ରେଭେନ୍ସା ବିଶ୍ଵବିଦ୍ୟାଳୟ ବିଧାୟକ- ଅଧ୍ୟାପକ ବିବାଦ ପ୍ରସଙ୍ଗ: କୁଳପତିଙ୍କ ସହ ଆଲୋଚନା ପରେ ବାହାରିଲା ସମାଧାନର ବାଟ
ବିଶ୍ୱବିଦ୍ୟାଳୟ କୁଳପତି ଏବଂ ରୁଟା ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ଆଶା କରାଯାଉଛି । ରିପୋର୍ଟ- ନାରାୟଣ ସାହୁ

Published : September 1, 2026 at 4:51 PM IST
RAVENSHAW TEACHERS MLA DISPUTE, କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଲାଗିରହିଥିବା ଅସନ୍ତୋଷ ଓ ବିବାଦର ସମାଧାନ ପାଇଁ ବାଟ ବାହାରିଛି । ବିଶ୍ୱବିଦ୍ୟାଳୟ କୁଳପତି ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ବା ରୁଟା (RUTA) ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ଆଶା କରାଯାଉଛି । ଗତକାଲି କୁଳପତିଙ୍କ ନିମନ୍ତ୍ରଣ କ୍ରମେ ରୁଟାର କର୍ମକର୍ତ୍ତା କୁଳପତିଙ୍କୁ ଭେଟିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଖୋଲାଖୋଲି ପରିବେଶରେ ଏହି ଆଲୋଚନା ହୋଇଥିଲା । ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ବୈଠକର ନିଷ୍କର୍ଷ ସମ୍ପର୍କରେ ସୂଚନା ଦେଇ ରୁଟା ମୁଖପାତ୍ର ପ୍ରଫେସର ନେତାଜୀ ଅଭିନନ୍ଦନ କହିଛନ୍ତି ଯେ, "ଆଗାମୀ ୨ରୁ ୩ ଦିନ ମଧ୍ୟରେ କୁଳପତି ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ- ଅଧ୍ୟାପିକାଙ୍କୁ ଗୋଟିଏ ଚିଠି ଲେଖି ପ୍ରତିଶ୍ରୁତି ଦେବେ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ କୌଣସି ପ୍ରକାର ବାହ୍ୟ ରାଜନୈତିକ ହସ୍ତକ୍ଷେପକୁ ପ୍ରଶ୍ରୟ ଦିଆଯିବ ନାହିଁ । ଆଗାମୀ ଦିନରେ କୌଣସି କାର୍ଯ୍ୟକ୍ରମରେ ବିଧାୟକ କିମ୍ବା ଅନ୍ୟ କୌଣସି ଜନପ୍ରତିନିଧି ଯୋଗଦେଲେ, ତାହା କେବଳ କୁଳପତିଙ୍କ ପୂର୍ବ ଅନୁମତି ନେଇ ହିଁ ହୋଇପାରିବ । ଏହାସହ ନୂଆ କମିଟି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ପାଇଁ ରୁଟା ପକ୍ଷରୁ କରାଯାଇଥିବା ଦାବି ଉପରେ କୁଳପତି ସ୍ପଷ୍ଟ ଆଶ୍ୱାସନା ଦେଇଛନ୍ତି । ନୂଆ ଓ ପୁରୁଣା ଉଭୟ କମିଟିକୁ ଏକାଠି ବସାଇ ଆପୋଷ ବୁଝାମଣା ଓ ସହମତି ଭିତ୍ତିରେ ସମସ୍ତ ବିଧି ବ୍ୟବସ୍ଥା ନିର୍ଦ୍ଧାରଣ କରାଯିବ । କୌଣସି କାର୍ଯ୍ୟକ୍ରମରେ କେହି ଅଜାଚିତ ଭାବେ ହସ୍ତକ୍ଷେପ କିମ୍ବା ଅଂଶଗ୍ରହଣ କରିପାରିବେ ନାହିଁ । କୁଳପତିଙ୍କ କାର୍ଯ୍ୟାଳୟର ସମ୍ପୂର୍ଣ୍ଣ ଅନୁମତି ଓ ନିୟମାନୁଯାୟୀ ସମସ୍ତ କାର୍ଯ୍ୟ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାହାଫଳରେ ବିଶ୍ୱବିଦ୍ୟାଳୟର ପରିବେଶ ପୁଣି ଥରେ ସ୍ୱାଭାବିକ ହୋଇପାରିବ ବୋଲି ଆଶା କରାଯାଉଛି ।
ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରାଜନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଅଭିଯୋଗ ଆଣିଥିଲା, ବିଶ୍ଵବିଦ୍ୟାଳୟ ଅଧ୍ୟାପକ ସଙ୍ଘ- ରୁଟା । ବିଶ୍ଵବିଦ୍ୟାଳୟରେ ରାଜନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପଡୁଛି ବୋଲି ସଂଘ ସଙ୍ଗୀନ ଅଭିଯୋଗ ଆଣିଥିଲା । ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖାଠାରୁ ଆରମ୍ଭ କରି ହଷ୍ଟେଲ ମିିିଳିବା ପର୍ଯ୍ୟନ୍ତ ରାଜନେତାମାନେ ଅଧ୍ୟାପକମାନଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ତେଵେ ବିଶ୍ଵବିଦ୍ୟାଳୟର ଯେଉଁ ବ୍ୟବସ୍ଥା ରହିଛି, ଆଇନ ଭିତରେ ରହି ରାଜନେତାମାନେ ହସ୍ତକ୍ଷେପ କରିବାକୁ ଅଧ୍ୟାପକ ସଙ୍ଘ ଦାବି କରିଥିଲା ।
ଗତ ମାସରେ ଫ୍ରେଣ୍ଡସିପ୍ ଡେ' ପାଳନ ପାଇଁ ପିଲାମାନେ ଏକାଠି ହୋଇଥିବା ବେଳେ ରାଗିଂ ଗୁଜବ ସୃଷ୍ଟି ହୋଇଥିଲା । ଯାହା ପରଦିନ ଛାତ୍ର ଅସନ୍ତୋଷର ରୂପ ନେଇଥିଲା । ତେବେ ସୋମବାର କୁଳପତି ନିଜେ ସିନିୟର ଫାକଲ୍ଟିଙ୍କ ସହ ହୋଷ୍ଟେଲକୁ ଯାଇ ପିଲାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିସାରିଥିଲେ । ଆଲୋଚନା ଶେଷ ହେବା ପାଖାପାଖି ସମୟରେ ବିଧାୟକ ପହଞ୍ଚିଥିଲେ ଏବଂ ମାତ୍ର ୧୫ ରୁ ୨୦ ସେକେଣ୍ଡ ଭିତରେ କଥା କଟାକଟି ହୋଇ ସମ୍ପୂର୍ଣ୍ଣ ପରିସ୍ଥିତି ଓଲଟି ଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ- ଉଗ୍ର ହେଉଛି ରେଭେନ୍ସା ଶିକ୍ଷକ-ବିଧାୟକ ବିବାଦ: ସମୂହ ଛୁଟିରେ ରହି କଳାବ୍ୟାଚ ପିନ୍ଧି RUTAର ପ୍ରତିବାଦ
ଏହା ମଧ୍ୟ ପଢ଼ନ୍ତୁ- ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ମଧ୍ୟରେ ଫାଟ, RUTA ପରେ ଖୋଲିଲା ଆଉ ଗୋଟିଏ ସଙ୍ଘ
ଏହା ମଧ୍ୟ ପଢ଼ନ୍ତୁ- ଥମୁନି ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଏବଂ ବିଧାୟକଙ୍କ କଳି; କୁଳପତିଙ୍କୁ ଦୁଇ ଦିନର ମହଲତ ଦେଲା RUTA
ଇଟିଭି ଭାରତ, କଟକ

