କେନ୍ଦ୍ରାପଡ଼ା ମଗରକନ୍ଦା ବାସିନ୍ଦାଙ୍କ ଦୁଃଖ; ଥଇଥାନ କଲୋନୀରେ ଜାଗା ମିଳିଥିଲେ ବି ଯାଉନାହାନ୍ତି ୩୦ ପରିବାର
ନୂଆ ଠିକଣା ମିଳିଥିଲେ ବି ଜୀବିକା ନ ମିଳିବାରୁ କାହା ଘରୁ ଦାଦନ ଗଲେ ତ ଆଉ କିଏ ପୁଣି ଥରେ ଫେରିଲେ ନିଜର ଅଧା ସମୁଦ୍ର ଗ୍ରାସ କରିଥିବା ମଗରକନ୍ଦା ଗାଁକୁ ।

Published : December 27, 2025 at 10:40 PM IST
|Updated : December 28, 2025 at 2:56 PM IST
ରିପୋର୍ଟ- ରାଧାକାନ୍ତ ମହାନ୍ତି
କେନ୍ଦ୍ରାପଡ଼ା: ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାଡ଼ି ଆସିଲା ସମୁଦ୍ର, ଆଉ ବଦଳିଗଲା ବାସ ଠିକଣା । ଏବେ ନୂଆ ଠିକଣା ମିଳିଛି ସତ, କିନ୍ତୁ ଜୀବିକା ନ ମିଳିବାରୁ କାହା ଘରୁ ଦାଦନ ଗଲେ ତ ଆଉ କିଏ ପୁଣି ଥରେ ଫେରିଲେ ନିଜର ବାସସ୍ଥାନ ବା ଅଧା ସମୁଦ୍ର ଗ୍ରାସ କରିଥିବା ସ୍ଥାନ ମଗରକନ୍ଦା ଗାଁକୁ ।
ସମୁଦ୍ର ଖାଇଗଲା ସାତଭାୟା ଗାଁ:-
ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ର କୂଳରେ ବାସ କରୁଥିବା କେନ୍ଦ୍ରାପଡ଼ା ରାଜନଗର ବ୍ଲକର ସାତଟି ଗାଁକୁ ସମୁଦ୍ର ଦ୍ରୁତ ଗତିରେ ଗ୍ରାସ କରିଥିଲା । ପରିସ୍ଥିତି ଏପରି ହେଲା ଯେ, ରାଜ୍ୟ ସରକାର ପ୍ରଥମେ ଏଠାରେ ବସବାସ କରୁଥିବା ୫୭୧ ପରିବାରକୁ ବଗପାଟିଆକୁ ସ୍ଥାନାନ୍ତର କରି ଥଇଥାନ କଲେ । ପରେ ଆଉ ୧୪୭ ପରିବାରକୁ ଏହି ଥଇଥାନ କଲୋନୀରେ ଆଣି ବିସ୍ଥାପିତ କଲେ । ପ୍ରତ୍ୟେକ ମୂଳ ପରିବାରକୁ ୧୦ ଡେସିମିଲ ବା ଅଢେଇ ଗୁଣ୍ଠ ଜାଗା ରହିବା ପାଇଁ ଦେଇଥିବା ବେଳେ ଜୀବିକା ପାଇଁ କୌଣସି ସୁବିଧା ଦେଇନାହାନ୍ତି ।

'ଥଇଥାନ ହେଲୁ ହେଲେ ଖାଇବାକୁ ଦାନା ମିଳୁନଥିବାରୁ ଏଇଠି ରହୁଛୁ':-
