ETV Bharat / state

SAREX-2026: 'ସମୁଦ୍ରରେ ବିପଦ, ଆକାଶରୁ ଜୀବନରକ୍ଷା', ପାରାଦ୍ବୀପରେ କୋଷ୍ଟଗାର୍ଡର ସମନ୍ୱିତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏକ୍ସରସାଇଜ୍, ପ୍ରଶଂସା କଲେ ବିଶ୍ୱ ପ୍ରତିନିଧି

ଓଡ଼ିଶା ପାରାଦ୍ବୀପ ଉପକୂଳରେ ଭାରତୀୟ କୋଷ୍ଟ ଗାର୍ଡ (ICG) ଦ୍ୱାରା 12ତମ ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର ଅଭ୍ୟାସ(SAREX-2026) ଅନୁଷ୍ଠିତ ହୋଇଛି। ସ୍ପେଶାଲ ରିପୋର୍ଟ: ଭବାନୀ ଶଙ୍କର ଦାସ ଏବଂ ଗଗନ କୁମାର ଜେନା

Indian Coast Guard conducted the 12th National Maritime Search  Rescue Exercise SAREX 2026 off Paradip Odisha
ଭାରତର ସମନ୍ୱିତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଶକ୍ତିର ପ୍ରଦର୍ଶନ (ETV Bharat)
author img

By ETV Bharat Odisha Team

Published : October 9, 2026 at 4:52 PM IST

8 Min Read
Choose ETV Bharat

SAREX 2026

ଭୁବନେଶ୍ବର: 'ଅକାତକାତ ପାଣି, ଅଶାନ୍ତ ସମୁଦ୍ରର ନୀଳ ଜଳରାଶି, ହଠାତ୍ ମଝି ସମୁଦ୍ରରେ ଦୁର୍ଘଟଣାଗସ୍ତ ହେଲା ଯାତ୍ରୀବାହୀ ବିମାନ । ବିମାନରେ ଥିବା ଶତାଧିକ ଯାତ୍ରୀଙ୍କ ଜୀବନ ବର୍ତ୍ତମାନ ବିପଦରେ ପଡିଯାଇଛି । ଏହାର କିଛି ସମୟ ପରେ ନିକଟସ୍ଥ ଜାହାଜରେ ଧକ୍କା ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସମୁଦ୍ରରେ ଭାସୁଥିବା ଲାଇଫ୍ ରାଫ୍ଟରେ ଯାତ୍ରୀ ଅସହାୟ ହୋଇପଡ଼ିଛନ୍ତି । କେଉଁଠି ଗୁରୁତର ଆହତ ତ ଆଉ କେଉଁଠି ମେଡିକାଲ୍ ଇମର୍ଜେନ୍ସି । ସମୁଦ୍ରର ଅଥୟ ଜଳରାଶିରେ ଏକ ଅତ୍ୟନ୍ତ ଜଟିଳ ବହୁମୁଖୀ ବିପଦରେ ସାମୁଦ୍ରିକ ଦୁର୍ଘଟଣାର ଚିତ୍ର । '

ଏହା ସତ ଘଟଣା ନୁହେଁ, ବରଂ ଭାରତୀୟ ତଟରକ୍ଷୀ ବାହିନୀ(Indian Coast Guard) ନେତୃତ୍ୱରେ ଓଡ଼ିଶାର ପାରାଦୀପ ବନ୍ଦର ସମୁଦ୍ରରେ ଆୟୋଜିତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅଭ୍ୟାସର ଚିତ୍ର । ଏହା କେବଳ ଏକ ଉଦ୍ଧାର ଡ୍ରିଲ୍ ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତି, ଆକାଶ ଓ ସମୁଦ୍ର ମାର୍ଗରେ ତୁରନ୍ତ ପ୍ରତିକ୍ରିୟା, ମେଡିକାଲ୍ ଇଭାକ୍ୟୁଏସନ୍, ଅଗ୍ନି ନିର୍ବାପଣ, ଅଣ୍ଡରୱାଟର୍ ସର୍ଚ୍ଚ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟର ଏକ ସଜୀବ ପ୍ରଦର୍ଶନର ଏହି ଅଭ୍ୟାସ । ଏନେଇ ETV Bharatର ସ୍ୱତନ୍ତ୍ର ରିପୋର୍ଟ...

