ETV Bharat / state

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି; ଔଷଧୀୟ ଗୁଣ ଓ ପୌଷ୍ଟିକ ତତ୍ତ୍ୱରେ ଭରପୁର ଦେଶୀ ଧାନ, ବଡ଼ ବଡ଼ ରୋଗର ସାଜିବ ନିଦାନ

ଦେଶୀ ଧାନରେ ରହିଛି ଚମତ୍କାର ଔଷଧୀୟ ଗୁଣ ସହ ଅତିବାଇଗଣୀ ରଶ୍ମି ପ୍ରତିରୋଧକ ଶକ୍ତି । 200 ପ୍ରଜାତିର ଧାନ ନେଇ ଗବେଷଣା କରୁଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ ।

NATIVE RICE PADDY SEED RESEARCH
200 ପ୍ରଜାତିର ଦେଶୀ ଧାନ ଉପରେ ଗବେଷଣା (ETV Bharat Odisha)
author img

By ETV Bharat Odisha Team

Published : January 7, 2026 at 11:42 PM IST

5 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ- ବାଦଶାହ ଜୁସ୍ମନ ରଣା

ସମ୍ବଲପୁର: ବର୍ତ୍ତମାନ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ଜୈବିକ କୃଷି ଉପରେ ଜୋର ଦିଆଯାଉଛି l ଏହାର କାରଣ ହେଉଛି ରାସାୟନିକ ସାର ପ୍ରୟୋଗରେ ଉତ୍ପାଦିତ ଶସ୍ୟ ସମସ୍ତଙ୍କ ପାଇଁ କ୍ଷତିକାରଣ ସାବ୍ୟସ୍ତ ହେଉଛି । ଏପରିକି ଧାନରେ ଅତ୍ୟଧିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି l ଆମ ରାଜ୍ୟରେ ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲାକୁ ଭାତହାଣ୍ଡି କୁହାଯାଏ । ତେବେ ରାଜ୍ୟର ସର୍ବାଧିକ କ୍ୟାନ୍ସର ରୋଗୀ ଏହି ଜିଲ୍ଲାରୁ ଚିହ୍ନଟ ହେବା ପରେ ଏହାକୁ ଉଦାହରଣ ଦେଇ କେତେକ ସଚେତନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାମାଜିକ ଅନୁଷ୍ଠାନ ପର୍ଯ୍ୟନ୍ତ ଜୈବିକ କୃଷି ଉପରେ ମନୋନିବେଶ ଦେବାକୁ ଚାଷୀଙ୍କୁ କହୁଛନ୍ତି l

ଏପଟେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇଫ ସାଇନ୍ସ ବିଭାଗ ଅନେକ ଦେଶୀ ଧାନ ଉପରେ ଗବେଷଣା ଆରମ୍ଭ କରିଛି । କାରଣ ଏଥିରେ ମଧୁମେହ ରୋଗ ପ୍ରତିରୋଧକ ଶକ୍ତି ରହୁଥିବା ବେଳେ କେତେକ ଦେଶୀ ଧାନରେ ଅତି ବାଇଗଣୀ ରଶ୍ମି ପ୍ରତିରୋଧକ ଶକ୍ତି ରହିଛି ବୋଲି ପ୍ରାଥମିକ ଗବେଷଣାରୁ ଜଣାପଡିଛି । ଅନ୍ୟପଟେ କେତେକ ଚାଷୀ ନିଜର ଅଭିଜ୍ଞତାରୁ ଜୈବିକ ପଦ୍ଧତିରେ ଦେଶୀ ପ୍ରଜାତିର ଧାନ ଚାଷ କରି ନିଜେ ଏହାକୁ ବ୍ୟବହାର କରି ନିରୋଗ ରହୁଥିବା କହୁଛନ୍ତି l ତେବେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟ ଏବେ ଶ୍ରୀମନ୍ଦିରରେ ଭୋଗ ପାଇଁ ଜୈବିକ ଧାନ ଚାଷ କରୁଥିବା ଚାଷୀଙ୍କ ସହ ଚୁକ୍ତିନାମା କରି ସାରିଛନ୍ତି l

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)

