ETV Bharat / state

ବାଉଁଶ କାରିଗରୀରେ ସମର୍ପିତ ସରୋଜିନୀ; ୧୫୦୦ଙ୍କୁ ଦେଇଛନ୍ତି ତାଲିମ, ୫୦ ମହିଳା ହୋଇଛନ୍ତି ସ୍ୱାବଲମ୍ବୀ

ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳରେ ନିଜର ବାଉଁଶ ଓ ବେତର କାରିଗରୀ ୟୁନିଟ ସ୍ଥାପନ କରିଛନ୍ତି ସରୋଜିନୀ , ଯେଉଁଠି ସେ ୫୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରାଇଛନ୍ତି ।

Sarojini dedicated to bamboo craft;
ବାଉଁଶ କାରିଗରୀରେ ସମର୍ପିତ ସରୋଜିନୀ (Etv Bharat)
author img

By ETV Bharat Odisha Team

Published : February 9, 2026 at 8:44 PM IST

|

Updated : February 10, 2026 at 1:29 PM IST

5 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ: ଜୀବନଜ୍ୟୋତି ନାୟକ

ବାଲେଶ୍ୱର:ଶୁଖିଲା ବେତ ବାଉଁଶରେ ଜୀବନ ଭରିଛନ୍ତି । ତାର ଧୂସର ଚେହେରାରେ ସ୍ୱପ୍ନର ରଙ୍ଗ ବୁଣିଛନ୍ତି । ବେତ ବାଉଁଶରେ ଯେ ଏତେ ସୁନ୍ଦର କାରିଗରୀ ହୋଇପାରେ ତାହା ନ ଦେଖିଲେ କେହି ବିଶ୍ୱାସ କରିବେନି । ଭଳିକି ଭଳି ବାଉଁଶ ତିଆରି ଗହଣା ସାଙ୍ଗକୁ ଶ୍ରୀ ଜଗନ୍ନାଥ, ମୟୂର, ପେନ ଷ୍ଟାଣ୍ଡ, ଫୁଲ ଡ଼ାଲା, ସ୍କୁଟର, ଜାହାଜ, ସୋଫା ସେଟ, ଚେୟାର..ଦେଖିଲେ ଆଖି ଫେରିବନି । ଏଇ ବାଉଁଶ ଆଜି ତାଙ୍କୁ ପରିଚୟ ହେଇଛି, ସ୍ୱାବଲମ୍ବୀ କରିଛି । ତାଙ୍କ ପରି ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ଲାଗି ପ୍ରେରଣା ଦେଇଛି ।

୫୦ରୁ ଊର୍ଦ୍ଧ୍ଵ ମହିଳାଙ୍କୁ ତାଲିମ ଦେଇ କରାଇଛନ୍ତି ସ୍ୱାବଲମ୍ବୀ

ଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତୁଣ୍ଡପଡ଼ା ଅଞ୍ଚଳର ସରୋଜିନୀ ଦାସ । କେତେବେଳେ ଶୁଖିଲା ବାଉଁଶକୁ ସତେଜ ରୂପ ଦେବାରେ ବ୍ୟସ୍ତ ଥାଆନ୍ତି ତ କେତେବେଳେ ତ ଦେହରେ ଲାଗିଥିବା ଧୁଳିକୁ ଯତ୍ନରେ ପେଛି ଦିଅନ୍ତି । ଏ ବେତ ବାଉଁଶ ସାମଗ୍ରୀ କେବଳ ତାଙ୍କ ନିପୁଣ କାରିଗରୀ କଳାର ନମୁନା ନୁହେଁ, ଏହା ତାଙ୍କ ଦକ୍ଷତାର ଅନ୍ତଃନିସୃତ ସୃଷ୍ଟି । ଏ କଳା ତାଙ୍କର ଆତ୍ମା । ଆଉ ତା ପାଖରେ ସେ ସମର୍ପିତା । 50 ବର୍ଷ ବୟସରେ ସେ ମନପ୍ରାଣ ନିଗାଡି ତାଙ୍କ କାରିଗରୀ କଳାରେ ସୌନ୍ଦର୍ଯ୍ୟ ଭରୁଛନ୍ତି । ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳରେ ନିଜର ଏହି ବାଉଁଶ ଓ ବେତର କାରିଗରୀ ୟୁନିଟ ସ୍ଥାପନ କରିଛନ୍ତି, ଯେଉଁଠି ସରୋଜିନୀ ୫୦ରୁ ଊର୍ଦ୍ଧ୍ଵ ମହିଳାଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରାଇଛନ୍ତି । ଏହି ମହିଳାମାନେ ବାଉଁଶ ଓ ବେତରେ ୧୫୦ରୁ ଅଧିକ ପ୍ରକାରର ସାମଗ୍ରୀ ତିଆରି କରିଛନ୍ତି । ଘର ସାଜସଜ୍ଜା ସାମଗ୍ରୀ, ବାଉଁଶରେ ଘର କରଣା ଜିନିଷ ଠାରୁ ଆରମ୍ଭ କରି ବାଉଁଶରେ ଗହଣା ପ୍ରସ୍ତୁତ କରି ମେଳା ମହୋତ୍ସବରେ ବିକ୍ରି କରୁଛନ୍ତି ।