ସାରେକ୍ସ ୨୦୨୬ (ETV Bharat)

ମକ୍ ଡ୍ରିଲ୍‌ରେ ବଡ଼ ବିମାନ ଦୁର୍ଘଟଣାର ସିମୁଲେସନ୍:

ଅଭ୍ୟାସର ଚିତ୍ର ଅନୁସାରେ, ଫ୍ଲାଇଟ AX-472 ଏକ ନିୟମିତ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଯାହା 228 ଜଣଙ୍କୁ ନେଇ ଉଡ଼ୁଛି । ଏଥିରେ 214 ଜଣ ଯାତ୍ରୀ ଓ 14 ଜଣ ବିମାନ ସଦସ୍ୟ ରହିଛନ୍ତି । ଉଡ଼ାଣ ସମୟରେ ବିମାନଟିରେ ଭୟାବହ ଯାନ୍ତ୍ରିକ ସମସ୍ୟା ଦେଖାଦେଉଛି । ପରିସ୍ଥିତି ଏତେ ଗୁରୁତର ହେଉଛି ଯେ, ବିମାନକୁ ପାରାଦ୍ୱୀପ ବନ୍ଦର ନିକଟ ସମୁଦ୍ରରେ ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କରିବାକୁ ପଡ଼ୁଛି । ବିମାନରୁ ଜରୁରୀକାଳୀନ ବିପଦ ସଙ୍କେତ (MAYDAY call) ଯାଉଛି । ସାମୁଦ୍ରିକ ଉଦ୍ଧାର ସମନ୍ୱୟ ବ୍ୟବସ୍ଥା (Maritime Rescue Coordination System) ପାଖରେ ଏହା ପହଞ୍ଚୁଛି । ଏହାପରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ତୁରନ୍ତ ଆରମ୍ଭ ହେଉଛି ।

କିଛି ସମୟ ପରେ ଜଣାପଡ଼ୁଛି କିଛି ବଞ୍ଚିଥିବା ବ୍ୟକ୍ତି ଜୀବନରକ୍ଷକ ଜାକେଟ ପିନ୍ଧି ସମୁଦ୍ରରେ ଅଛନ୍ତି । ବିପଦ ସମୟରେ ଅବସ୍ଥାନ ସୂଚନା ପଠାଉଥିବା ଜରୁରୀକାଳୀନ ଯନ୍ତ୍ର (Emergency Locator Transmitter) ମଧ୍ୟ ସକ୍ରିୟ ହେଉଛି । ସୂଚନା ଆଧାରରେ, ଉଦ୍ଧାରକାରୀ ଟିମ୍‌ଗୁଡ଼ିକ ଦୁର୍ଘଟଣାସ୍ଥଳ ଚିହ୍ନଟ କରିବାରେ ଲାଗିଯାଆନ୍ତି । ଘଟଣାକୁ ଆହୁରି ଜଟିଳ କରିବା ପାଇଁ ଦୁର୍ଘଟଣାଗ୍ରସ୍ତ ବିମାନର ଅଂଶ ନିକଟରେ ଥିବା ଏକ କଣ୍ଟେନର ବୋଝେଇ ଜାହାଜ ସହ ଧକ୍କା ଖାଉଛି । ଫଳରେ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟୁଛି । ନିଆଁ ଜାହାଜର ଅନ୍ୟ ଅଂଶକୁ ବ୍ୟାପିବାର ଆଶଙ୍କା ରହୁଛି ।
SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ସାରେକ୍ସ ୨୦୨୬ (ETV Bharat)

ଏବେ ଉଦ୍ଧାର ଅଭିଯାନ ଦୁଇଟି ଭିନ୍ନ ଚ୍ୟାଲେଞ୍ଜରେ ବିଭକ୍ତ ହେଉଛି; ସମୁଦ୍ରରେ ଥିବା ବିମାନ ଯାତ୍ରୀଙ୍କୁ ଉଦ୍ଧାର ଓ କଣ୍ଟେନର ବୋଝେଇ ଜାହାଜରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ । ଜୀବନ ରକ୍ଷା ପାଇଁ ଜୀବନରକ୍ଷକ ଭେଳା (Lifesaving raft) ବ୍ୟବହାର ନିଖୋଜ ବ୍ୟକ୍ତିଙ୍କୁ ସମୁଦ୍ରରେ ସର୍ଚ୍ଚ ଅପରେସନ ସହ ଆବଶ୍ୟକ ହେଲା ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ଓ ସ୍ଥାନାନ୍ତରଣ । ଏହି ମଲ୍ଟି-ହାଜାର୍ଡ ପରିସ୍ଥିତିରେ ଗୋଟିଏ ସଂସ୍ଥା ଦ୍ୱାରା ଉଦ୍ଧାର ସମ୍ଭବ ନୁହେଁ । ସେଥିପାଇଁ ତଟରକ୍ଷୀ ବାହିନୀ, ନୌସେନା, ବାୟୁସେନା ଏବଂ ଅନ୍ୟାନ୍ୟ ସାମୁଦ୍ରିକ ସଂସ୍ଥାର ସମନ୍ୱୟକୁ ଅଭ୍ୟାସର କେନ୍ଦ୍ରବିନ୍ଦୁ କରାଯାଇଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ଅଭ୍ୟାସରେ କଣ ସାମିଲ ଥିଲା ? (ETV Bharat)
ବାୟୁସେନାର ସୁପର୍ ହର୍କ୍ୟୁଲିସର ନିଖୁଣ ପ୍ରଦର୍ଶନ:

