କଠିନ ପରିଶ୍ରମର ଫଳ, ପ୍ରାଦେଶିକ ସେନା ଅଧିକାରୀ ହେବେ ଢେଙ୍କାନାଳର ସାଗର ଧଳ
ସାରା ଦେଶରୁ ୧୪ ଜଣ ପ୍ରାଦେଶିକ ସେନା ଅଧିକାରୀ (TAO) ଚୟନ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ସାଗର ଧଳ । ସ୍ପେଶାଲ ରିପୋର୍ଟ: ସମୀର ଆଚାର୍ଯ୍ୟ

Published : May 6, 2026 at 3:56 PM IST
SAGAR DHALA TAO , ବ୍ରହ୍ମପୁର: ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ନିଶ୍ଚିତ ମିଳିବ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଢେଙ୍କାନାଳର ସାଗର ଧଳ । ବାରମ୍ବାର ବିଫଳତା ପରେ ମଧ୍ୟ ହାର ନ ମାନି କଠିନ ପରିଶ୍ରମ କରି ଚାଲିଥିଲେ ସାଗର । ଆଉ ନିଜ ପରିଶ୍ରମର ଫଳ ସ୍ବରୁପ, ଏବେ ସେ ପ୍ରାଦେଶିକ ସେନା ଅଧିକାରୀ (Territorial Army Officer-TAO) ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଛନ୍ତି । ଭାରତୀୟ ପ୍ରାଦେଶିକ ସେନା ଅଧିକାରୀ ନିଯୁକ୍ତି ପାଇଁ ସାରା ଭାରତରୁ ୧୪ ଜଣ ଚୟନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ସାଗର । ଏହି ସଫଳତା ପାଇବା ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
ସାଗର ଧଳଙ୍କ ଯାତ୍ରା:
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ନିରକାର ଧଳ ଓ ସୁକାନ୍ତି ଧଳଙ୍କ ପୁଅ ସାଗର ଧଳ । କୃଷକ ପରିବାରରୁ ଆସିଥିବା ସାଗର, ପିଲାଟି ଦିନରୁ ଭାରତୀୟ ସେନାରେ ଚାକିରି କରିବାର ଲକ୍ଷ୍ୟ ରଖିଥିଲେ । ଶିକ୍ଷା ଶେଷ ହେବା ପରେ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ୨୦୧୯ ମସିହାରେ ବ୍ରହ୍ମପୁର ସହର ଆସି ସାମନ୍ତରାୟ ଏକାଡେମୀରେ ଟ୍ରେନିଂ ନେଉଥିଲେ । ଆଉ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଦୀର୍ଘ ୬ ବର୍ଷ ଧରି ସାଗର କଠିନ ପରିଶ୍ରମ ଜାରି ରଖିଥିଲେ । ଏହାରି ଭିତରେ ସାଗର ବିଭିନ୍ନ ପଦବୀ ପାଇଁ ପାଖାପାଖି ୧୩ଟି ପରୀକ୍ଷା ଦେଇଥିଲେ। ସେଥିରୁ ୬ଟି କେବଳ ସେନାବାହିନୀର ନିଯୁକ୍ତି ସମ୍ପର୍କିତ ପରୀକ୍ଷା ଥିଲା । ତେବେ ବାରମ୍ବାର ଚେଷ୍ଟା ସତ୍ତ୍ବେ ତାଙ୍କ ହାତରୁ ସଫଳତା ଯେମିତି ଖସି ଚାଲିଥିଲା । ହେଲେ ପଛଘୁଞ୍ଚା ନ ଦେଇ ସାଗର ଶେଷରେ ସଫଳ ହୋଇଛନ୍ତି ।
ଜୁଲାଇ ୩ କାର୍ଯ୍ୟରେ ଯୋଗ ଦେବେ:
ସାଗର, ସାମନ୍ତରାୟ ଏକାଡେମୀର ଲାଇବ୍ରେରୀରେ ପ୍ରସ୍ତୁତି କରିବା ସହ ଚାକିରି ପାଇଁ ଚେଷ୍ଟା ଜାରି ରଖିଥିଲେ । ବଡ଼ କଥା ହେଉଛି ଦେଶରେ ୧୪ ଜଣ ବିଦ୍ୟାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସାଗର ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବରେ ଚୟନ ହୋଇଛନ୍ତି । ଆସନ୍ତା ଜୁଲାଇ ୩ ତାରିଖରେ ସାଗର କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି । ପ୍ରାଦେଶିକ ସେନା ଅଧିକାରୀ ନିଯୁକ୍ତି ପାଇଁ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୯୦୦ ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେଥିମଧ୍ୟରୁ ୧୪ ଜଣ ପ୍ରାଦେଶିକ ସେନା ଅଧିକାରୀ ପଦବୀ ପାଇଁ ଚୟନ ହୋଇଛନ୍ତି ।

