ଅନୁଗୋଳରେ ସ୍କ୍ରବ ଟାଇଫସ୍ ଆତଙ୍କ; ଜଣେ ମୃତ, 7 ଆକ୍ରାନ୍ତ, ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍
ଜିଲ୍ଲା ଖମାର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସାନବାଗଦରୀ ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସଚେତନ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ


Published : August 29, 2026 at 6:03 PM IST
|Updated : August 29, 2026 at 7:51 PM IST
ଅନୁଗୋଳ: ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆତଙ୍କ । ଜିଲ୍ଲାର ପାଲଲହଡ଼ା ଉପଖଣ୍ଡରେ ଜଣକର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ୍ ଆରମ୍ଭ ହୋଇଛି । ଗତକାଲି ଏକ ମେଡିକାଲ ଟିମ୍ ଆକ୍ରାନ୍ତ ଗାଁ ସାନବାଗଦରି ଯାଇ ଅନୁଧ୍ୟାନ କରିଥିଲେ । ଏପଟେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ୍ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି । ଜିଲ୍ଲାର ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଅଧୀନସ୍ଥ ସାନବାଗଦରୀ ଗ୍ରାମରେ ବର୍ତ୍ତମାନ ସୁଦ୍ଧା 7 ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO) ମଦନ ମୋହନ ପ୍ରଧାନ କହିଛନ୍ତି । ସିଡିଏମ୍ଓଙ୍କ ସୂଚନା ଅନୁଯାୟୀ, ଜମିବାଡ଼ି, ଘାସ ବୁଦା ଏବଂ ପତ୍ରରେ ଥିବା ଏକ ପ୍ରକାର କ୍ଷୁଦ୍ର କୀଟ ବା ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏଥିରେ ଆକ୍ରାନ୍ତ ହେଲେ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦିଏ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ମୁତାବାକ, ପୂର୍ବରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲିର ରକ୍ତ ନମୂନାରୁ ଆଜି ଆହୁରି 3 ପଜିଟିଭ୍ ଆସିଛି ।
ଅନୁଗୋଳ ଜିଲାରେ ସ୍କ୍ରବ୍ ଟାଇଫସ୍, ଜଣଙ୍କର ମୃତ୍ୟୁ
ଆକ୍ରାନ୍ତ ଗାଁରେ ସ୍ୱାସ୍ଥ୍ୟ ବିଭଗର ଟିମ୍, ସଚେତନ କଲେ CDMO
ଜିଲ୍ଲା ଖମାର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସାନବାଗଦରୀ ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ତେବେ ଠିକ୍ ସମୟରେ ଡକ୍ସିସାଇକ୍ଲିନ୍ (Doxycycline) ବା ଆଜିଥ୍ରୋମାଇସିନ୍ ଭଳି ସାଧାରଣ ଆଣ୍ଟିବାୟୋଟିକ୍ ବଟିକା ସେବନ ଦ୍ୱାରା ଏହା ସହଜରେ ଭଲ ହୋଇପାରିବ । ଏହି ଅଞ୍ଚଳର ଜଣେ ବ୍ୟକ୍ତି ବୁର୍ଲା ଭିମସାର୍ (VIMSAR)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ଘଟଣା ଉପରେ ସିଡିଏମ୍ଓ କହିଛନ୍ତି, "ତାଙ୍କ ନାଁ ସୁମନ୍ତ ସେଠୀ । ଉକ୍ତ ରୋଗୀଙ୍କର ସ୍କ୍ରବ୍ ଟାଇଫସ୍ ରିପୋର୍ଟ ପଜିଟିଭ୍ ଆସିଥିଲେ ମଧ୍ୟ ସେ ପୂର୍ବରୁ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିଲେ । ତାଙ୍କର କ୍ରିଏଟିନିନ୍ ସ୍ତର ପ୍ରାୟ ୫ରୁ ଅଧିକ ଏବଂ ୟୁରିଆ ସ୍ତର ପ୍ରାୟ ୧୫୫ ଥିଲା । ଯାହାକି କିଡନୀ ଜନିତ ଗୁରୁତର ସମସ୍ୟାକୁ ଦର୍ଶାଉଛି । କେବଳ ସ୍କ୍ରବ୍ ଟାଇଫସ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ ।"
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳକୁ ଜିଲ୍ଲା ସ୍ତରରୁ ଏପିଡେମିଓଲୋଜିଷ୍ଟ ଓ ଡିପିଏଚ୍ଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ପଠାଯାଇଛି । ଏହା ସହିତ ମେଡିକାଲ୍ କଲେଜର 4 ଜଣିଆ ଟିମ୍ ମଧ୍ୟ ପ୍ରଭାବିତ ଗ୍ରାମ ଓ ଆଖପାଖ ଅଞ୍ଚଳରେ ସର୍ଭେକ୍ଷଣ ଆରମ୍ଭ କରିଛନ୍ତି । ଘର ଘର ବୁଲି ଜ୍ୱର ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି ଏବଂ ପ୍ରତିଷେଧକ ଔଷଧ ବଣ୍ଟନ କରାଯାଉଛି । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ନିରୀକ୍ଷଣ ଜାରି ରହିବ । ଏଥିପାଇଁ ଆତଙ୍କିତ ନ ହୋଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏହା ବି ପଢନ୍ତୁ-ମାସକରେ ୩ ଥର ବନ୍ୟା, ଜଳବନ୍ଦୀ ଜୀବନ ବିତାଉଛନ୍ତି ୫ ଗାଁର ଲୋକେ
ଇଟିଭି ଭାରତ, ଅନୁଗୋଳ

