ETV Bharat / state

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା; ମୁତୟନ ହେବେ 12000 ପୋଲିସ ଫୋର୍ସ, ସମୀକ୍ଷା କଲେ ଡିଜିପି

ସୁରକ୍ଷା ବନ୍ଦୋବସ୍ତକୁ ଅଭେଦ୍ୟ କରିବା ପାଇଁ ଏଥର ପୁରୀରେ ପ୍ରାୟ ୧୨ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

Puri Rath Yatra
ପୋଲିସ ଡିଜିପିଙ୍କ ରଥଯାତ୍ରା ସୁରକ୍ଷା ସମୀକ୍ଷା ବୈଠକ (ETV Bharat Odisha)
author img

By ETV Bharat Odisha Team

Published : July 4, 2026 at 10:32 PM IST

|

Updated : July 4, 2026 at 10:59 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ ତାରିଖରେ ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବା ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶ୍ୱପ୍ରସିଦ୍ଧ ଗଣପର୍ବକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓଡ଼ିଶା ପୋଲିସ ଉପରେ ରହିଛି । ରଥଯାତ୍ରା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଅଘଟଣ ନ ଉପୁଜିବ, ସେଥିପାଇଁ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ପୁରୀରେ ଘନ ଘନ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ।

ପୋଲିସ ଡିଜିପିଙ୍କ ରଥଯାତ୍ରା ସୁରକ୍ଷା ସମୀକ୍ଷା ବୈଠକ (ETV Bharat Odisha)


ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ପୁରୀ ଗସ୍ତରେ ଆସି ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତି ଓ ପୋଲିସର ବ୍ୟବସ୍ଥା ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ସହରର ସୁରକ୍ଷା ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ଆଲୋଚନା କରିବା ସହ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଛନ୍ତି ପୋଲିସ ଡିଜି । ଏହି ବୈଠକରେ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଏବଂ ପୁରୀ ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନିଜ ନିଜର ମତାମତ ଦେଇଥିଲେ ।

Puri Rath Yatra
ପୋଲିସ ଡିଜିପିଙ୍କ ରଥଯାତ୍ରା ସୁରକ୍ଷା ସମୀକ୍ଷା ବୈଠକ (ETV Bharat Odisha)

ଗତ ବର୍ଷ ଅର୍ଥାତ ୨୦୨୫ ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟା ଅଘଟଣରେ ୩ ଜଣ ଶ୍ରଦ୍ଧାଙ୍କ ପ୍ରାଣହାନୀ ଘଟିଥିଲା । ଏହି ଦୁଃଖଦ ଘଟଣାରୁ ଶିକ୍ଷା ଲାଭ କରି ଚଳିତ ବର୍ଷ ପ୍ରଶାସନ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।

ଡିଜିପି ଖୁରାନିଆ ସ୍ପଷ୍ଟ କରିଛନ୍ତି ଯେ, ଏଥର ରଥଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ "ଅଘଟଣ ମୁକ୍ତ" କରିବା ଓଡ଼ିଶା ପୋଲିସର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଏବଂ ବ୍ୟବସ୍ଥିତ କରାଯାଉଛି, ଯେପରି କୌଣସି ବି ସ୍ଥାନରେ ଭିଡ଼ ଅନିୟନ୍ତ୍ରିତ ହେବ ନାହିଁ ଏବଂ ଭକ୍ତମାନେ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଚଳିତ ବର୍ଷର ରଥଯାତ୍ରା ସୁରକ୍ଷା ଦାୟିତ୍ୱ ଅତିରିକ୍ତ ପୋଲିସ ଡିଜି (ଏଡିଜି) ସୌମେନ୍ଦ୍ର ପ୍ରିୟଦର୍ଶୀ ରହିବେ ବୋଲି ଡିଜିପି ସୂଚନା ଦେଇଛନ୍ତି ।

Puri Rath Yatra
ପୋଲିସ ଡିଜିପିଙ୍କ ରଥଯାତ୍ରା ସୁରକ୍ଷା ସମୀକ୍ଷା ବୈଠକ (ETV Bharat Odisha)

ସୁରକ୍ଷା ବନ୍ଦୋବସ୍ତକୁ ଅଭେଦ୍ୟ କରିବା ପାଇଁ ଏଥର ପୁରୀରେ ପ୍ରାୟ ୧୨ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ୨୦୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ । ୩,୦୦୦ ହଜାର ହୋମଗାର୍ଡ ଭିଡ଼ ନିୟନ୍ତ୍ରଣ ଓ ସହାୟତା ପାଇଁ ଉପସ୍ଥିତ ରହିବେ । ୧୦ କମ୍ପାନୀ କେନ୍ଦ୍ରୀୟ CAPF ମୁତୟନ କରାଯିବ।

ଏହା ସହିତ ସ୍ୱତନ୍ତ୍ର ଭାବେ ରାପିଡ ଆକ୍ସନ ଫୋର୍ସ (RAF), ସିଆରପିଏଫ୍ (CRPF) ଏବଂ ବିଏସଏଫ୍ (BSF) ଯବାନମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥା ସଂବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯିବ । ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଟ୍ରାଫିକ ପୋଲିସ ବାହିନୀ ବଡଦାଣ୍ଡ ଏବଂ ପୁରୀ ସହରର ପ୍ରବେଶ ପଥଗୁଡ଼ିକରେ ନିୟୋଜିତ ହେବେ ।

Puri Rath Yatra
ପୋଲିସ ଡିଜିପିଙ୍କ ରଥଯାତ୍ରା ସୁରକ୍ଷା ସମୀକ୍ଷା ବୈଠକ (ETV Bharat Odisha)



ପ୍ରବଳ ବର୍ଷା ସାଜିବ ଚ୍ୟାଲେଞ୍ଜ:-
ଚଳିତ ବର୍ଷ ଜୁଲାଇ ମାସରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ, ଏହା ପୋଲିସ ଏବଂ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ବୈଠକରେ ଆଲୋଚନା ହୋଇଛି । ବର୍ଷା ସମୟରେ କିଭଳି ପାଣି ଜମିବ ନାହିଁ ଏବଂ ଭକ୍ତମାନେ ସୁରକ୍ଷିତ ଭାବେ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ବିନା କୌଣସି ଅସୁବିଧାରେ ନିଜ ନିଜ ଘରକୁ ଫେରିବେ, ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।

Puri Rath Yatra
ପୋଲିସ ଡିଜିପିଙ୍କ ରଥଯାତ୍ରା ସୁରକ୍ଷା ସମୀକ୍ଷା ବୈଠକ (ETV Bharat Odisha)


ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଆଶା ପ୍ରକାଶ କରିଛନ୍ତି ଯେ, ଜନସାଧାରଣ ଏବଂ ଶ୍ରଦ୍ଧାଳୁଙ୍କ ସହଯୋଗରେ ଚଳିତ ବର୍ଷର ରଥଯାତ୍ରା ଅତି ସୁନ୍ଦର ଭାବେ ସମ୍ପନ୍ନ ହେବ । ଏଥିସହିତ ସେ ପୁରୀ ଆସୁଥିବା ସମସ୍ତ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଟ୍ରାଫିକ ବ୍ୟବସ୍ଥା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ, ଯାହାଦ୍ୱାରା ଶ୍ରୀକ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିପାରିବ ।

ଏହା ବି ପଢନ୍ତୁ-ଏଥର ରଥଯାତ୍ରାରେ ରନ୍ଧା ଖାଦ୍ୟ ବଣ୍ଟନ ବନ୍ଦ, ୩୦୦ ବସକୁ ପ୍ରଦାନ କରାଯିବ ଅସ୍ଥାୟୀ ପରମିଟ

ଇଟିଭି ଭାରତ, ପୁରୀ

Last Updated : July 4, 2026 at 10:59 PM IST