200 ପ୍ରଜାତିର ଦେଶୀ ଧାନ ଉପରେ ଗବେଷଣା-

ଏଭଳି ପରିସ୍ଥିତିରେ ବର୍ତମାନ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇଫ ସାଇନ୍ସ ବିଭାଗ 200 ପ୍ରଜାତିର ଦେଶୀ ଧାନ ଉପରେ ଗବେଷଣା ଆରମ୍ଭ କରିଛି l ଜୀବ ବିଜ୍ଞାନ ବିଭାଗର ପ୍ରଫେସର ଏକାମ୍ବର କରିଆଲିଙ୍କ ତତ୍ୱାବଧାନରେ ଏଠାରେ 200 ପ୍ରଜାତିର ଦେଶୀ ଧାନର ଗୁଣବତ୍ତା, ଯେପରିକି ଔଷଧୀୟ ଗୁଣ ସହ ଏହାର ଭିନ୍ନ ଭିନ୍ନ ଉପାଦେୟତା ଉପରେ ଗବେଷଣା କରାଯାଉଛି l ପ୍ରାଥମିକ ଗବେଷଣାରୁ ଦେଶୀ ଧାନରେ ଚମତ୍କାର ଗୁଣ ଥିବାର ଜଣାପଡିଛି l ଗବେଷଣାରୁ ଜଣା ପଡିଛି ଯେ କେତେକ ଦେଶୀ ଧାନରେ ମଧୁମେହ ରୋଗ ପ୍ରତିରୋଧକ ଶକ୍ତି ରହୁଥିବା ବେଳେ କେତେକ ଦେଶୀ ଧାନରେ ଅତି ବାଇଗଣୀ ରଶ୍ମି ପ୍ରତିରୋଧକ ଶକ୍ତି ରହିଛି l ଏହା ସହ କେତେକ ଧାନ ବାତ୍ୟା ଭଳି ପରିସ୍ଥିତିରେ ମଧ୍ୟ ମରିବ ନାହିଁ କି ଗଜା ହେବ ନାହିଁ l

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)

ଲୋକେ ଦେଶୀ ଧାନ ଭାତ ଖାଇଲେ ମଧୁମେହ ନିୟନ୍ତ୍ରଣ ହେବ-

ସମ୍ବଲପୁର ଜୀବ ବିଜ୍ଞାନ ବିଭାଗର ପିଏଚଡି ଛାତ୍ରୀ ଶିବାନୀ ବେହେରା କୁହନ୍ତି, "ମୁଁ ଏଠାରେ Glycemic index ଓ ଆଣ୍ଟି ଡାଇବେଟିସ ଉପରେ ରିସର୍ଚ୍ଚ କରୁଛି l ତ ଆମ ପାଖରେ କେତେକ ଦେଶୀ ପ୍ରଜାତିର ଧାନ ରହିଛି ସେଥିରେ Amylose ର ପରିମାଣ ହାଇବ୍ରିଡ଼ ଧାନ ଅପେକ୍ଷା ଅଧିକ ପରିମାଣ ରେ ରହୁଛି l ଆଉ ପୂର୍ବରୁ ଗବେଷଣାରୁ ଜଣାପଡିଛି ଯେଉଁ ଥିରେ Amylose ନାମକ ଷ୍ଟାର୍ଚ୍ଚର ପରିମାଣ ଅଧିକ ରହେ ତାହା glycemic index କୁ ନିୟନ୍ତ୍ରଣ କରି ରକ୍ତରେ ସାର୍କରା ର ପରିମାଣକୁ କମ ରଖିଥାଏ l ତେଣୁ ଲୋକେ ଦେଶୀ ଧାନର ଭାତ ଖାଇଲେ ଏହା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହେବ, ଏନେଇ ଆମେ ଗବେଷଣା ଜାରି ରଖିଛୁ l ଏମିତି ଦେଶୀ ଧାନ ହେଉଛି ବାହାଲ ଗୁଡା, ବେରନା ଗୁଡା, ଝୁମେର, ଲାଲ ଗୁରି, ଲାଲ ମଣି, ଖଲିଆ, ଖଫସୀ, ସୁରସୋ ଫୁଲ, ମାଗୁର ଭଳି ଦେଶୀ ଧାନ l"

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ (ETV Bharat Odisha)