ସରୋଜିନୀ ଜଣେ ଦକ୍ଷ ପ୍ରଶିକ୍ଷିକା ମଧ୍ୟ । କେବଳ ଏତିକି ନୁହେଁ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ଗୋପାଳପୁର, ବାଲେଶ୍ଵର, ପୁରୀ, ଖୋର୍ଦ୍ଧା, ଖାନ ନଗର, ଶୋମନାଥପୁର, ହଳଦୀପଦା ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବଂ ରାଜ୍ୟ ବାହାରେ ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ ଆଦି ରାଜ୍ୟରେ ପ୍ରଶିକ୍ଷଣ ଦେବାକୁ ଯାଉଛନ୍ତି। ତାଙ୍କ ହାତ ତିଆରି ବେତ ଓ ବାଉଁଶ ଜିନିଷ ଗୁଡିକ ଚେନ୍ନାଇ, ହାଇଦ୍ରାବାଦ, ବାଙ୍ଗାଲୋରେର ପ୍ରଭୁତି ଅଞ୍ଚଳରେ ପ୍ରଦର୍ଶନରେ ସ୍ଥାନ ପାଇଥାଏ। ଏମିତି କାରୁକାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସରୋଜିନୀଙ୍କୁ ଆୱାର୍ଡ ମିଳିବା ସହ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଉଁଶ ଡିଜାଇନର ଭାବେ ଦାୟିତ୍ୱ ଦିଆଯାଇଛି ।

କେବେ ଓ କେଉଁଠୁ ମିଳିଲା ପ୍ରେରଣା
ତୁଣ୍ଡପଡ଼ା ଅଞ୍ଚଳର ଦେବେନ୍ଦ୍ର ନାଥ ଦାସଙ୍କ ଝିଅ ମାଟ୍ରିକ ପରୀକ୍ଷା ପରେ ଆକ୍ରେଲିକ ଆର୍ଟ ଶିଖିବାକୁ ଯାଇଥିବା ବେଳେ ବାଉଁଶ କାରିଗରୀ ପ୍ରତି ଆକୃଷ୍ଟ ହୋଇଯାଇଥିଲେ। ୧୯୯୪ରେ ପ୍ରଥମେ ସରୋଜିନୀ ଭୁବନେଶ୍ୱରରେ ଥିବା ହସ୍ତକଳାର ଏକ ତାଲିମ କେନ୍ଦ୍ରରୁ ତାଲିମ ନେଇଥିଲେ। ତା ପରେ ସେଠାରୁ ୧୯୯୬ ମସିହାରେ ପ୍ରଶିକ୍ଷଣ ନେଇ ଏକ ଘରୋଇ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ଯୁକ୍ତ ଦୁଇ ପଢିବା ବେଳେ ୧୯୯୭ରେ ବାଉଁଶ କାରୀଗରୀର ଆଡ଼ଭାନ୍ସ କୋର୍ସ କରିବା ପାଇଁ ସେ ଅଗରତାଲାର ତ୍ରିପୁରା ଯାଇଥିଲେ। ସେଠାରୁ ପ୍ରଶିକ୍ଷଣ ନେଇ ଆସିବା ପରେ ହାଣ୍ଡିକ୍ରାଫ୍ଟ ତରଫରୁ ନିଜେ କାମ ଆରମ୍ଭ କରିଥିଲେ। ପୁଣି ଡ଼ିଜାଇନିଂ କୋର୍ସ କରିବା ପାଇଁ ଅହମଦବାଦ ଯାଇଥିଲେ।

