ... ପୁରୀ ବଡ଼ଦାଣ୍ଡରେ ଛାତିଥରା ସିରିଜ୍ ଦୁର୍ଘଟଣା; ବୋଲେରୋ ଧକ୍କାରେ ନାବାଳକ ମୃତ, ୨ ଆହତ |
ସେପଟେ ଜଣେ ମୃତକଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ଖବର ଦିଆଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କହିଛି । ଦୁର୍ଘଟଣା ସମ୍ପର୍କରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ବସ ଓ ବାଇକକୁ ଜବତ କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ

