ETV Bharat / state

କନ୍ଧପଡ଼ା ଗାଁ ଆଦିବାସୀଙ୍କ ବିଶ୍ୱାସର ସନ୍ତକ ନିଆରା 'ଧାନ ବ୍ୟାଙ୍କ', ଅଭାବ ବେଳେ ହେଉଛି ସାହା

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଟିକିବା କନ୍ଧପଡ଼ାର ନିଆରା 'ଧାନ ବ୍ୟାଙ୍କ', ଆଦିବାସୀ ଲୋକଙ୍କ ଦ୍ବାରା ବହୁ ବର୍ଷ ଧରି ଏହି ନିଆରା ବ୍ୟାଙ୍କ ଚାଲିଛି । ସ୍ପେଶାଲ ରିପୋର୍ଟ: ବାଦଶାହ ଜୁସ୍ମନ ରଣା

kandhapada Paddy Bank
କନ୍ଧପଡ଼ାର 'ଧାନ ବ୍ୟାଙ୍କ' (ETV Bharat)
author img

By ETV Bharat Odisha Team

Published : June 26, 2026 at 5:54 PM IST

4 Min Read
Choose ETV Bharat

ସମ୍ବଲପୁର: ଆପଣମାନେ ଟଙ୍କା ପଇସା ବ୍ୟାଙ୍କ, ବ୍ଲଡ୍‌ ବ୍ୟାଙ୍କ, ରୁଟି ବ୍ୟାଙ୍କ ଥିବା ଜାଣିଛନ୍ତି । ମାତ୍ର 'ଧାନ ବ୍ୟାଙ୍କ' କଥା କେବେ ଶୁଣିଛନ୍ତି କି ? ସମ୍ବଲପୁର ଜିଲ୍ଲାରେ ପ୍ରାୟ 40 ଆଦିବାସୀ ପରିବାର ପିଢ଼ି ପରେ ପିଢ଼ି ଧରି 'ଧାନ ବ୍ୟାଙ୍କ' ଚଳାଇ ଆସୁଛନ୍ତି । ଏହି ଧାନ ବ୍ୟାଙ୍କ ଆଦିବାସୀମାନଙ୍କ ପରସ୍ପର ପ୍ରତି ଥିବା ବିଶ୍ୱାସରେ ସଫଳତାର ସହ ପରିଚାଳିତ ହୋଇଆସୁଛି । ବଡ଼ କଥା ହେଉଛି ଏଠାରେ ନିଜ ନିଜ ଭିତରେ ଥିବା ସରଳତା ଓ ଗଭୀର ବିଶ୍ୱାସ ହିଁ ଏହି ଧାନ ବ୍ୟାଙ୍କର ଅସଲ ପୁଞ୍ଜି ।

କନ୍ଧପଡ଼ାର 'ଧାନ ବ୍ୟାଙ୍କ' (ETV Bharat)

ଏହି ବ୍ୟାଙ୍କରୁ ସ୍ଥାନୀୟ ଆଦିବାସୀ ଲୋକ ନିଜର ଅସୁବିଧା ଅନାଟନ ସମୟରେ ଧାନ ଋଣ ନିଅନ୍ତି ଓ ପରେ ନିଜର ସୁବିଧା ଅନୁସାରେ ଫେରାଇ ଦିଅନ୍ତି । ଏଥିପାଇଁ ସେମାନଙ୍କୁ ସୁଧ ଆକାରରେ ଅଳ୍ପ କିଛି ଅଧିକ ଧାନ ଦେବାକୁ ପଡିଥାଏ । କେବଳ ଧାନ ନୁହେଁ, ବରଂ ଆବଶ୍ୟକ ପଡିଲେ ଏହି ବ୍ୟାଙ୍କ ଟଙ୍କା ମଧ୍ୟ ଋଣ ଦେଇଥାଏ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯଦି କୌଣସି ବ୍ୟକ୍ତି ଅସୁସ୍ଥତା ପାଇଁ କିମ୍ବା ଅଥବା କାହାରି ମୃତ୍ୟୁ ହେଲେ ଶୁଦ୍ଧିକ୍ରିୟା କରିବା ପାଇଁ ଧାନ ଅଥବା ଟଙ୍କା ଋଣ ନିଏ, ତେବେ ସେମାନଙ୍କ ପାଖରୁ କୌଣସି ସୁଧ ନିଆଯାଏ ନାହିଁ ।

  • କନ୍ଧପଡ଼ା ଗାଁର ଧାନ ବ୍ୟାଙ୍କ:

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ, ଜମନକିରା ବ୍ଲକର ଟିକିବା ପଞ୍ଚାୟତ କନ୍ଧପଡ଼ା ଗାଁରେ ରହୁଥିବା ଆଦିବାସୀ ଲୋକଙ୍କ ଏକ ଧାନ ବ୍ୟାଙ୍କ ରହିଛି । ଏହି ଗାଁରେ ମୋଟ 40ଟି ଆଦିବାସୀ ପରିବାର ରହୁଛନ୍ତି । ସମସ୍ତେ ଅତ୍ୟନ୍ତ ସଚ୍ଚୋଟ ଓ କର୍ତ୍ତବ୍ୟ ପରାୟଣ । ପିଢ଼ି ପରେ ପିଢ଼ି ଦୀର୍ଘ 45 ବର୍ଷ ଧରି ଏହି ଗାଁରେ ନିଆରା 'ଧାନ ବ୍ୟାଙ୍କ୍' ଚାଲିଛି । କହିବାକୁ ଗଲେ ଏଠାରେ ଟଙ୍କା ନୁହେଁ, ଧାନ ହିଁ ସମ୍ପଦ । ଫସଲ ସମୟରେ ପ୍ରତ୍ୟେକ ପରିବାର ନିଜ ଅମଳରୁ କିଛି ଧାନ ଏହି ବ୍ୟାଙ୍କରେ ଜମା କରନ୍ତି । ମୁଖ୍ୟତଃ ପୌଷ ପୂର୍ଣ୍ଣିମା ସମୟରେ ଗାଁ ଲୋକେ ନିଜର ଶକ୍ତି ଅନୁସାରେ ଏଠାରେ ଧାନ ଜମା କରନ୍ତି । ଏହାର ହିସାବ କିତାବ ସବୁ ଏକ ଖାତାରେ ଲେଖାଯାଏ । ଯେତେବେଳେ କୌଣସି ପରିବାରେ ଅଭାବ ଅନାଟନ ହୁଏ, କିମ୍ବା ହଠାତ୍ ଧାନର ଆବଶ୍ୟକତା ପଡ଼େ, ସେତେବେଳେ ସେମାନେ ଏଠାରୁ ଋଣ ସୂତ୍ରରେ ଧାନ ନିଅନ୍ତି । ବାସ୍ ସର୍ତ୍ତ ଏତିକି ଯେ ଯେତିକି ନେବେ, ତା’ଠାରୁ କିଛି ଧାନ ଅଧିକ ଦେଇ ଠିକ୍ ସମୟରେ ଫେରସ୍ତ କରିବାକୁ ପଡିଥାଏ ।

ଏହି ଧାନ ବ୍ୟାଙ୍କର ସମ୍ପାଦକ ଥିବା ଦୁର୍ଯ୍ୟୋଧନ ପ୍ରଧାନ କହିଛନ୍ତି, "ଏହା କେବଳ ଧାନର କାରବାର ନୁହେଁ, ଏହା ଆମ ଭାଇଚାରାର ବ୍ୟାଙ୍କ୍ । ଯେତେବେଳେ ଗୋଟିଏ ଘରେ ଅସୁବିଧା ହୁଏ, ପୂରା ଗାଁ ଛିଡ଼ା ହୋଇଯାଏ ।"

Sambalpur Dhana Bank
ଧାନ ବ୍ୟାଙ୍କ (ETV Bharat)
  • ଯୁବକମାନଙ୍କୁ ନେଇ କମିଟି ଗଠନ:

ଧାନ ବ୍ୟାଙ୍କର ସୁଚାରୁ ପରିଚାଳନା ପାଇଁ ଗାଁର ଯୁବକମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କାହାର କିଛି ଅସୁବିଧା ହେଲେ ସେ ସିଧା କମିଟି ନିକଟରେ ଜଣାନ୍ତି । କମିଟି ଆଲୋଚନା କରି ଆବଶ୍ୟକ ଅନୁଯାୟୀ ଧାନ ଦିଅନ୍ତି । କେହି କେବେ ହିସାବରେ ଠକେଇ କରନ୍ତି ନାହିଁ । କୌଣସି ବୈଠକ ବସିବାର ଥିଲେ ଘଣ୍ଟ ବଜାଯାଏ । ଘଣ୍ଟ ବାଜିବା ମାତ୍ରେ ଗାଁ ଲୋକେ ଗାଁ ମଝିରେ ଥିବା ଧାନ ବ୍ୟାଙ୍କ ନିକଟକୁ ଆସି ସଭିଏଁ ଜମା ହୁଅନ୍ତି । ଏହି ବ୍ୟାଙ୍କ ଘରକୁ, ଗାଁ ଲୋକେ ନିଜ ଉଦ୍ୟମରେ, ନିଜ ଖର୍ଚ୍ଚରେ ଓ ଶ୍ରମଦାନ କରି ଗାଁ ମଝିରେ ତିଆରି କରିଛନ୍ତି । ଆଉ ବ୍ୟାଙ୍କ ଭିତରେ ଧାନ ସବୁକୁ ଏକ ବଡ଼ ବସ୍ତାରେ ମହଜୁଦ କରି ରଖାଯାଇଛି ।

sambalpur tribal grain bank Paddy bank Kandhapada Jamankira
ବୈଠକ ବସିବା ପାଇଁ ଘଣ୍ଟ ବଜାଯାଉଛି (ETV Bharat)
  • ଏକତାର ସୂତ୍ରରେ ଗାଁକୁ ଧରି ରଖିଛି 'ଧାନ ବ୍ୟାଙ୍କ୍':

ଆଜିର ଯୁଗରେ ଯେତେବେଳେ ସମ୍ପର୍କ ଭାଙ୍ଗୁଛି, ଟିକିବା କନ୍ଧପଡ଼ାର ଏହି ଧାନ ବ୍ୟାଙ୍କ୍ ଦେଖାଉଛି ଯେ ବିଶ୍ଵାସ ଥିଲେ ଗାଁ ଓ ସମାଜ ନିଜେ ନିଜର ସୁରକ୍ଷା ବ୍ୟବସ୍ଥା କରିପାରେ । 'ଧାନ ବ୍ୟାଙ୍କ୍' ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ କହିଛନ୍ତି, " ପୂର୍ବରୁ ଲୋକମାନେ ବହୁତ ଅସୁବିଧାରେ ଥିଲେ । ଲୋକେ ବହୁତ ଗରିବ ଥିଲେ । ଖଟି କରି ଖାଉଥିଲେ । ବେଳେବେଳେ ମରୁଡି ଓ ଅନାହାର ପରିସ୍ଥିତି ଦେଖା ଯାଉଥିଲା । ତେଣୁ ସେତେବେଳେ ଆମ ଗାଁର ବରିଷ୍ଠମାନେ ଏହି ଭଳି ଏକ ବ୍ୟାଙ୍କ ବ୍ୟବସ୍ଥା ଆରମ୍ଭ କରିଥିଲେ । ସେତେବେଳେ ଯିଏ ଯେତିକି ପାରିଲା ନିଜର ସାମର୍ଥ୍ୟ ଅନୁସାରେ ଧାନ ଜମା କରିବା ଆରମ୍ଭ କରିଥିଲେ ଓ ପରେ ଅସୁବିଧା ସମୟରେ ଏହି ଧାନକୁ ଲୋକେ ଋଣ ଆକାରରେ ନେଉଥିଲେ । ସମୟକ୍ରମେ ଏହା ଆସ୍ତେ ଆସ୍ତେ ବଢ଼ି ଚାଲିଲା । ଏହାକୁ ପରିଚାଳନା ପାଇଁ ଆମେ ଏକ କମିଟି କରିଛୁ । ଏହାସହ ଆମର ଧାନ ରେଜିଷ୍ଟର, ସଭା ଖାତା, କ୍ୟାସବୁକ୍‌ ମଧ୍ୟ ରହିଛି । ଏହି ଧାନ ବିକ୍ରି ଟଙ୍କାକୁ ଆମେ ଏକ ଜଏଣ୍ଟ ଆକାଉଣ୍ଟ କରି ବ୍ୟାଙ୍କରେ ରଖିଛୁ । କିଛି ଟଙ୍କା ଲୋକଙ୍କୁ ଋଣ ମଧ୍ୟ ଦିଆଯାଇଛି ।"

Kandhapada Dhana Bank
କନ୍ଧପଡ଼ାରେ ଧନବ୍ୟାଙ୍କ ବୈଠକ (ETV Bharat)
  • ଟଙ୍କା ମଧ୍ୟ ଋଣ ଦିଆଯାଏ:

କେବଳ ଧାନ ନୁହେଁ ବରଂ ଟଙ୍କା ମଧ୍ୟ ଋଣ ଦିଆଯାଏ । କିଛି ବର୍ଷ ହେଲା ଧାନ ଅଧିକ ଜମା ହେବାରୁ କିଛି ଧାନ ବିକ୍ରି କରାଯାଇ ଏଠାରୁ ମିଳିଥିବା ଟଙ୍କାକୁ ଗାଁ ସମିତିର ସଭାପତି ଓ ସମ୍ପାଦକଙ୍କ ନାମରେ ଏକ ଜଏଣ୍ଟ ଆକାଉଣ୍ଟ ଖୋଲାଯାଇ ବ୍ୟାଙ୍କରେ ଜମା କରାଯାଇଛି । ବର୍ତ୍ତମାନ ଏହି ଆକାଉଣ୍ଟରେ 1 ଲକ୍ଷରୁ ଅଧିକ ଟଙ୍କା ଜମା ଅଛି । ଜରୁରୀକାଳୀନ ପରିସ୍ଥିତି ପାଇଁ ସଭାପତି ଓ ସମ୍ପାଦକ ହାତରେ ମଧ୍ୟ କିଛି ଟଙ୍କା ରଖା ଯାଇଥାଏ l ଦରକାର ସମୟରେ ଋଣ ଦିଆଯାଇଥାଏ । ତେବେ କେବଳ କନ୍ଧପଡ଼ାବାସୀଙ୍କୁ ହିଁ ଏହି ଋଣ ଦିଆଯାଏ ।

sambalpur tribal grain bank Paddy bank Kandhapada Jamankira
ହିସାବ ଖାତା (ETV Bharat)
  • ପୌଷ ପୂର୍ଣ୍ଣିମାରେ ଋଣ ପରିଶୋଧ:

ଧାନ ବ୍ୟାଙ୍କର ସଭାପତି ଧରଣୀଧର ଦେହୁରୀ କହିଛନ୍ତି, "ପୌଷ ପୂର୍ଣ୍ଣିମା ସମୟରେ କନ୍ଧପଡ଼ା ଗ୍ରାମବାସୀ ସମସ୍ତେ ଧାନ ଜମା କରିଥାଆନ୍ତି । ଭାଦ୍ରବ ମାସରେ ଲୋକଙ୍କୁ ଋଣ ଦିଆଯାଏ । କିନ୍ତୁ ବର୍ଷ ମଝିରେ କାହାରି ଜରୁରୀକାଳୀନ ପରିସ୍ଥିତି ପଡିଲେ ଯେମିତି କି କେହି ମୃତାହତ ହୁଏ କି କେହି ବିବାହ କରେ କି କାହାରି ଅସୁସ୍ଥତା ପାଇଁ ଟଙ୍କା ଆବଶ୍ୟକ ପଡିଲେ ମଧ୍ୟ ଋଣ ଦିଆଯାଏ । କାହାରି ମୃତ୍ୟୁ ହେଲେ ଅଥବା ଅସୁସ୍ଥତା ପାଇଁ ନେଇଥିବା ଋଣ ଉପରେ ସୁଧ ନିଆଯାଏ ନାହିଁ । ଟଙ୍କା ଋଣ ପାଇଁ ବର୍ଷକୁ 100 ଟଙ୍କାରେ 20 ଟଙ୍କା ସୁଧ ନିଆଯାଏ । ପୌଷ ପୂର୍ଣ୍ଣିମାରେ ଋଣ ପରିଶୋଧ କରିବାର ନିୟମ ରହିଛି । ବିଶ୍ୱାସର ସେତୁରେ ଆମରି ଏହି ଧାନ ବ୍ୟାଙ୍କ ଚାଲିଛି ।"

sambalpur tribal grain bank Paddy bank
ଧାନ ବ୍ୟାଙ୍କ (ETV Bharat)

ଭାଗବତ ଟୁଙ୍ଗିରୁ ଆରମ୍ଭ ହୋଇଥିଲା ଧାନ ବ୍ୟାଙ୍କ:

ଆଦିବାସୀ ବହୁଳ ଟିକିବା ଗାଁ କନ୍ଧପଡ଼ା, ଜମନକିରା ବ୍ଲକରେ ଭାଗବତ ଚର୍ଚ୍ଚା ପାଇଁ ପ୍ରସିଦ୍ଧ ଥିଲା । ସନ୍ଧ୍ୟା ହେଲେ ସ୍ୱର୍ଗତ ବାଣେଶ୍ୱର ଝାଙ୍କର ଓ ସାରଥୀ ଝାଙ୍କରଙ୍କ ତବଲା ମାଡ଼ରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା । ସେତେବେଳେ ଗରିବି, ଅନାହାରରୁ ମୁକ୍ତି ପାଇବା ପାଇଁ କିଛି ବରିଷ୍ଠ ଏହି ବ୍ୟାଙ୍କ କରିବାକୁ ନିଷ୍ପତି ନେଇଥିଲେ ।

sambalpur tribal grain bank Paddy bank Kandhapada Jamankira
କନ୍ଧପଡ଼ା ଗ୍ରାମବାସୀ (ETV Bharat)

ଗାଁର ଜଣେ 72 ବର୍ଷୀୟ ବରିଷ୍ଠ ନାଗରିକ ସୁରେଶ ପ୍ରଧାନ କହିଛନ୍ତି, "ପୂର୍ବରୁ ଆମର ଏକ ପ୍ରସିଦ୍ଧ ଭାଗବତ ଦଳ ଥିଲା । ପୂର୍ବରୁ ବୃଦ୍ଧ ଲୋକମାନେ ଏହାକୁ ଚଳାଇ ଆସୁଥିଲେ । ସେତେବେଳେ ଚାଷବାସର ବହୁତ ଅସୁବିଧା ଥିଲା, ଲୋକମାନେ ବହୁତ ଅଭାବ ଅନାଟନରେ ଚଳୁଥିଲେ । ପୌଷ ପୂର୍ଣ୍ଣିମା ଦିନ ଆମେ ଘରକୁ ଘର ଯାଇ ଧାନ ସଂଗ୍ରହ କରିଥିଲୁ । ଏହାକୁ ଗୋଟିଏ ଜାଗାରେ ଜମା କରି ରଖିଥିଲୁ । ପରେ ଏହାକୁ ଅସୁବିଧା ସମୟରେ ଆମେ ନିଜେ ଋଣ ସୂତ୍ରରେ ନେଲୁ । ଏହିଭଳି ଭାବରେ ଏହି ବ୍ୟାଙ୍କ ଆରମ୍ଭ ହୋଇଥିଲା । ଅଧିକ ଧାନ ହେବାରୁ ଅଧା ଧାନକୁ ବିକ୍ରି କରି ଏହାର ଟଙ୍କାକୁ ବ୍ୟାଙ୍କରେ ରଖିଲୁ ତଥା କିଛି ଟଙ୍କା ନିଜ ହାତରେ ରଖିଲୁ ।"

Kandhapada Villagers
କନ୍ଧପଡ଼ା ଗ୍ରାମବାସୀ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ଗରିବଙ୍କ ଥାଳି ଉପରେ ଯୁଦ୍ଧ ପ୍ରଭାବ; 'ରୋଟି ବ୍ୟାଙ୍କ'ରେ ରୁଟି ବନ୍ଦ
ଇଟିଭି ଭାରତ ପ୍ରଭାବ; ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା, କହିଲା, 'ଯୋଗଣ ସୁଚାରୁ ଭାବେ ଚାଲିଛି'


ଇଟିଭି ଭାରତ, ସମ୍ବଲପୁର