ETV Bharat / state

ସମସ୍ୟା ଘେରରେ 15 ଲକ୍ଷ କେନ୍ଦୁପତ୍ର କର୍ମଚାରୀ; ସରକାରଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ସ୍ଥଗିତ

17 ଦଫା ଦାବି ନେଇ ଆଜି ହେବାକୁ ଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ କହିଲା ସଂଘ ।

Kenduleaf wage hike demand
ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 5:58 PM IST

4 Min Read
Choose ETV Bharat

ରିପୋର୍ଟ: ବାଦଶାହ ଜୁସ୍ମନ ରାଣା

ସମ୍ବଲପୁର: ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ସ୍ଥଗିତ ରହିଲା କେନ୍ଦୁପତ୍ର ତୋଳାଳିଙ୍କ ଆନ୍ଦୋଳନ । ଆଜି 17 ଦଫା ଦାବି ନେଇ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିବା ବେଳେ ସରକାରଙ୍କ ହସ୍ତକ୍ଷପ ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।

ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି (ETV Bharat Odisha)

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସୂଚନା ଅନୁଯାୟୀ,"ଆଜି ସରକାରଙ୍କ ଅନୁରୋଧ କ୍ରମେ ରାସ୍ତାରୋକ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସଚିବାଳୟ ଖାରବେଳ ଭବନରେ ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା ହେବ । ଏହି ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

କେନ୍ଦୁପତ୍ର ତୋଳାଳିଙ୍କ ମୁଖ୍ୟ ସମସ୍ୟା:

ଆମ ରାଜ୍ୟର 22ଟି ଜିଲ୍ଲାରେ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ବେଳେ, ମୋଟ 15 ଲକ୍ଷ କେନ୍ଦୁପତ୍ର ତୋଳାଳି ଅଛନ୍ତି l ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼, କଟକ, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲା ଗୁଡିକରେ କେନ୍ଦୁପତ୍ର ଉତ୍ପାଦନ ହୋଇଥାଏ । ଏହି ଜିଲ୍ଲା ଗୁଡିକରେ 18 ହଜାର ସିଜନାଲ କର୍ମଚାରୀ ଓ 20 ହଜାର କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ଅଛନ୍ତି l ଏମାନଙ୍କ ମଧ୍ୟରୁ କିଛି ଶ୍ରମିକ ବର୍ଷ ତମାମ୍ କାମ କରୁଥିବା ବେଳେ କିଛି ସିଜନାଲ କର୍ମଚାରୀ ଭାବେ କାମ କରନ୍ତି l ତେବେ ବର୍ତମାନ ଏମାନଙ୍କ ପ୍ରମୁଖ ସମସ୍ୟା ଅନେକ ରହିଛି । ଏହି କର୍ମଚାରୀମାନେ ବିପରୀତ ପରିସ୍ଥିତିରେ ଜଙ୍ଗଲ ଭିତରେ କାମ କରୁଥିବା ବେଳେ ଏମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶି 2 ଲକ୍ଷ ଟଙ୍କା ରହିଛି, ଯାହାକୁ ସେମାନେ 4 ଲକ୍ଷ ଟଙ୍କା କରିବାକୁ ଦାବି କରି ଆସୁଛନ୍ତି l

Kenduleaf wage hike demand
ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି (ETV Bharat Odisha)

ଅନ୍ୟପଟେ ସିଜନାଲ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଅନୁସାରେ ମାସିକ ମଜୁରୀ ବୃଦ୍ଧି, କେନ୍ଦୁପତ୍ର ତୋଳାଳିଙ୍କର କେନ୍ଦୁପତ୍ର ବିଡା କିମ୍ବା କେରି ପ୍ରତି ଦରବୃଦ୍ଧି ଓ କେନ୍ଦୁପତ୍ର ସଂଗ୍ରହ ପ୍ରକ୍ରିୟାକୁ ଘରୋଇକରଣ ନ କରିବା, ବଜେଟରେ କେନ୍ଦୁପତ୍ର କର୍ମଚାରୀଙ୍କ ସାମାଜିକ ନିରାପତ୍ତା ପାଇଁ 200 କୋଟିର ବ୍ୟବସ୍ଥା କରିବା, OFDCକୁ କେନ୍ଦୁପତ୍ର ସଂସ୍ଥାର କାର୍ଯ୍ୟକାରିତା ପାଇଁ Revolving Fund ଯୋଗେଇଦେବା, ବୋନସ୍ ପ୍ରଦାନ ଶତକଡା ହିସାବରେ ଗତ ବର୍ଷରୁ ଅଧିକ କରାଯିବା, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦୁପତ୍ର ବିକାଶ ବୋର୍ଡରେ ଆବଶ୍ୟକୀୟ ସଂଶୋଧନ କରି କେନ୍ଦୁପତ୍ର କର୍ମଚାରୀ ସଂଘର ମତାମତ ଅନୁସାରେ ସଦସ୍ୟ ଚୟନ କରିବା ଆଦି ଦାବି ରହିଛି l

କେନ୍ଦୁପତ୍ର ଦର ବୃଦ୍ଧି ଦାବି:

ଓଡ଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି କହିଛନ୍ତି," ବର୍ତ୍ତମାନ ରାଜ୍ୟରେ ସରକାରଙ୍କ ଦ୍ୱାରା ପରିଚୟ ପତ୍ର ପାଇଥିବା ପଞ୍ଜିକୃତ ତୋଳାଳିଙ୍କ ସଂଖ୍ୟା ପାଖାପାଖି 8 ଲକ୍ଷ ରହିଛି, କିନ୍ତୁ ବହୁତ ଅଣପଞ୍ଜିକୃତ ତୋଳାଳି ଅଛନ୍ତି l ଏହାସହ ସିଜିନାଲ କର୍ମଚାରୀ 18 ହଜାର, ବନ୍ଧେଇ ଶ୍ରମିକ 20 ହଜାର ଓ ବୁଶ କଟିଂ, ଫଡି ମରାମତି ଆଦି ଅନୁସଙ୍ଗିକ କାର୍ଯ୍ୟ କରୁଥିବା 2 ଲକ୍ଷ ଶ୍ରମିକ ଅଛନ୍ତି l ଆମର ମୁଖ୍ୟ ଦାବି ହେଉଛି କେନ୍ଦୁପତ୍ର ତୋଳାଳୀଙ୍କ ପତ୍ର ଦର ବୃଦ୍ଧି କରିବା l କେନ୍ଦୁପତ୍ର ବିଡାର ଦର 1 ଟଙ୍କା 60 ପଇସା ଧାର୍ଯ୍ୟ କରାଯାଇଛି l ରାଜ୍ୟ ସରକାର ତାଙ୍କର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ ଯେ ଗୋଟିଏ କେନ୍ଦୁପତ୍ର ବିଡାର ଦର 1 ଟଙ୍କା 60 ପଇସାରୁ 2 ଟଙ୍କା କରିବେ ବୋଲି, ହେଲେ ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ l "

Kenduleaf wage hike demand
ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି (ETV Bharat Odisha)