୨୦୧୪ ମସିହାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୧୮ ମସିହାରେ ଏହି ଥଇଥାନ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା। ତେବେ ଏଠାରେ ଜୀବିକା ନିର୍ବାହ କରିବା ପାଇଁ କୌଣସି ସାଧନ ନଥିବାରୁ ମାଛ କଙ୍କଡା ଧରି ଓ ଚାଷ କରି ଚଳୁଥିବା ପରିବାର ପୁଣିଥରେ ଏଠାକୁ ଫେରିବା ପାଇଁ ବାଧ୍ୟ ହେଲେ ।
ଏନେଇ ପ୍ରତିକ୍ରିୟା ରଖି ମଗରକନ୍ଦା ବାସିନ୍ଦା ତ୍ରିଲୋଚନ ମଲିକ କୁହନ୍ତି,"ଆମକୁ ଏଠାରେ କିଛି ସୁବିଧା ମିଳୁନି । ଆମକୁ ଥଇଥାନ କଲୋନୀରେ ୧୦ ଡେସିମିଲ ଜାଗା ଦିଆଯାଇଛି । ହେଲେ, ସେଥିରୁ ରାସ୍ତାଘାଟ ଯାଇ ଆଉ ୭ ଡେସିମିଲ ଜାଗା ରହିଛି । ଜୀବିକା ପାଇଁ ଭାତହାଣ୍ଡି ଆମର ଏହି ମଗରକନ୍ଦାରେ ହିଁ ରହିଲା । ତେଣୁ ଜୀବନ ବଞ୍ଚାଇବା ପାଇଁ ସରକାର ଦେଇଥିବା ଏହି ଜାଗାରୁ ଆମକୁ କଣ ମିଳିବ? ସେଥିପାଇଁ ବା ଜୀବିକା ପାଇଁ ଆମର ସେଠାରେ ସରକାର ଦେଇଥିବା ଜାଗା ଛାଡି ଆମେ ଏଠାରେ ଆସି ରହୁଛୁ । ଆମେ ସେଠାରେ ରହିଲେ କାହାର ଜମି ଭାଗ କରିବୁ କିନ୍ତୁ ଏକରରେ ୪-୫ କ୍ୱିଣ୍ଟାଲ ଧାନ ମିଳିଲେ ଆମେ ମାଲିକକୁ ଦେବୁ କ'ଣ ଆଉ ଆମେ ପାଇବୁ କ'ଣ ? ମୋର ପିଲାପିଲି ଏଇଠି ମୋ ପାଖରେ ଅଛନ୍ତି ଆଉ ଜଣେ ପିଲା ଦାଦନ ଯାଇ କେରଳରେ ପାଇପ ଲାଇନ କାମ କରୁଛି । ଆମେ ସରକାରଙ୍କ ପାଖରେ ଏଠି ଘେରିବାଡ଼ କରାଇବା ପାଇଁ ଅନୁରୋଧ କରୁଛୁ । ଆମର ସବୁ ଜମି ସମୁଦ୍ରକୁ ଚାଲି ଯାଇଛି ଆଉ ଯେତିକି ଜମି ଅନାବାଦୀ ହୋଇ ଅଛି, ସେତକ ଆମେ ଚାଷବାସ କରିବା ପାଇଁ ସରକାର ଏହି ବ୍ୟବସ୍ଥା କରାଇ ଦିଅନ୍ତୁ । ଏଠାରେ ବିଜୁଳି ବ୍ୟବସ୍ଥା ନାହିଁ । ଆମର କଲେକ୍ଟର, ସରପଞ୍ଚ, ଭିଏଲଡବ୍ଲ୍ୟୁ ଏଠାକୁ ଆଗରୁ ଆସିଥିଲେ ଏବଂ ଆମକୁ ସୋଲାର ପ୍ଲେଟ ଯୋଗାଇ ଦେବା ପାଇଁ କହି ଯାଇଥିଲେ । ହେଲେ, ଆଜି ପର୍ଯ୍ୟନ୍ତ ଆମକୁ ସେତକ ମିଳିଲା ନାହିଁ । ପାନୀୟ ଜଳ ପାଇଁ ଆମେ ନଳକୂପ ସଜାଡି ଦେବା ପାଇଁ ଅନୁରୋଧ କରିଥିଲୁ । ତନ୍ମଧ୍ୟରୁ ଦୁଇଟି ନଳକୂପ ସଜାଡି ଥିବା ବେଳେ ଅନ୍ୟ କୌଣସି ସୁବିଧା ଆମେ ଏଠାରେ ପାଉନାହୁଁ" ବୋଲି ସେ କହିଛନ୍ତି ।

