ETV Bharat / state

ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ରାକେଶ ଓ ତାଙ୍କ ଦୁଇ ସାଥୀ; ସୁରକ୍ଷିତ ଅଛନ୍ତି ବାରିପଦାର କୁଲସୁମ ନିଗାର

ରାକେଶ ଓ ତାଙ୍କ ଦୁଇ ବନ୍ଧୁ ପଶୁପତିନାଥ ମନ୍ଦିର ଦର୍ଶନ ପରେ ନିକଟସ୍ଥ ଏକ ପାହାଡ଼ ଉପରକୁ ଯାଇଥିବା ସମୟରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରିପୋର୍ଟ-ମିନତି ସିଂହ/ଶକ୍ତି ପ୍ରସାଦ ମିଶ୍ର

Efforts on to find missing Odias in Nepal
ନେପାଳ ବନ୍ୟା ବିଭୀଷିକା ଭିତରେ ସୁରକ୍ଷିତ ଥିବା ପୁରୀର ରଞ୍ଜନ ପଣ୍ଡା ଓ ବାରିପଦାର କୁଲସୁମ ନିଗାର (Etv Bharat)
author img

By ETV Bharat Odisha Team

Published : August 27, 2026 at 8:11 PM IST

3 Min Read
Choose ETV Bharat

ପୁରୀ/ଭୁବନେଶ୍ୱର: “ମୋ ପୁଅକୁ ବଞ୍ଚାଇ ଦେଲେ ମା’ ଖମ୍ବେଶ୍ୱରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ। ମୋ ପୁଅ ସହ ତା’ର ଦୁଇଜଣ ସାଙ୍ଗଙ୍କୁ ମଧ୍ୟ ମା’ ଖମ୍ବେଶ୍ୱରୀ ବଞ୍ଚାଇ ଦେଇଛନ୍ତି।” ନେପାଳରେ ଭୟଙ୍କର ବନ୍ୟା ଓ ଫ୍ଲାସ୍ ଫ୍ଲଡ୍‌ରୁ ପୁଅ ଓ ତାଙ୍କ ଦୁଇ ବନ୍ଧୁ ସୁରକ୍ଷିତ ଫେରିଆସିବା ପରେ ଏଭଳି ଭାବବିହ୍ୱଳ ହୋଇ କହିଛନ୍ତି ପୁରୀ ଜମିଖୁଣ୍ଟିଆ ଅଞ୍ଚଳର ପ୍ରଭାତ ପଣ୍ଡା।

ଅନ୍ୟପକ୍ଷେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ବାସିନ୍ଦା କୁଲସୁମ ନିଗାର ମଧ୍ୟ ନେପାଳରେ ନିଖୋଜ ଥିଲେ । ଗତାକାଲିଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁ ନ ଥିବାବେଳେ ଆଜି ସେ ସୁରକ୍ଷିତ ଅବସ୍ଥାରେ ଥିବା ଖବର ଦେଇଛନ୍ତି । ଏହି ଖବର ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ନେପାଳରୁ ସୁରକ୍ଷିତ ଫେରିଲେ ପୁରୀର ରାକେଶ ଓ ତାଙ୍କ ଦୁଇ ସାଥୀ; ଅନ୍ୟ ଓଡ଼ିଆଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି (Etv Bharat)

ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ନେଇ ଅନିଶ୍ଚିତତା ଓ ଚିନ୍ତା ବଢ଼ିଛି। ଇତି ମଧ୍ୟରେ 4 ଜଣ ସୁରକ୍ଷିତ ଥିବା ସୂଚନା ଆସିଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ନିଖୋଜ ଦମ୍ପତିଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ।