ପାରାଦ୍ବୀପରେ SAREX-2026 ଆରମ୍ଭ ହେବା ସହିତ ଭାରତର ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର ପ୍ରସ୍ତୁତିର ଏକ ପ୍ରମୁଖ କାର୍ଯ୍ୟକ୍ଷମ ପରୀକ୍ଷଣ କରାଯାଇଛି । SAREX-26ର ଅନ୍ୟତମ ଆକର୍ଷଣ ହୋଇଛି ସୁପର୍ ହର୍କ୍ୟୁଲିସ୍ । ଉଦ୍ଧାର ପ୍ରଦର୍ଶନୀରେ ସାମିଲ ହୋଇଛି ଭାରତୀୟ ବାୟୁସେନାର ବିଶ୍ୱସ୍ତ ସାମରିକ ପରିବହନ ବିମାନ C-130J ସୁପର୍ ହର୍କ୍ୟୁଲିସ୍ । ଆକାଶ ମାର୍ଗରେ IAF C-130Jର ଅତ୍ୟନ୍ତ ନିଖୁଣ ପ୍ରଦର୍ଶନ କରିଛି । C-130J ସୁପର୍ ହର୍କ୍ୟୁଲିସ୍ ଦ୍ୱାରା ଜୀବନରକ୍ଷକ ଭେଳା ନିକ୍ଷେପଣର ପ୍ରଦର୍ଶନୀ ହୋଇଛି । ବିମାନ ଦୁର୍ଘଟଣା ପରେ ଜୀବିତ ଲୋକମାନେ ଯଦି ଦୂର ସମୁଦ୍ର ଅଞ୍ଚଳରେ ଭାସୁଥାନ୍ତି, ତେବେ ଜାହାଜ ପହଞ୍ଚିବାକୁ ସମୟ ଲାଗିପାରେ । ସେହି ସମୟରେ ବାୟୁସେନା ବିମାନରୁ ଜୀବନରକ୍ଷକ ଭେଳା ନିକ୍ଷେପଣ କରି ଜୀବିତ ଲୋକଙ୍କୁ ତୁରନ୍ତ ଆଶ୍ରୟ ଯୋଗାଇପାରିବ ।

କାର୍ଯ୍ୟରେ ଅତ୍ୟନ୍ତ ସଠିକତା ଆବଶ୍ୟକ:

ଦୁର୍ଘଟଣାସ୍ଥଳରୁ ଅଧିକ ଦୂରରେ ଜୀବନରକ୍ଷକ ଭେଳା ପଡ଼ିଲେ ଉଦ୍ଧାରକାରୀଙ୍କ ପାଇଁ ଅସୁବିଧା ହେବ । ପୁଣି ଅତ୍ୟଧିକ ନିକଟରେ ଡ୍ରପ କଲେ ଜୀବନ୍ତଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ । ତେଣୁ ଆକାଶରୁ ସଠିକ୍ ସ୍ଥାନରେ ଜୀବନରକ୍ଷକ ଭେଳା ନିକ୍ଷେପଣ କରିବା ନିଜେ ଏକ ବଡ଼ ସ୍କିଲ ।

ତଟ ରକ୍ଷା ବାହିନୀ ଓ ବାୟୁ ସେନା ସମୁଦ୍ରରୁ ଜୀବନ୍ତ ଉଦ୍ଧାର :

ଜୀବନ ରକ୍ଷାକାରୀ ଭେଳା ସମୁଦ୍ରରେ ପଡ଼ିବା ପରେ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଡଙ୍ଗା ତୀବ୍ର ଗତିରେ ଘଟଣାସ୍ଥଳକୁ ଯାଉଛନ୍ତି । ଉଚ୍ଚ ତରଙ୍ଗ, ଅସ୍ଥିର ସମୁଦ୍ର ଏବଂ ଅନିଶ୍ଚିତ ପାଣିପାଗ ମଧ୍ୟରେ ଉଦ୍ଧାରକାରୀମାନେ ଗୋଟିଏ ପରେ ଗୋଟିଏ ଜୀବନ୍ତ ଉଦ୍ଧାର ବ୍ୟକ୍ତିଙ୍କୁ ଭେଳାରୁ ଉଦ୍ଧାର ନୌଯାନକୁ ସ୍ଥାନାନ୍ତର କରୁଛନ୍ତି । ଏହାପରେ ଆହତମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ସାରେକ୍ସ ୨୦୨୬ (ETV Bharat)
ସମୁଦ୍ରରେ ଆଖି ସାଜିଛି Dornier ବିମାନ :

