ETV Bharat / state

MKCG ମେଡିକାଲ କଲେଜରେ SCB ଛାତ୍ରଙ୍କ ଉପରେ ପଥର ଓ କାଦୁଅ ମାଡ଼, କାର୍ଯ୍ୟକ୍ରମରେ ଯୋଗ ନଦେଇ ଫେରିଗଲେ

ଇଣ୍ଟର ମେଡିକୋ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କଟକ ଏସସିବି ଛାତ୍ରଙ୍କ ଉପରେ ଆକ୍ରମଣ । ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ମର୍ମାହତ ବୋଲି ଅଧ୍ୟକ୍ଷା ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି ।

MKCG medical college
MKCG medical college (ETV Bharat Odisha)
author img

By ETV Bharat Odisha Team

Published : October 14, 2025 at 8:46 PM IST

2 Min Read
Choose ETV Bharat

ବ୍ରହ୍ମପୁର: ଏମକେସିଜିରେ ଆୟୋଜିତ ଇଣ୍ଟରମେଡିକାଲ କଲେଜ ମିଟରେ ଭୟାନକ ଗଣ୍ଡଗୋଳ । ଆକ୍ରମଣରେ ଆହତ ହୋଇ ଫେରିଲେ କଟକ ଏସସିବି ଛାତ୍ର । ବୁର୍ଲା ମେଡ଼ିକାଲ କଲେଜର ଛାତ୍ରଙ୍କୁ ଗାଳିଗୁଲଜ ଅଭିଯୋଗ । ଗତ ୧୧ ତାରିଖରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ଇଣ୍ଟର ମେଡିକାଲ କଲେଜ ମିଟ୍ ଆରମ୍ଭ ହୋଇଥିଲା ।

MKCG medical college (ETV Bharat Odisha)

ଏସ୍.ସି.ବି ମେଡିକାଲ କଲେଜ ଛାତ୍ରଙ୍କ ଉପରେ ଆକ୍ରମଣ:

ଏମ୍‌.କେ.ସି.ଜି ମେଡିକାଲ କଲେଜ ପରିସରରେ ଆୟୋଜିତ ହୋଇଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ଦୁଇ କଲେଜ ବିଦ୍ୟାର୍ଥୀଙ୍କ ମଧ୍ୟରେ ତୁମୁଳ ଗଣ୍ଡଗୋଳ । ଗତକାଲି ମଧ୍ୟରାତ୍ରରେ କଟକରୁ ବ୍ରହ୍ମପୁର ଆସିଥିବା ଏସସିବି ମେଡିକାଲର ଛାତ୍ରଛାତ୍ରୀମାନେ ଏମ୍‌କେସିଜି କଲେଜ ଛାତ୍ରଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଆହତଙ୍କୁ ଏମ୍.କେ.ସି.ଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରିଶେଷରେ କାର୍ଯ୍ୟକ୍ରମରେ ଯୋଗ ନଦେଇ ନିଜ ମେଡିକାଲ କଲେଜକୁ ଫେରି ଯାଇଛନ୍ତି କଟକ ଏସସିବି ମେଡିକାଲର ଛାତ୍ରଛାତ୍ରୀମାନେ ।

କଣ ରହିଥିଲା ଘଟଣା:

ପ୍ରତ୍ୟେକ ବର୍ଷ ରାଜ୍ୟର ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଆୟୋଜିତ କରିଥାନ୍ତି ଇଣ୍ଟର ମେଡିକାଲ କଲେଜ ମିଟ୍ । ଯାହା ଇଣ୍ଟର ମେଡିକୋ ନାମରେ ପରିଚିତ । ଚଳିତବର୍ଷ ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ କଲେଜରେ ଏହାର ଆଯୋଜନ କରାଯିବାକୁ ସ୍ଥିର ହୋଇଥିଲା । କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପାଇ ଗତକାଲି ସନ୍ଧ୍ୟାରେ ପ୍ରଥମେ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ଏମ.କେ.ସି.ଜି ମେଡିକାଲରେ ପହଞ୍ଚିଥିଲେ । ସେହି ସମୟରେ ମଧ୍ୟ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ନେଇ ତୁରନ୍ତ କଲେଜ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିଥିଲେ । ବୁର୍ଲା ଏବଂ ଏମ୍.କେ.ସି.ଜି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ବୁର୍ଲାରୁ ଆସିଥିବା ମେଡିକାଲ ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ କରାଯାଇ ହୋଷ୍ଟେଲକୁ ନିଆଯାଇଥିଲା ।

ଫେରିଗଲେ ଏସ୍.ସି.ବି ମେଡିକାଲ କଲେଜ ଛାତ୍ର:

ଏମ୍.କେ.ସି.ଜି ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି, "ବିଳମ୍ୱିତ ରାତ୍ର ପ୍ରାୟ ୨ଟା ସମୟରେ କଟକ ଏସ୍.ସି.ବି ମେଡିକାଲ କଲେଜର ଛାତ୍ରମାନେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ପହଞ୍ଚିଥିଲେ । କଲେଜର ଫାଟକ ପାଖରେ ପହଞ୍ଚିବା ସମୟରେ ଏସ୍.ସି.ବି ମେଡିକାଲ କଲେଜର ଛାତ୍ର ଗାଡି ଉପରକୁ ମାଟିର କାଦୁ୍ଅ ଫୋପାଡିବା ସହିତ ପଥର ମାଡ଼ କରା ଯାଇଥିଲା । ଯେଉଁଥିରେ କଟକ ଏସ୍.ସି.ବି ମେଡିକାଲ କଲେଜର 2 ରୁ 3 ଜଣ ବିଦ୍ୟାର୍ଥୀ ଗୁରୁତର ଭାବେ ଆହତ ହୋଇପଡିଥିଲେ । ଆହତଙ୍କୁ ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସା କରାଯିବା ପରେ ସମସ୍ତ ବିଦ୍ୟାର୍ଥୀ ଶେଷରେ କାର୍ଯ୍ୟକ୍ରମରେ ଯୋଗଦାନ ନକରି ପୁଣି ନିଜ ମେଡିକାଲ କଲେଜକୁ ଫେରିଯାଇଥିଲେ ।" ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଛନ୍ତି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଚିତ୍ରା ଦାଶ । ଏମକେସିଜି ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ଏପରି ଗଣ୍ଡଗୋଳ ହୋଇଥିଲା । ଏହିପରି ଦୁଇ ମେଡିକାଲ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣାରେ କଟକ ଏସସିବି ମେଡିକାଲ କଲେଜ ସମେତ ବୁର୍ଲା ମେଡ଼ିକାଲ ଓ ଏମକେସିଜି ମେଡିକାଲ କଲେଜର କିଛି ଛାତ୍ର ଆହତ ହୋଇଥିବା କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଘଟଣା ସମ୍ପର୍କରେ ଫୋନ୍ କରି ଜଣାଇଲେ କଟକ ମେଡିକାଲ ଅଧ୍ୟକ୍ଷ:

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜର ଉତ୍ସବକୁ ଯୋଗଦାନ କରିବାକୁ ଆସିଥିବା ଛାତ୍ରମାନଙ୍କ ଉପରେ ଆକ୍ରମଣ ହେବା ଏବଂ ଏଥିରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ଘଟଣା ସମ୍ପର୍କରେ କଟକ ମେଡିକାଲ କର୍ତ୍ତୃପକ୍ଷ ଫୋନ୍ ମାଧ୍ୟମରେ ଏମ୍‌.କେ.ସି.ଜି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ଛାତ୍ରମାନେ ନଖାଇ ନପିଇ ଆହତ ହୋଇ ନିଜ ମେଡିକାଲ କଲେଜକୁ ଫେରିଯିବା ଘଟଣା ମଧ୍ୟ ଜଣାଇଥିଲେ । ଏହି ଘଟଣାରେ କେଉଁମାନେ ସଂପୃକ୍ତ ରହିଛନ୍ତି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମ୍.କେ.ସି.ଜି ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି ।

ଆସନ୍ତାବର୍ଷ ଠାରୁ ବନ୍ଦ ହେବ ଏହି କାର୍ଯ୍ୟକ୍ରମ:

ଏପରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଘଟଣାକୁ ପରମ୍ପରାର ବାହାନାକୁ ଆଉ ସହ୍ୟ କରାଯିବ ନାହିଁ । ପ୍ରତ୍ୟେକ ବର୍ଷ ଏପରି ଗଣ୍ଡଗୋଳ ହେଉଥିବା ଯୋଗୁଁ ଆଗାମୀ ଦିନରେ ମେଡିକାଲ କଲେଜ ଏପରି କାର୍ଯ୍ୟକ୍ରମ କରିବାକୁ ଆଉ ଅନୁମତି ଦିଆଯିବ ନାହିଁ । ଏହି ଘଟଣାକୁ ନେଇ ଆଜି ଅପରାହ୍ନରେ ଏମକେସିଜି ମେଡିକାଲ କଲେଜରେ ବସିବ ଗୁରତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନଫେରେନ୍ସ ମାଧ୍ୟମରେ ହେବାକୁ ରହିଥିବା ଏହି ବୈଠକରେ ଆଗାମୀ ପଦକ୍ଷେପ ସ୍ଥିର କରାଯିବ ବୋଲି ଅଧ୍ୟକ୍ଷା ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି ।

ମୁଖ୍ୟତଃ ବ୍ରହ୍ମପୁରରେ ଆୟୋଜିତ ଏହି ମିଟରେ ୧୮ଟି ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: MKCGରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ, ଦୁଇ ହାଉସ ସର୍ଜନ ଗଣିବେ ୨୫ ହଜାର ଲେଖାଏଁ ଫାଇନ

MkCG ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା: ସ୍ବତନ୍ତ୍ର ବସରେ ବ୍ରହ୍ମପୁର ଫେରିଲେ ସମସ୍ତ ଛାତ୍ର


ଇଟିଭି ଭାରତ, ବ୍ରହ୍ମପୁର