ଶିବାନୀ ଆହୁରି କହିଛନ୍ତି ଯେ ଏମିତି କିଛି ଦେଶୀ ପ୍ରଜାତିର ଧାନ ରହିଛି ଯାହାର ଉତ୍ପାଦିତ ଧାନକୁ କଟିଲା ପରେ ସେଥିରେ 2 ରୁ 3 ମାସ ଭିତରେ ପୁଣି ଥରେ ଧାନ ଫଳିଥାଏ, ତଥା କେତେକ ଧାନ ଗଛ ପାଣି ଭିତରେ ଚାଷ ହୋଇଥାଏ ଯାହାର ଉଚ୍ଚତା 6 ରୁ 7 ଫୁଟ ପର୍ଯ୍ୟନ୍ତ ମଧ୍ୟ ରହିଥାଏ l ଏହିଭଳି ଧାନ ହେଉଛି ଲହ ଧାନ, ବୁଡି ଧାନ, ଗୁଡ଼ିଆ ଧାନ ଓ ଲହ ଡ଼ୁମେର ଧାନ l

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)

କଳା ଧାନରେ ଅତି ବାଇଗଣୀ ରଶ୍ମି ପ୍ରତିରୋଧକ ଶକ୍ତି ରହିଛି-


ଅନ୍ୟ ଜଣେ ପିଏଚଡି ଛାତ୍ର ପ୍ରିତମ କୁମାର ସେନାପତି କୁହନ୍ତି, "ମୁଁ ଏଠାରେ ୟୁଭି ରେଡ଼ିଏସନ ଉପରେ ଗବେଷଣା କରୁଛି l ଆମେ ଗବେଷଣା ରୁ ଯାହା ଜାଣିଲୁ ଯେଉଁ ସବୁ କଳା ଧାନ ରହିଛି ଯେପରିକି କଳାବତୀ, କଳାଜିରା, କଳା ନାଗୀନ, ଧୋବ ଜିରା, କଲାସୁ, ଲାଲ କଇଁ ଓ ମେଘ ଡମ୍ବରୁ ଆଦି ଧାନରେ ଅତି ବାଇଗଣୀ ରଶ୍ମି ପ୍ରତିରୋଧକ ଶକ୍ତି ରହିଛି l ଏହା ସହ ଏହି ପ୍ରଜାତିର ଧାନର ଶହେ ଗ୍ରାମରେ ଥିବା ଆଣ୍ଟିଆକ୍ସିଡେଣ୍ଟ 2 ଟି ସେଓରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ସହ ସମାନ ଅଟେ l ତେଣୁ ଏଥିରେ ବହୁତ ରୋଗ ପ୍ରତିରଧକ ଶକ୍ତି ରହିଛି l ମୁଖ୍ୟତଃ ଏହି ଧାନ ଗୁଡିକରେ ମେଳାଟୋନିନ ପ୍ରଚୁର ମାତ୍ରା ରେ ରହୁଛି ଯାହା ଅତି ବାଇଗଣୀ ରଶ୍ମିକୁ ପ୍ରତିରୋଧ କରିଥାଏ l"

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)



ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ହେଇଥିବା ଏହି ଗବେଷଣାକୁ OUAT, ଚିପିଳିମା, NIT, ରାଉରକେଲା ଓ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ସହଯୋଗ କରୁଛନ୍ତି ବୋଲି ପ୍ରଫେସର ଏକାମ୍ବର କରିଆଲି କୁହନ୍ତି l ସେ ଏହି ଦେଶୀ ଧାନର ଔଷଧୀୟ ଗୁଣ ଉପରେ ଗବେଷଣା ନେଇ କହିଛନ୍ତି, "ଧାନ ହେଉଛି ଆମ ଦେଶର ପ୍ରମୁଖ ଖାଦ୍ୟ ଶସ୍ୟ l ଆମ ଦେଶର ଅଧିକାଂଶ ରାଜ୍ୟର ଲୋକେ ଭାତକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରନ୍ତି l ଏହା ସହ ଧାନ ଚାଷ ଲୋକଙ୍କ ଜୀବନ ଜୀବିକା ସହ ଅଙ୍ଗାଙ୍ଗି ଭାବେ ଜଡିତ ରହୁଛି l ଆମେ ଏହି ଦେଶୀ ଧାନ ଉପରେ ଏଥିପାଇଁ ଗବେଷଣା କରୁଛୁ କାରଣ ହେଉଛି ଦେଶୀ ଧାନ ଗୁଡ଼ିକର ବହୁତ ରୋଗ ପ୍ରତିରୋଧକ ଶକ୍ତି ରହୁଛି ତଥା ଔଷଧୀୟ ଗୁଣ ରହୁଛି l ଏହା ଉପରେ ପରିବେଶ ପରିବର୍ତ୍ତନର ପ୍ରଭାବ ବିଶେଷ ଭାବେ ପଡେ ନାହିଁ l"

