ETV Bharat / state

ଲଗାଣ ବର୍ଷା ସାଜିଲା କାଳ ! ମାଟି କାନ୍ଥ ଭୁଶୁଡି 3 ବର୍ଷର ଶିଶୁ ମୃତ

ମାଟି କାନ୍ଥ ଭୁଶୁଡ଼ି ଶିଶୁ ମୃତ । ୪୫ ମିନିଟ ଧରି କାନ୍ଥ ତଳେ ଚାପି ହୋଇଥିଲା ଶିଶୁ । ଉଦ୍ଧାର କଲେ ସ୍ଥାନୀୟ ଯୁବକ । ରିପୋର୍ଟ- ବାଦଶାହା ଜୁସ୍ମନ ରଣା

Sambalpur tragic incident
ସମ୍ବଲପୁର, ଗୋବିନ୍ଦପୁର ଥାନା (ETV Bharat Odisha)
author img

By ETV Bharat Odisha Team

Published : August 30, 2026 at 10:55 PM IST

1 Min Read
Choose ETV Bharat

ସମ୍ବଲପୁର: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି 3 ବର୍ଷର ଶିଶୁର ମୃତ୍ୟୁ ଘଟିଛି । ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ନ୍ୟୁ କଲୋନୀରେ ଏହି ଅଘଟଣ ଘଟିଛି । ମୃତ ଶିଶୁ ହେଲେ କୋଲାବିରା ବ୍ଲକ ପୁଖରାସାଲେ ପଞ୍ଚାୟତ ଗମ୍ହାପାଲି ଗ୍ରାମର ବିବେକ କର୍ସେଲଙ୍କ ପୁଅ ରାଜବିର କର୍ସେଲ ।



ସୂଚନା ଅନୁସାରେ, ବିବେକ ଝାରସୁଗୁଡ଼ାରେ କାମ କରୁଥିବାରୁ ତାଙ୍କ ପତ୍ନୀ ରଞ୍ଜୁଲତା କର୍ସେଲ ଶିଶୁ ରାଜବିରଙ୍କୁ ନେଇ ଗୋବିନ୍ଦପୁର ନ୍ୟୁ କଲୋନୀର ଗୀତାଞ୍ଜଳି ପାତ୍ରଙ୍କ ଘରେ ଭଡ଼ାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ କିଛି ଦିନ ଧରି ବାମରା ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ରବିବାର ମଧ୍ୟ ବର୍ଷା ଜାରି ରହିଥିଲା । ଏହାର ପ୍ରଭାବରେ ଘରର ମାଟି କାନ୍ଥ ଦୁର୍ବଳ ହୋଇପଡ଼ିଥିଲା ।

ଆଜି ଦିନ ପ୍ରାୟ ୧୨ଟା ସମୟରେ ହଠାତ୍ କାନ୍ଥଟି ଭୁଶୁଡ଼ି ଯିବାରୁ ଘର ଭିତରେ ଥିବା ରାଜବିର କାନ୍ଥ ତଳେ ଚାପି ହୋଇ ଯାଇଥିଲେ । ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୪୫ ମିନିଟ ପରେ ଶିଶୁଟିକୁ କାନ୍ଥ ତଳୁ ଉଦ୍ଧାର କରାଯାଇ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ରାଜବିରଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ପାଇ ଗୋବିନ୍ଦପୁର ପୋଲିସ ଏକ କେସ ନମ୍ବର -20/2026 ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଦୁର୍ବଳ ଓ ମାଟି ଘରଗୁଡ଼ିକ ପ୍ରତି ବିପଦ ଦେଖାଦେଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ଘରଗୁଡ଼ିକର ସ୍ଥିତି ଯାଞ୍ଚ କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ମୃତ ଶିଶୁର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।


ଏହା ବି ପଢନ୍ତୁ- ରାତିରେ ଶୋଇଥିଲେ ସକାଳେ ଉଜୁଡିଲା ସଂସାର; କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କିଛି ଦିନ ତଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅଘଟଣ ଘଟିଥିଲା । ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ସ୍ତ୍ରୀର ଜୀବନ ଚାଲି ଯାଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ସ୍ବାମୀ ବୀରଭଦ୍ର ମହାନ୍ତ (୫୨) ଓ କାନ୍ଥରେ ଚାପି ହୋଇ ମୃତ୍ୟୁବରଣ କରିଥିବା ତାଙ୍କ ସ୍ତ୍ରୀ ହେଉଛନ୍ତି ହେମଲତା ମହାନ୍ତ (୪୫) ।


ଇଟିଭି ଭାରତ, ସମ୍ବଲପୁର