ରାମଚନ୍ଦ୍ର ମେହେର ସମ୍ବଲପୁର ବିଜେପି ଜିଲ୍ଲା ସଭାପତି, ସାମ୍ନାରେ ଏସବୁ ଚ୍ୟାଲେଞ୍ଜ
ସମ୍ବଲପୁରର ବିଜେପି ଜିଲ୍ଲା ସଭାପତି ହେଲେ ରାମଚନ୍ଦ୍ର ମେହେର । ପୂର୍ବରୁ 2017 ରୁ 2021 ପର୍ଯ୍ୟନ୍ତ ସେ ସଭାପତି ଦାୟିତ୍ବ ତୁଲାଇଥିଲେ । ଏବେ ସାମ୍ନାରେ ଏସବୁ ଚ୍ୟାଲେଞ୍ଜ

Published : January 5, 2026 at 10:54 PM IST
Sambalpur BJP District President ସମ୍ବଲପୁର: ଦୀର୍ଘ ଦିନର ପ୍ରତୀକ୍ଷା ପରେ ସମ୍ବଲପୁରରେ ଜିଲ୍ଲା ସଭାପତି ନିଯୁକ୍ତ କରିଛି ରାଜ୍ୟ ବିଜେପି । ବହୁ ବାଦବିବାଦ ପରେ ଶେଷରେ ଗତକାଲି(ରବିବାର) ରାମଚନ୍ଦ୍ର ମେହେର ଜିଲ୍ଲା ସଭାପତି ଭାବେ ଘୋଷଣା କରିଛି ଦଳ । ପୂର୍ବରୁ 36ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିଯୁକ୍ତ ହୋଇସାରିଥିବା ବେଳେ କେବଳ ସମ୍ବଲପୁର ଜିଲ୍ଲା ବାକି ଥିଲା । ଶେଷରେ ରାମଚନ୍ଦ୍ରଙ୍କୁ ଦାୟିତ୍ବ ଦେଇଛି ଦଳ । ତେବେ ରାଜନୀତି ଶକ୍ତିକେନ୍ଦ୍ରରେ ସମ୍ବଲପୁର ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା । ଏହାରି ଭିତରେ କିପରି ସମ୍ଭାଳିବେ ଦାୟିତ୍ବ ତାହା ଉପରେ ସମସ୍ତଙ୍କ ନଜର ।
କଣ କୁହନ୍ତି ରାଜନୈତିକ ସମୀକ୍ଷକ ?
ସମ୍ବଲପୁର ଜିଲ୍ଲା ବିଜେପିର ସଭାପତି ଭାବେ ରାମଚନ୍ଦ୍ର ମେହେର ନିଯୁକ୍ତି ପାଇବା ପରେ ଏବେ ଗୋଟିଏ ଚର୍ଚ୍ଚା, ସମ୍ବଲପୁର ଜିଲ୍ଲା ବିଜେପି ସଂଗଠନକୁ ସମ୍ଭାଳି ପାରିବେ ତ ରାମ ? କାରଣ ସମ୍ବଲପୁର ଜିଲ୍ଲା ବିଜେପିରେ ଏକାଧିକ ଗୋଷ୍ଠୀ ରହିଥିବା ରାଜନୀତି ସମୀକ୍ଷକ କୁହନ୍ତି । ସମ୍ବଲପୁର ଜିଲ୍ଲା ବିଜେପିରେ ସ୍ଥାନୀୟ ବିଧାୟକ, ପୂର୍ବତନ ଜିଲ୍ଲା ସଭାପତି ତଥା ସ୍ଥାନୀୟ ସାଂସଦଙ୍କ ଅଲଗା ଅଲଗା ସଂଗଠନ ରହିଛି ବୋଲି ଚର୍ଚ୍ଚା ହୁଏ l ତେଣୁ ପ୍ରତ୍ୟେକ ଗୋଷ୍ଠୀ ନିଜ ନିଜର ପ୍ରାର୍ଥୀଙ୍କୁ ସଭାପତି କରିବାକୁ ଲବି ହେଉଥିଲା ତେଣୁ ପ୍ରାର୍ଥୀ ନିଯୁକ୍ତିରେ ବିଳମ୍ବ ହେଉଥିଲା, ତେବେ ବର୍ତ୍ତମାନ ଜିଲ୍ଲା ସଭାପତି ନିଯୁକ୍ତ ହୋଇଥିବା ରାମଚନ୍ଦ୍ର ମେହେର କୌଣସି ଗୋଷ୍ଠୀରେ ନଥିବାରୁ ତାଙ୍କୁ ଜିଲ୍ଲା ସଭାପତି ପଦ ମିଳିଥାଇପାରେ ବୋଲି ରାଜନୀତି ବିଶ୍ଳେଷକ ଶିବ ପ୍ରସାଦ ମେହେର କହିଛନ୍ତି l