ଭାରତୀୟ ତଟରକ୍ଷୀ ବାହିନୀର Dornier aircraft ବା ସାମୁଦ୍ରିକ ନିରୀକ୍ଷଣ ଓ ଉଦ୍ଧାରକାରୀ ବିମାନ ଅପରେସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଦୀର୍ଘ ସମୟ ସମୁଦ୍ର ଉପରେ ନଜର କରିପାରେ । ଅତ୍ୟାଧୁନିକ ସେନ୍ସର୍ ଓ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ଦୂର ସମୁଦ୍ର ଅଞ୍ଚଳରେ ଜାହାଜ, ଜୀବିତ ବ୍ୟକ୍ତି କିମ୍ବା ଅନ୍ୟ ବସ୍ତୁକୁ ଚିହ୍ନଟ କରିପାରେ । ସାମୁଦ୍ରିକ ନିରୀକ୍ଷଣ, ଉପକୂଳ ସୁରକ୍ଷା, ସାମୁଦ୍ରିକ ପ୍ରଦୂଷଣ ଉପରେ ନଜର ରଖିବା ଏବଂ ମତ୍ସ୍ୟ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ରହିଛି ।

ଜଳରାଶି ଭିତରେ ଲୋକଙ୍କୁ ଖୋଜୁଛି ଭାରତ ନିର୍ମିତ ROV :

SAREX-26ରେ ଆଉ ଏକ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରଦର୍ଶନ ହୋଇଛି ଦୂର ନିୟନ୍ତ୍ରିତ ଯାନ (Remotely Operated Vehicle (ROV)) । ଭାରତର ନିଜସ୍ଵ ଜ୍ଞାନ କୌଶଳରେ ଏହା ପ୍ରସ୍ତୁତ ହୋଇଛି । ଯାହାକୁ ସମୁଦ୍ର ଉପରୁ ଜଣେ ଅପରେଟର୍ ଦୂରନିୟନ୍ତ୍ରଣ ବ୍ୟବସ୍ଥା ମାଧ୍ୟମରେ ପରିଚାଳନା କରିପାରନ୍ତି । ଏଥିରେ ଅଣ୍ଡରୱାଟର କ୍ୟାମେରା, ବିଭିନ୍ନ ସେନ୍ସର୍, ଆଲୋକ ବ୍ୟବସ୍ଥା ଏବଂ ରୋବୋଟିକ୍ ଆର୍ମ ଭଳି ଅତ୍ୟାଧୁନିକ ଉପକରଣ ରହିଥାଏ । ଏହା ସମୁଦ୍ରର ଗଭୀରତାରେ ଖୋଜାଖୋଜି କରିବା, ନିରୀକ୍ଷଣ, ଉଦ୍ଧାର ଏବଂ ବିଭିନ୍ନ ଅଣ୍ଡରୱାଟର କାର୍ଯ୍ୟରେ ସହାୟତା ଦେଉଛି । ସମୁଦ୍ର ତଳେ ନିଖୋଜ ବ୍ୟକ୍ତି କିମ୍ବା ବସ୍ତୁର ସନ୍ଧାନ କରିବାରେ ଏହି ଯାନ ସହାୟକ ହେବ । ଏହାଦ୍ୱାରା ଭାରତୀୟ ତଟରକ୍ଷୀ ବାହିନୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ସମୟ କମାଯାଇପାରିବ । ଏଥିରେ ଥିବା ରୋବୋଟିକ୍ ଆର୍ମ ସହାୟତାରେ ସମୁଦ୍ର ତଳୁ ବିଭିନ୍ନ ବସ୍ତୁ ଉଦ୍ଧାର କରିବା ଭଳି ଅଣ୍ଡରୱାଟର ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇପାରିବ ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ସାରେକ୍ସ ୨୦୨୬ (ETV Bharat)
ହେଲିକପ୍ଟର ଉଦ୍ଧାର: ବାସ୍କେଟ୍ ରେସ୍କ୍ୟୁରୁ ୱେଟ୍ ୱିଞ୍ଚିଂ:

ସମୁଦ୍ରରେ ଗୁରୁତର ଆହତ ହୋଇଥିବା କିମ୍ବା ଏକାକୀ ଅଟକି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାରକାରୀ ଡଙ୍ଗା ମାଧ୍ୟମରେ ସବୁବେଳେ ଉଦ୍ଧାର କରିବା ସମ୍ଭବ ହୁଏ ନାହିଁ । ବିଶେଷକରି ସମୁଦ୍ରରେ ଉଚ୍ଚ ଜୁଆର ଓ ବଡ଼ ବଡ଼ ଢେଉ ଥିବା ସମୟରେ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ, ଜୀବନ ରକ୍ଷା କରିବାରେ ନିର୍ଣ୍ଣାୟକ ହୋଇଥାଏ । SAREX-2026ରେ ହେଲିକପ୍ଟର ମାଧ୍ୟମରେ ବାସ୍କେଟ୍ ରେସ୍କ୍ୟୁ ଏବଂ ୱେଟ୍ ୱିଞ୍ଚିଂ ପ୍ରକ୍ରିୟାର ପ୍ରଦର୍ଶନ ହୋଇଛି । ବାସ୍କେଟ୍ ରେସ୍କ୍ୟୁରେ ଏକ ସ୍ୱତନ୍ତ୍ର ଉଦ୍ଧାର ବାସ୍କେଟ୍ ସହାୟତାରେ ବିପଦରେ ଥିବା ବ୍ୟକ୍ତିଙ୍କୁ ହେଲିକପ୍ଟର ଭିତରକୁ ଉଠାଯାଏ । ଅନ୍ୟପକ୍ଷରେ, ୱେଟ୍ ୱିଞ୍ଚିଂ ପ୍ରକ୍ରିୟାରେ ପାଣିରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାରକାରୀ କର୍ମଚାରୀଙ୍କ ସହାୟତାରେ ହେଲିକପ୍ଟରର ୱିଞ୍ଚ୍ ଯନ୍ତ୍ର ଦ୍ୱାରା ଉପରକୁ ଉଠାଯାଏ ।

ବିଭିନ୍ନ ଦୁର୍ଘଟଣା ପାଇଁ ଭିନ୍ନ ରଣନୀତି :
SAREX-2026ରେ କେବଳ ଗୋଟିଏ ଦୁର୍ଘଟଣା ନୁହେଁ, ବରଂ ବିଭିନ୍ନ ପ୍ରକାର ସାମୁଦ୍ରିକ ଜରୁରୀ ପରିସ୍ଥିତି ଏବଂ ପୂର୍ବରୁ କରାଯାଇଥିବା ଉଦ୍ଧାର ଅଭିଯାନର ଉଦାହରଣ ଓ ଅନୁଭୂତିକୁ ସାମିଲ କରାଯାଇଛି । ସମୁଦ୍ରରେ ଜାହାଜ ନିଖୋଜ ହେବା କିମ୍ବା ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟସ୍ଥଳରେ ନ ପହଞ୍ଚିବା, ଡୁବିଯାଉଥିବା ଜାହାଜ, ମାଛଧରା ଡଙ୍ଗାରେ ଜରୁରୀ ପରିସ୍ଥିତି, ଜାହାଜରେ ଗୁରୁତର ଅସୁସ୍ଥତା, କଣ୍ଟେନର ଜାହାଜରେ ଅଗ୍ନିକାଣ୍ଡ ଏବଂ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ବ୍ୟକ୍ତିଙ୍କୁ ଖୋଜିବା ଓ ଉଦ୍ଧାର କରିବା ଭଳି ଘଟଣାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ସମୁଦ୍ରରେ ବିପଦରେ ପଡ଼ିଥିବା ମାଛଧରାଳି, ଜାହାଜରେ ଅଟକି ରହିଥିବା କର୍ମଚାରୀ ଏବଂ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ତ୍ୱରିତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରାଯାଇଛି, ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ପାଞ୍ଚ ଦଶନ୍ଧି ମଧ୍ୟରେ ICGର ଉଲ୍ଲଖନୀୟ କାର୍ଯ୍ୟ (ETV Bharat)
ମୁମ୍ବାଇରେ ଅବସ୍ଥାପିତ ଆସିଷ୍ଟାଣ୍ଟ କମିଶନର କଷ୍ଟମ୍ସ କହିଛନ୍ତି, "ସର୍ଚ୍ଚ ଆଣ୍ଡ ରେକ୍ୟୁ ଅପରେସନ ସମୟରେ ଉପସ୍ଥିତ ଥିଲୁ । ସବୁ ବିଭାଗର ସମନ୍ୱୟରେ ଏଭଳି ଜଟିଳ କାର୍ଯ୍ୟ ହୁଏ । କୋଷ୍ଟ ଗାର୍ଡ ତରଫରୁ ସୁନ୍ଦର ବ୍ୟବସ୍ଥା ହୋଇଛି । ସମୁଦ୍ର ଭିତରରେ କୌଣସି ଦୁର୍ଘଟଣା ଘଟିଲେ, ତାହାକୁ ପ୍ରତିହତ କରିବା ପାଇଁ ସକ୍ଷମ । ଆଗକୁ ଆହୁରି ଉନ୍ନତ ପଦକ୍ଷେପ ନିଆଯିବ । ସାରା ବିଶ୍ୱ ଆମ ଶକ୍ତି ଦେଖୁଛି । ଭାରତର ନିଜସ୍ଵ ଜ୍ଞାନ କୌଶଳର ପ୍ରଶଂସା ସମସ୍ତେ କରୁଛନ୍ତି ।"
SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ସାରେକ୍ସ ୨୦୨୬ (ETV Bharat)

