ETV Bharat / state

ଖସୁଛି ପାରଦ, ବଢୁଛି ବେପାର..ଏବେ ଟ୍ରେଣ୍ଡରେ ପେଁ ପେଁ ଟୋପି

ଶୀତ ସାଙ୍ଗକୁ ଶୀତବସ୍ତ୍ରର ଚାହିଦା ବଢୁଛି । ବେପାରୀମାନେ ଚଳିତବର୍ଷ ଭଲ ବ୍ୟବସାୟ ହେବା ନେଇ ଆଶାବାଦୀ ଅଛନ୍ତି। ଜ୍ୟାକେଟ୍, ସ୍ୱେଟର, ଶାଲ କୀଣିବା ପାଇଁ ଷ୍ଟଲରେ ଭିଡ ବେଶ ଜମିଛି ।

winter clothes sale increasing in capital market
ଭୁବନେଶ୍ୱରରେ ବଢୁଛି ଶୀତବସ୍ତ୍ରର ଚାହିଦା (Etv Bharat)
author img

By ETV Bharat Odisha Team

Published : January 8, 2026 at 3:01 PM IST

|

Updated : January 8, 2026 at 4:07 PM IST

3 Min Read
Choose ETV Bharat

ଭୁବନେଶ୍ୱର:ଖସୁଛି ପାରଦ । ବଢୁଛି ଶୀତବସ୍ତ୍ରର ଚାହିଦା । ଏବର୍ଷ ଦଶ ବର୍ଷର ରେକର୍ଡ ଭଙ୍ଗିଛି ଶୀତ । ଏକା ଥରକେ 9ଟି ସହରର ପାରଦ 10 ଡିଗ୍ରୀ ତଳକୁ ଖସୁଛି। ଗାଁଠୁ ସହର ସବୁଠି ସମସ୍ତେ ଶୀତରେ ଅସ୍ତବ୍ୟସ୍ତ । ତଥାପି ଶୀତକୁ ସମସ୍ତେ ସ୍ୱାଗତ କରୁଛନ୍ତି।

ଏବେ ଜାନୁଆରୀ ମାସର ପ୍ରଥମ ସପ୍ତାହ । ତାପମାତ୍ରା ଆନୁପାତିକ ହିସାବରେ 9 ଡିଗ୍ରୀ ତଳେ। ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ରାତ୍ରି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବୃଦ୍ଧି ପାଇବ ।

ଶୀତ ବଢିବା ସାଙ୍ଗକୁ ଶୀତ ବସ୍ତ୍ରର ଚାହିଦା ବି ବଢୁଛି। ରାଜ୍ୟରେ ପଶମ ପୋଷାକ ବିକ୍ରୟ ବୃଦ୍ଧି ପାଉଛି । ବେପାରୀମାନେ ଚଳିତ ବର୍ଷ ଭଲ ବ୍ୟବସାୟ ହେବା ନେଇ ଆଶାବାଦୀ ଅଛନ୍ତି। ବିଶେଷ କରି ଜ୍ୟାକେଟ୍, ସ୍ୱେଟର, ଶାଲ, ଟୋପି,ସ୍କାର୍ପ ,ବ୍ଳାଙ୍କେଟ ଏବଂ ଥର୍ମାଲ୍ ପୋଷାକ ସମେତ ପଶମ ସାମଗ୍ରୀ ବିକ୍ରି ହେଉଥିବା ଷ୍ଟଲରେ ଭିଡ ବେଶ ଜମିଛି ।

ଶୀତ ପୋଷାକ କିଣିବା ପାଇଁ ଆସିଥିବା ଜଣେ ଗ୍ରାହକ ରୁବି କହିଛନ୍ତି, ଭୁବନେଶ୍ୱରରେ ଏମିତି ଶୀତ ଆଗରୁ କେବେ ଅନୁଭୂତ ହୋଇନଥିଲା । ଦିନରେ ବି ସ୍ୱେଟର ପିନ୍ଧି ଆସିବାକୁ ପଡ଼ୁଛି । ଏବେ ଶୀତ ଲହରୀ ଯୋଗୁ ଶୀତ ବସ୍ତ୍ର ପ୍ରତି ଆଗ୍ରହ ବଢୁଛି। ଶୀତରୁ ଉପଶମ ପାଇଁ ମାର୍କେଟ ଆସି ଶ୍ୱେଟର,ଜାକେଟ କିଣିଲୁ ବୋଲି କହିଛନ୍ତି ସହୀଦ ନଗର ବାସିନ୍ଦା ରୁବି।

ଓଡ଼ିଶାରେ ବିକ୍ରି ହେଉଥିବା ଶୀତପୋଷାକ

ଭୁବନେଶ୍ୱରରେ ବଢୁଛି ଶୀତବସ୍ତ୍ରର ଚାହିଦା (Etv Bharat)

ଚଳିତ ବର୍ଷ ସବୁଠୁ ଅଧିକ ଲୋକପ୍ରିୟ ଶୀତ ବସ୍ତ୍ର ଭାବରେ ପେଂ ପେଂ ଟୋପି ବିକ୍ରି ହେଉଛି। ଭିନ୍ନ ଭିନ୍ନ କିସମର ଏବଂ ରଙ୍ଗର ଟୋପି ଏବେ ପାଲଟିଛି ଗରାଖଙ୍କର ଖୁବ ପସନ୍ଦ । ଏହି ଟୋପି ଏବେ ସବୁ ବର୍ଗର ଗରାଖମାନଙ୍କୁ ଆକର୍ଷିତ କରୁଛି।

୨୦୦ ରୁ ୪୦୦ ଟଙ୍କାରେ ପେଂ ପେଂ ଟୋପି

ରାଜଧାନୀରେ ଏବେ ଟ୍ରେଣ୍ଟରେ ଅଛି ପେଁ ପେଁ ଟୋପି । କଲିକତା ଏବଂ ଲୁଧିଆନାରୁ ଏହି ଟୋପି ଓଡିଶାର ବିଭିନ୍ନ ମାର୍କେଟକୁ ଆସୁଛି । ଭୁବନେଶ୍ୱରରେ ସମସ୍ତ ଶୀତ ବସ୍ତ୍ର ଦୋକାନରେ ଲକ୍ଷାଧିକ ଟଙ୍କାର ଟୋପି କାରବାର ହେଉଛି। ଏହା ବ୍ୟତୀତ ଶାଲ, କମଳ, ସ୍ୱେଟର ଇତ୍ୟାଦିର ଚାହିହା ମଧ୍ୟ ରହିଛି ।

କାହାର ରହିଛି କେତେ ଦାମ

  • ଶାଲ -୧ ହଜାର ରୁ ୫ ହଜାର
  • ଜ୍ୟାକେଟ-୫୦୦ ରୁ ୩୦୦୦
  • ଷ୍ଟାଇଲିସ୍ ଜ୍ୟାକେଟ୍ -୧,୦୦୦ରୁ ୪,୦୦୦ ଟଙ୍କା
  • ସ୍ୱେଟର- ୫୦୦ରୁ ୨,୦୦୦ ଟଙ୍କା
  • ଶୁଦ୍ଧ ମେରିନୋ ପଶମ ଏବଂ ପଶମ-ମାର୍କ ବ୍ଳାଙ୍କେଟ -୧୦୦୦ ରୁ ୫୦୦୦ଟଙ୍କା
  • ପଶମ କ୍ୟାପ୍ ୫୦ ରୁ ୩୦୦ ଟଙ୍କା

ଏହା ବ୍ୟତୀତ ଗ୍ଲୋଭ୍ସ ଏବଂ ସ୍କାର୍ଫ ସହିତ ଶସ୍ତା ଦରରେ ମଧ୍ୟ ବିକ୍ରି କରାଯାଉଛି।


ଭୁବନେଶ୍ୱରର ଅନ୍ୟ ଜଣେ ଗ୍ରାହକ ସବିତା ନାୟକ କହିଛନ୍ତି, ଶୀତ ଏତେ ହେଉଛି ଯେ, ଶୀତ ବସ୍ତ୍ରର ଚାହିଦା ଏଥରଲ ବହୁତ ବଢି ଯାଇଛି । ମଧ୍ୟାହ୍ନ ଗୋଟେ ପରେ ବି ପ୍ରବଳ ଜାଡ ହେଉଛି । ଘରୁ ବାହାରି ହେଉନି । ଶ୍ୱେଟର କିଣିବାକୁ ମାର୍କେଟ ଆସିଛୁ। ଭଳିକି ଭଳିକି ଭଲ ଦାମରେ ମଧ୍ୟ ଶୀତ ବସ୍ତ୍ର ମିଳୁଛି ବୋଲି ସେ କହିଛନ୍ତି ।

କେଉଁଠୁ ଆସୁଛି ଏ ଶୀତ ପୋଷାକ

ଓଡ଼ିଶାର ପଶମ ପୋଷାକ ବିକ୍ରେତାମାନେ ସେମାନଙ୍କର ଉତ୍ପାଦ ଲୁଧିଆନା ,କୋଲକାତା ,ହିମାଚଳ ପ୍ରଦେଶ, ରାଜସ୍ଥାନରୁ ଖରଦି କରିଥାନ୍ତି। ଏହା ବ୍ୟତୀତ ଗଜପତି ଜିଲ୍ଲାର ଚନ୍ଦ୍ରଗିରିରୁ ତିବ୍ଦତୀୟ ଶରଣାର୍ଥୀମାନେ ପ୍ରସ୍ତୁତ କରିଥିବା ହସ୍ତନିର୍ମିତ ପଶମ ଉତ୍ପାଦ ମଧ୍ୟ ଓଡ଼ିଶା ବଜାରକୁ ଆସିଥାଏ । ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ପଶମ ପୋଷାକ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ରି ହୁଏ। ଏହା ବ୍ୟତୀତ କିଛି ବିକ୍ରେତା ଓଡ଼ିଶାର ସ୍ଥାନୀୟ ନିର୍ମାତାଙ୍କଠାରୁ ସେମାନଙ୍କର ଉତ୍ପାଦ କିଣନ୍ତି।

