ETV Bharat / state

ଏମିତି ଚାଲିଛି ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଜଣେ ଡାକ୍ତରଙ୍କ ଭରସାରେ 300 ରୋଗୀ

ରେଙ୍ଗାଲି ପିଏଚସିରେ ରାଜ୍ୟର ସର୍ବାଧିକ ରୋଗୀ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାକୁ ସ୍ଥାନୀୟ ଲୋକଙ୍କ ଦାବି ।

Rengali Primary Health Centre
ରୋଗୀ ଦେଖୁଛନ୍ତି ଡାକ୍ତର (ETV Bharat Odisha)
author img

By ETV Bharat Odisha Team

Published : November 13, 2025 at 8:15 PM IST

5 Min Read
Choose ETV Bharat

ରିପୋର୍ଟ: ବାଦଶାହ ଜୁସ୍ମନ ରାଣା

Rengali Primary Health Centre ସମ୍ବଲପୁର: ଗୋଟିଏ ଡାକ୍ତରଙ୍କ ଭରସାରେ ଚାଲୁଛି ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଦିନକୁ ଆସୁଛନ୍ତି ପାଖାପାଖି 300 ରୋଗୀ । ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଯଦି ଦେଖାଯାଏ, ଗତ ଜାନୁଆରୀ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ରାଜ୍ୟର ପିଏଚସି ମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ରେଙ୍ଗାଲି ସାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି । ଶିଳ୍ପବହୁଳ ରେଙ୍ଗାଲି ବ୍ଲକରେ ଗୋଟିଏ ମାତ୍ର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ନାନା ହଇରାଣ ହେଉଛନ୍ତି ରୋଗୀ । ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରିବାକୁ ଦାବି ଉଠୁଛି । ନଜର ପକାନ୍ତୁ ଏହି ରିପୋର୍ଟ ଉପରେ...

ଏମିତି ଚାଲିଛି ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ETV Bharat Odisha)

ଶିଳ୍ପ ବହୁଳ ବ୍ଲକରେ ଗୋଟିଏ ମାତ୍ର PHC:

ସମ୍ବଲପୁର ଜିଲ୍ଲାର ଶିଳ୍ପବହୁଳ ବ୍ଲକ ହେଉଛି ରେଙ୍ଗାଲି ବ୍ଲକ । ଏଠାରେ JSW ଭୂଷଣ, ଆଦିତ୍ୟ ଆଲୁମିନା ଓ ଶ୍ୟାମ ମେଟାଲିକ ପରି ଅନେକ ଶିଳ୍ପ ଅନୁଷ୍ଠାନ ରହିଛି l ତେଣୁ ଏହି ଅଞ୍ଚଳରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଲୋକ ଜୀବନ ଜୀବିକା ପାଇଁ ରହୁଛନ୍ତି l ତେବେ ଏଠାରେ ସ୍ୱାସ୍ଥ୍ୟ ସେବା ପାଇଁ ରହିଛି ମାତ୍ର ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର l ଆଉ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାତ୍ର ଗୋଟିଏ ଡାକ୍ତରଙ୍କ ଭରସାରେ ଚାଲୁଛି l ଅନ୍ୟପଟେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନିକ 250ରୁ 300 ରୋଗୀ ଆସୁଛନ୍ତି l

Rengali Primary Health Centre
ରୋଗୀଙ୍କ ତଥ୍ୟ (ETV Bharat Odisha)

କେତେ ରୋଗୀ ଆସିଛନ୍ତି କଣ କହୁଛି ରେକର୍ଡ ?

