ଜଗନ୍ନାଥ ଧାମରେ ବଢୁଛି ଅପରାଧ ସଂଖ୍ୟା ! ଚିନ୍ତାରେ ଜନତା, ଆକ୍ସନ ମୋଡରେ ପୁରୀ ପୋଲିସ
ପୁରୀ ଏସ୍ପିଙ୍କ ନିର୍ଦ୍ଦେଶରେ ଅପରାଧୀମାନଙ୍କୁ ଧରପଗଡ଼ ଅଭିଯାନ ଜୋରଦାର ଚାଲିଛି । ପର୍ଯ୍ୟଟନ କ୍ଷେତ୍ରରେ ଅପରାଧ ଓ ନିଶା ବ୍ୟାପାର ପାଇଁ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର

Published : June 4, 2026 at 2:32 PM IST
Puri Crime News , ପୁରୀ: ରାଜ୍ୟର ଏକ ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ପୁରୀ । ମହାପ୍ରଭୁଙ୍କ ଧାମ ଭାବେ ଆଧ୍ୟାତ୍ମିକ ଦିଗରେ ଏହାକୁ ପବିତ୍ରତମ ସ୍ଥାନ ଭାବେ ବିବେଚନା କରାଯାଏ । ହେଲେ ବିଡମ୍ବନାର ବିଷୟ ଏହି ପବିତ୍ର ସହରରେ ଦିନକୁ ଦିନ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅପରାଧୀମାନଙ୍କୁ ଧରପଗଡ଼ ଅଭିଯାନ ଜୋରଦାର ଚାଲିଛି । କେତେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଏନକାଉଣ୍ଟର ମଧ୍ୟ ଦେଖିବାକୁ ମିଳୁଛି । ହେଲେ ପର୍ଯ୍ୟଟନ କ୍ଷେତ୍ରରେ ଅପରାଧ ଓ ନିଶା ବ୍ୟାପାର ବେଧଡ଼କ ଚାଲିଥିବା ଅଭିଯୋଗ ହେଉଥିବାବେଳେ ଏହାକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ।
ଅପରାଧୀଙ୍କ ତାଲିକା କରି କଡ଼ା କାର୍ଯ୍ୟାନୁଷ୍ଠାନ:
ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାକୁ ପୋଲିସ ଏନକାଉଣ୍ଟର କରିଥିଲା । ଏପରି କରାଯାଇ ଅପରାଧୀମାନଙ୍କୁ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ପୋଲିସ ଏନକାଉଣ୍ଟରକୁ ନେଇ ଅପରାଧୀମାନଙ୍କ ମଧ୍ୟରେ ଛନକା ପଶିଛି । ଆତଙ୍କ ସୃଷ୍ଟି କରୁଥିବା ଅପରାଧୀଙ୍କ ତାଲିକା କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଏସପି ପ୍ରତୀକ ସିଂ ସବୁ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ରଥଯାତ୍ରା ଆସୁଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ । ଏଣୁ ପେଶାଦାର ଅପରାଧୀମାନେ କିଛି ବି ଅପରାଧ ଘଟାଇବାର ଆଶଙ୍କା ରହିଛି । ଏଣୁ ଆଗାମୀ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ଓ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଅଧିକାରୀମାନେ ତତ୍ପର ହୋଇ କାର୍ଯ୍ୟ କରିବାକୁ ପୁରୀ ଏସପି ନିର୍ଦ୍ଦେଶ ଦେଇଛନ୍ତି ।
ଅପରାଧ ଦମନ ଅଭିଯାନକୁ ସ୍ୱାଗତ:
ଆଇନଜୀବୀ ଅନିଲ କୁମାର ସାହୁ କୁହନ୍ତି, "ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାସ୍ଥିତିକୁ ବଜାୟ ରଖିବା ପାଇଁ ପୁରୀ ଏସପି ଅପରାଧୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଏନକାଉଣ୍ଟର କରିଥିଲା । ଆମେ ପୋଲିସ ଅପରାଧ ଦମନ ଅଭିଯାନକୁ ସ୍ୱାଗତ କରୁଛୁ । ଏହାଦ୍ଵାରା ଅସାମାଜିକ ବ୍ୟକ୍ତିଙ୍କ ମନରେ ଅପରାଧ ଘଟାଇବା ନେଇ ଭୟ ରହିବ । କିଛି ଅପରାଧୀ ମଧ୍ୟ ଜିଲ୍ଲା ବାହାରକୁ ପଳାଇଯାଇଥିବା ଖବର ଆସୁଛି । ନିୟମିତ ଅନ୍ତରାଳରେ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ପୁରୀରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍ ରହିବ ବୋଲି ଆଇନଜୀବୀ କହିଛନ୍ତି ।


ଅପରାଧୀଙ୍କ ଉପରେ କଡ଼ା ନଜର:
ପୁରୀ ଏସ୍ପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଥାନାରେ ଯେଉଁ ଅଭିଯୋଗ ଆସୁଛି, ତାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ସଂଗଠିତ ଅପରାଧ ଉପରେ କଡ଼ା ନଜର ରଖାଯାଇଛି । ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସବୁ ଅପରାଧୀକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । ଅନେକ ଅପରାଧୀଙ୍କୁ ଗିରଫ କରାଯାଇଛି । ଆଗକୁ ରଥଯାତ୍ରା ଥିବାରୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି । ସେହି ଯୋଜନା ଅନୁସାରେ ସବୁ କାର୍ଯ୍ଯ କରାଯାଉଛି ।"


ଇଟିଭି ଭାରତ, ପୁରୀ