ମୃତ୍ୟୁ ମୁଖରୁ ବର୍ତ୍ତିଲେ ରଞ୍ଜନ ଓ ତାଙ୍କ ଦୁଇ ସାଥୀ

ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ଅନେକ ଜୀବନ ହାନି ହୋଇଥିବାବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ଏପରି ଖବର ମଧ୍ୟରେ ପୁରୀର ୨୬ ବର୍ଷୀୟ ରାକେଶ ରଞ୍ଜନ ପଣ୍ଡା ଓ ତାଙ୍କ ଦୁଇ ସାଥୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଛନ୍ତି। ପାହାଡ଼ ଉପରେ ଥିବାବେଳେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା ଯେଉଁଥିପାଇଁ ସେମାନେ ବର୍ତ୍ତି ଯାଇଥିଲେ ।

Rakesh's father, Pratava Panda, who returned safely from Nepal
ନେପାଳରୁ ସୁରକ୍ଷିତ ଫେରି ଆସିଥିବା ରାକେଶଙ୍କ ବାପା ପ୍ରଭାତ ପଣ୍ଡା (Etv Bharat)

ସୂଚନା ଅନୁସାରେ, ରାକେଶ ରଞ୍ଜନ ପଣ୍ଡା ଓ ତାଙ୍କ ଦୁଇ ବନ୍ଧୁ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ନେପାଳରେ ପହଞ୍ଚିବା ପରେ ସେମାନେ ପଶୁପତିନାଥ ମନ୍ଦିର ଦର୍ଶନ କରିଥିଲେ। ଦର୍ଶନ ପରେ ନିକଟସ୍ଥ ଏକ ପାହାଡ଼ ଉପରକୁ ଯାଇଥିବା ସମୟରେ ହଠାତ୍ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଚାହୁଁଚାହୁଁ ବନ୍ୟା ପାଣି ତଳିଆ ଅଞ୍ଚଳକୁ ମାଡ଼ି ଆସିଥିବାବେଳେ ରାକେଶ ଓ ତାଙ୍କ ସାଥୀମାନେ ପାହାଡ଼ ଉପରେ ରହିଯାଇଥିଲେ। ଫଳରେ ସେମାନେ ବନ୍ୟାର ପ୍ରତ୍ୟକ୍ଷ ପ୍ରଭାବରୁ ବର୍ତ୍ତି ଯାଇଥିଲେ। ପରିସ୍ଥିତି ଭୟଙ୍କର ହେବା ପରେ ସେମାନେ ନିଜ ଟୁର୍‌ ଅପରେଟରଙ୍କ ସହ ଯୋଗାଯୋଗ କରିଥିଲେ।

Ranjan Panda of Puri returns safely from Nepal
ନେପାଳରୁ ସୁରକ୍ଷିତ ଫେରି ଆସିଥିବା ପୁରୀର ରଞ୍ଜନ ପଣ୍ଡା (Etv Bharat)
ମା' ଖମ୍ବେଶ୍ୱରୀ ଓ ପ୍ରଭୁ ଶ୍ରୀଜଗନ୍ନାଥ ପୁଅକୁ ବଞ୍ଚେଇଦେଲେ

ନେପାଳ ସରକାରଙ୍କ ସହଯୋଗରେ ହେଲିକପ୍ଟର ଯୋଗେ ରାକେଶ ଓ ତାଙ୍କ ଦୁଇ ସାଥୀଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ସହଯୋଗରେ ସେମାନେ ଭାରତ ଫେରିଥିବା ଜଣାପଡ଼ିଛି। ତିନିଜଣ ଯାକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପରିବାର ପକ୍ଷରୁ କୁହାଯାଇଛି। ରାକେଶଙ୍କ ବାପା ପ୍ରଭାତ ପଣ୍ଡା କହିଛନ୍ତି, “ନେପାଳରେ ହଠାତ୍ ବନ୍ୟା ଆସି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ମୁଁ ବହୁତ ବିଚଳିତ ହୋଇପଡ଼ିଥିଲି। ପୁଅକୁ ମେସେଜ୍ କରିବା ପରେ ସେ ଓ ତା’ର ଦୁଇ ବନ୍ଧୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାଇଥିଲେ। ମୋର ଗୋଟିଏ ପୁଅ। ତା’ର ଜୀବନ ରକ୍ଷା ହୋଇଯାଇଥିବାରୁ ମୁଁ ମା’ ଖମ୍ବେଶ୍ୱରୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରୁଛି।”

Kulsum Nigar   resident of Baripada in Mayurbhanj district, missing in Nepal
ନେପାଳରେ ନିଖୋଜ ମୟୂରଭଞ୍ଜ ଜିଲ୍ଲା ବାରିପଦାର ବାସିନ୍ଦା କୁଲସୁମ ନିଗାର (Etv Bharat)
ନିଖୋଜ ଅଛନ୍ତି ଖୋରଧା ଦମ୍ପତି

ଖୋରଧା ଜିଲ୍ଲାର ବାସିନ୍ଦା ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ ସାହୁ ଗତ ଅଗଷ୍ଟ ୨୨ ତାରିଖରେ ନେପାଳରେ ପହଞ୍ଚିଥିଲେ। ଉଭୟେ ୨୦୧୮ ମସିହାରୁ ଅଷ୍ଟ୍ରେଲିଆରେ ରହୁଥିବା ଜଣାପଡ଼ିଛି। ତେବେ ନେପାଳ ଯିବା ପରଠାରୁ ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ଫଳରେ ପରିବାର ସଦସ୍ୟମାନେ ସେମାନଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି । ସେମାନଙ୍କ ନିଖୋଜ ନେଇ ପରିବାର ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ପରେ ଆବଶ୍ୟକୀୟ ସମସ୍ତ ତଥ୍ୟ ସେମାନଙ୍କ ଭଉଣୀଙ୍କଠାରୁ ସଂଗ୍ରହ କରାଯାଇଛି। ଏହି ସୂଚନା ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଉଭୟଙ୍କ ସନ୍ଧାନ ଏବଂ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ ।

Sandeep Mohapatra and Siddharthi Kumari, residents of Khoradha district, missing in Nepal
ନେପାଳରେ ନିଖୋଜ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ସନ୍ଦୀପ ମହାପାତ୍ର ଓ ସିଦ୍ଧାର୍ଥୀ କୁମାରୀ (Etv Bharat)

ସୁରକ୍ଷିତ ଅଛନ୍ତି ୬ ଫୁଟବଲ୍ ଖେଳାଳି
ଓଡ଼ିଶାର ୬ ଜଣ ଫୁଟବଲ୍ ଖେଳାଳିଙ୍କ ଏକ ଦଳ କୋଚଙ୍କ ସହ ନେପାଳର ପୋଖରାକୁ ଏକ ମ୍ୟାଚ୍ ଖେଳିବା ପାଇଁ ଯାଇଥିଲେ। କୋଚ୍‌ଙ୍କ ସୂଚନା ଅନୁଯାୟୀ, ଦଳର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି । କ୍ରୀଡା ଓ ଯୁବକଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କହିବା ଅନୁସାରେ, ଓଡିଶା ସରକାରଙ୍କ ଓଡିଶା ପରିବାର ପକ୍ଷରୁ ଏହି ବ୍ୟକ୍ତି ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାପାଇଁ ସମସ୍ତ ଚେଷ୍ଟା ଜାରି ରହିଛି ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, "ଆମେ ନେପାଳ ସରକାରଙ୍କ ସହିତ ସମ୍ପର୍କରେ ଅଛୁ । ଫୁଟବଲ ଖେଳିବାକୁ ଯାଇଥିବା ପିଲାମାନେ ଏବଂ ତାଙ୍କ କୋଚ୍ ସୁରକ୍ଷିତ ଅଛନ୍ତି । ଆମେ ଏକ 24 ଘଣ୍ଟିଆ ହେଲ୍ପ ଡେସ୍କ ଖୋଲିଛୁ, ଯେଉଁଥିରେ ସମ୍ପର୍କ କରି ନେପାଳରେ ଥିବା ଓଡ଼ିଆଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ପାରିବ । "

