ସଉରା ଆର୍ଟ ସାଜିବ ରୋଜଗାରର ମାଧ୍ୟମ, କଳାକୁ ନୂଆ ରୂପଦେବା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରୟାସ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଶିଖୁଛନ୍ତି ସଉରା ଆର୍ଟ । ଭବିଷ୍ୟତରେ ଏହି କଳା ମାଧ୍ୟମରେ ରୋଜଗାର କରିବାକୁ ଲକ୍ଷ୍ୟ ରହିଛି ।

Published : February 17, 2026 at 6:11 PM IST
ସ୍ପେଶାଲ ଷ୍ଟୋରୀ: ସମୀର କୁମାର ଆଚାର୍ଯ୍ୟ
Odisha Saura Art ବ୍ରହ୍ମପୁର: ହାତରେ ତୂଳି, ପାଖରେ ରହିଛି ଭଳିକି ଭଳି ରଙ୍ଗ । କିଏ ଧାଡି ଧାଡି ହୋଇ ବସି ରହି ଚିତ୍ର ଆଙ୍କିବାରେ ବ୍ୟସ୍ତ ତ ଆଉ କେଉଁଠି ଗୋଷ୍ଠୀ ଗୋଷ୍ଠୀ ହୋଇ ବସି ହ୍ୟାଣ୍ଡମେଟ୍ ପେପର୍ ଓ କପଡା ଉପରେ ଅଙ୍କନ କରି ଚାଲିଛନ୍ତି ଅନେକ ସୁନ୍ଦର ସୁନ୍ଦର ସଉରା ଚିତ୍ର । ଏହା କୌଣସି ପ୍ରତିଯୋଗିତା ନୁହେଁ । ଆଦିବାସୀଙ୍କ ପାରମ୍ପାରିକ ସଉରା ଆର୍ଟ ସମ୍ପର୍କରେ ପ୍ରଶିକ୍ଷଣ ପାଇବା ପରେ ଚିତ୍ର ଆଙ୍କୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ସମୟରେ ଚାକିରିଟିଏ ପାଇବା ସମସ୍ୟା ପାଲଟି ଥିବାବେଳେ ଏହି ପାରମ୍ପାରିକ ଚିତ୍ରକଳା ମାଧ୍ୟମରେ ଭବିଷ୍ୟତରେ ସ୍ବାବଲମ୍ବୀ ହେବା ପାଇଁ ଆଶା ରଖିଛନ୍ତି ଛାତ୍ରଛାତ୍ରୀ । ଚାଲନ୍ତୁ ଜାଣିବା ସଉରା ଆର୍ଟ କଣ ? କିପରି ଏହି ଚିତ୍ରକଳା ରୋଜଗାରର ମାଧ୍ୟମ ପାଲଟିବାରେ ସହାୟକ ହେବ ।
ସଉରା ଚିତ୍ରକଳାରେ ଭବିଷ୍ୟତ ସ୍ବପ୍ନ:
ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜକୁ କେବଳ ପାଠ୍ୟପୁସ୍ତକ ଜ୍ଞାନର ପରିଧି ମଧ୍ୟରେ ସୀମିତ ରଖିନାହାନ୍ତି । ଆଧୁନିକତା ଛାପରେ ଧିରେ ଧିରେ ହଜିବାକୁ ବସିଥିବା ଆଦିବାସୀଙ୍କ ଏହି କଳା, ସଂସ୍କୃତି ଏବଂ ଚିତ୍ରକଳାକୁ ଯେପରି ପୁନଃଜୀବିତ କରାଯାଇପାରିବ ସେହି ପ୍ରୟାସରେ ଲାଗି ପଡିଛନ୍ତି । ଆଦିବାସୀଙ୍କ ପାରମ୍ପାରିକ ଚିତ୍ରକଳା ମାଧ୍ୟମରେ ଭବିଷ୍ୟତକୁ ରଙ୍ଗୀନ କରିବାକୁ ସ୍ବପ୍ନ ଦେଖୁଛନ୍ତି ଛାତ୍ରଛାତ୍ରୀ । ସଉରା କଳା ଆହୁରି କିପରି ଜନାଦୃତ ହେବ । ରୋଜଗାରର ମାଧ୍ୟମ ପାଲଟିବ ଏହି ପ୍ରୟାସ ଜାରି ରଖିଛନ୍ତି ।

ଭବିଷ୍ୟତରେ ବ୍ୟବସାୟ କରିପାରିବୁ:
ଏନେଇ ବ୍ରହ୍ମପୁର ବିଶ୍ବ ବିଦ୍ଯାଳୟର ହୋମ ସାଇନ୍ସ ବିଭାଗର ଛାତ୍ରୀ ଶୃଜା ଶତପଥି କୁହନ୍ତି, ‘ସଉରା ଆର୍ଟ ଉପରେ ଆମେ ପ୍ରଶିକ୍ଷଣ ନେଲୁ । ବର୍ତ୍ତମାନ ସମୟରେ ଚାକିରି ନାହିଁ । ଏହା ଶିଖିବା ଦ୍ବାରା ଭବିଷ୍ୟତରେ ବ୍ୟବସାୟ କରିପାରିବୁ ।’

