ETV Bharat / state

ମାର୍ଚ୍ଚ 25ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି

ଚଳିତ ମାସ ୨୫ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟର ହେବ ଶୁଭାରମ୍ଭ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ।

RATNA BHANDAR INVENTORY
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ (ETV Bharat Odisha)
author img

By ETV Bharat Odisha Team

Published : March 2, 2026 at 11:11 PM IST

3 Min Read
Choose ETV Bharat

ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର


ଭୁବନେଶ୍ୱର: ଚଳିତ ମାସ ୨୫ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟର ଶୁଭାରମ୍ଭ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କଡା ସୁରକ୍ଷାରେ ହେବ ଗଣତି ମଣତି । ମାର୍ଚ୍ଚ ୨୫ ତାରିଖ ଚୈତ୍ର ଶୁକ୍ଳପକ୍ଷ ସପ୍ତମୀ ତିଥି ବୁଧବାର ଦିନ ୧୨ ଟା ୧୨ ରୁ ୧ ଟା ୪୫ ପର୍ଯ୍ୟନ୍ତ ଶୁଭ ବେଳା ରହିଛି । ସେହିଦିନ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ।‌ ତେବେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ।


ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ରତ୍ନ ଅଳଙ୍କାର ଗଣତି ମଣତି ପ୍ରକ୍ରିୟାରେ ଦୁଇଟି ହ୍ୟାଣ୍ଡଲିଂ ଟିମ୍ ଏବଂ ସୁପରଭାଇଜିଂ ଟିମ୍ ରହିବେ । ଆରବିଆଇର ଅଧିକାରୀ, ରତ୍ନ ଅଳଙ୍କାର ଚିହ୍ନଟ ପାଇଁ ସ୍ବତନ୍ତ୍ର ଏକ୍ସପୋର୍ଟ ଟିମ୍ ମଧ୍ୟ ଉପସ୍ଥିତ ରହିବେ । ରତ୍ନ ଅଳଙ୍କାର ଗଣତି ମଣତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଏବଂ ଫଟୋଗ୍ରାଫି ପାଇଁ ବ୍ୟବସ୍ଥା କରାଯାଇଛି । ଗଣତି ମଣତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ଏବଂ ମାର୍ଗଦର୍ଶିକା ଅନୁଯାୟୀ କରାଯିବ ।‌ ଗଣତି ମଣତି କାର୍ଯ୍ୟ କରିବା ପାଇଁ ଏକ ମାସିକ ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ।

ଏନେଇ ସମସ୍ତ ସେବାୟତଙ୍କୁ ମଧ୍ୟ ଅବଗତ କରାଯିବ । ରାଜ୍ୟ ସରକାର ଙ୍କ ଦ୍ବାରା ଗଠିତ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି, ସେବାୟତ ପ୍ରତିନିଧି ଏବଂ ଆରବିଆଇ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ କରାଯିବ। ରତ୍ନ ଅଳଙ୍କାର ଗଣତି ମଣତି ପରେ ସମସ୍ତ ରତ୍ନ ଅଳଙ୍କାର ଡିଜିଟାଇଜେସନ କରାଯାଇ ଡିଜିଟାଲ କ୍ୟାଟଲକ କରାଯିବ। ପ୍ରତ୍ୟେକ ଦିନ ଗଣତି ମଣତି ଶେଷ ପରେ ରତ୍ନଭଣ୍ଡାର ଚାବିକୁ ଜିଲ୍ଲା ଟ୍ରେଜେରୀରେ ରଖାଯିବ ।

ଯେଉଁଦିନ ଗଣତି ମଣତି ହେବ ସେହିଦିନ ଟ୍ରେଜେରୀରୁ ଚାବି ଅଣାଯିବ । ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ । ୧୯୭୮ ମସିହା ରେ ଶେଷଥର ପାଇଁ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହୋଇଥିବା ବେଳେ ମୋଟ ୭୨ ଦିନ ଲାଗିଥିଲା । ଏଣୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟକୁ କିଭଳି ସୁରୁଖୁରୁରେ ଯଥାଶୀଘ୍ର ଶେଷ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯିବ । ଶନିବାର ଓ ରବିବାର ଭକ୍ତଙ୍କ ଭିଡ଼ ପାଇଁ ଗଣତି ମଣତି କାର୍ଯ୍ୟ ହେବ ନାହିଁ । ଯେଉଁଦିନ ଗଣତି ମଣତି କାର୍ଯ୍ୟ କରାଯିବ ଅଧିକ ସମୟ ଦେଇ କାର୍ଯ୍ୟ କରିବାକୁ ଚେଷ୍ଟା କରାଯିବ।‌ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ କରାଯିବ । ରତ୍ନଭଣ୍ଡାର ଗଣତି ମଣତି ଦିନ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।"

ମହାପ୍ରଭୁଙ୍କ କାର୍ଯ୍ୟ କରାଯାଉଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି।‌ ଗଣତି ମଣତି ସମୟରେ ଶ୍ରୀମନ୍ଦିର ବଣିଆ ମଧ୍ୟ ଉପସ୍ଥିତ ରହିବେ । ରତ୍ନ ଅଳଙ୍କାରର ଗଣତି ମଣତି ପରେ ଏହାକୁ ସମ୍ପୂର୍ଣ୍ଣ ଡିଜିଟାଲ କ୍ୟାଟଲକ କରାଯାଇ ରଖାଯିବ । ଏହାର ଏକ ନକଲ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ହାଇକୋର୍ଟ ଆସନ୍ତା ତିନିମାସ ମଧ୍ୟରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହା ଏକ ସମ୍ବେଦନଶୀଳ କାର୍ଯ୍ୟ ହୋଇଥିବାରୁ ଏହା କେବେ ଶେଷ ହେବ ତାହା କହିବା ସମ୍ଭବ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଣୁ ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେବାୟତଙ୍କ କଲ୍ୟାଣ, ବାସଗୃହ ନିର୍ମାଣ ଏବଂ ଗୁରୁକୁଳ ନିର୍ମାଣ ପାଇଁ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।

ଶ୍ରୀମନ୍ଦିର ବଜେଟ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ୪୫୪ କୋଟି ଟଙ୍କାର ଆୟ ହେବ ବୋଲି ଲକ୍ଷ୍ୟ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ୩୭୨ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି। ୮୨ କୋଟି ଟଙ୍କାର‌ ବଳକା ବଜେଟ ୨୦୨୬-୨୭ ପାଇଁ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଖୁବଶୀଘ୍ର ଶୁଭ ତିଥି ଦେଖି ମହାପ୍ରଭୁଙ୍କ ବ୍ୟବହାର ପାଇଁ ଉପଯୋଗ କରାଯିବ। ଗୁଣ୍ଡିଚା ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବାରୁ ଏହି କାର୍ଯ୍ୟ ଶେଷ ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବ। ଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ଏବଂ ଶ୍ରୀମନ୍ଦିର ନାଟମଣ୍ଡପ କୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ଟେଣ୍ଡର ପ୍ରକ୍ରିୟା ଚାଲିଥିବାବେଳେ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଶ୍ରୀମନ୍ଦିର ପାଇଁ ବିଶ୍ବସ୍ତରୀୟ ହେରିଟେଜ ଇଲୁମିନେସନ ପାଇଁ ପଦକ୍ଷେପ ନିଆଯାଉଛି ।

ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ କରାଯାଉଛି । ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ଏବଂ ସୁପରିଚାଳନା ନେଇ ମଧ୍ୟ ଆଲୋଚନା ହୋଇଥିଲା। ନୂଆ ୟୁନିଫର୍ମ ପଲିସି ଅନୁଯାୟୀ କିଭଳି ମହାପ୍ରଭୁଙ୍କର ଜମି ବିକ୍ରୀ କରାଯାଇ ଅଧିକ କର୍ପସ ଫଣ୍ଡ ବୃଦ୍ଧି କରାଯାଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି‌‌। ୧୬ କୋଟି ଟଙ୍କାର କର୍ପସ ଫଣ୍ଡ ଶ୍ରୀମନ୍ଦିରର ରହିଛି । ଶ୍ରୀମନ୍ଦିରର ନିଜସ୍ୱ ୧୧ ଶହ କୋଟି ଟଙ୍କା ଥିବାବେଳେ ୫୦୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା‌ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତି ଥିଲେ ।

ଏହା ବି ପଢନ୍ତୁ- ପୁରୀରେ ଟ୍ରିବ୍ୟୁନାଲ ଟିମ୍: 'ଖୁବଶୀଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ'

ଇଟିଭି ଭାରତ, ପୁରୀ