କୂଳ ଲଂଘୁଛି ସମୁଦ୍ର, ସରକାରଙ୍କୁ ଘାରିଲା ଚିନ୍ତା; ଖୋଳାଯିବ ନଦୀ ମୁହାଣ ଓ କଢ଼ାଯିବ ପଟୁ: ରାଜସ୍ୱ ମନ୍ତ୍ରୀ
୧୮ ମାସ ମଧ୍ୟରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ । କର୍ଣ୍ଣାଟକ ଢାଞ୍ଚାରେ ହେବ ପ୍ରତିକାର ବ୍ୟବସ୍ଥା । ରିପୋର୍ଟ- ଭବାନୀ ଶଙ୍କର ଦାସ


Published : August 29, 2026 at 8:16 PM IST
ଭୁବନେଶ୍ୱର: କୂଳ ଲଂଘୁଛି ସମୁଦ୍ର, ସରକାରଙ୍କୁ ଘାରିଲା ଚିନ୍ତା । ଉପକୂଳ 6 ଜିଲ୍ଲାର ନଦୀ ମୁହାଣ ଖୋଳିବା ସହ ପଟୁ କାଢ଼ିବାକୁ ଯୋଜନା । ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ଭଦ୍ରକ, ବାଲେଶ୍ବରା ଓ ପୁରୀ ଜିଲ୍ଲାରେ ନିଆଯିବ ପଦକ୍ଷେପ । ୬ ଜିଲ୍ଲାରେ ଜିଲ୍ଲାରେ ଖର୍ଚ୍ଚ ହେବ ୨ ହଜାରରୁ ଅଢେଇ ହଜାର କୋଟି । କର୍ଣ୍ଣାଟକ ଢାଞ୍ଚାରେ ହେବ ପ୍ରତିକାର ବ୍ୟବସ୍ଥା । ପରିଦର୍ଶନରେ ଯିବେ ଓଡ଼ିଶାର ଅଧିକାରୀ । ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି । ସୂଚନା ଦେଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡ଼ିଶାର ସୁଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ସମୁଦ୍ର ତଟର ସୁରକ୍ଷା ତଥା ଉପକୂଳ କ୍ଷୟ ରୋକିବା ଆମ ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା । ଏହି କ୍ରମରେ ପ୍ରସ୍ତାବିତ 'ARISE Project' ସମ୍ବନ୍ଧରେ ଏସୀୟ ବିକାଶ ବ୍ୟାଙ୍କ (Asian Development Bank) ର ଉଚ୍ଚପଦସ୍ଥ ଅଧିକାରୀବୃନ୍ଦଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ବିସ୍ତୃତ ଆଲୋଚନା କରିଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMA ତଥା ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ସୁରକ୍ଷିତ କରିବା ପାଇଁ ସର୍ବଦା ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି । ଉପକୂଳ ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।"

