ଫୁଲ ତୋଡ଼ା ନୁହେଁ ଗଛ ଚାରା ସହିତ ନୂତନ ବର୍ଷକୁ ସ୍ୱାଗତ କରନ୍ତୁ: ଓଡ଼ିଶା ସରକାର
ଭାବନାତ୍ମକ ଓ ପରିବେଶ-ମିତ୍ର ବାର୍ତା ସହିତ ଓଡ଼ିଶା ସରକାର ଏଥର ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକମାନଙ୍କୁ ଏକ ଭିନ୍ନ ଭାବେ ଚିନ୍ତା କରିବାକୁ ଆହ୍ୱାନ କରିଛନ୍ତି ।

Published : December 31, 2025 at 9:22 PM IST
ଭୁବନେଶ୍ୱର: ଗଛରୁ ତୋଳି ଆଣିଥିବା ରଙ୍ଗୀନ ଫୁଲ ନିଶ୍ଚୟ ଖୁବ ଆକର୍ଷଣୀୟ ଓ ମନମୋହକ। ତାହାର ରଙ୍ଗ, ସୁଗନ୍ଧ ଓ ସୁନ୍ଦର ଆକୃତି ମନକୁ ତୁରନ୍ତ ଆକର୍ଷିତ କରେ। ଉତ୍ସବ, ଶୁଭେଚ୍ଛା ଓ ସମ୍ମାନର ପ୍ରତୀକ ଭାବେ ଫୁଲର ତୋଡ଼ା ବର୍ଷ ବର୍ଷ ଧରି ଆମ ସାମାଜିକ ଜୀବନର ଅଂଶ ହୋଇଆସିଛି । କିନ୍ତୁ ଏହି ସୁନ୍ଦରତା କ୍ଷଣସ୍ଥାୟୀ । କିଛି ଘଣ୍ଟା କିମ୍ବା ଦୁଇ-ତିନି ଦିନ ମଧ୍ୟରେ ସେଇ ଫୁଲ ଶୁଷ୍କ ହୋଇ ଯାଏ ଓ ତାକୁ ଫିଙ୍ଗି ଦିଆଯାଏ, ଆଉ ଆମେ ପରବର୍ତ୍ତୀ ଉତ୍ସବ ପାଇଁ ନୂଆ ତୋଡ଼ା ଖୋଜିବାରେ ବ୍ୟସ୍ତ ହୋଇଯାଉ। ଏହି ଭାବନାତ୍ମକ ଓ ପରିବେଶ-ମିତ୍ର ବାର୍ତା ସହିତ ଓଡ଼ିଶା ସରକାର ଏଥର ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକମାନଙ୍କୁ ଏକ ଭିନ୍ନ ଭାବେ ଚିନ୍ତା କରିବାକୁ ଆହ୍ୱାନ କରିଛନ୍ତି ।
କିନ୍ତୁ ଯେଉଁ ଗଛରୁ ଫୁଲଟି ତୋଳାଯାଇଥାଏ, ସେଇ ଗଛଟି କଥା କହେ ଅନ୍ୟ ଏକ କାହାଣୀ । ସେ ଗଛ ଋତୁ ପରେ ଋତୁ ଅନେକ ଫୁଲ ଫୁଟାଏ, ନିରବରେ, ଧୈର୍ଯ୍ୟରେ। ସେ କେବଳ ଫୁଲ ଦେଇ ଥମି ଯାଏ ନାହିଁ, ଦେଇଥାଏ ଛାୟା ଓ ଅମ୍ଳଜାନ, ଆହୁରି ମଧ୍ୟ ପକ୍ଷୀ ଓ ପ୍ରକୃତିକୁ ଆଶ୍ରୟ ଦେଇଥାଏ । ଗଛର ସୁନ୍ଦରତା କ୍ଷଣିକ ନୁହେଁ, ଏହା ଦୀର୍ଘସ୍ଥାୟୀ ।
ଏହି ଭାବନାତ୍ମକ ଓ ପରିବେଶ-ମିତ୍ର ବାର୍ତା ସହିତ ଓଡ଼ିଶା ସରକାର ଏଥର ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକମାନଙ୍କୁ ଏକ ଭିନ୍ନ ଭାବେ ଚିନ୍ତା କରିବାକୁ ଆହ୍ୱାନ କରିଛନ୍ତି । ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ କ୍ଷଣସ୍ଥାୟୀ ଫୁଲର ତୋଡ଼ା ପରିବର୍ତ୍ତେ ଏକ ଛୋଟ ଗଛ ଉପହାର ଦେବା ପାଇଁ ସରକାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
"ନୂତନ ବର୍ଷ ମାନେ କେବଳ କ୍ୟାଲେଣ୍ଡରର ତାରିଖ ବଦଳ ନୁହେଁ। ଏହା ହେଉଛି ନୂଆ ଆଶା, ନୂଆ ଅଭ୍ୟାସ ଓ ନୂଆ ସଂକଳ୍ପର ଆରମ୍ଭ। ଯଦି ଏହି ଆରମ୍ଭଟି ଗଛ ଲଗାଣ ଓ ଗଛ ଉପହାର ସହ ହୁଏ, ତେବେ ସେଇ ଉତ୍ସବ ମାତ୍ର ଆମ ବ୍ୟକ୍ତିଗତ ଖୁସିରେ ସୀମିତ ରହିବ ନାହିଁ, ପୃଥିବୀ ପାଇଁ ମଧ୍ୟ ଏକ ଉତ୍ସବ ହୋଇଯିବ," କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ବକୁଳ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବାର୍ତା ଦେଇଥିଲେ ।
ବକୁଳ ଫାଉଣ୍ଡେସନ୍ ର ସଂସ୍ଥାପକ ସୁଜିତ ମହାପାତ୍ର କୁହନ୍ତି, କେବଳ ଭୁବନେଶ୍ୱରରେ ନୂତନ ବର୍ଷର ଶୁଭେଚ୍ଛା ସୂଚନାରେ ୧ ଲକ୍ଷରୁ ଅଧିକ ତୋଡ଼ା ଦିଆଯାଏ ଏବଂ ସାରା ରାଜ୍ୟରେ ଏହାର ସଂଖ୍ୟା କିଛି ଲକ୍ଷକୁ ଛୁଇଁଯାଏ। କିନ୍ତୁ ସେଗୁଡ଼ିକ ମୃତ ଫୁଲର ବୁକେ। ଯଦି ଏହାର କେବଳ ୧ ଶତାଂଶ ଲୋକ ମଧ୍ୟ ବୁକେ ପରିବର୍ତ୍ତେ ଗଛ ଉପହାର ଦେବାକୁ ନିଷ୍ପତ୍ତି ନେଉଥାନ୍ତି, ତେବେ ତାହାର ଅର୍ଥ ୧,୦୦୦ଟି ଗଛ ବଞ୍ଚି ରହି ବଢ଼ିବ ଏବଂ ପୃଥିବୀକୁ ସାହାଯ୍ୟ କରିବ।
"ଜନ୍ମଦିନ, ବିବାହ, ବାର୍ଷିକୀ, ଦୀପାବଳି, ରକ୍ଷାବନ୍ଧନ କିମ୍ବା ନୂତନ ବର୍ଷ, ଏମିତି ସମସ୍ତ ଅବସରରେ ଗଛ ଉପହାର ଦେବାର ପ୍ରଥା ଯଦି ଆମ ସମାଜରେ ଧୀରେ ଧୀରେ ଗଢ଼ିଉଠେ, ତେବେ ଏହା ଏକ ସାଂସ୍କୃତିକ ପରିବର୍ତ୍ତନର ଆରମ୍ଭ ହେବ। ଗଛ ଏକ ଏପରି ଉପହାର ଯାହା ବଢେ । ଓଡ଼ିଶା ସରକାରଙ୍କ ଏହି ଆହ୍ୱାନ ସେଇ ଦିଗରେ ଏକ ଛୋଟ କିନ୍ତୁ ଗଭୀର ପଦକ୍ଷେପ," ମହାପାତ୍ର କୁହନ୍ତି ।
ହରିଚନ୍ଦନ ଯିଏ ପୂର୍ତ୍ତ ବିଭାଗ ର ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ରେ ମଧ୍ୟ ଜଳବାୟୁ ପରିବର୍ତନ ର ପ୍ରଭାବକୁ କମେଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆ ହେଉଛି । ପ୍ରତ୍ୟେକ ସଡ଼କ ନିର୍ମାଣର ମୋଟ ଖର୍ଚ୍ଚର ୧ ଶତାଂଶ ରାସ୍ତା କଡରେ ଗଛ ଲଗାଇବା ପାଇଁ ରଖାଯାଉଛି । କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଆହୁରି ଅନେକ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ- ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା, ନଜର ରଖିଛି ୩୪୪ CCTV ସହ ୭୦ ପ୍ଲାଟୁନ୍ ଫୋର୍ସ
ଏହା ମଧ୍ୟ ପଢ଼ନ୍ତୁ- କ୍ରିସମାସରେ ଗଛ ଉପହାର: ଗ୍ରୀନ୍ ସାଣ୍ଟା ଦେଲେ ଜଳବାୟୁ ସନ୍ଦେଶ
ଇଟିଊି ଭାରତ, ଭୁବନେଶ୍ବର