ସେଠାରୁ ଡିଜାଇନ ଶିଖି ଆସିବା ପରେ ନିଜେ ନିଜେ ତୁଣ୍ଡପଡ଼ାରେ ବାଉଁଶ କାରିଗରୀ କରି ବଜାରରେ ବିକ୍ରି କରିଥିଲେ। ପ୍ରଥମେ ସେ ନିଜ ମା' ଶଶିପ୍ରଭାଙ୍କ ନାଁରେ ହାଣ୍ଡିକ୍ରାଫ୍ଟ ସଂସ୍ଥା ଚଳାଉଥିଲେ । ପରେ ୨୦୧୦ ମସିହାରେ ନିଜର ଏକ ବାଉଁଶ କାରିଗରୀ ୟୁନିଟ ସ୍ଥାପନ ଲକ୍ଷ୍ୟରେ ସରୋଜିନୀ ତୁଣ୍ଡପଡ଼ାରୁ ନିଜ ମାଆଙ୍କ ସହ ଜାମୁଝାଡ଼ି ଆସିଥିଲେ। ପ୍ରଥମେ ୧୫ ଜଣ ମହିଳାଙ୍କୁ ବାଉଁଶ କାରିଗରୀ ବାବଦରେ ତାଲିମ ପ୍ରଦାନ କରିଥିଲେ। ମହିଳାଙ୍କ ଆଗ୍ରହ ବଢିବା ସହ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସରୋଜିନୀ ମହିଳାମାନଙ୍କୁ ନେଇ ୨୦୧୯ରେ ଓରମାସ ତରଫରୁ ଏକ ପିଜି ଗ୍ରୁପ ଆରମ୍ଭ କରିଥିଲେ। ଯାହାର ନାଁ 'ସୃଷ୍ଟି ବେତ ଓ ବାଉଁଶ ପିଜି ଗ୍ରୁପ' ଦେଇଥିଲେ। ଏବେ ସରୋଜିନୀଙ୍କ ପାଖରେ ୫୦ରୁ ଉର୍ଦ୍ଧ୍ଵ ମହିଳା କାମ କରୁଥିବା ବେଳେ ତାଙ୍କ ପାଇଁ ମହିଳାମାନେ ରୋଜଗାର ପାଇ ପାରୁଛନ୍ତି।

ମନ ପ୍ରାଣ ନିଗା଼ଡି କାମରେ ଲାଗି ପଡିଛନ୍ତି ସରୋଜିନୀ

ସବୁଠାରୁ ବଡ କଥା ହେଉଛି, ସେ ନିଜ କଳା ପାଇଁ ତାଙ୍କର ଅଧ୍ୟବସାୟ, ତ୍ୟାଗ । କାଳେ କାମରେ ବାଧା ସୃଷ୍ଟିହେବ, ସେ ସମୟ ଦେଇ ପାରିବେନି ସେଥିପାଇଁ ବିବାହ କରି ନାହାନ୍ତି । ବୈବାହିକ ଜୀବନ କାଳେ କଳାର ବିକାଶରେ ବାଧକ ସାଜିବା ସେହି ଆଶଙ୍କାରେ ସେ ଏମିତି ନିଷ୍ପତ୍ତି ନେଇଛନ୍ତି । ଆଉ ତାଙ୍କର ଏହି ନିଷ୍ଠା, ଅଧ୍ୟବସାୟ ପାଇଁ ସରୋଜିନା କେବଳ ବାଲେଶ୍ୱର ନୁହେଁ, ସାରା ଓଡିଶାରେ ଜଣେ ପରିଚିତା, ସୁନାମଧନ୍ୟା କାରିଗର ପାଲଟି ଗଲେଣି । ଏ ନେଇ ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି କହିଛନ୍ତି , 'ସରୋଜିନୀ ଦାସ ସାରା ଓଡ଼ିଶାର ଜଣେ ସୁନାମଧନ୍ୟ କାରିଗର। ସେ ଜଣେ ରାଜ୍ୟ ଆୱାର୍ଡ ପାଇଥିବା ମହିଳା ଏବଂ ରାଜ୍ୟ ସରକାରଙ୍କ ବେତ ଓ ବାଉଁଶ ଡିଜାଇନର ମଧ୍ୟ। ସେ ଯେବେଠୁ ଜାମୁଝାଡ଼ିରେ ତାଙ୍କ ୟୁନିଟ ଆରମ୍ଭ କରିଛନ୍ତି ସେବେଠୁ ଅନେକ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ବାଉଁଶ ଓ ବେତରେ ଯେଉଁ ଡିଜାଇନ କାମ ଓ ସାମଗ୍ରୀ ତିଆରି ହେଉଛି ସେସବୁ ମହିଳାମାନଙ୍କୁ ଶିଖାଉଛନ୍ତି। ଖାଲି ସେ ଏଇଠି ଶିଖାଇ ନାହାନ୍ତି ଓଡିଶା ସମେତ ବାହାର ରାଜ୍ୟରେ ମଧ୍ୟ ଅନେକ ଜାଗାରେ ସେ ତାଲିମ ପ୍ରଦାନ କରିଛନ୍ତି। ତାଙ୍କ ଠାରୁ ଯିଏ ତାଲିମ ନେଇଥିଲେ ସେମାନେ ମଧ୍ୟ ଏବେ ମାଷ୍ଟର କ୍ରାଫ୍ଟ ପର୍ସନ ହୋଇ ତାଲିମ ପ୍ରଦାନ କରୁଛନ୍ତି। ସରୋଜିନୀ ଆଜି ନୁହଁ ୩୫ ବର୍ଷ ଧରି ଏ କାମ କରୁଛନ୍ତି। ତାଙ୍କ ପାଇଁ ବହୁତ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି। ଯେଉଁମାନେ ଘରେ ବସୁଥିଲେ ସେହିଭଳି ଅନୁନ୍ୟ ୧୦୦୦ରୁ ଉର୍ଦ୍ଧ୍ଵ ମହିଳା ତାଙ୍କ ପାଇଁ ସ୍ୱାବଲମ୍ବୀ ହୋଇଛନ୍ତି ।'

'ଦିନେ ଘରେ ବସିଥିଲୁ, ଆଜି ସ୍ୱାବଲମ୍ବୀ'

ଅନ୍ୟପଟେ ସରୋଜିନୀଙ୍କ ପାଖରେ ବାଉଁଶ କାରିଗରୀ ଶିଖି ସ୍ୱାବଲମ୍ବୀ ହୋଇଥିବା ମାନସି ବାରିକ କହିଛନ୍ତି ଯେ, 'ମୁଁ ଘରେ ବସିଥିଲି, ମୋତେ ସରୋଜିନୀ ଦିଦି ଏମିତି କାମ କରିବା ପାଇଁ ଡାକିଲେ । ପରେ ଗୋଟେ ପିଜି ଗ୍ରୁପ କରି ୫୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଆଣି ଏକାଠି ହୋଇ ଏବେ ବହୁତ ଜିନିଷ ତିଆରି କରୁଛୁ। ବେତ ଓ ବାଉଁଶରେ ସବୁ ଘର ସାଜସଜ୍ଜା ସାମଗ୍ରୀ ତିଆରି କରୁଛୁ। ଏବେ ଅଧିକ ବାଉଁଶ କାମ ହେଉଛି। ପେନ ଷ୍ଟାଣ୍ଡ ପାଖରୁ ଆରମ୍ଭ କରି ବାଉଁଶରେ ଅଳଙ୍କାର ତିଆରି କରୁଛୁ। ଏସବୁ ସାମଗ୍ରୀ ନେଇ ଆମେ ମେଳା ମହୋତ୍ସବରେ ବିକ୍ରି କରି ଯାହା ପଇସା ମିଳୁଛି ଆମେ ସେଇଥିରେ ପରିବାର ପ୍ରତିପୋଷଣ କରି ପାରୁଛୁ। ଆମେ ଘରେ ବସିବା ଅପେକ୍ଷା ନିଜେ ସ୍ୱାବଲମ୍ବୀ ହୋଇ ପାରିଛୁ। ଚେଷ୍ଟା କରୁଛୁ ଆଗକୁ ଆହୁରି ଭଲ ଡିଜାଇନର ସାମଗ୍ରୀ ତିଆରି କରିବା ପାଇଁ।'