ସେ ଆହୁରି କହିଛନ୍ତି,"2024 ମସିହା ଜୁଲାଇ 18ରେ ରାଜ୍ୟ ସରକାର ସିଜିନାଲ୍‌ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିଲେ, ସେହି ଅନୁପାତରେ ସେମାନଙ୍କ ମାସିକ ମଜୁରୀ ମିଳୁନାହିଁ l ଏହାସହ ବୋନସର ପରିମାଣ ମଧ୍ୟ ଗତବର୍ଷ କମି ଯାଇଛି l ସରକାରଙ୍କୁ କେନ୍ଦୁପତ୍ର ବିକ୍ରିରୁ ମିଳୁଥିବା ଲାଭର 50% ତୋଳାଳିଙ୍କୁ, 10% ବନ୍ଧେଇ ଶ୍ରମିକ, 10% ସିଜିନାଲ କର୍ମଚାରୀଙ୍କୁ ମିଳିବା କଥା, ତାହା ଦିଆଯାଉ ନାହିଁ l ବଜେଟରେ ଯେତିକି ଅର୍ଥର ପ୍ରାବଧାନ ରହିଛି ସେତିକି ଅର୍ଥ ଦିଆଯାଉନାହିଁ l ଯାହା ଅର୍ଥ ଆସୁଛି କୋଠା ଆଦି ନିର୍ମାଣରେ ଲଗା ଯାଉଛି l ଏହା ଦ୍ୱାରା କର୍ମଚାରୀମାନେ ସାମାଜିକ ନିରାପତ୍ତା ପାଇ ପାରୁ ନାହାନ୍ତି l ଆମେ 200 କୋଟି ଦାବି କରିଥିବା ବେଳେ ମିଳିଛି 117 କୋଟି l ଯାହା ବି ମିଳିଛି ତାହା ସେମାନେ ଦେଉ ନାହାନ୍ତି, ଗତ ବର୍ଷ 120 କୋଟିର ବ୍ୟବସ୍ଥା ହୋଇଥିଲା ଆଉ ଆମକୁ ଦେଲେ ମାତ୍ର 41 କୋଟି l"

କେନ୍ଦୁପତ୍ର ସଂଗ୍ରହ ପ୍ରକ୍ରିୟାକୁ ଘରୋଇକରଣ କରିବାକୁ ବିରୋଧ:

ସେ ଆହୁରି ମଧ୍ୟ କହିଛନ୍ତି,"ରାଜ୍ୟ ସରକାର କେତେକ ସ୍ଥାନରେ କେନ୍ଦୁପତ୍ର ସଂଗ୍ରହ ପ୍ରକ୍ରିୟାକୁ ଘରୋଇକରଣ କରିବାକୁ ଚେଷ୍ଟା କରୁଛନ୍ତି l ଅର୍ଥ ବିଭାଗ ଏହି ସମ୍ପୂର୍ଣ୍ଣ କ୍ଷେତ୍ରକୁ ଘରୋଇକରଣ କରିବାକୁ ପ୍ରସ୍ତାବ ଦେଇଛି l ଏହା ଘରୋଇକରଣ ହେଲେ ଠିକା ସଂସ୍ଥା ଗୁଡିକ ଶ୍ରମିକ ଓ କର୍ମଚାରୀମାନଙ୍କୁ ଶୋଷଣ କରିବେ, ତେଣୁ ଆମେ ଏହାକୁ ବିରୋଧ କରୁଛୁ l ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହାକୁ ଘରୋଇ କରଣ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କିଛି ଆରମ୍ଭ ହୋଇଛି l ଆଉ 5ରୁ 6ଟି ସ୍ଥାନରେ ଆରମ୍ଭ କରିବାକୁ ଯୋଜନା ଚାଲିଛି । କେନ୍ଦୁପତ୍ର କର୍ମଚାରୀ ଭାବରେ କାମ କରୁଥିବା ଲୋକଙ୍କ ମଧ୍ୟରେ 90% ମହିଳା ଅଛନ୍ତି ଓ ସେମାନେ ଅଧିକାଂଶରେ ଆଦିବାସୀ ଅଟନ୍ତି l ସେମାନେ କେନ୍ଦୁପତ୍ରକୁ ନିଜର ଜୀବନ ଜୀବିକାର ମାଧ୍ୟମ କରିଛନ୍ତି l ତେବେ ସେମାନଙ୍କ କନ୍ୟା ବିବାହ ପାଇଁ ମିଳୁଥିବା ସହାୟତା ରାଶିକୁ ମଧ୍ୟ ରାଜ୍ୟର ନୂଆ ସରକାର ବନ୍ଦ କରି ଦେଇଛନ୍ତି l"