ଶହୀଦ ନଗର ଦୁର୍ଗା ମଣ୍ଡପ ନିକଟ ଶୀତବସ୍ତ୍ର ବଜାର ବ୍ୟବସାୟୀ ପ୍ରଦୀପ ରାଉଳ କୁହନ୍ତି, ଏବର୍ଷ ପ୍ରବଳ ଶୀତ ଯୋଗୁ ଭଲ ବ୍ୟବସାୟ ହେଉଛି । ବିଶେଷକରି ପେଂ ପେଂ ଟୋପି ସବୁଠୁ ଅଧିକ ମାର୍କେଟ ନେଇଛି। କୋଲକାତାରୁ ବିଭିନ୍ନ କିସମର ଟୋପି ଆସିଛି । ସବୁ ବର୍ଗର ଗ୍ରାହକ ଏହି ଟୋପି ନେଇ ପିନ୍ଧୁଛନ୍ତି । ଏହି ଟୋପିର ମୂଲ୍ୟ 200 ରୁ 300 ଟଙ୍କା ରହିଛି।

ପୂର୍ବରୁ ଅକ୍ଟୋବର ଶେଷ ସମୟରୁ ଶୀତ ଅନୁଭୂତ ହେଉଥିଲା । ହେଲେ ଏବେ ସମୟର ପରିବର୍ତ୍ତନ ସହ ଅକ୍ଟୋବର, ନଭେମ୍ବରରେ ଶୀତ ଯେମିତି ଉଭାନ ହୋଇଯାଉଛି । ଡିସେମ୍ବରରେ ଏବେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ତେବେ ଏଭଳି ପ୍ରବଳ ଥଣ୍ଡା ଏବଂ ଶୀତ ଲହରୀ ଯୋଗୁ ଶାଲ ,ଶ୍ୱେଟର,ଟୋପି,ଚାଦର ବ୍ୟବସାୟୀ ଆଶାବାଦୀ ଯେ ଏଥର ଭଲ ବ୍ୟବସାୟ ହେବ।

ଏ ବର୍ଷ ଆସିଛି ନୂଆ ନୂଆ କଲେକ୍ସନ

ଏବର୍ଷ ନିଆରା ଶୀତବସ୍ତ୍ର ବ୍ୟବସାୟ ହେଉଛି। ଚଳିତବର୍ଷ ନୂଆ ନୂଆ କଲେକ୍ସନ ଆସିଛି। ନୂଆ ଡିଜାଇନ, ନୂଆ ଆଇଟମ ଆସିଛି । ଯାହା ଗ୍ରାହକଙ୍କ ମନ ପସନ୍ଦର। ଜାକେଟ, ହୁଡ଼ି ,ଶ୍ୱେଟର,ଶାଲ,ବ୍ଲାଙ୍କେଟ ଭଲ ବେପାର ହେଉଛି ବୋଲି କହିଛନ୍ତି ୟୁନିଟ 1 ଶୀତବସ୍ତ୍ର ବଜାରର ବ୍ୟବସାୟୀ ସାରଦା ପ୍ରସାଦ ।

ଶୀତ ଋତୁରେ ଅଧିକ ଶୀତ ଭଲ ସଂକେତ

ଶୀତ ଆସିବା ପରେ ଘରେ ବାହାରେ ସବୁଠି ଜମିଛି ଭୋଜି ଭାତର ଆସର। ନୂଆବର୍ଷରେ ଶୀତ ବସ୍ତ୍ର ପରିଧାନ ଆଉ ଆବଶ୍ୟକତା ହୋଇ ନାହିଁ । ଏହା ଏକ ଫ୍ୟାସନରେ ପରିଣତ ହୋଇଯାଇଛି । ଲୋକଙ୍କ ପସନ୍ଦ ପରିବର୍ତ୍ତନ ହେବା ସହ ନୂଆ ନୂଆ ଶୀତ ବସ୍ତ୍ର ଉତ୍ପାଦ ଏବେ ଓଡିଶା ମାର୍କେଟ ଦେଖାଦେଇଛି । ତେବେ ପ୍ରତିବର୍ଷ ଏଭଳି ଶୀତ ବଢିଲେ ଶୀତ ବସ୍ତ୍ର ବିକ୍ରି ବୃଦ୍ଧି ପାଇବ । ନୂଆ ନୂଆ କିସମର ଉତ୍ପାଦ ମାର୍କେଟକୁ ଆସିବ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ କଣ ରହିବ ପାଣିପାଗ ?

ଏହା ମଧ୍ୟ ପଢନ୍ତୁ ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଓ ଝାରସୁଗୁଡ଼ା, ଆହୁରି 5 ଦିନ ଘନ କୁହୁ଼ଡ଼ି

Last Updated : January 8, 2026 at 4:07 PM IST