ETV Bharat / state

ସବୁଜ ହେବ ରେଭେନ୍ସା କ୍ୟାମ୍ପସ: ସୋଲାର୍ ପ୍ୟାନେଲଠୁ ଆରମ୍ଭ କରି ‘ନୋ ଭେହିକଲ୍ ଶନିବାର’ ଭଳି ବଡ଼ ଯୋଜନା

ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। ନାରାୟଣ ସାହୁଙ୍କ ସ୍ପେଶାଲ୍ ରିପୋର୍ଟ

RAVENSHAW UNIVERSITY
ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। (ETV Bharat Odisha)
author img

By ETV Bharat Odisha Team

Published : September 7, 2026 at 5:12 PM IST

3 Min Read
Choose ETV Bharat

କଟକ: ବଦଳୁଛି ପରିବେଶ, ବଢ଼ୁଛି ତାପମାତ୍ରା। ଗ୍ଲୋବାଲ୍ ୱାର୍ମିଂ ଏବେ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ। ଏହି ପରିସ୍ଥିତିରେ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆଗକୁ ଆସିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ। କେବଳ ପାଠପଢ଼ା ନୁହେଁ, କ୍ୟାମ୍ପସକୁ ପରିବେଶ ଅନୁକୂଳ କରିବାକୁ ନିଆଯାଉଛି ଏକାଧିକ ବଡ଼ ପଦକ୍ଷେପ। ଉଭୟ କ୍ୟାମ୍ପସରେ ସୋଲାର୍ ପ୍ୟାନେଲ୍, ବର୍ଷାଜଳ ସଂରକ୍ଷଣ, ଅଧିକ ବୃକ୍ଷରୋପଣ, ଇ-ରିକ୍ସାର ବ୍ୟବହାର ବଢ଼ାଇବା ସହ ପ୍ରତି ଶନିବାର କ୍ୟାମ୍ପସରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବ। କିଛି ଏଭଳି ଯୋଜନା ସହ ସବୁଜ କ୍ୟାମ୍ପସ ଦିଗରେ ଆଗକୁ ବଢ଼ୁଛି ବିଶ୍ୱବିଦ୍ୟାଳୟ।

ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। (ETV Bharat Odisha)
  • ପ୍ରତ୍ୟେକ ବିଭାଗରେ ଲାଗିବ ସୋଲାର୍ ପ୍ୟାନେଲ୍

ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଭୟ କ୍ୟାମ୍ପସକୁ ସବୁଜ କ୍ୟାମ୍ପସରେ ପରିଣତ କରିବାକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ସବୁଜ ଶକ୍ତିର ଉତ୍ସକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ଏହାସହ ଉଭୟ କ୍ୟାମ୍ପସରେ ସବୁଜ କରିଡର୍ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ରହିଛି। ଏପରି ପଦକ୍ଷେପ ନେଉଥିବା ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ଆଗକୁ ବଢ଼ିବାକୁ ଯୋଜନା କରୁଛି।

RAVENSHAW UNIVERSITY
ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। (ETV Bharat Odisha)

ସବୁଜ ଶକ୍ତିକୁ ଗୁରୁତ୍ୱ ଦେଇ ଉଭୟ କ୍ୟାମ୍ପସରେ ସୋଲାର୍ ପ୍ୟାନେଲ୍ ଲଗାଯିବ। କେବଳ ନିର୍ଦ୍ଦିଷ୍ଟ ସ୍ଥାନ ନୁହେଁ, ପ୍ରତ୍ୟେକ ବିଭାଗରେ ମଧ୍ୟ ସୋଲାର୍ ପ୍ୟାନେଲ୍ ଲଗାଇବାକୁ ଯୋଜନା ରହିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୫୫ କିଲୋୱାଟ୍ କ୍ଷମତାର ସୋଲାର୍ ପ୍ୟାନେଲ୍ ଲାଗିଛି। ଆଗାମୀ ଦିନରେ ଅଧିକ ସ୍ଥାନରେ ଏହି ବ୍ୟବସ୍ଥା କରାଯିବ।

ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବିଶ୍ୱବିଦ୍ୟାଳୟର ବିଦ୍ୟୁତ ଖର୍ଚ୍ଚ ମଧ୍ୟ କମାଇବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ବାର୍ଷିକ ବିଦ୍ୟୁତ ବିଲ୍ ୩ କୋଟି ଟଙ୍କାରୁ ଅଧିକ ଆସୁଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କେଶରୀ ଦାସ ମହାପାତ୍ରଙ୍କ କହିବା ଅନୁସାରେ, ଉଭୟ କ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଉଛି।