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)

ଅଧିକ ଅମଳକ୍ଷମ ଧାନରେ ରୋଗ ପ୍ରତିରୋଧକ ଶକ୍ତି ନଥାଏ-

"ଦେଶୀ ଧାନ ଗୁଡିକୁ ସଂରକ୍ଷଣ କରି ରଖିବା ନିହାତି ଜରୁରୀ କାରଣ ଏଥିରେ ଯେଉଁ ଗୁଣବତ୍ତା ରହିଛି ବର୍ତମାନର ଅଧିକ ଉତ୍ପାଦନ ହେଉଥିବା ଧାନରେ ନାହିଁ, ତେଣୁ ଆମେ ଏହି ଗବେଷଣା କରୁଛୁ l ମୁଖ୍ୟତଃ ଆମେ ଯାହା ଜାଣିବାକୁ ପାଇଛୁ କର୍ଣ୍ଣି ଧାନରେ ମଧୁମେହ ପ୍ରତିରୋଧକ Amylose ଷ୍ଟାର୍ଚ୍ଚ ଅଧିକ ରହୁଛି l ବର୍ତମାନ ଆମେ ଦେଶୀ ଧାନ ଗୁଡ଼ିକରେ ଥିବା Amylose ର ପରିମାଣ କେତେ ରହୁଛି ଓ ଏହାର ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଉପରେ ଗବେଷଣା କରୁଛୁ l ତେବେ ଏହି ଦେଶୀ ଧାନ ର ଉତ୍ପାଦନ କ୍ଷମତା କମ ଥିବାରୁ ଲୋକେ ଅଧିକ ଅମଳ ଧାନ ଚାଷ କରୁଛନ୍ତି, ତେବେ ଅଧିକ ଅମଳ ଧାନରେ ଅଧିକ ସାର ଓ କିଟନାଶକ ଆବଶ୍ୟକ ପଡିଥାଏ l ଏହା ସହ ଏହାର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ନଥାଏ l କିନ୍ତୁ ଦେଶୀ ଧାନ ରେ ସାର କିମ୍ବା କୀଟନାଶକ ଆବଶ୍ୟକତା ନଥାଏ l ତେଣୁ ଯଦିଓ ଦେଶୀ ଧାନ ରେ କମ ଉତ୍ପାଦନ ହେଉଛି ଏହାକୁ ବିଭିନ୍ନ ନୂତନ ପ୍ରଣାଳୀ ରେ କରାଗଲେ ଚାଷୀ ଉପକୃତ ହୋଇ ପାରିବେ l ଏହାକୁ ନେଇ ଚାଷୀ ମାନେ ସଚେତନ ହେଲେଣି ତେବେ ଆହୁରି ସଚେତନତାର ଆବଶ୍ୟକତା ରହିଛି," କହିଛନ୍ତି ପ୍ରଫେସର ଏକାମ୍ବର କରିଆଲି ।

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)