'ମୋର ତିନି ପୁଅରେ ୧୦ ଡେସିମିଲ ଜାଗା, ତେଣୁ ସେଠାକୁ ଯାଇ ପାରିବୁନି':-
ଜୀବନ ବଞ୍ଚାଇବା ପାଇଁ ୨୦୦୨ ମସିହାରେ ହୋଇଥିବା ସର୍ଭେ ଅନୁଯାୟୀ ପ୍ରତ୍ୟେକ ମୂଳ ପରିବାରକୁ ସରକାର ୧୦ ଡେସିମିଲ ଜାଗା ଦେଇଥିବା ବେଳେ ୨୦୦୨ରୁ ୨୦୧୮ ମଧ୍ୟରେ ପରିବାର ବଢିଛି । କିନ୍ତୁ ସେତକ ଜାଗାରେ ବଡବଡ ପରିବାରକୁ ନେଇ ରହିବା ସମ୍ଭବ ନୁହେଁ ବୋଲି କୁହନ୍ତି ଏଠାକାର ବାସିନ୍ଦା ।
ଏନେଇ ପ୍ରତିକ୍ରିୟା ରଖି ମଗରକନ୍ଦା ଗାଁର ୫୮ ବର୍ଷୀୟା ସେବତୀ ବିଶ୍ୱାଳ କୁହନ୍ତି,"ସରକାର ଯେଉଁ ଜାଗା ଦେଇ ଆମକୁ ସେଠାକୁ ଯିବା ପାଇଁ କହୁଛନ୍ତି, ସେଠାରେ ଆମ ପାଇଁ କୌଣସି ସୁବିଧା ନାହିଁ । ସେଠାରେ ଆମକୁ କିଛି ଖାଇବାକୁ ମିଳିବନି । ସରକାର ଯେଉଁ ଜାଗା ଦେଇଛନ୍ତି, ସେଥିରେ ଘର କରି ଆମ ଛୁଆଙ୍କୁ ନେଇ ସେଠାରେ ରହିବା ସମ୍ଭବ ନୁହେଁ । କାରଣ ମୋର ତିନି ପୁଅ ଆଉ ବୋହୁ ସହ ନାତିନାତୁଣୀ ଅଛନ୍ତି । ତେଣୁ ସେତିକି ଜାଗାରେ ଏତେ ଜଣ ରହିବୁ କେମିତି? ଆମ ପିଲାମାନଙ୍କୁ ପାଠ ପଢ଼ାଇ ସେମାନଙ୍କ ସୁବିଧା ଦେଖିବା ପାଇଁ ଥଇଥାନ କଲୋନୀରେ ଆମେ ସୁବିଧା ପାଇବୁ ନାହିଁ । ମଗରକନ୍ଦାରେ ଆମର ପଟ୍ଟା ଜମି ଅଛି ଆଉ ଚାଷବାସ ପାଇଁ ସୁବିଧା ମଧ୍ୟ ରହିଛି । କିନ୍ତୁ ସେଠାରେ କିଛି ନଥିବାରୁ ଆମେ ସେଠାକୁ ଯାଉନାହୁଁ । ଆମେ ମଗରକନ୍ଦାରେ ୩୦ ପରିବାର ରହୁଛୁ । ଆମକୁ ଗତ ବାତ୍ୟାରେ କୌଣସି ଜିନିଷ ଦେଲେ ନାହିଁ କି ତା ପରେ ଆମେ କେମିତି ଅଛୁ ତାକୁ ଦେଖିବାକୁ କେହି ଆସି ନାହାନ୍ତି । ଆମେ ବାତ୍ୟା ସମୟରେ ଆମର ଗୃହପାଳିତ ପଶୁପକ୍ଷୀଙ୍କୁ ଛାଡି ଥଇଥାନ ସ୍ଥାନକୁ ଯିବାକୁ ମନା