ରେଙ୍ଗାଲି ପିଏଚସିର ଫାର୍ମାସିଷ୍ଟ ଅଫିସର ସୁରେନ୍ଦ୍ର ମୋହନ ବେହେରା ଯିଏ ଏଠାରେ 15 ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି, ତାଙ୍କ କହିବା ଅନୁସାରେ, ‘ଏହି ହସ୍ପିଟାଲ 24 ଘଣ୍ଟା ଖୋଲା ରହେ l ଓପିଡି କିଛି ସମୟ ପାଇଁ ବନ୍ଦ ହୁଏ ତେବେ IPD ଓ ଇମେର୍ଜେନ୍ସି 24 ଘଣ୍ଟା ଖୋଲା ରହେ l ଏହି ଅଞ୍ଚଳରେ ଯୋଗଯୋଗ ସୁବିଧା ଓ ଶିଳ୍ପ ଅନୁଷ୍ଠାନ ଅଞ୍ଚଳ ହୋଇଥିବାରୁ ଏଠି ସବୁବେଳେ ରୋଗୀଙ୍କ ଭିଡ଼ ଥାଏ l ଆମ ପାଖରେ ଯାହା ସରକାରୀ ଡାଟା ରହିଛି ତାହା ଅନୁସାରେ ରାଜ୍ୟର ସର୍ବାଧିକ ରୋଗୀ ଏହି ହସ୍ପିଟାଲକୁ ଆସୁଛନ୍ତି l ଅନଲାଇନ ରେଜିଷ୍ଟ୍ରେସନ ଅନୁସାରେ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ଆମ ହସ୍ପିଟାଲକୁ ସର୍ବାଧିକ ରୋଗୀ ଆସିଥିବା ରେକର୍ଡ ଅଛି l ତେବେ ଅନଲାଇନ ଡାଟା ବ୍ୟତୀତ ମଧ୍ୟ ଅଧିକ ରୋଗୀ ଆସୁଛନ୍ତି l’

Rengali Primary Health Centre
ରୋଗୀଙ୍କ ତଥ୍ୟ (ETV Bharat Odisha)

ଗତ ଅକ୍ଟୋବର ମାସର ଅନଲାଇନ ତଥ୍ୟ ଅନୁସାରେ..

  • ରେଙ୍ଗାଲି ପିଏଚସିକୁ 5452 ରୋଗୀ ଆସିଛନ୍ତି
  • ଏମର୍ଜେନ୍ସି ରୋଗଙ୍କୁ ମିଶାଇ 6516 ରୋଗୀ ଆସିଛନ୍ତି
  • ସେପ୍ଟେମ୍ବର ମାସରେ ଅନଲାଇନ ପଞ୍ଜୀକରଣ ଅନୁସାରେ 5360 ରୋଗୀ ଆସିଛନ୍ତି
  • ଇମେର୍ଜେନ୍ସି ରୋଗୀକୁ ମିଶାଇ ମୋଟ 6778 ଜଣ ରୋଗୀ ଆସିଛନ୍ତି
  • ଜାନୁଆରୀ ମାସରୁ ରେଙ୍ଗାଲି ପିଏଚସି ରୋଗୀଙ୍କ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହୁଛି



କଣ ପାଇଁ ଏଠାରେ ରୋଗୀଙ୍କ ଭିଡ଼ ?

ସୁରେନ୍ଦ୍ର ମୋହନ ଆହୁରି କୁହନ୍ତି, ‘ଏହି ଅଞ୍ଚଳରେ ବହୁତ ଶିଳ୍ପ ଅନୁଷ୍ଠାନ ରହିଛି ଓ ଏଠାରେ ବାହାର ରାଜ୍ୟର ବହୁତ ଲୋକ ରହୁଛନ୍ତି l ଏହା ସହ ଏହି ଅଞ୍ଚଳ ମୂଳରୁ ଜନବହୁଳ ଅଟେ l ଅନ୍ୟପଟେ ଏହା ଏକ ବ୍ଲକ ମୁଖ୍ୟାଳୟ । ଏଠାରେ ଥିବା ସ୍ଵପ୍ନେଇ ସେତୁ ଝାରସୁଗୁଡାକୁ ସଂଯୋଗ କରୁଛି । ଫଳରେ ବ୍ରିଜ ଆରପଟୁ 5ଟି ପଞ୍ଚାୟତ ଲୋକ ଚିକିତ୍ସା ପାଇଁ ଆସୁଥିବାରୁ ଭିଡ ବଢୁଛି । ତେବେ 24 ଘଣ୍ଟା ସେବା ଦେଉଛୁ l’

Rengali Primary Health Centre
ରେଙ୍ଗାଲି ପିଏଚସି, ରୋଗୀ ଦେଖୁଛନ୍ତି ଡାକ୍ତର (ETV Bharat Odisha)

କେତେ ଜଣ କର୍ମଚାରୀ ଅଛନ୍ତି ?

ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଷ୍ଟାଫ୍ ନର୍ସ, ଜଣେ ଆଟେଡାଣ୍ଟ, ଜଣେ ସୁଇପର ଓ ଜଣେ ସୁରକ୍ଷା କର୍ମୀ ରହୁଛନ୍ତି l ଏହା ପିଏଚସି ହୋଇଥିବାରୁ ଜଣେ ଡାକ୍ତର ପୋଷ୍ଟ ରହିଛି l ତେବେ ଏଠାରେ ରୋଗୀଙ୍କ ସଂଖ୍ୟାକୁ ଦେଖି ଅନ୍ୟ ଜଣେ ଡାକ୍ତରଙ୍କୁ ସପ୍ତାହକ 3 ଦିନ ଏଠାକୁ ପଠାଯାଉଛି l ଏହା ସହ ସପ୍ତାହକୁ ଥରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଏଠାକୁ ଆସୁଛନ୍ତି ।




ତେବେ ମୁଖ୍ୟତଃ କେଉଁ ପ୍ରକାର ରୋଗୀ ଏଠାକୁ ଆସନ୍ତି ?

ରେଙ୍ଗାଲି ପିଏଚସିର ମେଡିକାଲ ଇନଚାର୍ଜ ଅଫିସର ଶୁଭମ ସିଂ ଯିଏ ଏଠାରେ ଅଢେଇ ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି । ସେ କୁହନ୍ତି, ‘ଏଠାକୁ ଦୈନିକ ବହୁତ ରୋଗୀ ଆସନ୍ତି l ଏହା ଶିଳ୍ପ ଅନୁଷ୍ଠାନ ଅଞ୍ଚଳ ହେବା ସହ ଏହି ହସ୍ପିଟାଲଟି ରାଜ୍ୟ ରାଜପଥ କଡ଼ରେ ରହିଛି ତେଣୁ ଏଠାକୁ ସଡ଼କ ଦୁର୍ଘଟଣା ଜନିତ ରୋଗୀ ଦୈନିକ 5 ରୁ 6 ଜଣ ଆସୁଛନ୍ତି l ଏହା ସହ ଶିଳ୍ପ ଅନୁଷ୍ଠାନରେ କାମ କରୁଥିବା ଲୋକ ମାନେ ମୁଖ୍ୟତଃ ନିଜର ଦୀର୍ଘ ଦିନ ପେସା ଜନିତ ରୋଗ ଯଥା ଡଷ୍ଟ ଓ ଏଲର୍ଜି ପାଇଁ ହେଉଥିବା କାଶ, ଥଣ୍ଡା, ସାଇନୋସାଇଟିସ ରୋଗୀ ଆସୁଛନ୍ତି l ଏହାସହ ଏହି ଅଞ୍ଚଳରେ ଟିବି ଓ କୁଷ୍ଠ ରୋଗୀଙ୍କ ସଂଖ୍ୟା ଜିଲ୍ଲାରେ ସର୍ବାଧିକ ଅଛନ୍ତି l ମୁଖ୍ୟତଃ ବିହାର, ଛତିଶଗଡ, ଝାଡଖଣ୍ଡ, ୟୁପି, ପଶ୍ଚିମବଙ୍ଗର ଲୋକ ମଧ୍ୟ ଏଠାରେ ଶିଳ୍ପ ଅନୁଷ୍ଠାନରେ କାମ କରିବାକୁ ରହୁଥିବାରୁ ରୋଗୀ ସଂଖ୍ୟା ଅଧିକ l ’

Rengali Primary Health Centre
ବାହାରେ ଅପେକ୍ଷା କରିଛନ୍ତି ରୋଗୀ (ETV Bharat Odisha)

ଶିଶୁ ରୋଗୀ ଅଧିକ:

ଏହା ସହ ଏହି ହସ୍ପିଟାଲକୁ 6 ବର୍ଷରୁ କମ୍‌ ବୟସର ପିଲା ରୋଗୀ ଭାବରେ ବହୁତ ସଂଖ୍ୟାରେ ଆସୁଛନ୍ତି l ଦୈନିକ 200 ରୋଗୀଙ୍କ ମଧ୍ୟରୁ 70 ଜଣ ଛୋଟ ପିଲା ଆସୁଛନ୍ତି l ତେଣୁ ଏଠାରେ ଏକ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟ ବହୁତ ଆବଶ୍ୟକତା ରହୁଛି ବୋଲି କହିଛନ୍ତି ଡାକ୍ତର l ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ 355 ଜଣ ରୋଗୀ ଆସିଥିଲେ ଯାହା ରାଜ୍ୟର ଅନ୍ୟ କୌଣସି ପିଏଚସିରେ କେବେ ଆସିନାହାନ୍ତି ବୋଲି କହିଛନ୍ତି ଡାକ୍ତର l ଅନ୍ୟପଟେ ଏହା ଏକ 24 ଘଣ୍ଟା ଖୋଲା ରହୁଥିବା ପିଏଚସି ହୋଇ ଥିବାରୁ ଏଠାରେ 2 ଜଣ ଡାକ୍ତର ସ୍ଥାୟୀ ଭାବେ ରହିବା ନିହାତି ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି l

Rengali Primary Health Centre
ବାହାରେ ଅପେକ୍ଷାରତ କିଛି ଜନସାଧାରଣ (ETV Bharat Odisha)

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରିବାକୁ ଦାବି:

ତେବେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାକୁ ସ୍ଥାନୀୟ ଲୋକ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ସୁଦ୍ଧା ଏହି ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି l ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦର ସଭାପତି ଅନ୍ତର୍ଯ୍ୟାମୀ ପାଣି କହିଛନ୍ତି, ‘ଏହି ଅଞ୍ଚଳ ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କ ବସତି ଅଞ୍ଚଳ l 70 ବର୍ଷ ପୂର୍ବେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା ହୋଇଥିଲା l ସେତେବେଳେ ଏଠାକୁ ଦୈନିକ 30ରୁ 40 ରୋଗୀ ଆସୁଥିବା ବେଳେ ଗୋଟିଏ ଡାକ୍ତର ଥିଲେ ଆଉ ବର୍ତ୍ତମାନ ଏଠାକୁ ଦୈନିକ 300 ରୋଗୀ ଆସୁଛନ୍ତି । ଆଉ ସେହି ଜଣେ ଡାକ୍ତର ଅଛନ୍ତି l ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା 10 ଗୁଣ ବୃଦ୍ଧି ପାଇଛି ତେବେ ଚିକିତ୍ସାର ଭିତ୍ତିଭୂମି ସେହିଭଳି ଭାବରେ ବୃଦ୍ଧି ହୋଇନାହିଁ l ଡାକ୍ତର କି ଷ୍ଟାଫ୍ ସଂଖ୍ୟା ବୃଦ୍ଧି ହୋଇନାହିଁ ତେଣୁ ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି l ଯେହେତୁ ଏହି ହସ୍ପିଟାଲକୁ ରାଜ୍ୟର ସର୍ବାଧିକ ରୋଗୀ ଆସୁଛନ୍ତି ତେଣୁ ଆମେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ଭେଟି ଏହାକୁ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର କରିବାକୁ ଦାବି କରିଥିଲୁ ତେବେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଲେ ନାହିଁ l

Rengali Primary Health Centre
ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ETV Bharat Odisha)

ପ୍ରତିଶ୍ରୁତି ପୂରଣ ହୋଇନି:

ଅନ୍ୟପଟେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ କହିଛନ୍ତି, ‘ରେଙ୍ଗାଲି ଏକ ଶିଳ୍ପ ଅଞ୍ଚଳ ଓ ଏଠାରେ ବହୁତ ପ୍ରଦୂଷଣ ମଧ୍ୟ ହେଉଛି, ତେଣୁ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l ଏଥିପାଇଁ ଏହି ରେଙ୍ଗାଲି ପିଏଚସି ଚିକିତ୍ସା ଦିଆଯାଉଛି ତେବେ ଏହା ପର୍ଯ୍ୟାପ୍ତ ନୁହେଁ l ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏତେ ଗୁଡାଏ ରୋଗୀଙ୍କ ଚିକିତ୍ସା ସମ୍ଭବ ନୁହେଁ ତେଣୁ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ବଡ଼ ହସ୍ପିଟାଲ କରାଯିବା ଉଚିତ୍ l ତେଣୁ ବିଧାୟକ ଥିବା ସମୟରେ 2009 ମସିହାରେ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବାକୁ ବିଧାନସଭାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି କରିଥିଲି ଓ ସେ ଏହା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା ହୋଇ ପାରିନାହିଁ l’

Rengali Primary Health Centre
ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଚିଙ୍ଗୁଡି ଓ କଙ୍କଡା ଖୋଳପାରୁ ଔଷଧ ! ବର୍ଜ୍ୟବସ୍ତୁରୁ ବାୟୋ ମେଡିକାଲ, ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ

ବୁଲା କୁକୁର ବଢ଼ିବା ସହ ବଢୁଛି କୁକୁର କାମୁଡ଼ା; ମୁକାବିଲା ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

କାହିଁକି ଆଜିର ଯୁବପୀଢି ବିଷାଦଗ୍ରସ୍ତ, ପୁଣି ଆବଶ୍ୟକତା କି ଯୌଥ ପରିବାର ?

ନାହିଁ ନାହିଁରେ ଉଷାକୋଠି ଅଭୟାରଣ୍ୟର 4 ରାଜସ୍ବ ଗାଁ: ରାସ୍ତା ସାତସପନ, ଆସିପାରୁନି ଆମ୍ବୁଲାନ୍ସ, ନେଟୱର୍କ ଶୂନ...

କଣ ପଦକ୍ଷେପ ନିଆଯାଇଛି ?

Rengali Primary Health Centre
ଜଣେ ଡାକ୍ତରଙ୍କ ଭରସାରେ ଦୈନିକ 300 ରୋଗୀ (ETV Bharat Odisha)
ତେବେ ଏନେଇ ସମ୍ବଲପୁର CDMPHO ଡ଼ ପ୍ରଦୀପ ହୋତା କହିଛନ୍ତି, ‘ଏହି ରେଙ୍ଗାଲି PHCକୁ CHC କରିବାର ଲୋକଙ୍କ ଦାବିଙ୍କୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲା ତେବେ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାଁନ୍ତି l ତେବେ ଆମେ ହୀରାକୁଦର ହିଣ୍ଡାଲକୋ କମ୍ପାନୀରୁ ଡାକ୍ତର ଓ ଏମସିଏଲରୁ କିଛି ମେଡିକାଲ ଷ୍ଟାଫ୍ ଆମେ ଯୋଗେଇବୁ l ଏହା ସହ ଆଦିତ୍ୟ ବିର୍ଲା କମ୍ପାନୀ ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟ ଦେବାକୁ ଯାଉଛନ୍ତି l ଅନ୍ୟପଟେ ଏହା ପୂର୍ବପରି PHC ଭାବରେ ରହିବ ବୋଲି ସୂଚନା ରହିଛି l ଅନ୍ୟପଟେ ରୋଗୀଙ୍କ ପାଇଁ ଅଳ୍ପ ଦିନ ମଧ୍ୟରେ ଏଠାରେ ଏକ ସେଡ ତିଆରି ହେବ ଯାହାର ଟେଣ୍ଡର ହୋଇସାରିଛି l’

ଇଟିଭି ଭାରତ, ସମ୍ବଲପୁର