ସବୁଜ ବିପ୍ଳବ ପୂର୍ବରୁ ଚାଷୀ ମାନେ ଦେଶୀ ବିହନରେ ଚାଷ କରୁଥିଲେ-
ତେବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏହି ଗବେଷଣାକୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତିର ଉପଦେଷ୍ଟା ତଥା ଚାଷୀ ସରୋଜ ସ୍ୱାଗତ କରି କହିଛନ୍ତି, "ସବୁଜ ବିପ୍ଳବ ପୂର୍ବରୁ ଚାଷୀ ମାନେ ଦେଶୀ ବିହନରେ ଚାଷ କରୁଥିଲେ l ବିଶେଷ କରି ଓଡିଶା ରେ ଆଜିବି 1200 ପ୍ରକାରର ଦେଶୀ ଧାନ ରହିଛି l ଆଉ ସେହି ଧାନ ଗୁଡିକରେ ଥିବା ଔଷଧୀୟ ଗୁଣ ଓ ପୌଷ୍ଟିକ ତତ୍ତ୍ୱ ବାବଦରେ ଲୋକେ ନିଜର ଅଭିଜ୍ଞତାରୁ ଜାଣିଛନ୍ତି ତେବେ ତାଙ୍କ ପାଖରେ ବୈଜ୍ଞାନିକ ଆଧାର ନାହିଁ, ଯେପରିକି କର୍ଣ୍ଣି ଧାନ କିଡ଼ନୀ ରୋଗୀ, ବାତ ରୋଗୀ ଓ ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଭଲ ବୋଲି ଲୋକେ ବ୍ୟକ୍ତିଗତ ଅନୁଭବରୁ ଜାଣିଛନ୍ତି l ତେବେ ଏବିଭଳି ଜିନିଷକୁ ବୈଜ୍ଞାନିକ ଆଧାର ଦିଆଗଲେ ସମସ୍ତେ ଏହାକୁ ବିଶ୍ୱାସ କରିବେ l ଏହା ଦ୍ୱାରା ଚାଷୀ ଙ୍କ ଆତ୍ମବିଶ୍ଵାସ ବଢିବ ଓ ଚାଷୀ ମାନେ ପୁଣି ଥରେ ଦେଶୀ ଧାନ ଚାଷ କରିବାକୁ ଆଗ୍ରହୀ ହେବେ l ବିଶେଷ କରି ଜଳବାୟୁ ପରିବର୍ତନ ଓ ରୋଗର ରାଜୁତୀ ଯୁଗରେ ବର୍ତମାନ ଲୋକେ ଦେଶୀ ବିହନ ଆଉ ଜୈବିକ ଚାଷ ଆଡକୁ ଫେରୁଛନ୍ତି l ତେବେ ଦେଶୀ ବିହନ ଗୁଡିକ ଉପରେ ସବୁ ବିଶ୍ୱ ବିଦ୍ୟାଳୟ, ଵାୟୋ ଟେକ୍ନୋଲୋଜି, ଓ ଫୁଡ ସାଇନ୍ସ ବିଭାଗ ଏହାର ଉପାଦେୟତା, ଔଷଧୀୟ ଗୁଣ ଓ ପୌଷ୍ଟିକ ତତ୍ତ୍ୱ ଉପରେ ଗବେଷଣା କରି ଜଣେଇଲେ ଏହା ଦ୍ୱାରା ଲୋକେ ଓ ଚାଷୀ ପୁଣି ଲାଭବାନ ହେବେ l ମୁଖ୍ୟତଃ ଏହା ଦ୍ୱାରା ଦେଶୀ ଧାନର ଏକ ବଜାର ତିଆରି ହୋଇ ପାରିବ l"

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)



ସୂଚନା ଯୋଗ୍ୟ ଯେ ବର୍ତମାନ ଆମ ରାଜ୍ୟର ସମ୍ବଲପୁର ଜିଲ୍ଲାର ଜୁଯୁମୁରା, ବରଗଡ଼ ଜିଲ୍ଲାର ଗାଇସଲେଟ, ପଦମ ପୁର, ପାଇକମାଲ, କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳ, ନୂଆପଡା,ନୟାଗଡ଼, କନ୍ଧମାଳ ଓ କୋରାପୁଟରେ ଦେଶୀ ଧାନର ଚାଷ ହେଉଛି l ତେବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଆସାମ ଓ ଅରୁଣାଚଳ ପ୍ରଦେଶର ମଧ୍ୟ କିଛି ଦେଶୀ ଧାନ ଉପରେ ଗବେଷଣା ଜାରି ରହିଛି l

NATIVE RICE PADDY SEED RESEARCH
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି (ETV Bharat Odisha)

ଏହା ବି ପଢନ୍ତୁ- ଦେଶୀ ଧାନ ଗବେଷଣା କେନ୍ଦ୍ରରେ ମୁଖ୍ୟ ଶାସନ ସଚିବ, ଗୋଷ୍ଠୀ ଦେଶୀ ବିହନ ବ୍ୟାଙ୍କକୁ କଲେ ଉଦଘାଟନ



ଇଟିଭି ଭାରତ, ସମ୍ବଲପୁର