ଶୀର୍ଷ ନେତୃତ୍ବକୁ ଜଣାଇଲେ ଧନ୍ୟବାଦ:
ତେବେ ନବ ନିଯୁକ୍ତ ବିଜେପି ସଭାପତି ରାମଚନ୍ଦ୍ର ମେହେର ଜିଲ୍ଲା ସଭାପତି ପଦ ପାଇବା ପରେ ରାଜ୍ୟର ଶୀର୍ଷ ନେତୃତ୍ୱ ସହ ଜିଲ୍ଲା ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହ ନିଜର କୃତଜ୍ଞତା ଜଣାଇଛନ୍ତି l ଏହା ସହ ସେ ଜିଲ୍ଲା ନେତୃତ୍ୱକୁ ଏକାଠି କରି ଆଗକୁ ବଢିବେ ବୋଲି କହିଛନ୍ତି l ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ମହାନଗର ନିର୍ବାଚନରେ ଦଳ ଭଲ ସଫଳତା ପାଇବ ବୋଲି ସେ ଆଶପୋଷଣ କରିଛନ୍ତି l
ପୂର୍ବରୁ ବି ରହିଛି ସଭାପତି ହେବାର ଅଭିଜ୍ଞତା:
ସୂଚନାଯୋଗ୍ୟ ରାମନ୍ଦ୍ର ମେହେର 2017 ରୁ 2021 ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବିଜେପିର ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି l ଏହି ଅବଧିରେ ସମ୍ବଲପୁର ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ, 2019 ସାଧରଣ ନିର୍ବାଚନରେ ସମ୍ବଲପୁରରେ ପ୍ରଥମ ଥର ପାଇଁ ବିଜେପି ସାଂସଦ ବିଜୟୀ ହୋଇଥିଲେ l

ଜିଲ୍ଲାକୁ 1 ନଂ କରିବୁ:
ତେବେ ଜିଲ୍ଲା ସଭାପତି ହେବା ପରେ ରାମଚନ୍ଦ୍ର ମେହେର କହିଛନ୍ତି, ‘ଭାରତୀୟ ଜନତା ପାଇଁ ସବୁ ବେଳେ ଆହ୍ୱାନ ରହିଛି l ବିଜେପି ଦଳର କେନ୍ଦ୍ରସ୍ତରରେ 2ଟି ଆସନ ଥିବା ବେଳେ ମଧ୍ୟ ଏହା ଆହ୍ୱାନକୁ ସ୍ୱୀକାର କରି ଆଜି 3 ଥର କେନ୍ଦ୍ରରେ ସତ୍ତା ହାସଲ କରିଛି l ଆଉ ଆମର ମୂଳ ଆହ୍ୱାନ ହେଉଛି ଲୋକଙ୍କ ସମସ୍ୟାର ସମାଧାନ କରିବା l ପୂର୍ବରୁ 2017 ରୁ 2021 ଯାଏ ଜିଲ୍ଲା ସଭାପତି ଥିଲି ସେତେବେଳେ ସବୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଦଳ ଜିଲ୍ଲା ପରିଷଦ ଗଠନ କରିବା ସହ 2019 ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭାକୁ ପ୍ରଥମ ବିଜେପି ସାଂସଦ ଦେଇଥିଲୁ l ଆଉ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଦଳର ସଂଗଠନ ଦୃଢ଼ ଥିବାରୁ ସ୍ଥାନୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ର ଓ କୁଚିଣ୍ଡା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମ୍ବଲପୁର ଜିଲ୍ଲା ବିଜେପିକୁ ରାଜ୍ୟରେ ଏକ ନମ୍ବର କରିବୁ l’

ମତଭେଦକୁ ନେଇ କଣ କହିଲେ ?
ତେବେ ଜିଲ୍ଲା ବିଜେପିରେ ମତଭେଦ ଓ ଗୋଷ୍ଠୀକୁ ନେଇ ପଚରା ଯିବାରୁ ରାମଚନ୍ଦ୍ର ମେହେର କହିଛନ୍ତି, ‘ବିଜେପି ଏକ ସର୍ବଭାରତୀୟ ଦଳ, ଏହା କୌଣସି ଜଣେ ବ୍ୟକ୍ତିର ଦଳ ନୁହେଁ l କେନ୍ଦ୍ର ନେତୃତ୍ୱ ଓ ରାଜ୍ୟ ନେତ୍ରତ୍ୱ ଅନୁସାରେ ଦଳ ପରିଚାଳିତ ହେଉଛି l ଆମ ଦଳରେ କେହି ବଡ଼ ନୁହନ୍ତି, ସମସ୍ତେ ଜଣେ ଜଣେ କାର୍ଯ୍ୟକର୍ତ୍ତା l ଦଳ ଯେତେବେଳେ ଯାହାକୁ ଯେଉଁ ଦାୟିତ୍ୱ ଦେଇଛି ଆମେ ସୁଚାରୁ ରୂପେ ତୁଲାଇଛୁ l ତେଣୁ ଦଳ ଭିତରେ ଆମର ସମସ୍ତଙ୍କ ରାସ୍ତା ଅଲଗା ହୋଇପାରେ ତେବେ ସମସ୍ତଙ୍କ ଲକ୍ଷ୍ୟ ଗୋଟିଏ l’

କିଛି ଅସୁବିଧା ହେବନି...
ତେଵେ ସମ୍ବଲପୁରର ରାଜନୀତି ସମୀକ୍ଷକ ଶିବ ପ୍ରସାଦ ମେହେର କହିଛନ୍ତି, ‘ବିଜେପି ଏକ ଶୃଙ୍ଖଳିତ ଓ କ୍ୟାଡର ଭିତ୍ତିକ ଦଳ l ତାଙ୍କର ବାଦ ବିବାଦ ହୁଏ ତେବେ ଥରେ ଯିଏ ପଦକୁ ଆସିବା ପରେ ବାଦ ବିବାଦ ଅଉ ରହେନି ସମସ୍ତେ ତାଙ୍କୁ ମାନିକି ଚାଲନ୍ତି l ତେଣୁ ରାମଚନ୍ଦ୍ର ମେହେରଙ୍କୁ କୌଣସି ଅସୁବିଧା ହେବନି ବୋଲି ମୁଁ ଭାବୁଛି l ସେ ତୃଣମୂଳ ସ୍ତରରୁ ସଂଘର୍ଷ କରି ଆଜି ଏହି ସ୍ଥାନକୁ ପହଞ୍ଚିଛନ୍ତି l 20 ବର୍ଷ ପୂର୍ବେ ସେ ଏକ ୱାର୍ଡ କାଉନସିଲର ଭାବେ ନିର୍ବାଚିତ ହୋଇ ମ୍ୟୁନିସିପାଲିଟିରେ ଭାଇସ ଚେୟାରମ୍ୟାନ ହୋଇପାରିଥିଲେ l ଆଉ ପରବର୍ତ୍ତୀ ସମୟରେ ବିଜେପି ଦଳରେ ସାମିଲ ହୋଇଥିଲେ l’
ଇଟିଭି ଭାରତ, ସମ୍ବଲପୁର