ସାଗର ଧଳ କହିଛନ୍ତି, "ପିଲାଟି ଦିନରୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ପରିବାରରେ ବାପା ପ୍ରେରଣା ଯୋଗାଇ ଆସୁଥିଲେ । ପରିବାରରେ ଦୁଇ ଜଣ ଦାଦା ସେନାରେ ରହିଥିବା ଯୋଗୁଁ ସେ ବେଶ୍ ପ୍ରଭାବିତ ହୋଇଥିଲେ ।"
ସାଗରଙ୍କୁ ସମ୍ବର୍ଦ୍ଧନା:
ସାଗରଙ୍କ ସଫଳତା ପରେ ସାମନ୍ତରାୟ ଏକାଡେମୀ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସାଗରଙ୍କ ଏଭଳି ସଫଳତା କେବଳ ପରିବାର ପାଇଁ ନୁହେଁ, ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ । ତାଙ୍କ ପରିଶ୍ରମ, ନିଷ୍ଠା ଓ ଦୃଢ଼ ସଙ୍କଳ୍ପ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ଭାବରେ ବିବେଚନା କରାଯାଇଥିବା ବେଳେ ତାଙ୍କର ଏଭଳି ସଫଳତାକୁ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି । ସାମନ୍ତରାୟ ଏକାଡେମୀ ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ କହିଛନ୍ତି, "ସାଗର ନିଷ୍ଠାର ସହିତ ଉଦ୍ୟମ ଜାରି ରଖିଥିଲେ, ଫଳରେ ତାଙ୍କୁ ଆଜି ଏହି ସଫଳତା ମିଳିଛି । ତାଙ୍କର ସଫଳତା ଅନେକଙ୍କୁ ପ୍ରେରଣା ଯୋଗାଇବ ।"

ସାମନ୍ତରାୟ ଏକାଡେମୀ ଉପଦେଷ୍ଟା ଗୋକୁଳ ତ୍ରିପାଠୀ କହିଛନ୍ତି, "ଜଣେ ଓଡ଼ିଆ ଯୁବକ ଭାରତୀୟ ସେନାରେ ପ୍ରାଦେଶିକ ସେନା ଅଧିକାରୀ ନିଯୁକ୍ତି ପାଇବା ଆମ ପାଇଁ ଗର୍ବର କଥା । ଭାରତମାତାର ସେବା କରିବା ପାଇଁ ଯେଉଁ ଲକ୍ଷ୍ୟ ରଖି ବ୍ରହ୍ମପୁର ସହରରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା ତାହା ସଫଳ ହୋଇଛି ।" ଆଗାମୀ ଦିନରେ ଆହୁରି ଅଧିକ ବିଦ୍ୟାର୍ଥୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ " ବୋଲି କହିଛନ୍ତି ଏକାଡେମୀ ଉପଦେଷ୍ଟା ।

ପ୍ରାଦେଶିକ ସେନା ଅଧିକାରୀ:
ଯୋଗ୍ୟତା: ଭାରତର ନାଗରିକ (ପୁରୁଷ/ମହିଳା), ୧୮ରୁ ୪୨ ବର୍ଷ ବୟସ, ସ୍ନାତକ ଡିଗ୍ରୀ ।
ଚୟନ ପ୍ରକ୍ରିୟା: ଏକ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (CBT) (ଇଂରାଜୀ, GK, ଗଣିତ, ରିଜନିଂ) । ପରେ ଏକ ପ୍ରିଲିମିନାରୀ ଇଣ୍ଡରଭ୍ୟୁ ବୋର୍ଡ (PIB) ଏବଂ ସେବା ଚୟନ ବୋର୍ଡ (SSB) ଦ୍ୱାରା ଏକ ସାକ୍ଷାତକାର ।
ସେବା: ଅଧିକାରୀମାନେ "ନାଗରିକ ସେନା" ଅନୁଯାୟୀ କାର୍ଯ୍ୟ କରନ୍ତି । ସେମାନଙ୍କୁ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତି ଦିଆଯାଇଥାଏ, ପଦୋନ୍ନତିର ସୁଯୋଗ ମଧ୍ୟ ମିଳିଥାଏ, ଏବଂ ଡ୍ୟୁଟିରେ ଥିବା ସମୟରେ ସେମାନେ ନିୟମିତ ସେନା ଅଧିକାରୀଙ୍କ ସମାନ ଦରମା ପାଆନ୍ତି ।
ଭୂମିକା: TAOରେ ଦୁଇଟି ଭୂମିକାରେ ନାଗରିକମାନଙ୍କୁ ସେବା କରିବା ପାଇଁ ଡିଜାଇନ୍ କରାଯାଇଛି - ପ୍ରଥମଟି ବେସାମରିକ ବ୍ୟକ୍ତି ଭାବରେ ଏବଂ ଦ୍ବିତୀୟଟି ଜଣେ ସୈନିକ ଭାବରେ ।
ନିଯୁକ୍ତି: ନିୟନ୍ତ୍ରଣ ରେଖା (LoC) ନିକଟରେ ଇଞ୍ଜିନିୟରିଂ ରେଜିମେଣ୍ଟ, ମୁଖ୍ୟାଳୟ, ଏବଂ ପ୍ରାଦେଶିକ ସେନାର ମହାନିର୍ଦ୍ଦେଶାଳୟରେ ମହିଳା ଓ ପୁରୁଷ ଅଧିକାରୀ ନିଯୁକ୍ତ ହୁଅନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର

