ETV Bharat / state

ରାୟଗଡାରେ ଭୁଲ ଇଞ୍ଜେକସନ୍‌ ନେଇ ଦୁଇ ଶିଶୁଙ୍କ ମୃତ୍ୟୁ ଅଭିଯୋଗ, ଦୁର୍ଗମ ଅଞ୍ଚଳର କଷ୍ଟ ବଖାଣିଲା ଯୁବାପଦର

କାଶୀପୁର ବ୍ଲକ ଯୁବାପଦର ଗାଁର ଘଟଣା । ଚିକିତ୍ସା କରିଥିବା ଫାର୍ମାସିଷ୍ଟ ଅଭିଯୋଗକୁ କଲେ ଖଣ୍ଡନ । ଗାଁରେ ମୌଳିକ ସୁବିଧା ମିଳୁନି । ରିପୋର୍ଟ- ରଞ୍ଜନ ରଥ

rayagada Death
କାନ୍ଦୁଛନ୍ତି ମହିଳା (ETV Bharat Odisha)
author img

By ETV Bharat Odisha Team

Published : August 24, 2026 at 3:03 PM IST

2 Min Read
Choose ETV Bharat

ରାୟଗଡା: ଭୁଲ ଇଞ୍ଜେକସନରୁ ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ ଅଭିଯୋଗ । ଏପରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଯୁବାପଦର ଗାଁରୁ । ଗାଁ ନିକଟରେ କୌଣସି ଚିକିତ୍ସା ସୁବିଧା ମିଳୁନଥିବାରୁ ଘରୋଇ କ୍ଲିନିକରେ ଚିକିତ୍ସା କରି ଶିଶୁଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସହ ଗାଁଲୋକେ ଅଭିଯୋଗ କରିଛନ୍ତି । ଗାଁଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିକିତ୍ସା କରିଥିବା ଫାର୍ମାସିଷ୍ଟ ବିପିନ ବିହାରୀ ଶର୍ମା । ତେବେ ଥାନରେ ଅଭିଯୋଗ ହୋଇନଥିବା ସୂଚନା ରହିଛି । ସେପଟେ ଦୁର୍ଗମ ଅଞ୍ଚଳରେ ଥିବା ଏହି ଗାଁରେ କୌଣସି ସୁବିଧା ମିଳୁନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ଭୁଲ ଇଞ୍ଜେକସନ ନେଇ ଶିଶୁ ମୃତ୍ୟୁ ଅଭିଯୋଗ (ETV Bharat Odisha)

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ଜୀବନ ଗଲା:

ଗତକାଲି(ରବିବାର) ଭୁଲ୍‌ ଇଞ୍ଜେକସନ ପାଇଁ ଯୁବାପଦର ଗ୍ରାମରେ ୨ ଜଣ ଶିଶୁଙ୍କ ଜୀବନ ଚାଲିଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି । ମୃତ ଶିଶୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ଖଗେଶ୍ଵର ମାଝୀଙ୍କ 6 ବର୍ଷର ପୁଅ ଓ ଦୁର୍ଯ୍ୟୋ ପୂଜାରୀଙ୍କ 4 ବର୍ଷ ପୁଅର ଶରୀର ଅସୁସ୍ଥ ହୋଇପଡିଥିଲା । ଉଭୟଙ୍କ ପରିବାର ଲୋକେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ଗ୍ରାମରେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ଦୁଇ ଶିଶୁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଇଞ୍ଜେକସନ ଦେଇ ଶିଶୁଙ୍କୁ ଘରକୁ ଆଣିବା ପରେ ଖଗେଶ୍ଵର ମାଝୀଙ୍କ 6 ବର୍ଷର ପୁଅଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସମାନ ଅଭିଯୋଗ ଦୁର୍ଯ୍ୟୋ ପୂଜାରୀଙ୍କ ପତ୍ନୀ ମଧ୍ୟ କରିଛନ୍ତି ।

ତେବେ ଘରୋଇ କ୍ଲିନିକର ମାଲିକ ବିପିନ ବିହାରୀ ଶର୍ମାଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ମୃତ ଦୁଇ ଶିଶୁଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀ । ଅନ୍ୟପଟେ ବିପିନ ବିହାରୀ ଶର୍ମା ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ । ଗାଁଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିପିନ ବିହାରୀ ଶର୍ମା ।

ଅଭିଯୋଗକୁ ଖଣ୍ଡନ:

ସେ କହିଛନ୍ତି ଯେ, ‘କୌଣସି ଘରୋଇ କ୍ଲିନିକ କରିନି । ସମାଜସେବା କରୁଛି । ବର୍ତ୍ତମାନ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଛି ।’ କେହି ରୋଗୀ ଆସିଲେ ଇଞ୍ଜେକସନ ଓ ସାଲାଇନ ଦେଉଥିବା କଥା କହିଛନ୍ତି । ଏପରିକି ଲୋକଙ୍କ ଠାରୁ ଟଙ୍କା ନେବା ଅଭିଯୋଗକୁ ମଧ୍ୟ ଅସ୍ବୀକାର କରିଛନ୍ତି ।

rayagada Death
ଯୁବାପଦର ଗାଁ (ETV Bharat Odisha)

ଦୁର୍ଗମ ଘାଟିକୁ ବାଟ ଭୁଲିଛି ବିକାଶ:

ଏହି ଦୁର୍ଗମ ଘାଟି ଅଞ୍ଚଳରେ କାଶୀପୁର ବ୍ଲକର ଡଙ୍ଗାସିଲ ଓ କୁଚେଇପଦର ପଞ୍ଚାୟତର ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଗାଁ ରହିଛି । ଯୁବାପଦର ଗାଁରେ ଲୋକଙ୍କୁ ମୌଳିକ ସୁବିଧା ମିଳୁନଥିବା ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ରୋଗ ହେଲେ ପାଖରେ ମେଡିକାଲଟିଏ ନଥିବାରୁ ବାଧ୍ୟ ହୋଇ ସେମାନେ ଘରୋଇ କ୍ଲିନିକ ଉପରେ ନିର୍ଭର କରୁଥିବା କହିଛନ୍ତି । ଏହି ଅଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ କେବଳ ଶିଶୁ ନୁହେଁ ଗାଁର ଅଧିକାଂଶ ଲୋକେ ବର୍ତ୍ତମାନ ଜ୍ବରରେ ପୀଡିତ । ଚିକିତ୍ସା ପାଇପାରୁନଥିବା ଅଭିଯୋଗ କରିଛନ୍ତି ।

ଯୁବାପଦର ଗାଁର ଶଙ୍କର ନାୟକ କହିଛନ୍ତି,‘ଏହି ଗାଁରେ କୌଣସି ସୁବିଧା ମିଳୁନାହିଁ । ବାଧ୍ୟ ହୋଇ ଘରୋଇ କ୍ଲିନିକ ଉପରେ ନିର୍ଭର କରୁଛୁ । ଏଠାକୁ ସ୍ବାସ୍ଥ୍ୟକର୍ମୀ ମଧ୍ୟ 3ରୁ 4 ମାସରେ ଥରେ ଆସନ୍ତି । ଯେଉଁ ଦୁଇଟି ପିଲାଙ୍କ ମୃତ୍ୟୁ ହେଲା, ସେମାନେ ଘରୋଇ କ୍ଲିନିକରେ ଚିକିତ୍ସା କରିଥିଲେ ।

rayagada Death
ଯୁବାପଦର ଗାଁ (ETV Bharat Odisha)

ଥାନରେ ହୋଇନି ଅଭିଯୋଗ-

ଏନେଇ ଆମେ ଦୋରାଗୁଡା ଥାନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ଏପରି କୌଣସି ଅଭିଯୋଗ ତାଙ୍କ ଥାନାକୁ ଆସିନଥିବା ପୋଲିସ ଅଧିକାରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ:

ଔଷଧ ଦୋକାନରେ ଇଞ୍ଜେକ୍ସନ ନେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଜଣେ ଅଟକ, ପୋଲିସ ତଦନ୍ତ ଜାରି

ଓଡ଼ିଶାର ସରକାରୀ ଚିକିତ୍ସା ବ୍ୟବସ୍ଥାକୁ ଆମେରିକୀୟ ଅତିଥିଙ୍କ ପ୍ରଶଂସା, ପାଣିପାଗରେ ପରିବର୍ତ୍ତନ ପାଇଁ ହୋଇପଡିଥିଲେ ଅସୁସ୍ଥ

ଇଟିଭି ଭାରତ, ରାୟଗଡା