କରୁଥିଲୁ, ହେଲେ ଆମକୁ ଗୋଡେଇ ନେଇ ପଳାଇଗଲେ ଆଉ ବାତ୍ୟା ପରେ ଆମେ ଆସି ଦେଖୁ ତ ଆମ ପଶୁପକ୍ଷୀଙ୍କ ଵାତ୍ୟା ପବନ ମାଡରେ ମୃତ୍ୟୁ ହୋଇଛି । ସେଥିପାଇଁ ବହୁତ ମନ କଷ୍ଟ ହେଲା। ଆମର ମୁଖ୍ୟ ଆବଶ୍ୟକତା ଜୀବିକା ଓ ଖାଦ୍ୟ ସଂଗ୍ରହ । ସେଠାକୁ ଗଲେ ଖାଇବାକୁ ମିଳିବ ନାହିଁ, କାରଣ ସେଠାରେ କେବଳ ରହିବା ପାଇଁ ଜାଗା ଛାଡିଦେଲେ ଆଉ କିଛି ନାହିଁ । ସେଥିପାଇଁ ଆମେ ଯାଉନୁ । ଏଠାରେ କଷ୍ଟ ହେଲେ ବି ଆମକୁ ରହିବାକୁ ପଡୁଛି କାରଣ ଆମର ଏଠାରେ ଜୀବିକା ଅଛି । ଆମେ ଜୀବିକା ନିର୍ବାହ କରିବା ପାଇଁ ଏଇଠି ରହୁଛୁ, ସେଠାକୁ ଯିବୁନି" ବୋଲି ସେ କହିଛନ୍ତି ।

'ଗର୍ଭବତୀମାନଙ୍କୁ ଦିଆଯାଉଛି ପୋକରା ସୁଜି ଓ ଛତୁଆ':-
ଜୀବିକା ନିର୍ବାହ ପାଇଁ ଥଇଥାନ କଲୋନୀକୁ ନଯାଇ ଏଠାରେ ୩୦ ପରିବାରର ୧୦୦ରୁ ଉର୍ଦ୍ଧ୍ବ ଶିଶୁ, ମହିଳା, ପୁରୁଷ ବସବାସ କରୁଥିବା ବେଳେ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ଖାଦ୍ୟରେ ପୋକ ଲାଗିଥିବା ଦେଖିବାକୁ ମିଳିଛି । ଏନେଇ ପ୍ରତିକ୍ରିୟା ରଖି ଜଣେ ମହିଳା ଜିନୁ ମଲିକ କୁହନ୍ତି,"ମୁଁ ୯ ମାସର ଗର୍ଭବତୀ । ତେବେ ମୋତେ ମିଳୁଥିବା ସୁଜି ଛତୁଆରେ ପୋକ ସାଲୁବାଲୁ ହେଉଛନ୍ତି । ଆଗରୁ ଭଲ ଛତୁଆ ଓ ଖାଦ୍ୟ ମିଳୁଥିଲା, ହେଲେ ବର୍ତ୍ତମାନ ଏଭଳି ଜିନିଷ ମିଳୁଛି ଯାହା ଖାଇବା ଯୋଗ୍ୟ ନୁହଁ" ବୋଲି ସେ କହିଛନ୍ତି ।

କ'ଣ କୁହନ୍ତି ସରପଞ୍ଚ ଓ ତହସିଲଦାର:-
ମଗରକନ୍ଦାରେ ବସବାସ କରୁଥିବା ୩୦ ପରିବାର ଥଇଥାନ ସ୍ଥାନକୁ ନଯିବା ଓ ସେମାନଙ୍କୁ ମୌଳିକ ସୁବିଧା ମିଳୁନଥିବା ସମ୍ପର୍କରେ ପ୍ରତିକ୍ରିୟା ରଖି ସାତଭାୟା ସରପଞ୍ଚ ପ୍ରସନ୍ନ ରାଉତ କୁହନ୍ତି,"ଆମର ଥଇଥାନ କଲୋନୀ ବଗପାଟିଆଠାରେ ମୂଳ ପରିବାରକୁ ସରକାର ୧୦ ଡେସିମିଲ ଜାଗା ଯୋଗାଇ ଦେଇଛନ୍ତି ହେଲେ ଯାହାର