ଫୋନ କରି ସୁରକ୍ଷିତ ଥିବା ଜଣାଇଲେ ବାରିପଦାର କୁଲସୁମ

ଅନ୍ୟ ପକ୍ଷେ ବାରିପଦାର କୁଲସୁମ ନିଖୋଜ ଥିବାବେଳେ ତାଙ୍କର ସନ୍ଧାନ ପାଇଁ ପ୍ରୟାସ କରିଥିଲା ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ଥିବା ରାଜ୍ୟ ସରକାରଙ୍କ ସହାୟତା ସଂସ୍ଥା ‘ଓଡ଼ିଶା ପରିବାର’ । ଏହାର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ପ୍ରୀତିଶ ପଣ୍ଡାଙ୍କ କହିବା ଅନୁଯାୟୀ , ଓଡ଼ିଶାରେ ଥିବା କୁଲସୁମଙ୍କ ପରିବାର ତାଙ୍କ ନିଖୋଜ ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତାଙ୍କୁ ଶୀଘ୍ର ଖୋଜିବା ପାଇଁ ଆବଶ୍ୟକ ସମସ୍ତ ତଥ୍ୟ ବିଦେଶ ମନ୍ତ୍ରଣାଳୟକୁ ପଠା ଯାଇଥିଲା । ତେବେ କୁଲସୁମ ଗୁରୁବାର ସନ୍ଧ୍ୟାରେ ଫୋନ କରି ସୁରକ୍ଷିତ ଥିବା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, କୁଲସୁମ ଅଗଷ୍ଟ ୨୧ ତାରିଖରେ ଟ୍ରେନ୍‌ ଯୋଗେ ଯାତ୍ରା ଆରମ୍ଭ କରି ଅଗଷ୍ଟ ୨୨ରେ ନେପାଳରେ ପହଞ୍ଚିଥିଲେ। ସେଠାରେ ଟ୍ରେକିଂ ଓ ପର୍ଯ୍ୟଟନ ପାଇଁ ପୋଖରା ଏବଂ କାଠମାଣ୍ଡୁ ଯିବାର ଯୋଜନା ଥିଲା। ତେବେ ନେପାଳରେ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପରିବାର ସହ ତାଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ପ୍ରୀତିଶ ପଣ୍ଡାଙ୍କ ସୂଚନା ଅନୁସାରେ, ଫ୍ଲାସ୍ ଫ୍ଲଡ୍‌ ଆସିବା ପୂର୍ବରୁ କୁଲସୁମ ତାଙ୍କ ପରିବାର ସହ ଶେଷଥର ପାଇଁ କଥା ହୋଇଥିଲେ। ପରେ ତାଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା। କୁଲସୁମଙ୍କ ଶେଷ GPS ଲୋକେସନ୍ କାଠମାଣ୍ଡୁ ଆଖପାଖ ଅଞ୍ଚଳରେ ଥିବା ଜଣାପଡ଼ିଥିଲା । ଏହାକୁ ଆଧାର କରି ତାଙ୍କ ସନ୍ଧାନ ଓ ନିରାପତ୍ତା ସମ୍ପର୍କରେ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିଥିଲେ । କୁଲସୁମଙ୍କ ଫୋନ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ/ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ନେପାଳରେ ପ୍ରଳୟଙ୍କାରୀ ବନ୍ୟା: ପ୍ରାୟ 300 ମୃତ, 288 ଭାରତୀୟ ନିଖୋଜ, ଖୋଲିଲା କଣ୍ଟ୍ରୋଲ ରୁମ୍‌

ଏହା ମଧ୍ୟ ପଢନ୍ତୁ ନେପାଳରେ ତାଣ୍ଡବ ରଚିଲା ବନ୍ୟା: 160 ଜଣଙ୍କ ମୃତ୍ୟୁ, ଶହ ଶହ ନିଖୋଜ