ସଉରା ଆର୍ଟ କଣ ?
ସଉରା ଆର୍ଟ ମୁଖ୍ୟତଃ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳେ । ଆଦିବାସୀଙ୍କ ଦିନଚର୍ଯ୍ୟା ଉପରେ ଆଧାରିତ ଥାଏ ଏହି ଚିତ୍ରକଳା । ଏଠାକାର ଲାଞ୍ଜିଆ ସଉରା ଜନଜାତି ନିଜ ଘରର କାନ୍ଥରେ ଚିତ୍ରାଙ୍କନ କରିଥାନ୍ତି । ଯେଉଁ ଚିତ୍ରରେ ଚାଷକାର୍ଯ୍ୟ, ଶିକାରର ଦୃଶ୍ୟ, ଫସଲ ଅମଳ, ପାହାଡ ପର୍ବତ, ଆଦିବାସୀ ଜନଜୀବନ, ନୃତ୍ୟ, ବାହାଘର, ପଶୁପକ୍ଷୀ ଆଦି ସ୍ଥାନିତ ହୋଇଥାଏ । ଏହାକୁ ସଉରା ଭାଷାରେ ‘ଇଡିତାଲ’ କୁହାଯାଏ । ସାଧାରଣତଃ କୌଣସି ନୂଆ ଘର ତିଆରି କଲେ ଲାଞ୍ଜିଆ ସଉରା ଜନଜାତି ଇଡିତାଲ ବା ଝୋଟି ଚିତ୍ରକୁ ନିଜ ଘରେ ଆଙ୍କିଥାନ୍ତି । ଲାଞ୍ଜିଆ ସଉରାଙ୍କ ପରମ୍ପରାର ଏହା ଏକ ଅଂଶ ଅଟେ ।

ସଉରା ଆର୍ଟକୁ ନୂଆରୂପ ଦେବାକୁ ଚେଷ୍ଟା:
ବହ୍ମପୁର ବିଶ୍ୱବିଦ୍ୟାଳୟର ହୋମ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଅସ୍ମିତା ବେଉରା କହିଛନ୍ତି, ‘ସଉରା ଆର୍ଟର ଏକ୍ସପର୍ଟ ଟ୍ରେନର ଦିନବନ୍ଧୁ ସୋରେନ୍ ପିଲାଙ୍କୁ ଏହି ପୁରାତନ ଆଦିବାସୀ ଚିତ୍ରକଳା ସମ୍ପର୍କରେ ତାଲିମ ଦେଇଛନ୍ତି । ପିଲାମାନେ ଚାହିଁଲେ ଏହାକୁ ଆଧୁନିକ ରୂପ ଦେଇ ବିଭିନ୍ନ ପ୍ରକାର ଗିଫ୍ଟ ଆଇଟମ କରିପାରିବେ । ଏଥିରୁ ଉଦ୍ୟୋଗପତି ମଧ୍ୟ ହୋଇପାରିବେ ।’

ସଉରା ଚିତ୍ରକଳାକୁ କିପରି ଆଧୁନିକତାର ଛାପ ଦେଇ ବିଭିନ୍ନ ବଜାରରେ ସ୍ଥାନିତ କରାଯାଇପାରିବ ଏଥିପାଇଁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ସମୟରେ ଯୁବପିଢି ମୁଖ୍ୟତଃ କଳା ଓ ସଂସ୍କୃତି ଆଧାରିତ ଉପହାର ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯଦି ଏହି ଆର୍ଟକୁ ବ୍ୟବହାର କରି ଗିଫ୍ଟ ଆଇଟମ ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ଏଥିରୁ ବ୍ୟବସାୟ ମଧ୍ୟ ଆରମ୍ଭ କରାଯାଇପାରିବ ।

ସଉରା ଆର୍ଟ ମାଧ୍ୟମରେ ରୋଜଗାର ଦେବାକୁ ଲକ୍ଷ୍ୟ:
ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ତଥା ସୌରା ଆର୍ଟର ତାଲିମଦାତା ଦିନବନ୍ଧୁ ସୋରେନ କହିଛନ୍ତି, ‘ସଉରା ଆର୍ଟର ପ୍ରସିଦ୍ଧି ରହିଛି । ଛାତ୍ରଛାତ୍ରୀ ମାନେ ଏହି କଳା ଶିଖିବାକୁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଲାଞ୍ଜିଆ ସୌରା ସମ୍ପ୍ରଦାୟର ଦୈନିକ ଜୀବନୀ ଉପରେ ଆଧାରିତ ରହିଥାଏ ଏହି ଚିତ୍ରକଳା । ଏହି ଚିତ୍ରକଳା ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ କିପରି ଆଗାମୀ ଭବିଷ୍ୟତ ପାଇଁ ସଂରକ୍ଷଣ କରିବା ରଖିବା ତାହା ଆମର ପ୍ରଚେଷ୍ଠା ରହିଛି । ଏଥିସହ ଏହି ଆର୍ଟ ମାଧ୍ୟମରେ ଘରେ ବସି ରୋଜଗାର କରିପାରିବେ ତାହା ଆମ ଲକ୍ଷ୍ୟ ରହିଛି । ’