ଗୋଟିଏ ଟିମ୍, ଅନେକ ସଂସ୍ଥା :

ସମୁଦ୍ରରେ ଜୀବନ ବଞ୍ଚାଇବା କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ । ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା, ଭାରତୀୟ ବାୟୁସେନା, ସାମୁଦ୍ରିକ ପୋଲିସ, ବନ୍ଦର କର୍ତ୍ତୃପକ୍ଷ, ଜାହାଜ ଚଳାଚଳ ସଂସ୍ଥା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ତୁରନ୍ତ ସମନ୍ୱୟ ହିଁ ବଡ଼ ସାମୁଦ୍ରିକ ବିପର୍ଯ୍ୟୟ ସମୟରେ ଅନେକ ଜୀବନ ବଞ୍ଚାଇପାରିବ । ବିପଦ ସଙ୍କେତ ବା ‘ମେଡେ କଲ୍’ (MAYDAY Call) ପହଞ୍ଚିବାଠାରୁ ଆରମ୍ଭ କରି ବିପଦରେ ଥିବା ଲୋକଙ୍କୁ ଠାବ କରିବା, ଲାଇଫ୍ ରାଫ୍ଟ ପହଞ୍ଚାଇବା, ଉଦ୍ଧାରକାରୀ ଡଙ୍ଗା ପଠାଇବା, ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବା, ଚିକିତ୍ସା ସହାୟତା ଯୋଗାଇବା ଏବଂ ଆବଶ୍ୟକ ସ୍ଥଳେ ଜଳ ଭିତରେ ଖୋଜାଖୋଜି କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଓ ସମନ୍ୱୟ ହିଁ ସବୁଠାରୁ ବଡ଼ ଅସ୍ତ୍ର । SAREX-୨୬ରେ ବିଭିନ୍ନ ସଂସ୍ଥା ମଧ୍ୟରେ ଏହି ସମନ୍ୱୟ ଓ ମିଳିତ କାର୍ଯ୍ୟଦକ୍ଷତାକୁ ବ୍ୟବହାରିକ ଭାବେ ପରୀକ୍ଷା କରାଯାଉଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
SAREX-2026 ଯୋଗ ଦେଇଥିବା ବିଭିନ୍ନ ଦେଶର ପ୍ରତିନିଧି (ETV Bharat)

ଜାପାନ କୋଷ୍ଟ ଗାର୍ଡ ପ୍ରତିନିଧି ଭାରତର କୋଷ୍ଟ ଗାର୍ଡ ସମନ୍ୱୟର ପ୍ରଶଂସକ ସାଜିଛନ୍ତି । ସେ କହିଛନ୍ତି, "ଜାପନ କୋଷ୍ଟ ଗାର୍ଡର ବହୁ ଜିନିଷ ଅଛି । କିନ୍ତୁ ଭାରତୀୟ କୋଷ୍ଟ ଗାର୍ଡର ଅତ୍ୟନ୍ତ ଉଚ୍ଚକୋଟୀର ବିଶେଷଜ୍ଞତା ରହିଛି । ସାମୁଦ୍ରିକ ସମନ୍ୱୟ କ୍ଷେତ୍ରରେ ଭାରତ ବହୁତ ଆଗରେ ରହିଛି । ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ଉଚ୍ଚକୋଟୀର ଦକ୍ଷତା ଓ ବିଶେଷଜ୍ଞତା ପ୍ରଦର୍ଶନ କରୁଛି । ସମୁଦ୍ରରେ ଭାରତୀୟ ସଂସ୍ଥାମାନଙ୍କ ସମନ୍ୱୟର ନମୁନା ଦେଖିଲୁ । କୋଷ୍ଟ ଗାର୍ଡ ସହ ନୌସେନା, ବାୟୁସେନାର ସମନ୍ୱୟରେ ଆୟୋଜିତ କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ବିଶ୍ଵରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଆଗାମୀ ଦିନରେ ଭାରତୀୟ କୋଷ୍ଟଗାର୍ଡ ସହ ଜାପାନ ମିଳିତ ଅଭ୍ୟାସ କରିବାର ଯୋଜନା ରଖିଛି ।"

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
SAREX-2026 କ'ଣ (ETV Bharat)