Kenduleaf wage hike demand
ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି (ETV Bharat Odisha)

ମିଳୁନି କନ୍ୟା ବିବାହ ସହାୟତା ରାଶି:

ସେହିପରି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି କହିଛନ୍ତି," 2014ରେ ଜଙ୍ଗଲ ଅଧିକାରୀ ଆଇନ୍ ଲାଗୁ ହେଲା ପରେ ଓଡ଼ିଶା ସରକାର କେନ୍ଦୁପତ୍ର ସଂସ୍ଥାର କୌଣସି ଲାଭାଂଶ ରଖି ପରିବେନି କି ଅନ୍ୟ ଦିଗରେ ଖର୍ଚ୍ଚ କରି ପାରିବେନି l ଯାହା ଲାଭ ହେବ ସେହି ଲାଭକୁ ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ତୋଳାଳି ଓ କର୍ମଚାରୀଙ୍କୁ ବାଣ୍ଟିବାର ନିୟମ ରହିଛି l ଏଥିରେ ମୁଖ୍ୟତଃ କନ୍ୟା ବିବାହ ସହାୟତା, ମୃତ୍ୟୁ କାଳୀନ ସହାୟତା, ବୋନସ ପ୍ରଦାନ, ପାଣି ବୋତଲ, ଚପଲ, ମଶାରୀ, କମ୍ବଳ ପ୍ରଦାନ କରିବା କଥା କିନ୍ତୁ ଦୁଃଖର ବିଷୟ ତେବେ ଗତ ବର୍ଷ ଏପ୍ରିଲ 21ରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସମ୍ବଲପୁର ଆସିଥିଲେ,ସେହିଦିନ ସନ୍ଧ୍ୟାରେ ସେ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀଙ୍କ କନ୍ୟା ବିବାହ ପାଇଁ ଯେଉଁ ସହାୟତା ରାଶି ରହୁଥିଲା ତାକୁ ବନ୍ଦ କରି ଦେଲେ l’

Kenduleaf wage hike demand
ସମସ୍ୟା ଘେରରେ କେନ୍ଦୁପତ୍ର ତୋଳାଳି (ETV Bharat Odisha)

ସେ ଆହୁରି କହିଛନ୍ତି, ‘ଏହା ସହ ଏହି ସରକାର ନିଜର ନିର୍ବାଚନୀ ଇସ୍ତାହାରରେ କେନ୍ଦୁପତ୍ର ଲାଭଂଶର 35% କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀଙ୍କ ପାଇଁ ବୋନସ ଆକାରରେ ଦେବୁ ବୋଲି କହିଥିଲେ ତେବେ ଗତ ବର୍ଷ 25% ଦେଇଥିଲେ l ଏହା ସହ ଏହି କର୍ମଚାରୀଙ୍କ ମୃତ୍ୟକାଳୀନ ସହାୟତାକୁ 2 ଲକ୍ଷରୁ 4 ଲକ୍ଷ କରାଯାଉ ବୋଲି ଆମେ ଦାବୀ କରି ଆସୁଥିଲେ ମଧ୍ୟ ତାହା ହେଉନାହିଁ l"

ଏହା ମଧ୍ୟ ପଢନ୍ତୁ... କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କୁ ୪୧ କୋଟି ସହାୟତା, ଦେବଗଡରେ ୨୦୫ କୋଟି ପ୍ରକଳ୍ପର ଉଦଘାଟନ

ଏହା ମଧ୍ୟ ପଢନ୍ତୁ... GST ମାଡ଼ରେ ଘାଇଲା କେନ୍ଦୁପତ୍ର ତୋଳାଳୀ, ଦୁର୍ଦ୍ଦିନରେ ୧୫ ଲକ୍ଷ କର୍ମଚାରୀ





ଇଟିଭି ଭାରତ, ସମ୍ବଲପୁର