GI ଟ୍ୟାଗ ପାଇଛି ସଉରା ଚିତ୍ରକଳା:
2024 ମସିହାରେ ଲାଞ୍ଜିଆ ସଉରାଙ୍କ ଏହି ଚିତ୍ରକଳାକୁ ଜିଆଇ ଟ୍ୟାଗ ମିଳିଥିଲା । ଓଡ଼ିଶାର 8ଟି ଉତ୍ପାଦ ମଧ୍ୟରେ ରାୟଗଡାର ଲାଞ୍ଜିଆ ସଉରାଙ୍କ ଇଡିତାଲ ବା ଚିତ୍ରକଳାକୁ ଜିଆଇ ଟ୍ୟାଗ ପ୍ରଦାନ କରିଥିଲେ ଭାରତ ସରକାର ।

ଉପାର୍ଜନକ୍ଷମ ହୋଇପାରିବୁ ବୋଲି ଆଶା...
ବିଶ୍ୱବିଦ୍ୟାଳୟର ହୋମ୍ ସାଇନ୍ସ ଦ୍ୱିତୀୟ ବର୍ଷର ନିକିତା ରାଣୀ ଭଞ୍ଜ କୁହନ୍ତି, ‘ଆମ ବିଭାଗରେ ହସ୍ତକଳା ଏକ ଅଂଶ ହୋଇଥିବା ବେଳେ ଆଦିବାସୀଙ୍କ ପାରମ୍ପାରିକ ଚିତ୍ରକଳା ହେଉଛି ସଉରା ଆର୍ଟ । ଭବିଷ୍ୟତରେ ଏହି କଳା ମାଧ୍ୟମରେ ଉପାର୍ଜନକ୍ଷମ ହୋଇପାରିବୁ ସେହି ଆଶା ରହିଛି ।’

ଜନାଦୃତ କରିବାକୁ ପ୍ରୟାସ:
ବିଶ୍ୱବିଦ୍ୟାଳୟର ଛାତ୍ର ଇଜୁ ଅମିନ୍ ଖାନ କୁହନ୍ତି, ‘ଓଡିଶାର ପାରମ୍ପାରିକ ଆଦିମ ଜନଜାତିଙ୍କ ଚିତ୍ରକଳା ମୁଖ୍ୟତଃ ସେମାନଙ୍କ ଜୀବନଶୈଳୀକୁ ସେମାନେ ଏହି ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରି ଆସୁଥିଲେ । ବର୍ତ୍ତମାନ ଆଧୁନିକତାର ଛାପରେ ଏହା ଧିରେ ଧିରେ ହଜିଯାଉଥିବା ବେଳେ ବର୍ତ୍ତମାନ ଏହାକୁ ଉଜ୍ଜିବୀତ କରିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଂସ୍ଥା ପକ୍ଷରୁ ପ୍ରଚେଷ୍ଟା କରାଯାଉଛି । ମୁଖ୍ୟତଃ ଓଡିଶାରେ ରହିଥିବା ପାରମ୍ପାରିକ ଚିତ୍ରକଳା ମଧ୍ୟରୁ ସଉରା ଆର୍ଟ ଅନ୍ୟତମ । ଲୁପ୍ତ ହେବାକୁ ବସିଥିବା ଏହି କଳାକୁ କିଭଳି ଭାବରେ ଲୋକଙ୍କ ମଧ୍ୟରେ ଆଦୃତ ହୋଇପାରିବ ସେହି ପ୍ରୟାସ ଜାରି ରହିଛି । ଭବିଷ୍ୟତରେ ଯୁବପିଢି ଏହାକୁ ରୋଜଗାରର ମାଧ୍ୟମ ଭାବରେ ବାଛି ନେଲେ ଏହା ରୋଜଗାର ପନ୍ଥା ମଧ୍ୟ ଯୋଗାଇପାରିବ ।’
ଏକଦା ଲାଞ୍ଜିଆ ସଉରା ନିଜ ଘରର ଚାରିକାନ୍ଥରେ ଆଙ୍କୁଥିଲେ ଚିତ୍ର । ଏହି ଚିତ୍ରକଳା ଦେଶରେ ମଧ୍ୟ ପରିଚୟ ଲାଭ କରିଛି । କେବଳ କାନ୍ଥ ନୁହେଁ ବିଭିନ୍ନ ସ୍ଥାନରେ ଏହି ଚିତ୍ରକୁ ବ୍ୟବହାର କରି ନୂଆରୂପ ଦେବାକୁ ଚେଷ୍ଟା କରାଯାଉଛି । ଏହା ଦ୍ବାରା କିପରି ରୋଜଗାର ହୋଇପାରିବ ସେ ପ୍ରୟାସ ମଧ୍ୟ ଜାରି ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