ପରିବାର ଇତିମଧ୍ୟରେ ବଢିଛି ତାଙ୍କୁ ଜାଗାର ଅଭାବ ହେଉଛି । ଅନ୍ୟପଟେ ଆମର ଏଠାରେ ଜୀବିକା ନିର୍ବାହ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଲୋକମାନେ ମଗରକନ୍ଦାରେ ମାଛ କଙ୍କଡା ଧରିବା ସହ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବାରୁ ସେମାନେ ଥଇଥାନ ସ୍ଥାନକୁ ନ ଆସି ସେଠାରେ ରହିଛନ୍ତି । ମଗରକନ୍ଦାକୁ ମୌଳିକ ସୁବିଧା ଯୋଗାଇବା ସମ୍ଭବ ନୁହେଁ, କାରଣ ଆଉ କିଛି ବର୍ଷ ପରେ ତାହା ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିବ । ସେମାନଙ୍କ ପିଲା ସବୁଦିନ ସ୍କୁଲ ଆସିପାରନ୍ତି ନାହିଁ ଅଭିଯୋଗ ସତ । କାରଣ ସେଠାକୁ ଯିବା ଆସିବା କରିବା ପାଇଁ କୌଣସି ସୁବିଧା ନାହିଁ" ବୋଲି ସେ କହିଛନ୍ତି ।

ସେହିପରି ଏନେଇ ରାଜନଗର ତହସିଲଦାର ଯୀଶୁଖ୍ରୀଷ୍ଟ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରତିକ୍ରିୟା ରଖି କହିଛନ୍ତି,"ଜିଲ୍ଲା ପ୍ରଶାସନ ପକ୍ଷରୁ ଥଇଥାନ କଲୋନୀରେ ବସବାସ କରୁଥିବା ଲୋକମାନଙ୍କ ଜୀବିକା ସମ୍ପର୍କରେ ଆଲୋଚନା କରାଯାଇଛି ଓ ଖୁବଶୀଘ୍ର ମଗରକନ୍ଦାରେ ବସବାସ କରୁଥିବା ଲୋକମାନଙ୍କୁ ବୁଝାସୁଝା କରି ଅଣାଯିବ। ଜିଲ୍ଲା ପ୍ରଶାସନ ପାଖରେ ଏହି ମୂଳ ପରିବାରର ମୁଖ୍ୟଙ୍କୁ ୧୦ ଡେସିମିଲ ଜାଗା କଥା ଖବର ଅଛି ଓ ଏନେଇ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ" ବୋଲି ସେ କହିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ- ସମୁଦ୍ର ଆଁରେ ଜମି, ଖଜଣା ଦେଉଛନ୍ତି ମାଲିକ, ଏବେ ବିକ୍ରି ନେଇ ସଙ୍ଗୀନ ଅଭିଯୋଗ
ଏହା ମଧ୍ୟ ପଢ଼ନ୍ତୁ- 'ସାତଭାୟା'ର କରୁଣ କାହାଣୀ, ଟ୍ରାଜେଡିର ସତ ବଖାଣିଲା ଡକ୍ୟୁମେଣ୍ଟାରୀ ଫିଲ୍ମ
ଇଟିଭି ଭାରତ, କେନ୍ଦ୍ରାପଡ଼ା