SAREX-26 କ’ଣ ଏବଂ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଭାରତ ଅନ୍ତର୍ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ସମ୍ମିଳନୀ 1979ର ସଦସ୍ୟ ରାଷ୍ଟ୍ର । ଭାରତ ଏହି ଅନ୍ତର୍ଜାତୀୟ ଚୁକ୍ତିକୁ 2001 ମସିହାରେ ଅନୁମୋଦନ କରିଥିଲା । ଭାରତୀୟ ତଟରକ୍ଷୀ ବାହିନୀ ଦେଶର ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ବ୍ୟବସ୍ଥାରେ ମୁଖ୍ୟ ସମନ୍ୱୟକାରୀ ଭୂମିକା ଗ୍ରହଣ କରିଥାଏ। ଭାରତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଞ୍ଚଳ ବା ISRRକୁ ତିନୋଟି ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର ବା MRCC ମୁମ୍ବାଇ, ଚେନ୍ନାଇ ଓ ପୋର୍ଟ ବ୍ଲେୟାର ମାଧ୍ୟମରେ ପରିଚାଳନା କରାଯାଏ । ଏହା ଅଧୀନରେ 42ଟି ସାମୁଦ୍ରିକ ଉଦ୍ଧାର ଉପକେନ୍ଦ୍ର (Maritime Rescue Sub-Centre) ରହିଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ପାରାଦ୍ବୀପରେ SAREX-2026 (ETV Bharat)

ସମୁଦ୍ରରେ କୌଣସି ଜାହାଜ ନିଖୋଜ ହେଲେ, ଦୁର୍ଘଟଣାର ସୂଚନା ମିଳିଲେ କିମ୍ବା କୌଣସି ଜାହାଜରୁ MAYDAY କଲ୍ ଆସିଲେ, ଏହି ସମଗ୍ର ବ୍ୟବସ୍ଥା ତୁରନ୍ତ ସକ୍ରିୟ ହୁଏ । ଭାରତୀୟ ତଟରକ୍ଷୀ ବାହିନୀ ଭାରତୀୟ ସମୁଦ୍ର ଖୋଜା ଓ ଉଦ୍ଧାର (SAR) କମ୍ପ୍ୟୁଟରୀକୃତ ଜାହାଜ ରିପୋର୍ଟିଂ ବ୍ୟବସ୍ଥା ବ୍ୟବହାର କରୁଛି । 2003 ମସିହାରୁ ଚାଲିଥିବା ଏହି ବ୍ୟବସ୍ଥା ଜରୁରୀ ପରିସ୍ଥିତିରେ ସବୁଠାରୁ ଉପଯୁକ୍ତ ଜାହାଜକୁ ଘଟଣାସ୍ଥଳକୁ ପଠାଇବା ସହ ନିର୍ଦ୍ଦିଷ୍ଟ ଜାହାଜର ଗତିବିଧି ଉପରେ ନଜର ରଖିବାରେ ସହାୟକ ହୁଏ ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ପାରାଦ୍ବୀପରେ SAREX-2026 (ETV Bharat)


ସମନ୍ୱିତ କାର୍ଯ୍ୟକ୍ଷମତା ପ୍ରଦର୍ଶନ:

ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ (SAREX-2026) ହେଉଛି ଭାରତର ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କ୍ଷମତା ପରୀକ୍ଷା ଏବଂ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ଆୟୋଜିତ ଏକ ଜାତୀୟସ୍ତରୀୟ ଅଭ୍ୟାସ । SAREX-26ର ଚଳିତବର୍ଷ ମୁଖ୍ୟ ଥିମ୍ ହେଉଛି 'Leveraging Technology to Strengthen SAR Preparedness and Maritime Safety' । ଅର୍ଥାତ ପାରମ୍ପରିକ ଉଦ୍ଧାର ପ୍ରଣାଳୀ ସହ ନୂଆ ପ୍ରଯୁକ୍ତିକୁ ଯୋଡ଼ି ସମୁଦ୍ରରେ ଦୁର୍ଘଟଣା ସମୟରେ ପ୍ରତିକ୍ରିୟାକୁ ଅଧିକ ଦ୍ରୁତ, ସଠିକ୍ ଓ ପ୍ରଭାବଶାଳୀ କରିବା । ଏହି ଅଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ ସହ ଭାରତୀୟ ନୌସେନା, ଭାରତୀୟ ବାୟୁସେନା ଏବଂ ବିଭିନ୍ନ ସାମୁଦ୍ରିକ ଏଜେନ୍ସିର ସମନ୍ୱିତ କାର୍ଯ୍ୟକ୍ଷମତାକୁ ପ୍ରଦର୍ଶନ କରାଯାଇଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
SAREX-2026 ଯୋଗ ଦେଇଥିବା ବିଭିନ୍ନ ଦେଶର ପ୍ରତିନିଧି (ETV Bharat)