RAVENSHAW UNIVERSITY
ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। (ETV Bharat Odisha)
  • ପ୍ରତି ଶନିବାର ‘ନୋ ଭେହିକଲ୍ ଡେ’, ବଢ଼ିବ ଇ-ରିକ୍ସା ସଂଖ୍ୟା

ସବୁଜ କ୍ୟାମ୍ପସ ଯୋଜନାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ପ୍ରତି ଶନିବାର କ୍ୟାମ୍ପସ ଭିତରେ ଯାନବାହନ ଚଳାଚଳ ଉପରେ କଟକଣା। ଅର୍ଥାତ୍, ଶନିବାର କ୍ୟାମ୍ପସ ଭିତରେ ସାଧାରଣ ଯାନବାହନ ଚଳାଚଳ କରିବ ନାହିଁ। ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅନ୍ୟମାନେ କ୍ୟାମ୍ପସ ଭିତରେ ଚାଲି ଚାଲି ଯାତାୟାତ କରିବେ।

ଯେଉଁମାନେ ଗାଡ଼ି ନେଇ କ୍ୟାମ୍ପସକୁ ଆସିବେ, ସେମାନଙ୍କୁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଗାଡ଼ି ରଖିବାକୁ କୁହାଯିବ। ତେବେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସାର ବ୍ୟବହାରକୁ ଅନୁମତି ମିଳିବ।

ବର୍ତ୍ତମାନ ରେଭେନ୍ସା କ୍ୟାମ୍ପସରେ ୬ଟି ଇ-ରିକ୍ସା ଚାଲୁଛି। ଆଗାମୀ ଦିନରେ ଏହାର ସଂଖ୍ୟା ବଢ଼ାଯିବ। ବିଶେଷକରି ବୟସ୍କ ଓ ଦିବ୍ୟାଙ୍ଗଙ୍କ ଯାତାୟାତରେ ଏହା ସହାୟକ ହେବ।

RAVENSHAW UNIVERSITY
ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। (ETV Bharat Odisha)
  • ବର୍ଷାଜଳ ସଂରକ୍ଷଣ ଓ ବିଦ୍ୟୁତ ସଞ୍ଚୟ ଉପରେ ଗୁରୁତ୍ୱ

କେବଳ ସୋଲାର୍ ଶକ୍ତି କିମ୍ବା ଯାନବାହନ ନିୟନ୍ତ୍ରଣ ନୁହେଁ, ବର୍ଷାଜଳ ସଂରକ୍ଷଣ ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେବ। ବର୍ଷା ସମୟରେ ମିଳୁଥିବା ଜଳକୁ ସଂରକ୍ଷଣ କରି ଏହାର ଉପଯୋଗ କରିବା ଦିଗରେ ବ୍ୟବସ୍ଥା କରାଯିବ। ଏହା ଜଳ ସଂରକ୍ଷଣ ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ।

ସେହିପରି କ୍ୟାମ୍ପସର ବିଭିନ୍ନ ବିଲ୍ଡିଂରେ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ନ କରିବା ପାଇଁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ଶ୍ରେଣୀଗୃହରେ ଏନେଇ ସଚେତନତା ପୋଷ୍ଟର ଲଗାଯାଇଛି। ଆବଶ୍ୟକ ନଥିଲେ ଲାଇଟ୍ ଓ ଫ୍ୟାନ୍‌ର ସୁଇଚ୍ ଅଫ୍ କରିବାକୁ ପୋଷ୍ଟର ମାଧ୍ୟମରେ ବାର୍ତ୍ତା ଦିଆଯାଉଛି।

RAVENSHAW UNIVERSITY
ରେଭେନ୍ସା ବିଶ୍ବବିଦ୍ୟାଳୟର ଦୁଇଟି କ୍ୟାମ୍ପସରେ ଲାଗିବ ସୋଲାର୍ ପ୍ୟାନେଲ, ବଢ଼ିବ ଇ-ରିକ୍ସା ସଂଖ୍ୟା; ବର୍ଷାଜଳ ସଂରକ୍ଷଣ ସହ ସବୁଜ କରିଡର୍ ଉପରେ ଗୁରୁତ୍ୱ। (ETV Bharat Odisha)

ଏହାସହ ଦିନ ସମୟରେ ଶ୍ରେଣୀଗୃହରେ କୃତ୍ରିମ ଆଲୋକର ଆବଶ୍ୟକତା କମାଇବାକୁ କବାଟ ଓ ଝରକାରେ କାଚ ବ୍ୟବହାର କରାଯିବ। ନୂଆ କ୍ୟାମ୍ପସରେ ଏହି ସମସ୍ୟା ନଥିବାବେଳେ ପୁରୁଣା କ୍ୟାମ୍ପସର ବହୁ ବର୍ଷ ପୁରୁଣା କୋଠା ହୋଇଥିବାରୁ ସେଠାରେ କବାଟ ଓ ଝରକା ପରିବର୍ତ୍ତନ କରାଯିବ।

  • ଛାତ୍ରଛାତ୍ରୀଙ୍କ ସମର୍ଥନ

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱାଗତ କରିଛନ୍ତି।

ଛାତ୍ରୀ ତ୍ରିଷ୍ଣା ପ୍ରିୟଦର୍ଶିନୀ କହିଛନ୍ତି, ଗ୍ଲୋବାଲ୍ ୱାର୍ମିଂ ଯେପରି ବଢ଼ୁଛି, ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ହେବ। ସବୁଜ ପରିବେଶ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସହଯୋଗ ରହିବ। କୁଳପତିଙ୍କ ପରାମର୍ଶ ଅନୁସାରେ କ୍ଲାସ୍ ସରିବା ପରେ ଲାଇଟ୍ ଓ ଫ୍ୟାନ୍ ବନ୍ଦ କରାଯାଉଛି। ପ୍ରତିବର୍ଷ ବୃକ୍ଷରୋପଣ ମଧ୍ୟ କରାଯାଉଛି। ଏହା ଆଗାମୀ ପିଢ଼ି ପାଇଁ ଏକ ଭଲ ବାର୍ତ୍ତା ଦେବ ବୋଲି ସେ କହିଛନ୍ତି।

ସେହିପରି ଛାତ୍ରୀ ପୂଜା ନାୟକ କହିଛନ୍ତି, ଏଭଳି ପଦକ୍ଷେପ ନିଆଗଲେ କ୍ୟାମ୍ପସର ପରିବେଶ ସୁନ୍ଦର ହେବା ସହ ସମାଜ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ। ସମସ୍ତେ ବୃକ୍ଷରୋପଣ କରିବା ଆବଶ୍ୟକ। ସମସ୍ତେ ସଚେତନ ହୋଇ କାମ କଲେ ଏହାର ଲାଭ ସମସ୍ତଙ୍କୁ ମିଳିବ। ସମୟ ଥାଉ ଥାଉ ସମସ୍ତେ ସଚେତନ ହେବା ଦରକାର। ତାଙ୍କ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏନେଇ ସଚେତନ ଥିବା ସେ କହିଛନ୍ତି। ସମସ୍ତଙ୍କ ସହଯୋଗ ରହିଲେ ଏହା ପରବର୍ତ୍ତୀ ପିଢ଼ି ପାଇଁ ବେଶ୍ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।

ରେଭେନ୍ସାର ଏହି ପଦକ୍ଷେପ କେବଳ ଏକ କ୍ୟାମ୍ପସକୁ ସବୁଜ କରିବାର ଯୋଜନା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ପରିବେଶ ସଚେତନତାର ଏକ ବଡ଼ ବାର୍ତ୍ତା ସମାଜ ପାଖରେ ପହଞ୍ଚାଇବାର ପ୍ରୟାସ। ସୋଲାର୍ ଶକ୍ତି, ବର୍ଷାଜଳ ସଂରକ୍ଷଣ, ବୃକ୍ଷରୋପଣ, ଇ-ରିକ୍ସା ଓ ‘ନୋ ଭେହିକଲ୍ ଶନିବାର’, ଏସବୁ ପଦକ୍ଷେପ ଯଦି ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ ହୁଏ, ତେବେ ରେଭେନ୍ସା କ୍ୟାମ୍ପସ ଶିକ୍ଷା ସହ ପରିବେଶ ସୁରକ୍ଷାର ମଧ୍ୟ ଏକ ଉଦାହରଣ ହୋଇପାରିବ।

ଏହା ମଧ୍ୟ ପଢ଼ନ୍ତୁ... ବ୍ୟାଙ୍କକରେ ଓଡ଼ିଆ ଝିଅ ଆଦ୍ୱିକାଙ୍କ ଜଲୱା: ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ହେଲେ 'ଗ୍ରୁପ୍ ଚାମ୍ପିଅନ୍'

ଇଟିଭି ଭାରତ, କଟକ