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଧିରେ ଧିରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଗମ୍ଭୀର ସମସ୍ୟା ରୂପ ନେଇଛି । ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ୫୭୩ କିଲୋମିଟର ଲମ୍ବର ବେଳାଭୂମି ବା ସମୁଦ୍ରତଟ ଓଡିଶାରେ ରହିଛି । ବହୁ ସମୟରେ ଓଡ଼ିଶାରେ ସମୁଦ୍ର କୂଳ ଖାଇବା ଏକ ବଡ ସମସ୍ୟା ହୋଇଛି । ତଟ ଖାଇବା ସହ ସମୁଦ୍ର ସହ ଯୋଡି ହୋଇଥିବା ନଦୀର ମୂର୍ତ୍ତିକା କ୍ଷୟ ଏବଂ ପଟୁ ମାଟି ଜମିବା ସାଧାରଣ କଥା । କିନ୍ତୁ ଏହା ଆଗାମୀ ଦିନରେ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି । ରାଜ୍ୟର 6 ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ବାଲେଶ୍ବରା, ଭଦ୍ରକ, ପୁରୀରେ ମୂର୍ତ୍ତିକା କ୍ଷୟ ଆଗକୁ ନୂଆ ସମସ୍ୟା ଭାବେ ଉଭା ହୋଇପାରେ । ସମସ୍ୟା ଆସିବା ପୂର୍ବରୁ ଆଗୁଆ ସମାଧାନ ବ୍ୟବସ୍ଥା ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି ।"
ରାଜସ୍ୱ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରୟାସରେ ପ୍ରାଥମିକ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ ହୋଇଛି । ସାମୁଦ୍ରିକ ତଟକ୍ଷୟ ରୋକିବା, ନଦୀରେ ଥିବା ପଟୁ ମାଟି ବା ଆବର୍ଜନା ମୁକ୍ତ, ତଟବର୍ତ୍ତୀ ଲୋକଙ୍କ ସୁରକ୍ଷା, ମତ୍ସ୍ୟଜୀବୀଙ୍କ ଜୀବନ ଏବଂ ଜୀବିକା ସୁରକ୍ଷିତ କରିବା ସହ ତଟବର୍ତ୍ତୀ ପର୍ଯ୍ୟଟନର ବିକାଶ ହୋଇପାରିବ । ଜଳସମ୍ପଦ, ଜଙ୍ଗଲ ଏବଂ ପରିବେଶ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ, ରାଜସ୍ବ ବିଭାଗକୁ ନେଇ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ରିପୋର୍ଟ ପ୍ରସ୍ତୁତ କରିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱତନ୍ତ୍ର ରିଲିଫ କମିଶନର, ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବଙ୍କ ଦ୍ଵାରା ଉକ୍ତ ରିପୋର୍ଟର ତର୍ଜମା ହୋଇଛି । ସେହିପରି ଆଜି ଭିସି ଜରିଆରେ ରାଜସ୍ୱ ବିଭାଗ ସହ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ଆଲୋଚନା ହୋଇଛି । ୧୮ ମାସ ମଧ୍ୟରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ସମୟ ଲାଗିବ ।"

ରାଜସ୍ୱ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି । କର୍ଣ୍ଣାଟକରେ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଚାଲିଛି । ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କର ରିପୋର୍ଟକୁ ଓଡିଶା ଅନୁଧ୍ୟାନ କରିବ । ଏହା ପରେ ଏହାକୁ ଅନୁମୋଦନ କରିବା ପାଇଁ ସରକାର ବିଚାର କରିବେ । କିନ୍ତୁ ପ୍ରାଥମିକ ଅଟକଳରେ ପ୍ରାୟ ୨୧୦ ରୁ ୨୬୦ ମିଲିୟନ ୟୁଏସ ଡ଼ଲାର ଅର୍ଥାତ ୨ ହଜାରରୁ ୨୫୦୦ କୋଟି ଖର୍ଚ୍ଚ ହେବ । କେନ୍ଦ୍ରରୁ ଅନୁଦାନ ସହ ଋଣ ବ୍ୟବସ୍ଥା ମଧ୍ୟ ରହିବ । ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ଜରିଆରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଭିର୍ତ୍ତିଭୂମୀ ଓ ଜଙ୍ଗଲ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବ ।"
କେନ୍ଦ୍ରାପଡ଼ାର ସାତଭାୟା, ଜଗତସିଂହପୁରର ଶିଆଳି ବିଚ, ଗଞ୍ଜାମର ରାମେୟାପାଟଣା, ଗଞ୍ଜାମର ଗୋପାଳପୁର ଅଧିକ ସମ୍ବେଦନଶୀଳ ରହିଛି । କମ୍ପୋଜିଟ ପ୍ରପୋଜଲ କଣ ହେଇପାରିବ ରାଜ୍ୟ ସରକାର ବିଚାର କରୁଛନ୍ତି । କାରଣ ସବୁ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳ ସମସ୍ୟା ଭିନ୍ନ । ଯେଉଁ ଦେଶ ବା ରାଜ୍ୟ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରିଛନ୍ତି, ଅନୁଧ୍ୟାନ କରିବୁ । ପୂର୍ବରୁ ଓଡିଶାର ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଗୋଆ ଓ କେରଳ ଗସ୍ତରେ ଯାଇଥିଲେ । ସେମାନେ ଅନୁଭବ ନେଇକି ଆସିଛନ୍ତି । ସେହିଭଳି ଆଗାମୀ ଦିନରେ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଫେଜ ୱାନ କାମ ଦେଖିବାକୁ କର୍ଣ୍ଣାଟକ ଓଡ଼ିଶାର ଏକ ଟିମ ଯିବ ।

ଇଟିଭି ଭାରତ, ଭୁବନେଶ୍ୱର