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଅଭ୍ୟାସରେ ୧୫ଟି ତଟରକ୍ଷୀ ଜାହାଜ, ୩ଟି ଡୋର୍ନିଅର୍ ବିମାନ, ୩ଟି ALH ହେଲିକପ୍ଟର, ଗୋଟିଏ ଚେତକ ହେଲିକପ୍ଟର ସାମିଲ ହୋଇଥିଲେ। ସେହିପରି ଭାରତୀୟ ବାୟୁସେନାର C-130J ଓ Mi-17 ବିମାନ, ଭାରତୀୟ ନୌସେନାର ୨ଟି ଜାହାଜ, ବେସାମରିକ ଓ ରାଜ୍ୟ ସରକାରଙ୍କ ସମ୍ବଳ ଏବଂ ସ୍ଥଳଭାଗରେ ଥିବା ବିଭିନ୍ନ ସହାୟକ ୟୁନିଟ୍‌କୁ ମୁତୟନ କରାଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ବାୟୁସେନା, ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିପିଂ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ମେରାଇନ୍ ପୋଲିସ୍, ପାରାଦ୍ୱୀପ ପୋର୍ଟ ଅଥୋରିଟି ଏବଂ ଓଡ଼ିଶା ରାଜ୍ୟ ପ୍ରଶାସନ ଅଂଶଗ୍ରହଣ କରିଛନ୍ତି । ୩୦ଟି ଦେଶର ୩୨ ଜଣ ପର୍ଯ୍ୟବେକ୍ଷକ ମଧ୍ୟ ଏହି ଅଭ୍ୟାସରେ ଯୋଗ ଦେଇଛନ୍ତି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ପାରାଦ୍ବୀପରେ SAREX-2026 (ETV Bharat)
ପ୍ରସଂଶା କଲେ ବାଂଲାଦେଶ ପ୍ରତିନିଧି:

ବାଂଲାଦେଶ ପ୍ରତିନିଧି ଆରିଫ କରିଛନ୍ତି, "ଭାରତୀୟ କୋଷ୍ଟ ଗାର୍ଡର ପ୍ରଦର୍ଶନ ପ୍ରଭାବିତ କରିଛି । ସୁନ୍ଦର ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଛି । ଅଭ୍ୟାସରେ ଭାରତର ସାମୁଦ୍ରିକ ଉଦ୍ଧାର କ୍ଷମତାକୁ ପ୍ରଦର୍ଶିତ କରିଛି । ଯାହା ବାଂଲାଦେଶ ତୁଳନାରେ 4 ଗୁଣା ଅଧିକ । କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ରହିଛି । ପଡ଼ୋଶୀ ଦେଶକୁ ମଧ୍ୟ ଏହାର ଫାଇଦା ମିଳିବ ।"

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ସାରେକ୍ସ ୨୦୨୬ (ETV Bharat)

ଗତ ପାଞ୍ଚ ଦଶନ୍ଧି(50 ବର୍ଷ) ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ୪,୩୯୦ଟି ସନ୍ଧାନ ଓ ଉଦ୍ଧାର ଅଭିଯାନ ପରିଚାଳନା କରି ୧୧,୮୯୭ ଜଣଙ୍କ ଜୀବନ ରକ୍ଷା କରିଛି । ୫୩୦ଟି ମେଡିକାଲ୍ ଇଭାକ୍ୟୁଏସନ୍ ବା ଚିକିତ୍ସାଜନିତ ସ୍ଥାନାନ୍ତରଣରେ ସହାୟତା କରିଛି । ଏହି ନିରନ୍ତର ପ୍ରୟାସ ସାମୁଦ୍ରିକ ନିରାପତ୍ତା ପ୍ରତି ଭାରତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହିତ ବିଶ୍ୱସ୍ତରୀୟ ଭାବେ ସଂଯୋଜିତ ସନ୍ଧାନ ଓ ଉଦ୍ଧାର ନେଟୱର୍କ ଗଠନରେ ଭାରତର ନେତୃତ୍ୱକୁ ମଧ୍ୟ ପ୍ରକାଶ କରୁଛି ।

SAREX 2026 Indian coast guard Showcases Integrated Search and Rescue Capabilities in Paradip Odisha
ସାରେକ୍ସ ୨୦୨୬ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ପାରାଦ୍ବୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ବିଶାଳ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ
ପାରାଦ୍ବୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ସାମୁଦ୍ରିକ ସର୍ଚ୍ଚ ଓ ରେସ୍କ୍ୟୁ ଅଭ୍ୟାସ

ଇଟିଭି ଭାରତ, ଭୁବନେଶ୍ବର