କାମ ବଢୁଛି, କିନ୍ତୁ ସେ ଅନୁସାରେ ବିକ୍ରି ହୋଇ ପାରୁନି

ମହିଳା ମାନଙ୍କ ପାଇଁ ସରୋଜିନୀ ଦାସରୁ ଦିଦି ସାଜିଥିବା ସରୋଜିନୀ ନିଜର କ୍ୟାରିଅର ଓ ଆଜିର ସମୟ ବିଷୟରେ ସୂଚନା ଦେଇ କହିଛନ୍ତି ଯେ," ମୁଁ ୩୫ ବର୍ଷ ହେଲାଣି ଏ କାମ କରୁଛି। ମୁଁ ଏଇଥିରେ ଭୁବନେଶ୍ୱରରେ କୋର୍ସ କରିବା ପରେ ଆଡ଼ଭାନ୍ସ କୋର୍ସ ତ୍ରିପୁରା ଓ ଡ଼ିଜାଇନିଂ କୋର୍ସ ଅହମଦବାଦରେ କରିଛି। ମୁଁ ଓଡିଶା ସରକାରଙ୍କର ଜଣେ ରାଜ୍ୟ ଆୱାଡି ଏବଂ ଡିଜାଇନର। ମୁଁ ୧୯୯୪ରୁ ଏହି କାମ ଆରମ୍ଭ କରିଥିଲି। ଯେବେ ମୁ ୨୦୧୦ରେ ଜାମୁଝାଡ଼ି ଆସିଲି ଏଠି କିଛି ମା' ମାନଙ୍କୁ ନେଇକି କାମ କରାଇଲି। ଯାହାକି ଆମକୁ ସରକାରଙ୍କ ତରଫରୁ ଏକ ତାଲିମ ଶିବିର ପାଇଁ ସୁଯୋଗ ମିଳିଥିଲା । ସେହି ତାଲିମ ମା' ମାନଙ୍କୁ ଦେଲା ପରେ ଧୀରେଧୀରେ ଅଧିକ ମହିଳା ଯୋଡି ହୋଇଗଲେ। ପ୍ରଥମେ ୧୫ ଜଣ ମହିଳା ତାଲିମ ନେଇଥିଲେ । ଏବେ ୬୦/୭୦ ଜଣ ଏଇଠି କାମ କରୁଛନ୍ତି । ଆହୁରି ଅନେକ ପିଲା ତାଲିମ ନେଇଛନ୍ତି। ଏଠି ଆମର ୧୫୦ରୁ ଉର୍ଦ୍ଧ୍ଵ ଡିଜାଇନ ତିଆରି କରାଯାଉଛି। ମେଳା ମହୋତ୍ସବରେ ଏ ସାମଗ୍ରୀ ବିକ୍ରି କରୁଛୁ । କିନ୍ତୁ ଯେତିକି ବିକ୍ରି କରିବା କଥା ଆମେ କରି ପାରୁନାହୁଁ। ବାଉଁଶରେ କାମ ହୋଇଥିବା ବେଳେ ଏହା ସମସ୍ତଙ୍କ ଦ୍ୱାରା ଆଦୃତ ହୋଇ ପାରୁନାହିଁ। ଏହାସହ ଆମର ମାର୍କେଟିଂ ଅଭାବ ରହୁଛି । ସବୁ ମେଳା ମହୋତ୍ସବ ଆମକୁ ମିଳୁନାହିଁ। ସରକାରଙ୍କୁ ଅନୁରୋଧ କରୁଛୁ, ଯଦି ମାର୍କେଟିଂ ସୁବିଧା ହୋଇ ପାରନ୍ତା ତା ହେଲେ ଆମେ ବହୁତ ଉପକୃତ ହୁଅନ୍ତୁ। ଆମେ କାମ କରୁଛୁ ସତ କିନ୍ତୁ ସ୍ୱଳ୍ପ ରୋଜଗାରରେ ମାଆ ମାନେ ଏଠି ଚଳୁଛନ୍ତି। ଆସ୍ତେ ଆସ୍ତେ ସଂଖ୍ୟା ବଢୁଛି, କାମ ବଢୁଛି କିନ୍ତୁ ସେହି ତୁଳନାରେ ବିକ୍ରି ହୋଇ ପାରୁନାହିଁ।"

ଇଟିଭି ଭାରତ, ବାଲେଶ୍ୱର

ଏହା ମଧ୍ୟ ପଢନ୍ତୁ ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା, ଓଡ଼ିଆ ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟରେ SOWW ପରିବାର

ଏହା ମଧ୍ୟ ପଢନ୍ତୁ ବିବାହ ହେଉ କି ରିସେପସନ, ଭଡାରେ ମିଳୁଛୁ ଓ୍ବେଡିଂ ଡ୍ରେସ୍‌; ନିବେଦିତାଙ୍କ ଏକ ଓର୍‌ ବାର୍‌ ଷ୍ଟୋର

Last Updated : February 10, 2026 at 1:29 PM IST